www.samajalive.in
Saturday, December 6, 2025
23.1 C
Bhubaneswar

ଭାରତର ପ୍ରଥମ ଲୋକପାଳ

ସର୍ବବୃହତ୍‌ ଗଣତନ୍ତ୍ରରେ ଏକ ନୂତନ ଆରମ୍ଭ

ସରକାରୀଭାବେ ଘୋଷଣା ବାକିଥିଲେ ହେଁ ଗଣମାଧ୍ୟମରେ ପ୍ରକାଶିତ ଆଗୁଆ ତଥ୍ୟ ଅନୁସାରେ ସୁପ୍ରିମକୋର୍ଟରପୂର୍ବତନ ବିଚାରପତି ତଥା ଜାତୀୟ ମାନବାଧିକାର ଆୟୋଗର ସଦସ୍ୟ ଜଷ୍ଟିସ୍‌ ପିନାକୀ ଚନ୍ଦ୍ର ଘୋଷ ଦେଶର ପ୍ରଥମ ଲୋକପାଳ ଅନୁଷ୍ଠାନର ଅଧ୍ୟକ୍ଷ ହେବେ। ତାଙ୍କ ସହିତ ଲୋକପାଳର ଅନ୍ୟ ସାତଜଣ ସଦସ୍ୟଙ୍କ ନାମ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଗଠିତ ମନୋନୟନ କମିଟି ବୈଠକରେ ଅନୁମୋଦନ ଲାଭ କରିଥିବା ଏହି ଖବରରୁ ପ୍ରକାଶ। ଶୁକ୍ରବାର ଅନୁଷ୍ଠିତ ମନୋନୟନ କମିଟିର ବୈଠକରେ ଏହାର ଅନ୍ୟତମ ସଦସ୍ୟ ଲୋକସଭାରେ ବିରୋଧୀ ଦଳନେତା ମଲ୍ଲିକାର୍ଜୁନ ଖଡ଼୍‌ଗେ ଯୋଗ ଦେଇନଥିଲେ। ଅତଏବ ଏହି ମନୋନୟନ ପ୍ରତି ତାଙ୍କର ସମର୍ଥନ ନଥିବା ସ୍ପଷ୍ଟ। ତେବେ ସେ ଯା’ହେଉ ସଂଖ୍ୟାଧିକ ମତରେ ଏହି କାର୍ଯ୍ୟଟି ସମ୍ପନ୍ନ ହୋଇଥିବାରୁ ଏ କ୍ଷେତ୍ରରେ ହେବାକୁ ଥିବା ସମ୍ଭାବ୍ୟ ବିଳମ୍ବକୁ ଏଡ଼ାଇ ଦିଆଯାଇ ପାରିଛି। ସର୍ବୋଚ୍ଚ ଅଦାଲତକୁ କେନ୍ଦ୍ରସରକାର ଦେଇଥିବା ପ୍ରତିଶ୍ରୁତି ଅନୁସାରେ ଧାର୍ଯ୍ୟ ସମୟସୀମା ମଧ୍ୟରେ ଏହି କାର୍ଯ୍ୟଟି ସମ୍ପନ୍ନ ହେବା ନିଶ୍ଚିତ ଭଲ ଖବର। ଉଚ୍ଚସ୍ତରରେ ହେଉଥିବା ଦୁର୍ନୀତିକୁ ରୋକିବା ଏବଂ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟ ଉଚ୍ଚ ପଦରେ ଥିବା ସରକାରୀ ବାବୁଙ୍କ ଦୁର୍ନୀତିର ତଦନ୍ତ କରିବା ପାଇଁ ୨୦୧୩ରେ ଲୋକପାଳ ଆଇନ କରାଯାଇଥିଲେ ହେଁ ଏଯାଏଁ ସାରା ଦେଶରେ ଏହା କାର୍ଯ୍ୟକାରୀ ହୋଇ ପାରିନଥିଲା। ଅବଶ୍ୟ କେତେକ ରାଜ୍ୟରେ ଇତି ମଧ୍ୟରେ ଲୋକାୟୁକ୍ତ ଗଠନ କରାଯାଇ ସାରିଛି।
