ଯୁଦ୍ଧାକ୍ରାନ୍ତ ବିଶ୍ବ ଅର୍ଥନୀତି
ରୁଷିଆ-ୟୁକ୍ରେନ ଯୁଦ୍ଧ କେବଳ ସେହି ଦୁଇ ଦେଶର ନୁହେଁ, ବିଶ୍ବର ଅନ୍ୟ ଦେଶଗୁଡ଼ିକର ଅର୍ଥବ୍ୟବସ୍ଥାକୁ ମଧ୍ୟ ପ୍ରଭାବିତ କଲାଣି
ରୁଷ-ୟୁକ୍ରେନ ଯୁଦ୍ଧ କ୍ରମଶଃ ଭୟାବହ ସ୍ଥିତି ଉତ୍ପନ୍ନ କରିଥିବାବେଳେ ଏହାର ପ୍ରଭାବ ବିଶ୍ବର ପ୍ରମୁଖ ଅର୍ଥବ୍ୟବସ୍ଥାଗୁଡ଼ିକ ଉପରେ ସ୍ପଷ୍ଟ ଅନୁଭୂତ ହେଲାଣି। ବିଶେଷତଃ ଅଶୋଧିତ ତୈଳ ବିଗତ ୧୪ ବର୍ଷର ସର୍ବାଧିକ ସ୍ତରରେ ପହଞ୍ଚିଛି ଓ ଶେୟାର୍ ବଜାର ନିମ୍ନଗାମୀ ହୋଇଚାଲିଛି। ଆମେରିକା ଓ ତା’ର ସହଯୋଗୀ ଇଉରୋପୀୟ ରାଷ୍ଟ୍ରଗୁଡ଼ିକ ରୁଷିଆର ତୈଳ ଉପରେ ନିଷେଧାଦେଶ ଲାଗୁ କରିବାକୁ ଯୋଜନା କରିବା ସହ ଅଧିକ ଆର୍ଥିକ କଟକଣା ଲଗାଇବା କଥା ଉଠିବା ପରେ ସୋମବାର ଅଶୋଧିତ ତୈଳ ମୂଲ୍ୟ ବ୍ୟାରେଲ୍ ପିଛା ୧୪୦ ଡଲାର୍ ପାଖାପାଖି ପହଞ୍ଚିଯାଇଥିଲା। ଏହାର ସିଧାସଳଖ ପ୍ରଭାବ ଭାରତ ଉପରେ ବିଭିନ୍ନ ସ୍ତରରେ ପଡ଼ିବା ଆରମ୍ଭ କରିଛି। ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ୍ (ବିଏସ୍ଇ)ର ସୂଚକାଙ୍କ ବିଗତ ସାତ ମାସର ସର୍ବାଧିକ ୧୫୦୦ ପଏଣ୍ଟ୍ ନିମ୍ନକୁ ଖସି ୫୨,୮୪୩ରେ ପହଞ୍ଚିଛି। କେବଳ ଭାରତରେ ନୁହେଁ, ଏପରି ଦୁଃସ୍ଥିତି ଜାପାନ, ଫ୍ରାନ୍ସ, ଜର୍ମାନୀ, ବ୍ରିଟେନ ଓ ସିଙ୍ଗାପୁର ଶେୟାର୍ ବଜାରରେ ମଧ୍ୟ ଦେଖିବାକୁ ମିଳିଛି।
ଯୁଦ୍ଧରତ ରୁଷିଆ ଓ ୟୁକ୍ରେନ୍ ଅଶୋଧିତ ତୈଳ, ଗ୍ୟାସ୍ ଓ ଗହମର ବଡ଼ ରପ୍ତାନିକାରୀ ଦେଶ। ଏମାନଙ୍କଠାରୁ ଇଉରୋପୀୟ ଦେଶ ବ୍ୟତୀତ ବିଶ୍ବର ଅନ୍ୟ ଦେଶ ମଧ୍ୟ ଏସବୁକୁ କ୍ରୟ କରିଥାନ୍ତି। ଯୁଦ୍ଧ ଯୋଗୁଁ ବର୍ତ୍ତମାନ ଏ ଦୁଇ ଦେଶରୁ ଉକ୍ତ ଦ୍ରବ୍ୟଗୁଡ଼ିକର ରପ୍ତାନି-ଆମଦାନୀ ବନ୍ଦ ରହିଛି ଏବଂ ଅଶୋଧିତ ତୈଳ ଦରର ଦାମ୍ କ୍ରମଶଃ ବଢ଼ି ଚାଲିଛି। ଯୁଦ୍ଧ ଶେଷ ହୋଇ ପରିସ୍ଥିତି ସ୍ବାଭାବିକ ନ ହେବା ପର୍ଯ୍ୟନ୍ତ ଦର ଉଚ୍ଚ ରହିବାର ଆଶଙ୍କା ଦେଖାଦେଇଛି। ଫଳରେ ଭାରତରେ ଖୁବ୍ ଶୀଘ୍ର ପେଟ୍ରୋଲ୍, ଡିଜେଲ୍ ଓ ଏଲ୍ପିଜି ଗ୍ୟାସ୍ର ମୂଲ୍ୟ ବୃଦ୍ଧି ପାଇବ ବୋଲି ବିଶେଷଜ୍ଞମାନେ ଆକଳନ କରୁଛନ୍ତି। ସୂଚନାଯୋଗ୍ୟ, ଗତବର୍ଷ ନଭେମ୍ବର ମାସଠାରୁ ଭାରତୀୟ ତୈଳ କମ୍ପାନୀଗୁଡ଼ିକ ପେଟ୍ରୋଲ ଓ ଡିଜେଲ୍ର ଦାମ୍ ବଢ଼ାଇ ନାହାନ୍ତି। ଏହା ପଛର କାରଣ ପାଞ୍ଚ ରାଜ୍ୟର ବିଧାନସଭା ନିର୍ବାଚନ ବୋଲି ଧରାଯାଉଛି। ତେବେ ଇତିମଧ୍ୟରେ ନିର୍ବାଚନ ସମାପ୍ତ ହୋଇଛି ଏବଂ ନିକଟରେ ଅର୍ଥମନ୍ତ୍ରୀ ମଧ୍ୟ କହିଛନ୍ତି ଯେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ଏକ ବଡ଼ ଆହ୍ବାନ ପାଲଟିଛି। ତୈଳ କମ୍ପାନୀଗୁଡ଼ିକ ଆନ୍ତର୍ଜାତିକ ବଜାରର ମୂଲ୍ୟ ମୁତାବକ ଦୈନିକ ନିଜ ମୂଲ୍ୟର ସମୀକ୍ଷା କରିଥାନ୍ତି। ଅତଏବ ଅଘୋଷିତ ରାଜନୈତିକ ଚାପ ହଟିବା ପରେ ଏହି କମ୍ପାନୀଗୁଡ଼ିକ ପେଟ୍ରୋଲ୍-ଡିଜେଲ୍ର ମୂଲ୍ୟବୃଦ୍ଧି କରିବାର ସମ୍ଭାବନା ଅଧିକ। ଯଦି ସେପରି ହୁଏ, ତେବେ ମହରଗ ଦୁନିଆରେ ବଞ୍ଚୁଥିବା ଲୋକଙ୍କ ଆର୍ଥିକ ଦୁଃସ୍ଥିତି ଆହୁରି ବଢ଼ିବ।
ଅପରପକ୍ଷେ, ଭାରତ ସମେତ ବିଶ୍ବର ସବୁ ଦେଶର ଅର୍ଥବ୍ୟବସ୍ଥା ଦୀର୍ଘ ଦୁଇବର୍ଷରୁ ଊର୍ଦ୍ଧ୍ବକାଳ ମୁମୂର୍ଷୁ ଅବସ୍ଥାରେ ରହିବା ପରେ ଧୀରେଧୀରେ ସ୍ଥିତି ସୁଧୁରୁଛି; କିନ୍ତୁ ରୁଷ-ୟୁକ୍ରେନ୍ ଯୁଦ୍ଧ ଏଥିରେ ପୁଣି କିଛିମାତ୍ରାରେ ଲଗାମ ଲଗାଇଛି। ଜଗତୀକରଣ ଯୁଗରେ ପ୍ରତ୍ୟେକ ଦେଶ ଅନ୍ୟ ଦେଶ ଉପରେ ନିର୍ଭରଶୀଳ ହେବାକୁ ଏକପ୍ରକାର ବାଧ୍ୟ। ତେଣୁ ପରସ୍ପର ମଧ୍ୟରେ ରପ୍ତାନି-ଆମଦାନୀ ନହେଲେ ବିଶ୍ବ ଅର୍ଥନୀତି ସ୍ଥାଣୁ ହୋଇଯିବା ଅସ୍ବାଭାବିକ ନୁହେଁ। ଭାରତ ବିଶ୍ବର ବିଭିନ୍ନ ଦେଶକୁ ଔଷଧଠୁ ଆରମ୍ଭ କରି କପଡ଼ା, ଯନ୍ତ୍ରପାତି, ଇଲେକ୍ଟ୍ରୋନିକ ଜିନିଷ, ଚାହା, କଫି, ଯାନବାହନ ଆଦି ରପ୍ତାନି କରିଥାଏ। ସେହିପରି ଡାଲି, ଖାଇବା ତେଲଠୁ ଆରମ୍ଭ କରି ବିଭିନ୍ନ ଉଦ୍ୟୋଗ ପାଇଁ କଞ୍ଚାମାଲ ଇତ୍ୟାଦି ଆମଦାନୀ କରିଥାଏ। ଅଶୋଧିତ ତୈଳ ଦର ବୃଦ୍ଧି ହେବାପରେ ଏସବୁର ନୌ-ପରିବହନ ଉପରେ ମଧ୍ୟ ଖୁବ୍ ପ୍ରଭାବ ପଡ଼ିବ ଏବଂ ରପ୍ତାନି-ଆମଦାନୀରେ ଅଧିକ ଅର୍ଥ ବ୍ୟୟ କରିବାକୁ ପଡ଼ିବ। ଫଳରେ ମୁଦ୍ରାସ୍ଫୀତି ବୃଦ୍ଧି ପାଇବ ଏବଂ ଏହାଦ୍ବାରା ଶେଷରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଉପଭୋକ୍ତା ପିଠିରେ ହିଁ ମାଡ଼ ବାଜିବ। ରୁଷକୁ ବିଶ୍ବ ଆର୍ଥିକ ଦେଣନେଣ ବ୍ୟବସ୍ଥାରୁ ବିଚ୍ଛିନ୍ନ କରିଦେବା ପରେ ଅଂଶଧନଧାରୀମାନେ ସେମାନଙ୍କ ଅର୍ଥ ବୁଡ଼ିଯିବାର ଆଶଙ୍କାରେ ଏବେ ଦିନ କାଟୁଛନ୍ତି। ବର୍ତ୍ତମାନ କେବଳ ଅଶୋଧିତ ତୈଳ ନୁହେଁ, ବରଂ ଗହମ ଏବଂ ନିକେଲ୍, ଆଲୁମିନିୟମ୍ ଭଳି ଧାତୁଗୁଡ଼ିକର ଦାମ୍ ମଧ୍ୟ ବିଗତ ପାଞ୍ଚ ଦଶନ୍ଧିର ସର୍ବାଧିକ ସ୍ତର ଅତିକ୍ରମ କରିଛି। ରୁଷ ଓ ୟୁକ୍ରେନ, ଉଭୟ ଦେଶ ପୃଥିବୀର ୧୪ ଶତାଂଶ ଗହମ ଉତ୍ପାଦନ କରନ୍ତି। ଏପରି ସ୍ଥିତିରେ କେବଳ ସେହି ଦେଶର ନୁହେଁ; ବିଶ୍ବର ଅନ୍ୟ ଦେଶଗୁଡ଼ିକର ଅର୍ଥବ୍ୟବସ୍ଥା ମଧ୍ୟ ପ୍ରଭାବିତ ହେବା ସୁନିଶ୍ଚିତ।
ୟୁକ୍ରେନ ଉପରେ ରୁଷିଆ ଆକ୍ରମଣ ପଛରେ କେତେକ ବିଶେଷଜ୍ଞ ଚୀନର ପ୍ରୋତ୍ସାହନ ରହିଥିବା କହୁଛନ୍ତି। ସେମାନେ ଏପରି ଭାବିବା ପଛରେ ଯେଉଁ କାରଣଟି ଦର୍ଶାଯାଉଛି, ତାହା ହେଲା ଆମେରିକାକୁ ଟପି ବିଶ୍ବ ମହାଶକ୍ତି ହେବାକୁ ଚାହୁଁଥିବା ଚୀନ ଯୁଦ୍ଧ ଲଗାଇ ସେଥିରୁ ଆର୍ଥିକ ଫାଇଦା ଉଠାଇବା। ଏ ନେଇ ରୁଷିଆର କେତେକ ପ୍ରମୁଖ ବୁଦ୍ଧିଜୀବୀ ନିକଟରେ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କୁ ଚେତାଇଥିବା ଖବର ମଧ୍ୟ ପ୍ରକାଶ ପାଇଥିଲା। ଏହାକୁ ସମ୍ପୂର୍ଣ୍ଣ ଅମୂଳକ ବୋଲି କହିହେବ ନାହିଁ। ସମ୍ଭବତଃ ବ୍ରିଟିଶ ଐତିହାସିକ ଏଜେପି ଟେଲର୍ ସେଇଥିପାଇଁ କହିଥିଲେ: ‘‘ଯୁଦ୍ଧ ଲାଗି ଯେ କୌଣସି ରାଜନୈତିକ କାରଣ ଦିଆଯାଉ ନା କାହିଁକି, ସର୍ବଦା ତା’ର ମୂଳ କାରଣ ଅର୍ଥନୈତିକ ହିଁ ରହିଥାଏ।’’
Comments are closed.