www.samajalive.in
Monday, December 15, 2025
27.1 C
Bhubaneswar

ଅନଲାଇନ ଶିକ୍ଷାର ବିପରୀତ ଦିଗ

ଅନଲାଇନ ଶିକ୍ଷାକୁ ନେଇ ଧନୀ-ଗରିବ ବିଦ୍ୟାର୍ଥୀଙ୍କ ମଧ୍ୟରେ ଥିବା ତାରତମ୍ୟକୁ ସରକାର ଦୂର କରିବା ଆବଶ୍ୟକ

ଅନଲାଇନ ଶିକ୍ଷା ପାଇଁ ବିଜୁଳି ସହ ସ୍ମାର୍ଟ ଫୋନ କିମ୍ବା କମ୍ପ୍ୟୁଟର ଓ ଇଣ୍ଟରନେଟ୍‌ର ଆବଶ୍ୟକତା ରହିଛି। ଏହିସବୁ କ୍ଷେତ୍ରରେ ଆମ ଦେଶ ବହୁ ପଛୁଆ ରହିଛି। ୨୦୧୭-୧୮ ସରକାରୀ ରିପୋର୍ଟ ଅନୁଯାୟୀ ଦେଶର କେବଳ ୨୪ ପ୍ରତିଶତ ଲୋକଙ୍କ ନିକଟରେ ଇଣ୍ଟରନେଟ୍‌ ସୁବିଧା ଥିଲା। ବ୍ୟବହାରକାରୀଙ୍କ ସଂଖ୍ୟା ଦୈନିକ ଦ୍ରୁତ ଗତିରେ ବଢୁଛି; ଏଥିରେ ସନ୍ଦେହ ନାହିଁ। ଚଳିତ ମାସ ପ୍ରଥମାର୍ଦ୍ଧ ସୁଦ୍ଧା ଦେଶରେ ଇଣ୍ଟରନେଟ ବ୍ୟବହାରକାରୀଙ୍କ ସଂଖ୍ୟା ୫୬ କୋଟି ଥିବା ଜଣାପଡ଼ିଛି। ୨୦୨୩ ବେଳକୁ ଏହା ୬୫ କୋଟିରେ ପହଞ୍ଚିଥିବ ବୋଲି ଆକଳନ କରାଯାଇଛି। ତେବେ ଏ ପର୍ଯ୍ୟନ୍ତ ଦେଶର ଅଧିକାଂଶ ଗରିବ ପିଲାଙ୍କ ନିକଟରେ ବିଜୁଳି, ସ୍ମାର୍ଟ ଫୋନ, କମ୍ପ୍ୟୁଟର ଓ ଇଣ୍ଟରନେଟ୍‌ ସୁବିଧା ଉପଲବ୍ଧ ନାହିଁ। ସେମାନେ ନିଜ ସହପାଠୀଙ୍କ ଅନଲାଇନ୍‌ ଶିକ୍ଷା ଦେଖି ପିତାମାତାଙ୍କ ନିକଟରେ ଅଳି କରୁଛନ୍ତି। ଦିନ ମଜୁରିଆ ପରିବାର ନିକଟରେ ଏସବୁ ସୁବିଧା ଏକ ପ୍ରକାର ଅପହଞ୍ଚ ପାଲଟିଛି। ସେମାନେ ନିଜ ପିଲାଙ୍କ ଆବଶ୍ୟକତା ମେଣ୍ଟାଇବାରେ ଅସମର୍ଥ ହେଉଛନ୍ତି।

