ମୂଲ୍ୟବୋଧ ରାଜନୀତି ଓ ଦଳଡିଆଁ
ଡ. ପ୍ରବୋଧ କୁମାର ମିଶ୍ର
ଆଗାମୀ କେଇଦିନ ଭିତରେ ସାରାଦେଶରେ ସାଧାରଣ ନିର୍ବାଚନ ବିିଭିନ୍ନ ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ଆମ ରାଜ୍ୟରେ ଚାରିଟି ପର୍ଯ୍ୟାୟରେ ଏହା ସମ୍ପନ୍ନ ହେବ। ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଶାସକଦଳ ସମେତ ବିିଭିନ୍ନ ଦଳ ମଧ୍ୟରେ ଭାଷଣ, ତୋଷଣ, ଗର୍ଜନ, ଆକ୍ଷେପ ଓ ବଚନ ଶରନିକ୍ଷେପ ଏବଂ ଶକ୍ତିପ୍ରଦର୍ଶନ ରାଜ୍ୟ ଜନସାଧାରଣ ଦେଖିଛନ୍ତି। ଏହି ସମୟ ସୀମା ମଧ୍ୟରେ ବିଭିନ୍ନ ଦଳଭିତରେ ଦଳ ବଦଳ, କଳିତକରାଳ ଏବଂ ଠେଙ୍ଗାବାଡ଼ି ପର୍ବ ପ୍ରଦର୍ଶିତ ହୋଇଛି। ଏବେ ନିର୍ବାଚନ ତାରିଖ ଘୋଷଣା ପରେପରେ ନେତା, କେତେକ ବିଧାୟକ ଓ କର୍ମୀଙ୍କ ଭିତରେ ଦଳଡିଆଁ ଅଧ୍ୟାୟ ଆରମ୍ଭ ହୋଇଛି। ଦଳତ୍ୟାଗ ଓ ଦଳତ୍ୟାଗ ଭିତରେ ଆମ ମତରେ ପାର୍ଥକ୍ୟ ଏହି ଯେ ନୀତିଗତ ମତଭିନ୍ନତା ଯୋଗୁଁ ଅନେକ ଦଳ ତ୍ୟାଗକରିବା ଦେଖାଯାଏ। ତେବେ ରାଜନୈତିକ ସୁଯୋଗ କିମ୍ବା ଦଳୀୟ ଟିକଟ ଉପରେ ଆଶଙ୍କା କରି ଏବେ ଦଳ ଡିଆଁ ଅଧ୍ୟାୟ ଦେଖାଦେଇଛି। ବହୁ ପୂର୍ବରୁ କର୍ମୀ ଓ ନେତା ବିଚାରଗତ ଦୃଷ୍ଟିଭଙ୍ଗୀରୁ ଦଳତ୍ୟାଗ କରିବା ନଜିର ରହିଥିବାବେଳେ ପ୍ରାର୍ଥୀଙ୍କୁ ଦଳୀୟ ଟିକଟ ଦିଆଯିବା ପୂର୍ବରୁ ଏଭଳି ଦଳଡିଆଁ ସଂକ୍ରମଣ ଦେଖାଯାଉଛି। ତେବେ ବିଜେଡ଼ିରୁ ଜଣେ ସାଂସଦ ଓ ଜଣେ ବିଧାୟକଙ୍କ ସମେତ କେତେକ ନେତା କର୍ମୀ ଦଳତ୍ୟାଗ କରିବାବେଳେ ବିଜେପି ଓ କଂଗ୍ରେସଦଳରେ ଏଇ ଆୟାରାମ, ଗୟାରାମ ଅଧ୍ୟାୟ ଚାଲିଛି। ବିଜେଡ଼ିର ଦୁଇଜଣ ବରିଷ୍ଠନେତା ବୈଜୟନ୍ତ ପଣ୍ଡା ଓ ଡ. ଦାମୋଦର ରାଉତ ଦଳ ଛାଡ଼ିବାର କିଛି ମାସପରେ ଏବେ ବିଜେପିରେ ଯୋଗଦେଇଛନ୍ତି। ଏମାନେ ବହିଷ୍କାରକୁ ଦଳୀୟ ତିରସ୍କାର ବୋଲି ଭାବି ଶେଷରେ ନିଜପାଇଁ ପଥପରିଷ୍କାର କରିଛନ୍ତି ବୋଲି କହିବାକୁ ହେବ।
ଅତୀତକୁ ଚାହିଁଲେ ଜଣାଯାଏ ଯେ, ନୀତିଗତ ବିଚାରକୁ ଆଧାରକରି ଅତୀତରେ ଆଚାର୍ଯ୍ୟ କୃପାଳିନୀ, ରାମମନୋହର ଲୋହିଆ, ଅଶୋକ ମେହେଟା, ରାଜନାରାୟଣ ପ୍ରମୁଖ ଏବଂ ପରବର୍ତ୍ତୀ କାଳରେ ଜାତୀୟ କଂଗ୍ରେସର ଅନେକ ନୀତିର ବିରୋଧ କରି ନିଜଲିଙ୍ଗାପା, ମୋରାରଜୀ ଭାଇ ଦେଶାଇ, ଦରବାରା ସିଂହ, ଅତୁଲ୍ୟ ଘୋଷ, ସଂଜୀବ ରେଡ୍ଡୀ ପ୍ରମୁଖ ଜାତୀୟ ସଂଗଠନ କଂଗ୍ରେସ ପ୍ରତିଷ୍ଠା କରିଥିଲେ। ଓଡ଼ିଶାରେ କଂଗ୍ରେସର ଏହି ବିଭାଜନରେ ବିଜୟକୁମାର ପାଣି ନେତୃତ୍ବ ନେଇଥିଲେ। କହିବାର କଥା ଯେ ନିଜ ମତ ଓ ଆଦର୍ଶରେ ବିଶ୍ବାସୀ ନେତାଗଣଙ୍କ ଆଚରଣ ଜାତୀୟ ରାଜନୀତିପରେ ନୂତନ ଅଧ୍ୟାୟ ସୃଷ୍ଟି କରିଯାଇଛି। କେବଳ ଲାକ୍ଷଣିକ ଭାବରେ ଏହାର ଉଦାହରଣ ଦିଆଯାଇଛି।
ତାତ୍ପର୍ଯ୍ୟପୂର୍ଣ୍ଣ ଯେ ଆଜିର ଜାତୀୟ ରାଜନୀତି ପ୍ରେକ୍ଷାପଟରେ ଦଳତ୍ୟାଗ ନୀତି ଅପେକ୍ଷା ଆତ୍ମକୈନ୍ଦ୍ରିକ ହୋଇପଡ଼ିଛି। ଦଳ ପାଇଁ ସମର୍ପିତ ବ୍ୟକ୍ତି ବିଶେଷଙ୍କ ଆଚାର ସଂହିତାରେ ଲୋକକଲ୍ୟାଣ ଏକ ବ୍ରତଭାବରେ ଗ୍ରହଣ କରାଯାଇପାରେ। ଆଜିର ପରିପ୍ରେକ୍ଷୀରେ ଲୋକକଲ୍ୟାଣ ସହିତ ଆତ୍ମକଲ୍ୟାଣ ଯୋଡ଼ିହୋଇଯାଇଥିବା ଦେଖାଯାଏ ଯାହାଦ୍ବାରା ଅନେକ ରାଜନୀତିକ ବ୍ୟକ୍ତିଙ୍କ ପଟ ପରିବର୍ତ୍ତନ ଘଟିବା ସ୍ବାଭାବିକ।
ଓଡ଼ିଶା କଥା ଦେଖାଯାଉ। ଏବେ ଦଳୀୟ ଟିକଟ ପାଇଁ କସରତ ଓ ଦଳଡିଆଁ ଦୃଶ୍ୟ ଦେଖିବାକୁ ମିଳେ। ନବୀନ ନିବାସରେ ସବୁଠୁ ବେଶୀ ଗହଳି। ତା’ ପଛକୁ ବିଜେପିରେ ଓ କଂଗ୍ରେସରେ ସେହି ନୃତ୍ୟାଭିନୟ। ଦଳଡିଆଁ ଅନେକ ନେତାଙ୍କ ମତ ଯେ ସେମାନଙ୍କର ସେବାକୁ ଗଣ୍ୟ କରାଯାଇନାହିଁ ଓ ଦଳର ନେତୃତ୍ବ ସେମାନଙ୍କୁ ଉପେକ୍ଷା କରୁଛି ଇତ୍ୟାଦି। ଦଳ ଭିତରେ ଥରେ ସୁଯୋଗ ଉପଭୋଗ ପରେ ଆଗାମୀ ଭବିଷ୍ୟତକୁ ଆଖିରେ ରଖି ଦଳଡିଆଁ ଅଧ୍ୟାୟ ଚାଲିଛିବୋଲି ସାଧାରଣରେ ଆଲୋଚିତ ହେଉଛି। ଦେଖାଯାଉଛି ଗୋଟିଏ ପଟେ ରାଜନୈତିକ ନୈତିକତାର ଏକ ଆସ୍ଫାଳିତ ଚିତ୍ର ଦେଖିବାକୁ ମଳୁଛି। ଉଲ୍ଲେଖନୀୟ ଯେ ଓଡ଼ିଶାରେ ସତୁରି ଦଶକରେ ବାରିଷ୍ଟର ମଧୁସୂଦନ ମହାନ୍ତି ବେଶ୍ ପ୍ରତିଷ୍ଠିତ ଥିଲେ। ସ୍ବର୍ଗତ ମହାନ୍ତି ବାରିଷ୍ଟର ସଂବିତ ମହାନ୍ତିଙ୍କ ବାପା ଓ ବର୍ତ୍ତମାନ ବିଚାରପତି ଇନ୍ଦ୍ରଜିତ୍ ମହାନ୍ତିଙ୍କ ଜେଜେ।
ଏକଦା ବାରିଷ୍ଟର ମଧୁ ମହାନ୍ତି ଏକ ପ୍ରବନ୍ଧରେ ଲେଖିଥିଲେ ‘ଯେଉଁମାନେ ପ୍ରକୃତ ନେତା ସେମାନଙ୍କର ନୀତି ବଦଳେ ନାହିଁ ଓ ଯେଉଁମାନେ ନୀତି ବଦଳାନ୍ତି ସେମାନେ ନେତା ନୁହନ୍ତି।’ ସେହି ନ୍ୟାୟରେ ସେ ଜନମତ ଉପରେ କହନ୍ତି- ