www.samajalive.in
Monday, December 15, 2025
16.1 C
Bhubaneswar

ଆଫଗାନ ଶାନ୍ତି ଆଲୋଚନା ଦିଗହରା

ସ୍ବାର୍ଥବାଦୀ ରାଷ୍ଟ୍ର ଆଫଗାନିସ୍ତାନ ଅସ୍ଥିରତାରୁ ଲାଭ ଉଠାଉଛନ୍ତି

ଗତ ବର୍ଷ ସେପ୍ଟେମ୍ବର ମାସରେ କତାରର ଦୋହାଠାରେ ଆଫଗାନ ଶାନ୍ତି ବାର୍ତ୍ତା ଆରମ୍ଭ ହୋଇଥିଲା। ଏହି ବାର୍ତ୍ତାର ସୁଫଳ ଏ ପର୍ଯ୍ୟନ୍ତ ଦେଖିବାକୁ ମିଳି ନାହିଁ। ବାର୍ତ୍ତାରେ ସାମିଲ ପକ୍ଷଙ୍କ ମଧ୍ୟରେ ଅବିଶ୍ବାସର ବାତାବରଣ ଲାଗି ରହିଛି। ଏଣୁ ଏହି ବାର୍ତ୍ତାର ସୁଫଳ ଆଶା କରିବା ବୃଥା। କିଛି ଦିନ ତଳେ ଆଫଗାନ ସରକାର ଓ ତାଲିବାନ ପ୍ରତିନିଧି ପୁନଃ ଦୋହାରେ ଏକତ୍ର ହୋଇଥିଲେ। ବିନା ନିଷ୍କର୍ଷରେ ବାର୍ତ୍ତା ଶେଷ ହୋଇଥିଲା। କ୍ଷମତା ବଣ୍ଟନକୁ ନେଇ ଆଫଗାନିସ୍ତାନରେ ନିର୍ବାଚିତ ସରକାର ଓ ତାଲିବାନ ମଧ୍ୟରେ ଅନିଶ୍ଚିତତା ଦେଖା ଦେଇଛି। ଫଳରେ ଉଭୟ ପକ୍ଷ ମଧ୍ୟରେ ଜାରି ଆଲୋଚନା ଅମୀମାଂସିତ ରହିଛି। ଶାସନରେ ତାଲିବାନର ହସ୍ତକ୍ଷେପକୁ କୌଣସି ମତେ ବରଦାସ୍ତ କରାଯିବନି ବୋଲି ଦେଶର ରାଷ୍ଟ୍ରପତି ଅସରଫ ଗନି କହିଛନ୍ତି। ତାଲିବାନ ନେତୃତ୍ବ ଗଣତାନ୍ତ୍ରିକ ସରକାରଙ୍କୁ ଗ୍ରହଣୀୟ ନୁହେଁ ବୋଲି ତାଙ୍କ ମତ। ଏଣୁ ଆଫଗାନିସ୍ତାନରେ ଆଗାମୀ ଗଣତନ୍ତ୍ରର ଢାଞ୍ଚା କିପରି ହେବ, ସରକାର କିପରି ଗଠନ କରାଯିବ ଓ ପ୍ରାଶାସନିକ ବ୍ୟବସ୍ଥାର ମୁଖ୍ୟ କିଏ ହେବେ ସେ ନେଇ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ।

- Advertisement -

ଇତି ମଧ୍ୟରେ ଆଫଗାନ ସରକାର ଓ ତାଲିବାନ ଦୁଇ ପକ୍ଷଙ୍କୁ ତିନିଟି ପ୍ରସ୍ତାବ ଦିଆଯାଇଛି। ପ୍ରଥମଟି ହେଲା, ଏବେକାର ସରକାରରେ ତାଲିବାନକୁ କ୍ଷମତାରେ ସାମିଲ କରାଯାଉ। ଦ୍ବିତୀୟରେ ତାଲିବାନ ନେତୃତ୍ବରେ ସରକାର ଗଠନ ହେଉ; ଯେଉଁଥିରେ ଏବେକାର ସରକାରର ମନ୍ତ୍ରୀମାନେ ସାମିଲ ହେବେ। ଅନ୍ତିମ ପ୍ରସ୍ତାବ ହେଲା ଦେଶରେ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ କରାଯାଉ। ଏହି ତିନି ପ୍ରସ୍ତାବକୁ ରାଷ୍ଟ୍ରପତି ଗନି ଖାରଜ କରିଦେଇଛନ୍ତି। ସେ କେବଳ ଦେଶରେ ପୁନଃ ନିର୍ବାଚନ ପାଇଁ ରାଜି ହୋଇଛନ୍ତି। ତାଲିବାନ କ୍ଷମତା ଦଖଲ କରିବାକୁ ହେଲେ ଦେଶର ଜନତାଙ୍କ ଦ୍ବାରା ନିର୍ବାଚିତ ହୋଇ ଆସିବାକୁ ପଡ଼ିବ ବୋଲି ସେ କହିଛନ୍ତି। ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ ପାଇଁ ସେ ରାଜି ଅଛନ୍ତି; କିନ୍ତୁ ତାଲିବାନ ପ୍ରତିନିଧିଙ୍କୁ ସାମିଲ କରି ନୁହେଁ ବୋଲି ସେ ମତ ଦେଇଛନ୍ତି।

ଗତ ୬ ମାସ ମଧ୍ୟରେ ଦୋହାଠାରେ ଉଭୟ ପକ୍ଷ ମଧ୍ୟରେ ଏକାଧିକବାର ଶାନ୍ତି ଆଲୋଚନା ହୋଇଛି। ତେବେ ସମସ୍ତ ଆଲୋଚନା ଅମୀମାଂସିତ ଭାବେ ଶେଷ ହୋଇଛି। ଏଥିପାଇଁ କେତେକ ଦେଶ ଗନିଙ୍କୁ ଓ ଆଉ କେତେକ ତାଲିବାନର ଜିଦ୍‌କୁ ଦାୟୀ କରିଛନ୍ତି। ତାଲିବାନର ଅସଲ ଉଦ୍ଦେଶ୍ୟ ହେଲା ଆଫଗାନିସ୍ତାନରେ ଇସଲାମୀୟ ବ୍ୟବସ୍ଥାରେ ସରକାର ଗଠନ କରିବା। ଏହାକୁ ଆଫଗାନିସ୍ତାନବାସୀ ପ୍ରବଳ ବିରୋଧ କରୁଛନ୍ତି।

ପୂର୍ବରୁ ତାଲିବାନ ଶାସନ ସମୟରେ ଦେଶର ମହିଳାମାନେ ଯେପରି ନିର୍ଯାତନା ଭୋଗ କରିଥିଲେ ତାହାକୁ ସେମାନେ ଭୁଲି ନାହାନ୍ତି। ନିକଟରେ ଦେଶର ରାଜଧାନୀ କାବୁଲସ୍ଥିତ ଏକ ସ୍କୁଲରେ ଆତ୍ମଘାତୀ ବିସ୍ଫୋରଣ ଘଟିଥିଲା। ତାଲିବାନ ଏଥିପାଇଁ ନିଜକୁ ଦାୟୀ କରିଥିଲା। ବାଳିକାମାନେ ସ୍କୁଲ ଯାଇପାରିବେ ନାହିଁ ବୋଲି ତାଲିବାନ୍ ଏହି ବିସ୍ଫୋରଣ ମାଧ୍ୟମରେ ସ୍ପଷ୍ଟ ସନ୍ଦେଶ ଦେଇଥିଲା। ଶାନ୍ତି ଆଲୋଚନାରେ ମହିଳା ସ୍ବତନ୍ତ୍ରତା ପ୍ରସଙ୍ଗ ବାରମ୍ବାର ଉଠାଯାଉଛି। ତେବେ ତାଲିବାନ ଏହାକୁ ବିରୋଧ କରି ଆସୁଛି। ଆମେରିକା ନିଜ ସୈନ୍ୟ ପ୍ରତ୍ୟାହାର ଆରମ୍ଭ କରିବା ପରେ ଆଫଗାନିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ ସଂଖ୍ୟା ଦିନକୁଦିନ ବୃଦ୍ଧି ପାଇବାରେ ଲାଗିଛି। ତାଲିବାନ ଗୋଟିଏ ପଟେ ଶାନ୍ତି ବାର୍ତ୍ତାରେ ସାମିଲ ଥିବାବେଳେ ଅନ୍ୟ ପଟେ ଦେଶରେ ଅଶାନ୍ତ ବାତାବରଣ ସୃଷ୍ଟି କରିଚାଲିଛି।

ଏହାଦ୍ବାରା ଆଫଗାନିସ୍ତାନ ସରକାର ଚାପରେ ରହିବେ ବୋଲି ତାଲିବାନ ଭାବୁଛି। ପାକିସ୍ତାନ, ଇରାନ ଓ ରୁଷ୍‌ ସହ ତାଲିବାନ ଉତ୍ତମ ସମନ୍ବୟ ଜାରି ରଖିଛି। କିଛିଦିନ ତଳେ ତାଲିବାନର କେତେଜଣ ବରିଷ୍ଠ କମାଣ୍ଡର ପାକିସ୍ତାନ ଯାଇ ଆଇଏସଆଇ ପ୍ରମୁଖଙ୍କୁ ଭେଟି ରଣନୀତି ସ୍ଥିର କରିଥିଲେ।

