ବ୍ରଣବାଇ ମାଛି

‘ଘଡ଼ିସନ୍ଧି ମୁହୂର୍ତ୍ତ’ ବା ‘ସଙ୍କଟଜନକ’ ସ୍ଥିତି କି ପରିସ୍ଥିତି ଏକ ସ୍ବୟଂକ୍ରିୟ ପରିଣତି। କିଏ ଏମିତି ପଛମାରା ବା ଛାତି ଦୁଲୁକା ଅବସ୍ଥା ଚାହେଁ? ତା’ ସତ୍ତ୍ବେ ଏ ଅବସ୍ଥା ସୃଷ୍ଟି ହୁଏ। କର୍ମ ବା ଘଟଣା ପ୍ରବାହରେ ଖାଦ ମିଶିଗଲେ, ମଶି ଲାଗିଗଲେ ଏମିତି ସଙ୍ଗିନ ପରିସ୍ଥିତି ହାବୁଡ଼େ। ଦୈନିକ ମାନସରୋବରକୁ ଯାଇ ଶିବଙ୍କ ଦର୍ଶନ କରୁଥିବା ପରମ ଶିବଭକ୍ତ, ପଣ୍ଡିତ ରାବଣ ଯେ ସ୍ବର୍ଣ୍ଣଲଙ୍କାକୁ ଛାରଖାର କରିଦେବା ଅବସ୍ଥା ଉପୁଜାଇବେ କିଏ ଜାଣିଥିଲା? ସବୁ ଭଲ କାମରେ, ସବୁ ସନ୍ଧିକ୍ଷଣରେ ଷଣ୍ଢ ପୂରାଇ ଅବସ୍ଥାକୁ ଅଣାୟତ୍ତ କରିବା ପାଇଁ ମନ୍ଥରା, ଶକୁନି, ସୂର୍ପଣଖା ପ୍ରମୁଖ ଥାଆନ୍ତି। ଭାରତର ସ୍ବାଧୀନତା ସଂଗ୍ରାମ ସଫଳ ହେଲାବେଳକୁ, ଅଖଣ୍ଡ ଭାରତ ମୁକ୍ତି ଲଭିଲା ବେଳକୁ ଏକୁ ଖଣ୍ଡଖଣ୍ଡ କରି ରକ୍ତାକ୍ତ କରି ଦିଆଗଲା। ଜିନାଙ୍କ ‘‘ଲଡ୍‌କେ ଲେଙ୍ଗେ ପାକିସ୍ଥାନ’’ ଜିଦ୍‌ ଓ ସଇତାନି ଫଳରେ ଭାରତ ବିଭାଜନ ହେଲା। ନେହେରୁ, ପଟେଲ ପ୍ରମୁଖ ନେତାଙ୍କ ‘ସ୍ବାଧୀନତା’ ଲାଭକୁ ମୁହୂର୍ତ୍ତେ ବିଳମ୍ବିତ ନ କରାଇବାକୁ, ଜିନାଙ୍କ ଦାବିକୁ ମାନି ନେଲେ। ମାତ୍ର ଗାନ୍ଧିଜୀ ବିଭାଜିତ ଭାରତ ଆଦୌ ଚାହୁଁ ନଥିଲେ। ଧର୍ମ ଭିତ୍ତିରେ ଏ ଦେଶକୁ ବିଭାଜନ କରିଦେଲେ; କାଳକାଳ ପାଇଁ ମନାନ୍ତରର ବୀଜ ପୋତି ଦିଆଗଲା ଓ ବ୍ରିଟିଶ୍‌ ଶାସକେ ତାଙ୍କ ଦୁଷ୍ଟ କୂଟନୀତିରେ ଶେଷକୁ ଏ ଦେଶ ଜନତା ପାଇଁ ଏମିତି ଗୋଟେ ଅଭିଶାପ ଦେଇଗଲେ ବୋଲି ଗାନ୍ଧୀ କହୁଥିଲେ। ଲାଲ୍‌କିଲ୍ଲାରେ ସ୍ବାଧୀନ ଭାରତର ପ୍ରଥମ ପତାକା ଉତ୍ତୋଳନ ଉତ୍ସବକୁ ଗାନ୍ଧୀ ସେଇଥି ପାଇଁ ଗଲେନାହିଁ। ଧାରଧାର ଲୁହ ତାଙ୍କୁ ତାଙ୍କ ନିରୋଳା କୋଠରିରେ ଅସ୍ତବ୍ୟସ୍ତ କରିଦେଉଥିଲା।
ଭାରତ ବିଭାଜନରେ ହଜାରହଜାର ହିନ୍ଦୁ ମୁସଲମାନ ଯେମିତି ବଳିବୋଦା ବନି ରକ୍ତର ଗଙ୍ଗା ଏ ଦେଶରେ ବୁହାଇଦେଲେ, ତା’ର ପଟାନ୍ତର ନାହିଁ। ସେତିକିରେ ବି ଏ ଦଶାର ଅନ୍ତ ହେଲା ନାହିଁ। ସେଇ ଦିନୁ, ସତୁରି-ବାସ୍ତରି ବର୍ଷ ଧରି ଏ ଦେଶରେ ଧର୍ମ, ସାମ୍ପ୍ରଦାୟିକତାର ଦ୍ବନ୍ଦ୍ବ ଓ ଦଙ୍ଗା ଲାଗି ରହିଛି। ଅଯଥାର୍ଥ ତିିନିଶ’ ସତୁରି ଧାରା ସୃଷ୍ଟି ହୋଇ ବିଭାଜନ ଘା’କୁ ସେମିତି ଦଲଦଲ ରଖା ଯାଇଥିଲା। ଅବଶ୍ୟ ଅପୂର୍ବ ନୈତିକ ସାହସର ସହ ଏ ଧାରାକୁ ମୋଦୀ ଉଚ୍ଛେଦ କରିଛନ୍ତି। ଛାଡ଼ନ୍ତୁ ସେ କଥା। ଏବେ ‘କରୋନା’ ବିଶ୍ବ ଜନତାକୁ ଅଧା ନଈରେ କଲାଣି। ଭାରତବର୍ଷରେ ‘ତାଲାବନ୍ଦୀ’ର ଅଭୂତପୂର୍ବ ପରିସ୍ଥିିତି ସୃଷ୍ଟି ହୋଇଛି। ଦିନଦିନ ଧରି ଲୋକେ ଏବେ ଘରୁ ବାହାରୁ ନାହାନ୍ତି। ଗାଡ଼ିମଟର, କଳକାରଖାନା, ମୂଲମଜୁରି ବନ୍ଦ। ବଡ଼ବଡ଼ିଆ ଘରେ ମ୍ୟାଡ଼ାମ୍‌, ପୁଅଝିଅ, ନାତି-ନାତୁଣୀମାନଙ୍କ ସହ ଲୁଡ଼ୁ ଖେଳୁଛନ୍ତି ତ ଦିନମଜୁରିଆ ପେଟ ବିକଳରେ ପେଟ ଆଉଁଶୁଛି। ସରକାର ଏଥିପାଇଁ ପର୍ଯ୍ୟାପ୍ତ ସହାୟତା ଦେଉଛନ୍ତି। ମାତ୍ର ବାଟମାରଣା, ବିରାଡ଼ି ଭାରୁଆ କୋଉ ମାଛ ନ ଖାଇବ? ଦେଶ ଏତେ ଅବସ୍ଥା ହେଲାଣି କୋଉ ବୁଦ୍ଧି କି ବିବେକ ଫିଟୁଛି?
ଏମିତି ହେଲା ଯେ ପୁଲିସି ରାସ୍ତାରେ ଏ ଲୋକଙ୍କୁ ବାଡ଼େଇବାଡ଼େଇ ନୋଳା ଫଟେଇ ଦଉଚି। ଗାଡ଼ି ଜବତ କରି ଦେଉଛି। ଏଇଟା କୁଆଡ଼େ ଅମାନବିକତା ବୋଲି ମାମଲା ହାଇକୋର୍ଟକୁ ଗଲା। ମାନ୍ୟବର ବିଚାରପତି ଏଥିରେ ରୋକ ଲଗାଇଲେ ପୁଲିସ ଉପରେ। ଏଠି ‘‘ମଳୁ ଲୋଡ଼ୁଥିଲା କାକର ପାଣି, ବଇଦ ବୋଇଲା ଦେ’ ତୋରାଣି’’ ଅବସ୍ଥା ସୃଷ୍ଟି ହେଲା। ପୁଲିସିବାଲା ବି ଏଥିରେ ହାତ ଖାଲି କରିଦେଲେ। ଦିନକରେ ଅବସ୍ଥା ଘାଇଲା। ମାନ୍ୟବର ହାଇକୋର୍ଟ ପୁଣି ଏକୁ ବଦଳାଇଲେ। ମୂଳ ସମସ୍ୟା ଏଡ଼ି ଏଠି ମାନବିକତା, ସାମ୍ବିଧାନିକ ସ୍ବାଧୀନତା ଆଦି ‘ହୋ’ ଦଳେ ଉଠାଉଛନ୍ତି। ଏଗୁଡ଼ା ଘଟଣାକୁ ଅଧିକ ସଙ୍ଗିନ, ଅଧିକ ଘାଇଲା କରୁଛି। ଦଳେ ଏ ଘଟଣାରେ ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି ଉଦ୍ୟମରେ ଅଛନ୍ତି। ଯାହାକଲେ ବି କୁକୁର କୋଉ ବିଷ୍ଠା ନ ଖାଇବ? ‘‘ସ୍ବା ଯଦି କ୍ରୀୟତେ ରାଜା ସା କିଂ ନାଶାତ୍ବିପାନଃ’’। ଶକ୍ତିଭେଦ ପରେ ଲକ୍ଷ୍ମଣଙ୍କ ଜୀବନ ରକ୍ଷାପାଇଁ ହନୁମାନଜୀ ଗନ୍ଧମାର୍ଦ୍ଦନ ପର୍ବତରୁ ବିଶଲ୍ୟକରଣୀ ଆଣିବାବେଳେ, ତାଙ୍କୁ ଅଟକାଇବାର ନାନା ସୂତ୍ର ରାବଣ କରିଥିଲେ। ସେମିତି ଏ ଦୁର୍ଦଶାର ଅନ୍ତ, ଅବସାନ ପାଇଁ ଦେଶରେ ସରକାର ଅଦ୍ଭୁତପୂର୍ବ ଅବସ୍ଥା ସୃଷ୍ଟି କରିଥିଲେ ବି, ରାବେଣାଗୋଷ୍ଠୀ, ଗୋଳିପାଣିଆ କଙ୍କଡ଼ାଦଳିଆଙ୍କ ଦୁଷ୍ଟବୁଦ୍ଧି ଏବେ ଦେଖିବାର କଥା। ଠିକ୍‌ ବେଳେ ସବୁ ଧରାପଡ଼ିଯାଉଛନ୍ତି। ଲୋଭ ମୋହ ସ୍ବାର୍ଥାନ୍ଧତା ତଥା ଦୁଷ୍ଟ ପ୍ରବୃତ୍ତି ଓ ପ୍ରକୃତି ଉଙ୍କି ମାରୁଛି। ମତେ ତୁ ‘‘ଯେତିକି ମାଠିବୁ ମାଠ, ମୁଁ ସେଇ ଦରପୋଡ଼ା କାଠ।’’ କବିବର ତ ମଣିଷର ଏ ଦୁର୍ନିବାର ପ୍ରବୃତ୍ତି ଓ ପ୍ରକୃତି ବିଷୟରେ ଲେଖିଲେ, ‘‘ଦେଖ ଦେଖ ଅଗ୍ରତେ ସରସୀ ଜଳେ, ପଡ଼ି ମଣ୍ଡୁକ କ୍ରୂର ଅହି କବଳେ। ବିକଳେ ରାବୁରାବୁ ‌ଊ​‌େ​‌​‌​‌ର୍ଦ୍ଧ୍ବ ଉଡ୍ଡୀନ, ଉହୁଙ୍କି ଶିଶୁ କଙ୍କି ଦେଲା ଗିଳିଣ। କାଳ କବଳେ ସିନା ଏ ରୂପେ ଭାଇ, ଆରତେ ନର ଘାରି ହେଉଣ ଥାଇ। ତେବେ ହେ ମନାସଇ ଲଭି ଏ ଦଶା, ମେଣ୍ଟାଇବାକୁ ଭବଭୋଗ ଲାଳସା।’’
ପବିତ୍ର ପୂଜାକର୍ମରେ ଋଷି ଜମଦଗ୍ନି ବ୍ୟସ୍ତ ଥାଆନ୍ତି। ଏଥିପାଇଁ ପାଣି ଆଣିବାକୁ ସ୍ତ୍ରୀ ରେଣୁକା ଜଳାଶୟକୁ ଗଲେ। ମାତ୍ର ସେଠି ଏକ ଅପୂର୍ବ ଦୃଶ୍ୟ ଦେଖି ତାଙ୍କ ମନ ଚହଲିଗଲା। ହଠାତ୍ ଅପୂର୍ବ ସୁନ୍ଦର ଗନ୍ଧର୍ବ ଓ କିନ୍ନରମାନଙ୍କ ଜଳକ୍ରୀଡ଼ା ସେଠି ଚାଲିଥାଏ। ସମ୍ଭ୍ରମତା, ଶାଳିନତା ବିଚାର ଏ ମଧୁମୟ ସ୍ନାନବେଳେ କୋଉ ମନକୁ ଘେନିବ? ସେମାନେ ମସଗୁଲ ଥାଆନ୍ତି। ଋଷିପତ୍ନୀ ପାଣି ଆଣିବାର ଗୁରୁଦାୟିତ୍ବ ପାସୋରି ଗଲେ। ଏ ଖେଳ ଦେଖୁଦେଖୁ ମଜ୍ଜିଗଲେ ନିଜେ ସେଠାରେ। କେତେବେଳେ ଅଧଘଣ୍ଟା କି ଘଣ୍ଟେ ଚାଲିଯାଇଛି, ଜାଣିପାରିଲେନି। ପ୍ରକୃତିସ୍ଥ ହେଲାବେଳକୁ ଲେଡ଼ି ଗୁଡ଼ କହୁଣିଠି ହେଲାଣି। ବିଳମ୍ବରେ ପାଣି ଆଣି ଫେରିଥିବା ପତ୍ନୀଙ୍କ ମାନସିକ ସ୍ଖଳନ କଥା ଋଷିବର ଧ୍ୟାନ ବଳରେ ଜାଣିପାରିଥିଲେ। ଏ ଘଟଣାକୁ ସେ ଗୁରୁତର ଅପରାଧ ଓ ପାପ ବୋଲି ବିବେଚନା କଲେ। ମାତ୍ର କି ଦୋଷଟେ ୟେ ଥିଲା ଯେ? ଆରେ ୟେ ଭାରତବର୍ଷ। ମୁନିଋଷି ଦେବତାର ଦେଶ ବୋଲି ଆରିଷ୍ଟଟଲ, ମାକ୍‌ସମୁଲାର ପ୍ରମୁଖ କହୁଥିଲେ। ଏଠାରେ ଚାଲି ଖଣ୍ଡାଧାରରେ। ଗନ୍ଧର୍ବ-କିନ୍ନରଙ୍କ ଅଶାଳୀନ ନୃତ୍ୟ ଜଣେ ଋଷିପତ୍ନୀ ଦେଖି କର୍ତ୍ତବ୍ୟରେ ଅବହେଳା କେମିତି କରିବ? ଇୟେ କି ମଦମାଂସର ଦେଶ ଚୀନ କି ଆମେରିକା ଯେ, ‘ହଁ ମ’ କ’ଣଟେ ହୋଇଗଲା କି’’ ଭାବ ଏକୁ ଲାଘବ କରିଦେବ? ନିଆଁବାଣ ହୋଇଗଲେ ସ୍ବାମୀ ଜମଦଗ୍ନି। ପୁଅକୁ ଆଦେଶ ଦେଲେ ଏ ଦୁଷ୍ଟା, ବିଶୃଙ୍ଖଳିତା ମା’ର ମୁଣ୍ଡ କାଟିବାକୁ। କି ଭୟଙ୍କର ଏ ନି​ର୍ଦେଶ। ଋଷିପତ୍ନୀ ଓ ତାଙ୍କ ପୁଅମାନଙ୍କ ମୁଣ୍ଡକାଟ ଉପାଖ୍ୟାନ ତ ପୁରାଣ ପ୍ରସିଦ୍ଧ। ବିଶଦ ଆଲୋଚନାର ଅବସର ଏଠି ନାହିଁ। ଏଠି କର୍ତ୍ତବ୍ୟବୋଧ, ଆହ୍ବାନ ସହ ସାଲିସ ନାହିଁ।
‘କରୋନା’ ଆକ୍ରମଣ ସୃଷ୍ଟିଚକ୍ର, ମଣିଷ ଜୀବନ ଉପରେ ଯେଉଁ ଆହ୍ବାନ ଦେଇଛି, ତାକୁ ବାଜି ଲଗେଇ ସମ୍ମୁଖୀନ ନହେଲେ ତ କଥା ସଇଲା। ଏ ଗଳିଆ, ହୁଗୁଳାଗୁଡାଙ୍କୁ ଆକଟ ଲୋଡ଼ା। ପୁଲିସ ଲାଠି ତ ଉପଚାର ମାତ୍ର। ଚୀନର ଭାରତ ଆକ୍ରମଣବେଳ ଚୀନ ସୈନ୍ୟ ଆସାମର ତେଜପୁର ଯାଏଁ ପଶିଆସିଲେ। ଲୋକେ ଘରଦ୍ବାର ଛାଡ଼ି ପଳେଇ ଆସୁଥାନ୍ତି। ଜେଲରୁ କଇଦୀ ଖାଲି, ବ୍ୟାଙ୍କ ଖୋଲା ଓ ଖାଲି, ଶାସନ ସେଠି ଭୁଶୁଡ଼ି ପଡ଼ିଲା। ପରବର୍ତ୍ତୀ ସମୟରେ ତତ୍କାଳୀନ ମନ୍ତ୍ରୀ ସ୍ବର୍ଗତ ଶାସ୍ତ୍ରୀଜୀ ତେଜପୁର କମିସନର, ସର୍ବୋଚ୍ଚ ଶାସନକର୍ତ୍ତାଙ୍କୁ ଯିଏ କି ସେତେବେଳେ କଲିକତା ପଳେଇ ଆସିଥିଲେ ତାଙ୍କୁ ଚାକିରିରୁ ବହିଷ୍କାର କଲେ। ଏଥିରେ ଆଇ.ଏ.ଏସ୍. ସଂଘର କର୍ମକର୍ତ୍ତାଗଣ ଏ ଆଦେଶର ପୁନର୍ବିଚାର ପାଇଁ ଶାସ୍ତ୍ରୀଜୀଙ୍କୁ ଭେଟିଲେ। ସେମାନେ କହିଲେ, ‘‘ତାଙ୍କର କିଛି ଦୋଷ ନାହିଁ, ଏ ଅଭୂତପୂର୍ବ ପରିସ୍ଥିତି ବେଳେ ଜୀବନ ବିକଳରେ ଲୋକେ ଧାଉଁଥାନ୍ତି। କେହି କାହା ଆଦେଶ ଶୁଣିବା ଅବସ୍ଥାରେ ନଥା’ନ୍ତି। ସେ ତାଙ୍କ ସ୍ତ୍ରୀଙ୍କୁ ଧରି ବିମାନବନ୍ଦରକୁ କଲିକତା ପଠେଇ ଦେବାକୁ ଆସିଥା’ନ୍ତି। ମାତ୍ର ଦୁର୍ଭାଗ୍ୟକୁ ତାଙ୍କ ସ୍ତ୍ରୀ ସେଇଠି ଚେତାଶୂନ୍ୟ ହୋଇଗଲେ। ନିଜେ ତାଙ୍କୁ ଧରି କଲିକତାରେ ଛାଡ଼ି ପୁଣି ଫେରିଗଲେ ତେଜପୁର। ଏଥିରେ ତାଙ୍କ ଦୋଷ ନାହିଁ। କ୍ଷମା କରିଦିଆଯାଉ ତାଙ୍କୁ।’’ ସରଳ ଓ କୋମଳ ଯେମିତି କଠୋର ଓ କଠିନ ବି ସେମିତି ଶାସ୍ତ୍ରୀଜୀ। ବଡ଼ ବିନୟର ସହ ସେ କହିଲେ, ‘‘ମୁଁ ତାଙ୍କ କ୍ଷେତ୍ରରେ ଥିଲେ, ସେ ଯାହା କରିଥିଲେ, ମୁଁ ବି ତା’ କରିଥାନ୍ତି। ମଣିଷର ଭାବ ଓ ସ୍ବାର୍ଥ ଦୃଷ୍ଟିରୁ ସେ ଭୁଲ କରିନାହାନ୍ତି। ମାତ୍ର ଦେଶର ସ୍ବାର୍ଥ ଓ ଆବଶ୍ୟକତା, ସମସ୍ତ ବ୍ୟକ୍ତିଗତ ଆବଶ୍ୟକତାର