ଭାରତ ଭଳି ଏକ ବିଶାଳ ଗଣତାନ୍ତ୍ରିକ ରାଷ୍ଟ୍ରରେ ଲୋକପାଳ ବ୍ୟବସ୍ଥା ଯେ ଏକାନ୍ତ ଅପରିହାର୍ଯ୍ୟ ଥିଲା, ଏହା ଅନସ୍ବୀକାର୍ଯ୍ୟ। ପରିତାପର ବିଷୟ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ଉଚ୍ଚସ୍ତରରେ ହେଉଥିବା ଦୁର୍ନୀତିକୁ ରୋକିବାପାଇଁ ଯେଉଁ ଆନୁଷ୍ଠାନିକ ବ୍ୟବସ୍ଥା ଓ ସଂସ୍ଥା ରହିବାକଥା ତାହାର ଅଭାବ ଥିଲା। ତେଣୁ ଶାସନ ସହ ଦୁର୍ନୀତି ଓ ଭ୍ରଷ୍ଟାଚାର ଯୋଡ଼ି ହୋଇ ରହୁଥିଲା। ଏଥିପାଇଁ ଅତୀତରେ ବହୁ ଆନ୍ଦୋଳନ ଓ ଦାବି ଉଠିବା ପରେ ଏହା ଅବଶେଷରେ ସାକାର ହେବାକୁ ଯାଉଛି। ବିଶେଷକରି ଏହା ଯେଉଁ ସମୟରେ ହେଉଛି ତାହା ମଧ୍ୟ ଗୁରୁତ୍ବପୂର୍ଣ୍ଣ। କେନ୍ଦ୍ରରେ ଏକ ନୂଆ ସରକାର ଆସିବାବେଳକୁ ଲୋକପାଳ ବ୍ୟବସ୍ଥାଟି କାର୍ଯ୍ୟକ୍ଷମ ହୋଇଯାଇଥିବ। ଏହି ଆନ୍ଦୋଳନ ସହ ଯେଉଁମାନେ ଜଡ଼ିତ ସେମାନଙ୍କର ବିଜୟ ଘଟିଥିବାରୁ ସେମାନେ ଅଭିନନ୍ଦନଯୋଗ୍ୟ। ସେହିଭଳି ସର୍ବୋଚ୍ଚ ଅଦାଲତ ଏ କ୍ଷେତ୍ରରେ ବିଶେଷ ତତ୍ପରତା ପ୍ରକାଶ କରିନଥିଲେ ଏହି ପ୍ରକ୍ରିୟା ଆହୁରି ବିଳମ୍ବିତ ହୋଇଥାନ୍ତା। ତେଣୁ ସୁପ୍ରିମକୋର୍ଟ ମଧ୍ୟ ସାଧୁବାଦ ପାଇବାକୁ ଯୋଗ୍ୟ।
ଜଷ୍ଟିସ ଘୋଷ ଓ ତାଙ୍କ ନୂଆ ଟିମ୍‌କୁ ଅଭିନନ୍ଦନ; କାରଣ ବିଶ୍ବର ସର୍ବବୃହତ୍‌ ଗଣତନ୍ତ୍ର​‌େ​‌ର ସେମାନେ ଉଚ୍ଚସ୍ତରୀୟ ଦୁର୍ନୀତି ନିବାରଣ କରିବାର ଦାୟିତ୍ବ ବହନ କରିବାକୁ ଯାଉଛନ୍ତି; ଯେଉଁଠି ରାଜନୀତି ଶାସନ ଓ ତୁଙ୍ଗପଦାଧିକାର କ୍ଷେତ୍ରରେ ଭ୍ରଷ୍ଟାଚାର ବ୍ୟାପକ ଏବଂ ବିବିଧ। ଏହାର ମୁକାବିଲା ପାଇଁ ଏକ ନୂଆ ଆରମ୍ଭ ଓ ପ୍ରୟାସ କରାଯାଇଛି। ଲୋକପାଳ ଦୁର୍ନୀତିର ମୁକାବିଲା କରିବାକୁ ନିଜର ଅଖଣ୍ଡ ଓ ପ୍ରଚୁର କ୍ଷମତା ପ୍ରୟୋଗ କରି ନୂଆ ପ୍ରତିମାନ ସୃଷ୍ଟି କରନ୍ତୁ। ଯେଉଁ ଦୁର୍ନୀତିଗ୍ରସ୍ତ ରାଜନେତା, କାର୍ଯ୍ୟନିର୍ବାହୀ ଓ ଉଚ୍ଚପଦାଧିକାରୀ ଦେଶକୁ ଲୁଟ୍‌ କରୁଥିଲେ ସେମାନଙ୍କ ମଧ୍ୟରେ ଭୀତିସଂଚାର କରିବାଭଳି ପଦକ୍ଷେପ ନେଇ ନୂଆ ଉଦାହରଣ ସୃଷ୍ଟିକରି ଇତିହାସ ରଚନ୍ତୁ। ଲୋକଙ୍କର ଆଶା ଓ ବିଶ୍ବାସ ରକ୍ଷା ଦିଗରେ ଏହି ଅନୁଷ୍ଠାନ କାର୍ଯ୍ୟକରୁ। ଅୟମାରମ୍ଭ ଶୁଭାୟ ଭବତୁ।

Hot this week

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

Related Articles

Popular Categories