କୃଷି ଓ କୃଷକ ସମସ୍ୟା
ଧରଣୀଧର ପାଣିଗ୍ରାହୀ
ନୀତି ନିର୍ଣ୍ଣାୟକ ଓ କୃଷି ବିଶାରଦମାନେ ଅନେକ ସମୟରେ କୃଷକ କଲ୍ୟାଣ ଅପେକ୍ଷା ଜମିର ଉତ୍ପାଦନ ବୃଦ୍ଧି ଉପରେ ଅଧିକ ଦୃଷ୍ଟି ନିକ୍ଷେପ କରିଥାନ୍ତି। ଜମି ଓ ଜଳ ଉତ୍ପାଦନ ବୃଦ୍ଧି ଗୁରୁତ୍ବପୂର୍ଣ୍ଣ ନିଶ୍ଚୟ, କିନ୍ତୁ ଏହା ଚାଷୀ ଓ ତା’ର ପରିବାର କଲ୍ୟାଣ ବୃଦ୍ଧି କରିବାରେ କେବଳ ସହାୟକ ହୋଇଥାଏ। ଚାଷୀ ପ୍ରତି ଉଦାସୀନ ରହି ଜନକଲ୍ୟାଣ ସାଧିତ ହୋଇପାରିବ ନାହିଁ। ଆମେ ଚାଷୀ କଥା କହିଲାବେଳେ ମଜୁରି ସୂତ୍ରରେ ନିଯୁକ୍ତ କରୁଥିବା କୃଷି ଶ୍ରମିକମାନଙ୍କୁ ମଧ୍ୟ ସେମାନଙ୍କ ଅନ୍ତର୍ଭୁକ୍ତ କରିଥାଉ; କାରଣ ସେ ମଧ୍ୟ ସ୍ବ-ଅଧିକାର ବଳରେ ଜଣେ ଉତ୍ପାଦନକାରୀ, କିନ୍ତୁ ଚାଷୀ ଯଦି ନିଜେ ଦାରିଦ୍ର୍ୟ ଓ ନିଃସ୍ବତା ମଧ୍ୟରେ ବୁଡ଼ିରହିଛି ଶ୍ରମିକମାନଙ୍କୁ ସେ ଉଚିତ ମଜୁରି ଦେବା କଥା ଆମେ ଆଶା କରିବା କିପରି? କୃଷି ସଂକଟ କୃଷି ଉପରେ ଜୀବିକା ନିର୍ବାହ ପାଇଁ ନିର୍ଭର କରୁଥିବା ସମସ୍ତଙ୍କୁ ପ୍ରଭାବିତ କରିଥାଏ ଏବଂ ମନେରଖିବାକୁ ହେବ ଯେ କୃଷକ ଓ କୃଷି ଶ୍ରମିକ ମିଶି ଦେଶର ମୋଟ ଜନସଂଖ୍ୟାର ଏକ ଖୁବ୍ ବଡ଼ ଅଂଶ।
ବିଗତ ଛଅ ଦଶନ୍ଧି ମଧ୍ୟରେ କୃଷି କ୍ଷେତ୍ରରେ ଯେ ବିପୁଳ ପ୍ରଗତି ହାସଲ ହୋଇପାରିଛି, ଏହା ସ୍ବୀକାର କରିବାକୁ ପଡ଼ିବ। ଏହି ସମୟ ମଧ୍ୟରେ ଭାରତର ଜନସଂଖ୍ୟା ୩.୫ ଗୁଣ ବୃଦ୍ଧିପାଇ ୧୯୫୧ରେ ୫୧ ନିୟୁତରୁ ୨୦୧୪ରେ ପ୍ରାୟ ୧,୨୭୦ ନିୟୁତରେ ପହଞ୍ଚିଥିବାବେଳେ ଭାରତର ଖାଦ୍ୟଶସ୍ୟ ଉତ୍ପାଦନ ସେହି ସମୟ ମଧ୍ୟରେ ୫ଗୁଣ ବୃଦ୍ଧିପାଇ ୫୧ ନିୟୁତ ଟନ୍ରୁ ୨୫୩ ନିୟୁତ୍ ଟନରେ ପହଞ୍ଚିଥିଲା। ଦୁଗ୍ଧ ଉତ୍ପାଦନ ୮.୬ ଗୁଣ ବୃଦ୍ଧି ପାଇ ୧୭ ନିୟୁତ ଟନ୍ରୁ ୧୪୬ ନିୟୁତ ଟନ୍ରେ ପହଞ୍ଚିଥିଲା। ଏହା ଭାରତକୁ ଖାଦ୍ୟରେ ସ୍ବାବଲମ୍ବୀ କରିପାରିଥିଲା।
ସ୍ବାଧୀନୋତ୍ତର କାଳରେ କୃଷିର ଉଲ୍ଲେଖନୀୟ ବିିବିଧକରଣ ଦେଖିବାକୁ ମିଳେ। ସ୍ବାଧୀନତା ଲାଭ ବେଳେ, କୃଷିରେ ଖାଦ୍ୟଶସ୍ୟ ଉତ୍ପାଦନ ପ୍ରାଧାନ୍ୟ ବିସ୍ତାର କରି ରହିଥିଲା। ପରବର୍ତ୍ତୀ ଦଶନ୍ଧିଗୁଡ଼ିକରେ ପଶୁପାଳନ ଓ ଉଦ୍ୟାନ କୃଷି ଆଦି କ୍ଷେତ୍ରରେ ପ୍ରଭୂତ ପ୍ରଗତି ହାସଲ ହୋଇପାରିଛି। ଭାରତ ଗୋଟିଏ ନିଟ୍ ଆମଦାନୀକାରୀ ରାଷ୍ଟ୍ରରୁ ଏକ ନିଟ୍ ରପ୍ତାନିକାରୀ ରାଷ୍ଟ୍ରରେ ପରିଣତ ହୋଇଛି। କୃଷି କ୍ଷେତ୍ରରେ ହାସଲ ହୋଇପାରିଥିବା ଅନ୍ୟତମ କୃତିତ୍ବ ହେଲା, ସମୂହ ଜାତୀୟ ସ୍ତରରେ ଖାଦ୍ୟଶସ୍ୟ ଉତ୍ପାଦନ, ଉତ୍ପାଦନ ଅଞ୍ଚଳର କ୍ଷେତ୍ରଫଳ ଏବଂ ଶସ୍ୟ ଅମଳରେ ଅସ୍ଥିରତା ହ୍ରାସ ପାଇଛି। ହୁଏତ ଜଳସେଚନ ସୁବିଧା ବୃଦ୍ଧି ଓ କୃଷିର ବିବିଧକରଣ ଯୋଗୁଁ ଏହା ଘଟିଥାଇପାରେ। ଏବେ କୌଣସି ଅଞ୍ଚଳରେ ମରୁଡ଼ି ପରିସ୍ଥିତି ସୃଷ୍ଟି ହେଲେ ସେ ଅଞ୍ଚଳର ଲୋକେ ଆଉ ଦୁଃଖଦୁର୍ଦଶାରେ ସମ୍ମୁଖୀନ ହେଉନାହାନ୍ତି, ତତ୍କ୍ଷଣାତ ଉଦ୍ବୃତ୍ତ ଅଞ୍ଚଳରୁ ନେଇ ଅଭାବଗ୍ରସ୍ତ ଅଞ୍ଚଳରେ ଆବଶ୍ୟକ ଖାଦ୍ୟଶସ୍ୟ ସହାୟତା ଯୋଗାଇ ଦିଆଯାଉଛି। ତାହାହେଲେ କୃଷିରେ ସଂକଟ ଉପୁଜିବାର ଅବକାଶ ରହିଲା କେଉଁଠି? ଆମ କୃଷି କ୍ଷେତ୍ର ହୁଏତ ଏପର୍ଯ୍ୟନ୍ତ ଅତି ଉତ୍ତମ ପ୍ରଗତିର ପରିଚୟ ଦେଇଆସିଛି, କିନ୍ତୁ ଏହାର ଅସ୍ବାସ୍ଥ୍ୟକର ଆଭ୍ୟନ୍ତରୀଣ ବିରୋଧାଭାସଗୁଡ଼ିକର ସମାଧାନ ନହେଲେ, ଏହାର ପତନ ଘଟିପାରେ ଯାହା ଏକ ଅକଳ୍ପନୀୟ କରୁଣ ମାନବୀୟ ଦୁର୍ଗତିକୁ ଡାକି ଆଣିବ।
୧୯୯୦ ଦଶକରୁ ବହୁସଂଖ୍ୟକ କୃଷକ ଆତ୍ମହତ୍ୟା କରିଥିବା କଥା ଭାରତର ‘ଜାତୀୟ ଅପରାଧ ରେକର୍ଡ଼ ପରିସଂଖ୍ୟାନରୁ ଜଣାଯାଏ। ୧୯୯୫ ଓ ୨୦୧୩ ମଧ୍ୟରେ ଭାରତରେ ପ୍ରାୟ ତିନିଲକ୍ଷ କୃଷକ ଆତ୍ମହତ୍ୟା କରିଥିବାର ତଥ୍ୟ ଏଥିରେ ରହିଛି, କିନ୍ତୁ ପ୍ରକୃତ ଆତ୍ମହତ୍ୟା ସଂଖ୍ୟା ଆହୁରି ଅଧିକ ହେବ, କାରଣ ପ୍ରାରମ୍ଭରେ କେତେକ ରାଜ୍ୟ ଏହି ସମୟକାଳ ମଧ୍ୟରେ ଆତ୍ମହତ୍ୟା କଥା ରିପୋର୍ଟ କରିନାହାନ୍ତି। ଦ୍ବିତୀୟତଃ, ଆତ୍ମହତ୍ୟାକାରୀଙ୍କ ମଧ୍ୟରୁ କେତେକଙ୍କ ନାମ ରେକର୍ଡରେ କୃଷକ ଶ୍ରେଣୀଭୁକ୍ତ ହୋଇନଥିବାରୁ ପୁଲିସ ସେମାନଙ୍କୁ କୃଷକ ରୂପେ ସ୍ବୀକାର କଲାନାହିଁ, କେବଳ ଜମି ମାଲିକମାନଙ୍କୁ କୃଷକ ରୂପେ ସ୍ବୀକାର କଲା। ଯେଉଁମାନେ ଜମି ଠିକା ସୂତ୍ରରେ ବା ଲିଜ୍ ନେ ଚାଷ କାର୍ଯ୍ୟ କରିଥାନ୍ତି ସେମାନେ ଅଧିକ ଅସହାୟ ଏବଂ ଉଚ୍ଚତର କ୍ଷତିଭୟର ସମ୍ମୁଖୀନ ହୋଇଥାନ୍ତି। ପୁନଶ୍ଚ, କେତେଗୁଡ଼ିଏ ଆତ୍ମହତ୍ୟା ରିପୋର୍ଟକୁ ରାଜ୍ୟ ସରକାରମାନେ ଉଦ୍ଦେଶ୍ୟମୂଳକଭାବେ ଚପାଇ ଦେଲେ ବା ହେୟଜ୍ଞାନ କଲେ। ଚାଷୀ ଆତ୍ମହତ୍ୟା ଭାରତୀୟ କୃଷି ସମ୍ମୁଖୀନ ହେଉଥିବା ମାନବୀୟ ସଂକଟର ସବୁଠାରୁ କରୁଣ ଓ ହୃଦୟବିଦାରକ ଲକ୍ଷଣ। କୃଷିର ସମସ୍ତ ବିଭାଗର ଏହା ଏକ ସାମଗ୍ରିକ ସଂକଟ ନହୋଇପାରେ, କିନ୍ତୁ ଏହା ଏକ ଦୈହିକ ବା ଢାଞ୍ଚାଗତ ସଂକଟ। ଏ ସଂକଟ ହଠାତ୍ ସୃଷ୍ଟି ହୋଇନାହିଁ। ବହୁ ଦଶନ୍ଧି ଧରି ଏହା ଗଢ଼ି ଉଠିଛି। ଏହାର ଯଥାଯଥ ଅନୁଶୀଳନ ଆବଶ୍ୟକ।
ଆମେ ମନେରଖିବା ଉଚିତ ଯେ ଭାରତୀୟ କୃଷି ଏବେବି ମୁଖ୍ୟତଃ ବୃଷ୍ଟିପୁଷ୍ଟ ହୋଇ ରହିଛି ଏବଂ ବୃଷ୍ଟିପାତ କ୍ରମଶଃ ଅଧିକ ଅନିଶ୍ଚିତ ଓ ଅନିୟମିତ ହେବାରେ ଲାଗିଛି। ଭାରତରେ ଚାଷ ଜମିର ବଡ଼ଭାଗ ଜଳବାୟୁ ପରିବର୍ତ୍ତନର ଶିକାର ହେବାର ଆଶଙ୍କା ବେଶି। ବର୍ତ୍ତମାନ ଦେଶର କେତେକ ଅଞ୍ଚଳରେ ଚାଷୀମାନେ ବିରକ୍ତିକର ଭାବେ ଦୀର୍ଘ ମରୁଡ଼ି ଓ ଅସ୍ବାଭାବିକ ବର୍ଷାର ସମ୍ମୁଖୀନ ହୋଇ ବିପୁଳ ଶସ୍ୟହାନି ସହୁଛନ୍ତି। ଭାରତ ଅପେକ୍ଷା ଚୀନର ମୋଟ ଜମି ପରିମାଣ ତିନିଗୁଣରୁ ଅଧିକ ହେଲେ ହେଁ, ତାର ଚାଷଯୋଗ୍ୟ ଜମିର ପରିମାଣ ମାତ୍ର ପ୍ରାୟ ୧୧୨ ନିୟୁତ ହେକ୍ଟର। ଭାରତରେ ଚାଷଯୋଗ୍ୟ ଜମିର ପରିମାଣ ୨୦୧୨-୧୩ରେ ୧୫୫ ନିୟୁତ ହେକ୍ଟର ଥିଲା। ଅର୍ଥାତ୍ ଚୀନରେ ମୋଟ ଜମିର ମାତ୍ର ୧୧.୩ ପ୍ରତିଶତ ଜମିକୁ ଚାଷ ଜମିରୂପେ ବ୍ୟବହାର କରାଯାଉଥିବାବେଳେ, ଭାରତରେ ମୋଟ ଜମି ପରିମାଣର ପ୍ରାୟତଃ ୫୩ ପ୍ରତିଶତ ଚାଷ କାର୍ଯ୍ୟରେ ବ୍ୟବହୃତ ହେଉଛି। ଚୀନରେ କିନ୍ତୁ ଜଳସେଚିତ ଜମିର ଅନୁପାତ ୬୫ ପ୍ରତିଶତରୁ ଅଧିକ ଥିବାବେଳେ ଭାରତରେ ଏହା ୪୩ ପ୍ରତିଶତରୁ କମ୍। ଭାରତରେ ବୃଷ୍ଟିପାତ ଅଞ୍ଚଳଗୁଡ଼ିକ ଦେଶର ମୋଟ ଶସ୍ୟର ପ୍ରାୟତଃ ଅର୍ଦ୍ଧେକ ଉତ୍ପାଦନ କରୁଛନ୍ତି। ହେକ୍ଟର ପ୍ରତି ହାରାହାରି ଉତ୍ପାଦନ ଚୀନ ଅପେକ୍ଷା ଭାରତର କାହିଁକି ନିମ୍ନତର ଏହା ତା’ର ଅନ୍ୟତମ କାରଣ। ତେଣୁ ଛୋଟକାଟିଆ ମରୁଡ଼ି ଅବସ୍ଥାର ସମ୍ମୁଖୀନ ହେବା ପାଇଁ କିପରି କିଛି ରଣନୀତି ପ୍ରସ୍ତୁତ କରାଯାଇପାରିବ ତାହା ଆମ ପାଇଁ ଏକ ବଡ଼ ଆହ୍ବାନ ହୋଇ ରହିଛି। ଅନେକ ରାଜ୍ୟରେ ଭୂତଳ ଜଳସ୍ତର ବହୁ ନିମ୍ନରେ ପହଞ୍ଚିଯାଇ ଥିବାରୁ ସେହି ରାଜ୍ୟମାନେ ସେ ସୂତ୍ରରୁ ଆଉ ଅଧିକ ଜଳସଂଗ୍ରହ କରିପାରିବେ ନାହିଁ। ସେ ରାଜ୍ୟଗୁଡ଼ିକ ହେଲେ ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ, ରାଜସ୍ଥାନ, କର୍ଣ୍ଣାଟକ ଓ ତାମିଲନାଡ଼ୁ। କେବଳ ବିହାର, ଓଡ଼ିଶା, ପଶ୍ଚିମବଙ୍ଗ, ଆସାମ ଓ ଝାଡ଼ଖଣ୍ଡ ପରି କେତେଗୋଟି ପୂର୍ବାଞ୍ଚଳ ରାଜ୍ୟ ଏ ସୁଯୋଗ ନେଇପାରିବେ। ବଡ଼ବଡ଼ ନଦୀବନ୍ଧ ନିର୍ମାଣ କରି କେନାଲ ଜଳସେଚନର ସଂପ୍ରସାରଣ କରିବା ସମ୍ଭାବନା ମଧ୍ୟ ଉଜ୍ଜ୍ବଳ ନୁହେଁ। ଜଙ୍ଗଲ ଅଞ୍ଚଳ ହାନି ଓ ସ୍ଥାନୀୟ ଅଧିକାଂଶଙ୍କର ବିସ୍ଥାପନ ଆଦି କିଛି ଗୁରୁତ୍ବପୂର୍ଣ୍ଣ ନକାରାତ୍ମକ ପ୍ରଭାବ କଥା ଚିନ୍ତାର ବିଷୟ ହୋଇଛି। ଜଳବାୟୁ ପରିବର୍ତ୍ତନ ଓ ବିଶ୍ବ ତାପମାତ୍ରା ବୃଦ୍ଧି ପରିପ୍ରେକ୍ଷୀରେ ଜଳସେଚନ ପରିଚାଳନାରେ ବିକାଶ ଘଟାଇ ଜଳାଭାବ ସମସ୍ୟାର ସମ୍ମୁଖୀନ ହେବାପାଇଁ ଉପଯୁକ୍ତ ରଣକୌଶଳ ଗ୍ରହଣ କରିବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ହୋଇପଡ଼ିଛି।
ଭାରତୀୟ କୃଷିର ଅନ୍ୟତମ ଗୁରୁତର ସମସ୍ୟା ହେଲା, ଏହାଉପରେ ଅସମଭାବେ ବୋଝ ହୋଇ ରହିଥିବା ଜନସଂଖ୍ୟା। ତେଣୁ ପାରମ୍ପରିକ ନିର୍ବାହୀ କୃଷିକୁ ବେପାର ଦୃଷ୍ଟିରୁ ଲାଭଜନକ କୃଷିରେ ପରିଣତ କରିବାକୁ ହେଲେ କୃଷିରୁ ଏହି ବଳକା ଜନସଂଖ୍ୟାକୁ ପ୍ରତ୍ୟାହାର କରିନେବା ଆବଶ୍ୟକ ଏବଂ ବାହାରୁ ଯେପରି କୃଷି କ୍ଷେତ୍ରକୁ ପୁଞ୍ଜି ପ୍ରବାହ ହେବ ତା’ପାଇଁ ଉପଯୁକ୍ତ ଅବସ୍ଥା ସୃଷ୍ଟି କରିବାକୁ ହେବ। ଅର୍ଥବ୍ୟବସ୍ଥାର ଅନ୍ୟ କ୍ଷେତ୍ରଗୁଡ଼ିକରେ ଯଦି ଉଲ୍ଲେଖନୀୟ ଅର୍ଥନୈତିକ ସମୃଦ୍ଧି ଘଟି ନିୟୋଜନ ସୁଯୋଗ ସୃଷ୍ଟିହୁଏ ତାହାହେଲେ ଏହା ସମ୍ଭବ ହୋଇପାରିବ। ଉଭୟ ଚାଷୀ ଓ କୃଷି ଶ୍ରମିକଙ୍କୁ ଏକାଠି ନେଇ ହିସାବ କଲେ ଦେଖାଯାଏ ଯେ କୃଷିରେ ନିଯୁକ୍ତ ଶ୍ରମଶକ୍ତିର ଅନୁପାତ ବିଗତ ଦଶନ୍ଧିଗୁଡ଼ିକରେ ଅତି ମନ୍ଥରଭାବେ ହ୍ରାସ ପାଇଛି। ୧୯୭୧ରେ ଏହା ୬୯.୮ ପ୍ରତିଶତ ଥିଲାବେଳେ ୨୦୧୧ରେ ଏହା ୫୪.୬କୁ ହ୍ରାସ ପାଇଛି। ବିପରୀତ ପକ୍ଷରେ ଦେଖାଯିବ ଯେ ସ୍ଥିର ମୂଲ୍ୟରେ ଜିଡିପିରେ କୃଷିର ଅଂଶ ୧୯୭୦-୭୧ରେ ୩୯.୭ ପ୍ରତିଶତ ଥିବାବେଳେ ୨୦୧୦-୧୧ରେ ଏହା ୧୧.