ଢେର ଉପରେ। ତାଙ୍କ ଉପରେ ଏ କଠୋର ଶାସ୍ତି, ଶୃଙ୍ଖଳା ଓ କର୍ତ୍ତବ୍ୟବୋଧକୁ ଅନାହତ ରଖିବ। ପରବର୍ତ୍ତୀ ଓ ବର୍ତ୍ତମାନର ପ୍ରଶାସକ ମୁରବିମାନଙ୍କ ପାଇଁ ଚେତାବନୀ ହେବ। ଏଥିରେ ସାଲିସ୍‌ କାହିଁ? ବ୍ୟକ୍ତିଗତ ଭାବେ ମୁଁ ଦୁଃଖିତ। ମାତ୍ର ରାଷ୍ଟ୍ରସ୍ବାର୍ଥ ଆଗରେ ଆଉସବୁ ତୁଚ୍ଛ ଓ ଗୌଣ। ୟେ ହେଲା ଶାସନ ଓ ଏ ଦେଶର ନେତୃବୃନ୍ଦ।
‘କରୋନା’ ଆଜି ସବୁ ବ୍ୟବସ୍ଥାକୁ ଓଲଟପାଲଟ କରିଦେଉଛି। ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ବ୍ୟସ୍ତତା, ଆହ୍ବାନର ପଟାନ୍ତର ନାହିଁ। ବିଶ୍ବରେ ଅବଶ୍ୟ ଏ ଦୁର୍ଦିନରେ ଭାରତ ଉଦାହରଣ ବନିଛି। ପ୍ରବଳ ପରାକ୍ରମୀ ଆମେରିକା ମଧ୍ୟ ଆଣ୍ଠେଇ ପଡ଼ିଛି। କ୍ଳୋରୋକୁଇନ୍‌ ଓଷୁଅର ଆବଶ୍ୟକତା ପଡ଼ିଛି। ଏବେ ଘନିଷ୍ଠ ବନ୍ଧୁ ବନିଥିବା ଆମେରିକା ପ୍ରଚୁର ପରିମାଣ କ୍ଳୋରୋକୁଇନ୍‌ ନେବାକୁ ଭାରତକୁ ମାଗିଲେ। ଅବଶ୍ୟ କ୍ଳୋରୋକୁଇନ୍‌ ପ୍ରସ୍ତୁତିରେ ଭାରତ ପୃଥିବୀରେ ଦ୍ବିତୀୟ ବୃହତ୍ତମ ରାଷ୍ଟ୍ର। ମାତ୍ର ରାଷ୍ଟ୍ରୀୟ ଆବଶ୍ୟକତାକୁ ଦୃଷ୍ଟିରେ ରଖି ମୋଦୀ ସରକାର ଏବେ ଏ ଓଷୁଅ ଦିଆଯାଇ ପାରିବନି କହିଲେ। ଚହଲିଗଲା ବନ୍ଧୁତ୍ବଭାବ ଆମେରିକାର। କିଏ କହୁଚି ଅଭିମାନ, ରୁଷା, କିଏ କହୁଚି ଧମକ ବୋଲି। ଟ୍ରମ୍ପ ଭାରତର ଅରାଜିକୁ ଗ୍ରହଣ କରି ପାରିଲେନି। ବନ୍ଧୁତ୍ବର ପ୍ରଶ୍ନ ଉଠାଇଲେ। ଏଥିରୁ ତାଙ୍କ କିସମ ବାରି ହୋଇପଡ଼ୁଥିଲେ ବି ମାନବିକତା ଓ ରାଷ୍ଟ୍ରୀୟ ସ୍ବାର୍ଥ ଦୃଷ୍ଟିରୁ ମୋଦୀ ସରକାର ଓଷୁଅ ପଠାଇଲେ। ଏକୁ ନେଇ ବି ଏଠି ଏବେ ଆଲୋଚନା, ସମାଲୋଚନା।
ସବୁକାଳେ ସବୁବେଳେ ସଜମାଛରେ ପୋକ ପକାଇବା ବାଲା ଥା’ନ୍ତି। ‘‘ବ୍ରଣମିଚ୍ଛନ୍ତି ମକ୍ଷୀକାଃ’’ ମାତ୍ର ଏକୁ କିଏ ଚାହୁଁଛି? If you stop every time a dog barks, your road will never end. ଆଗକୁ ମାଡ଼ିଚାଲ।

Comments are closed.