- Advertisement -

ଏପରି କ୍ଷେତ୍ରରେ କରୋନା ମହାମାରୀ ଯୋଗୁଁ ଯେଉଁ ଗରିବ ପିଲାମାନେ ଘରେ ରହି ଅନଲାଇନ୍‌ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି ସେମାନଙ୍କ କଥା ସରକାର ବିଚାର କରିବା ଆବଶ୍ୟକ। ଏହି ମହାମାରୀ ଯୋଗୁଁ ଦେଶର ଶିକ୍ଷା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଦେଖିବାକୁ ମିଳିଛି। ପ୍ରାୟ ଦେଢ ବର୍ଷରୁ ଅଧିକ ସମୟ ହେଲା ଶିକ୍ଷା ପ୍ରତିଷ୍ଠାନଗୁଡ଼ିକ ବନ୍ଦ ରହିଛି। ​କେତେକ ଶିକ୍ଷାନୁଷ୍ଠାନକୁ ପୁନର୍ବାର ​ଖୋଲିବା ପାଇଁ ଅଧିକାଂଶ ରାଜ୍ୟ ସରକାର ବିଚାର କରୁଛନ୍ତି। ତେବେ ସମସ୍ତ ଶିକ୍ଷାନୁଷ୍ଠାନ ବିକଳ୍ପ ଭାବେ ଅନଲାଇନ୍‌ ଶିକ୍ଷାକୁ ପ୍ରାଧାନ୍ୟ ଦେଇଛନ୍ତି। ଏହି ମହାମାରୀ ଶିକ୍ଷାନୁଷ୍ଠାନ ପରିଚାଳନା, ଶିକ୍ଷା ତାଲିମ୍‌ କେନ୍ଦ୍ର (କୋଚିଂ ସେଣ୍ଟର), ଅସ୍ଥାୟୀ ଶିକ୍ଷକ ଓ କର୍ମଚାରୀଙ୍କ ଆର୍ଥିକ ପରିସ୍ଥିତିକୁ ରୁଗ୍‌ଣ କରି ଦେଇଛି। ଏହା ସହ କୋଟିକୋଟି ବିଦ୍ୟାର୍ଥୀଙ୍କ ଭବିଷ୍ୟତ ଉପରେ ପ୍ରଶ୍ନ ଚିହ୍ନ ଲଗାଇଛି। ଭବିଷ୍ୟତ ସଂକ୍ରାନ୍ତରେ ଚିନ୍ତା କରି ଉଭୟ ପିଲା ଓ ଅଭିଭାବକ ଏକ ପ୍ରକାର ଚିନ୍ତା ଓ ଅବସାଦଗ୍ରସ୍ତ ଜୀବନ ବିତାଉଛନ୍ତି।

ଆଜିକାର ପରିସ୍ଥିତିରେ ଅନ୍‌ଲାଇନ ଶିକ୍ଷାର ଗୁରୁତ୍ବକୁ ଏଡାଇ ଦେଇ ହେବ ନାହିଁ। ଦେଶରେ ପ୍ରାଦ୍ୟୋଗିକ ସଞ୍ଚାଳିତ ଶିକ୍ଷା ଆଦୌ ସନ୍ତୋଷଜନକ ନୁହେଁ। ଏପରି କ୍ଷେତ୍ରରେ ଗ୍ରାମାଞ୍ଚଳର ଅଧିକାଂଶ ଶିକ୍ଷାନୁଷ୍ଠାନ ବହୁ ପଛରେ ଅଛନ୍ତି। ଏହି ମହାମାରୀ ଦେଶରେ ବୈଷୟିକ ଶିକ୍ଷାର ସ୍ଥିତିକୁ ସଭିଙ୍କ ସମ୍ମୁଖରେ ରଖିଛି। ନିକଟରେ ପ୍ରକାଶ ପାଇଥିବା ଐକିକ ଜିଲା ଶିକ୍ଷା ସୂଚନା ପ୍ରଣାଳୀ ୨୦୧୯-୨୦ ରିପୋର୍ଟ ଅନୁଯାୟୀ ଦେଶର ୧୫ ଲକ୍ଷ ବିଦ୍ୟାଳୟ ମଧ୍ୟରେ କେବଳ ୩୮.୫୪ ପ୍ରତିଶତ ବିଦ୍ୟାଳୟରେ କମ୍ପ୍ୟୁଟର ଉପଲବ୍ଧ ଅଛି। ଯଦି ବିଦ୍ୟାଳୟରେ ଇଣ୍ଟରନେଟ୍‌ ସଂଯୋଗ କଥା ଦେଖାଯାଏ; ଏ କ୍ଷେତ୍ରରେ ମଧ୍ୟ ଆମେ ପଛୁଆ ଅଛନ୍ତି। ତ୍ରିପୁରା, ମେଘାଳୟ ଓ ଆସାମ ପରି ରାଜ୍ୟରେ ଯଥାକ୍ରମେ ୩.୮୫, ୩.୮୮ ଓ ୫.୮୨ ପ୍ରତିଶତ ବିଦ୍ୟାଳୟରେ ଇଣ୍ଟରନେଟ ସଂଯୋଗ ଅଛି। ଆଧୁନିକ ବୈଷୟିକ ଶିକ୍ଷାଠାରୁ ଦେଶର ଅଧିକାଂଶ ବିଦ୍ୟାର୍ଥୀ ବହୁ ଦୂରରେ ଅଛନ୍ତି। ଆଜିର ସୂଚନା ଓ ପ୍ରଯୁକ୍ତି ଯୁଗରେ କମ୍ପ୍ୟୁଟର ଓ ଇଣ୍ଟରନେଟକୁ ବୈଷୟିକ ଶିକ୍ଷାର ମୂଳ ଆଧାର ଭାବେ ବିବେଚନା କରାଯାଉଛି। ଦେଶର ଆଇନ ପ୍ରଣେତାମାନେ ଏ ଦିଗରେ ଦୃଷ୍ଟି ଦେବା ଜରୁରୀ ହୋଇ ପଡ଼ିଛି।

ସଂକ୍ରମଣରୁ ବର୍ତ୍ତିବା ପାଇଁ କରୋନା ମହାମାରୀର ଆରମ୍ଭରେ ବିଶ୍ବର ୧୯୦ରୁ ଊର୍ଦ୍ଧ୍ବ ଦେଶର ବିଦ୍ୟାଳୟ ଦୀର୍ଘ ମାସ ଧରି ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। ଜାତିସଂଘ ରିପୋର୍ଟ ଅନୁଯାୟୀ, ମହାମାରୀର ଆରମ୍ଭରେ ବିଶ୍ବର ୧୩୮ଟି ରାଷ୍ଟ୍ରର ପ୍ରାୟ ୧୦୦ କୋଟିରୁ ଊର୍ଦ୍ଧ୍ବ ବିଦ୍ୟାର୍ଥୀଙ୍କ ଶିକ୍ଷା ବିଦ୍ୟାଳୟ ବନ୍ଦ ହେବା ଯୋଗୁଁ ବାଧିତ ହୋଇଥିଲା। ପିଲାଙ୍କ ଶିକ୍ଷା କ୍ଷେତ୍ରରେ ଉପୁଜିଥିବା ଏହି ବାଧାକୁ ଦୂର କରିବା ପାଇଁ ଅନ୍‌ଲାଇନ୍‌ ଶିକ୍ଷାକୁ ପ୍ରାଧାନ୍ୟ ଦେବା ଆରମ୍ଭ ହୋଇଥିଲା। ଧୀରେଧୀରେ ଏହାର ଗୁରୁତ୍ବ ବେଶ୍‌ ବୃଦ୍ଧି ପାଇବାରେ ଲାଗିଲା। ଏଥିପାଇଁ ଅନେକ ସଫ୍ଟଓୟାର କମ୍ପାନୀ ବିଭିନ୍ନ ସହଜ ଓ ସରଳ ଶୈକ୍ଷିକ ଆପ୍‌ ପ୍ରସ୍ତୁତ କରିବାରେ ଲାଗିଲେ। ଏସବୁ କେତେକାଂଶରେ ଅନ୍‌ଲାଇନ ଶିକ୍ଷାକୁ ମଜଭୁତ କରିବାରେ ସହାୟକ ହୋଇଥିଲା। ମହାମାରୀର ପ୍ରାଥମିକ ପର୍ଯ୍ୟାୟରେ ବିଶ୍ବର ଦେଢ ଶହ କୋଟି ବିଦ୍ୟାର୍ଥୀଙ୍କ ମଧ୍ୟରୁ ମାତ୍ର ୧୦ କୋଟି ଅନ୍‌ଲାଇନ୍‌ ଶିକ୍ଷା ଦ୍ବାରା ଉପକୃତ ହୋଇଥିଲେ। ଅନ୍ୟପକ୍ଷରେ ଏହି ସମୟରେ ବିଶ୍ବର କୋଟିକୋଟି ବିଦ୍ୟାର୍ଥୀ ଅନ୍‌ଲାଇନ୍‌ ଶିକ୍ଷାରୁ ବଞ୍ଚିତ ହୋଇଥିଲେ।

ଆମ ଦେଶର ଗ୍ରାମାଞ୍ଚଳ ଓ କ୍ଷୁଦ୍ର ସହରାଞ୍ଚଳରେ ରହୁଥିବା ବିଦ୍ୟାର୍ଥୀଙ୍କ ନିକଟରେ ବିଜୁଳିଠାରୁ ଆରମ୍ଭ କରି ଇଣ୍ଟରନେଟ ସମସ୍ୟା ରହିଛି। ଅଧିକାଂଶ ସ୍ଥାନରେ ଧିମା ଇଣ୍ଟରନେଟ ପିଲାଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି। ଏଥିପାଇଁ କେତେକ ପିଲା ପାହାଡ଼ ଶୀର୍ଷରେ ତ ଆଉ କିଏ ଗଛ ଉପରେ ବସି ଅନ୍‌ଲାଇନ୍‌ କ୍ଲାସ୍‌ କରୁଥିବା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଉଛି। ଦେଶର ଶତପ୍ରତିଶତ ପରିବାରକୁ ବିଦ୍ୟୁତ୍‌ ସଂଯୋଗ ଦିଆଯାଇଥିବା ସରକାର କହୁଛନ୍ତି। କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ଦ୍ବାରା ୨୦୧୭-୧୮ରେ କରାଯାଇଥିବା ଏକ ସର୍ଭେ ଅନୁଯାୟୀ, ଦେଶର ୧୬ ପ୍ରତିଶତ ପରିବାରକୁ ଦୈନିକ ୧ରୁ ୮ ଘଣ୍ଟା ଓ ୩୩ ପ୍ରତିଶତ ପରିବାରଙ୍କଠାରେ୯ରୁ ୧୨ ଘଣ୍ଟା ବିଜୁଳି ଉପଲବ୍ଧ ହୋଇଥାଏ। ସ୍ମାର୍ଟ ଫୋନ ଓ ଇଣ୍ଟରନେଟ ଅପେକ୍ଷା ଅନ୍‌ଲାଇନ ଶିକ୍ଷାର ମୂଳ ଆଧାର ହେଉଛି ବିଜୁଳି। ଦେଶର ଅଧିକାଂଶ ପରିବାରଙ୍କ ନିକଟରେ ଏବେ ବି ଏହା ଅପହଞ୍ଚ। ସରକାରୀ ବିଦ୍ୟାଳୟଗୁଡ଼ିକରେ ପଢୁଥିବା ଅଧିକାଂଶ ପିଲା ନିମ୍ନ ଆୟ ବର୍ଗ ପରିବାରରୁ ଆସିଥା’ନ୍ତି। ଏମାନଙ୍କ ନିକଟରେ ସ୍ମାର୍ଟ ଫୋନ ଆଶା କରିବା ବୃଥା। ଏପରି ପରିବାରରେ ଦାରିଦ୍ର୍ୟ ସହ ସଚେତନତା ଓ ବୈଷୟିକ ଜ୍ଞାନର ଅଭାବ ରହିଛି। ଏପରି କ୍ଷେତ୍ରରେ ଦେଶର କୋଟିକୋଟି ପିଲା ଅନ୍‌ଲାଇନ୍‌ ଶିକ୍ଷାରୁ ଏବେ ବି ବଞ୍ଚିତ ଅଛନ୍ତି। ଏଣୁ ଅନଲାଇନ୍‌ ଶିକ୍ଷାକୁ ନେଇ ଧନୀ-ଗରିବ ପିଲାଙ୍କ ମଧ୍ୟରେ ଥିବା ତାରତମ୍ୟକୁ ସରକାର ଦୂର କରିବା ଆବଶ୍ୟକ।

Hot this week

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

Related Articles

Popular Categories