୩ ପ୍ରତିଶତକୁ ହ୍ରାସ ପାଇଛି। କୃଷିରେ ଶ୍ରମିକ ପିଛା ଆୟ ଅନୁପାତ ଅନେକ ହ୍ରାସ ପାଇଯାଇଛି। ଭାରତୀୟ କୃଷି ସଂକଟ ସମ୍ପୂର୍ଣ୍ଣରୂପେ କୃଷିର ମୌଳିକ ପ୍ରକୃତିଗତ ବୈଶିଷ୍ଟ୍ୟ। ଏହା ସ୍ବତଃ ସାଧନ ଯୋଗ୍ୟତାର ସଂକଟ। ଜମି ଜୋତଗୁଡ଼ିକର ଅଲାଭଜନକ ଆକାରରୁ ଏହାର ସୃଷ୍ଟି। ଯଦିଓ ସାଧନଯୋଗ୍ୟତା ସଂକଟ ସ୍ବଭାବତଃ ଲାଭକରୀ ସଂକଟ ନୁହେଁ, ଏହା ନିଶ୍ଚିତ ରୂପେ କୃଷିରେ ଘରୋଇ ପୁଞ୍ଜିଗଠନ ପାଇଁ ଓ ଏହାର ଦୀର୍ଘକାଳୀନ ଲାଭକରୀ ପାଇଁ ଅନୁକୂଳ ନୁହେଁ।
କୃଷି ସଂକଟ ସମାଧାନ କରିବା ଦିଗରେ କୌଣସି ପଦକ୍ଷେପ କୃଷି ଶ୍ରମିକ ବା ମଜୁରିଆମାନଙ୍କର ଭାଗ୍ୟକୁ ଉପେକ୍ଷା କରିପାରିବ ନାହିଁ। ମୋଟ କୃଷି ଶ୍ରମଶକ୍ତିରେ ସେମାନଙ୍କ ଅନୁପାତ ୧୯୬୧ ମସିହାରୁ ଭାରତରେ କ୍ରମାଗତଭାବେ ବୃଦ୍ଧି ପାଇଚାଲିଛି। ୧୯୬୧େର ଏହାର ଅନୁପାତ ଥିଲା ୨୪ ଶତାଂଶ। ୨୦୧୧ରେ ଏହି ଅନୁପାତ ଯାଇ ପହଞ୍ଚିଛି ୫୪.୯ ଶତାଂଶରେ। ପ୍ରଥମଥର ପାଇଁ କୃଷି ଶ୍ରମିକଙ୍କ ସଂଖ୍ୟା ବର୍ତ୍ତମାନ କୃଷକଙ୍କଠାରୁ ବଳିପଡ଼ିଛି। ଯେକୌଣସି କୃଷିନୀତି ସେମାନଙ୍କ ଜୀବନଧାରଣର ମାନକୁ ଉନ୍ନତ କରିବାପାଇଁ ଲକ୍ଷ୍ୟ ରଖିବା ଉଚିତ୍, କିନ୍ତୁ କୃଷି ଲାଭଜନକ ନହେଲେ େସମାନଙ୍କ ଅବସ୍ଥାରେ ଉନ୍ନତି ଘଟିବା ଆଶା କରିବା ବୃଥା। ଏହି ସମସ୍ୟାର ସମାଧାନ କରିବାକୁ ହେଲେ, କେବଳ ଅର୍ଥନୈତିକ ଅଭିବୃଦ୍ଧି ହାରକୁ ସର୍ବାଧିକ କରିବାର ଲକ୍ଷ୍ୟ ଉପରେ ମନୋନିବେଶ ନକରି କୃଷି ଓ ଅଣକୃଷି କ୍ଷେତ୍ରରେ ସର୍ବାଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ଦୃଢ଼ ପଦକ୍ଷେପ ନେବା ଆବଶ୍ୟକ। ୨୦୦୦ ଓ ୨୦୧୦ ମଧ୍ୟରେ ଭାରତର ଜାତୀୟ ଉତ୍ପାଦ ଅଭୂତପୂର୍ବଭାବେ ବାର୍ଷିକ ୭.୭ ପ୍ରତିଶତ ବୃଦ୍ଧି ପାଇଥିବାବେଳେ, ନିଯୁକ୍ତି ସୁଯୋଗ ବାର୍ଷିକ ମାତ୍ର ୦.୩ ପ୍ରତିଶତ ହାରରେ ବୃଦ୍ଧି ପାଇଥିଲା। ଏପରି କାମଧନ୍ଦାହୀନ ବେକାରୀର ଅଭିବୃଦ୍ଧି କେବଳ କୃଷି ଉପରେ ନିର୍ଭରଶୀଳତାକୁ ବୃଦ୍ଧି କରିଛି, କାରଣ ବଳକା ଶ୍ରମଶକ୍ତିକୁ କୃଷି କ୍ଷେତ୍ରରେ ନିର୍ଭର କରି ପଡ଼ିରହିବାକୁ ହୋଇଥିଲା। ଆମେ ଯଦି ଅନ୍ତତଃ କେତେକାଂଶରେ ବିକେନ୍ଦ୍ରୀକୃତ ଗ୍ରାମ୍ୟଭିତ୍ତିକ ଗାନ୍ଧୀଙ୍କ ବିକାଶ ମଡେଲକୁ ଗ୍ରହଣ କରିନେଇଥାନ୍ତୁ ଆମ ଅବସ୍ଥା ହୁଏତ ଆଉ ଟିକିଏ ଭଲ ଥାଆନ୍ତା।
ସାରା ଦେଶରେ ବିକ୍ଷିପ୍ତ ଭାବେ ରହି ଗ୍ରାମାଞ୍ଚଳରେ ପୂରା ସମୟ ବା ଆଂଶିକ ସମୟ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରୁଥିବା ବିକେନ୍ଦ୍ରୀଭୂତ ଶିଳ୍ପ ସଂସ୍ଥାଗୁଡ଼ିକୁ ଚିହ୍ନଟ କରି ପ୍ରୋତ୍ସାହିତ କରିବା ଆବଶ୍ୟକ। ଉତ୍ପାଦର ଗୁଣାତ୍ମକ ମାନ ସହିତ ସାଲିସ ନକରି କ୍ଷୁଦ୍ରାୟତନ କ୍ଷେତ୍ରରେ ବିପୁଳ ସମୃଦ୍ଧି ସମ୍ଭାବନା ଥିବା କୃଷି-ପ୍ରକ୍ରିୟାକରଣ ଶିଳ୍ପଗୁଡ଼ିକୁ ଯଥାସମ୍ଭବ ପ୍ରୋତ୍ସାହନ ଦିଆଯିବା ମଧ୍ୟ ଆବଶ୍ୟକ। ଏହି ଉଦ୍ୟୋଗଗୁଡ଼ିକର ଉତ୍ପାଦଗୁଡ଼ିକୁ ବଜାରରେ ବିକ୍ରି ପାଇଁ ଅଭିନବ ବିପଣନ ସୁବିଧା ଦିଆଯିବା ବ୍ୟବସ୍ଥା କରିବାକୁ ହେବ। ଗ୍ରାମାଞ୍ଚଳ ଲୋକଙ୍କ ପାଇଁ ଥିବା ଶିକ୍ଷା ବ୍ୟବସ୍ଥାର ମଧ୍ୟ ଉନ୍ନତି ସାଧନ କରାଯିବା ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି। ଗରିବ ଚାଷୀ ଓ କୃଷି ଶ୍ରମିକଙ୍କ ପିଲାମାନେ ସେମାନଙ୍କ ଦୁର୍ବଳ ଶିକ୍ଷାଗତ ଯୋଗ୍ୟତାକୁ ନେଇ ଅଧିକ ଲାଭଜନକ ବିକଳ୍ପ ନିଯୁକ୍ତି ସୁଯୋଗ ପାଇବାକୁ ଆଶାକରି ପାରିବେ ନାହିଁ। ସେହି କାରଣରୁ ସେମାନଙ୍କ ଜୀବିକାର୍ଜନ ପାଇଁ କୃଷି ଉପରେ ନିର୍ଭର କରିବାକୁ ସେମାନେ ବାଧ୍ୟ ହୋଇଥାନ୍ତି।
ସଂକ୍ଷେପରେ ଏତିକି କୁହାଯାଇପାରେ ଯେ ଭାରତରେ କୃଷି ନୀତି ଉତ୍ପାଦନ ବୃଦ୍ଧି ପରି ଆଗ୍ରହକୁ ପରିତ୍ୟାଗ ନକରି ନୂତନ ଅନୁଷ୍ଠାନ ଗଠନର ଦିଗରେ ମଧ୍ୟ ଚେଷ୍ଟିତ ହେବା ଅାବଶ୍ୟକ।
Comments are closed.