ଆଫଗାନିସ୍ତାନକୁ ହାତରେ ରଖିବାକୁ ହେଲେ ତାଲିବାନର ସାଥି ହେବାକୁ ପଡ଼ିବ ବୋଲି ପାକିସ୍ତାନ ଜାଣିଛି। ଆମେରିକା ଉପରେ ତାଲିବାନ ଭରସା ରଖି ପାରୁ ନାହିଁ। ସେହିପରି ଆମେରିକା ମଧ୍ୟ ତାଲିବାନକୁ ସନ୍ଦେହ ଚକ୍ଷୁରେ ଦେଖୁଛି; କାରଣ ତାଲିବାନ ଏବେ ବି ଆତଙ୍କବାଦୀ ସଂଗଠନ ଅଲ୍‌ କାଏଦା ସହ ସମ୍ପର୍କ ରଖିଛି। ଅଲ୍‌ କାଏଦା ଆତଙ୍କବାଦୀଙ୍କୁ ଶରଣ ନଦେବା ପାଇଁ ତାଲିବାନ ଓ ଆମେରିକା ପ୍ରଶାସନ ମଧ୍ୟରେ ହୋଇଥିବା ଆଲୋଚନାରେ ସ୍ଥିର ହୋଇଥିଲା। ଏହା ସତ୍ତ୍ବେ ତାଲିବାନ ଓସାମା ବିନ୍‌ ଲାଦେନର କେତେକ ସମ୍ପର୍କୀୟ ଓ ସମର୍ଥକଙ୍କୁ ଶରଣ ଦେଇଥିବା ଆମେରିକା କହିଛି। ତାଲିବାନ ଆମେରିକା ସହ ଛଳନା କରି ପରଦା ପଛପଟେ ଆତଙ୍କବାଦୀମାନଙ୍କୁ ସାହାଯ୍ୟ ସହଯୋଗ ଯୋଗାଇ ଦେଉଛି।

ଆମେରିକାର ବାଇଡେନ ପ୍ରଶାସନ ଆଫଗାନିସ୍ତାନରୁ ସମ୍ପୂର୍ଣ୍ଣ ସେନା ପ୍ରତ୍ୟାହାର କରିବା ନେଇ ଅନିଶ୍ଚିତତା ଲାଗି ରହିଛି। କାରଣ ଆମେରିକୀୟ ସୈନ୍ୟ ଚାଲିଗଲେ ରୁଷ୍‌, ଇରାନ ଓ ପାକିସ୍ତାନର ପ୍ରଭାବ ଏଠାରେ ବୃଦ୍ଧି ପାଇବ। ଆମେରିକା ନେତୃତ୍ବାଧୀନ ଏହି ଶାନ୍ତି ଆଲୋଚନାରେ ଭାରତ ମଧ୍ୟ ସାମିଲ ହୋଇଛି। ସେଠାରେ ଗଣତନ୍ତ୍ର ମୂଲ୍ୟବୋଧ ସ୍ଥାପନ କରିବା ସହ ନିର୍ବାଚିତ ସରକାର ଗଠନ ଉପରେ ଭାରତ ଜୋର ଦେଉଛି। ଶାନ୍ତି ଆଲୋଚନାରୁ ଭାରତକୁ ଦୂରେଇ ରଖିବା ପାଇଁ ପାକିସ୍ତାନ ବହୁ ଉଦ୍ୟମ କରିଥିଲା। ତେବେ ଆମେରିକା ଏହାକୁ ପ୍ରତ୍ୟାଖ୍ୟାନ କରିବା ସହ ଭାରତ ପରି ବୃହତ୍‌ ଗଣତାନ୍ତ୍ରିକ ରାଷ୍ଟ୍ରକୁ ହେୟଜ୍ଞାନ କରିହେବ ନାହିଁ ବୋଲି କହିଥିଲା। ଶାନ୍ତି ଆଲୋଚନା ବିଫଳ ହେଲେ ଆଫଗାନିସ୍ତାନରେ ଅସ୍ଥିରତା ବୃଦ୍ଧି ପାଇବ। କେତୋଟି ବାହ୍ୟ ରାଷ୍ଟ୍ରର ସ୍ବାର୍ଥ ଯୋଗୁଁ ଆଫଗାନିସ୍ତାନରେ ଶାନ୍ତି ପ୍ରତିଷ୍ଠା ହୋଇ ପାରୁନାହିଁ।

Hot this week

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

Related Articles

Popular Categories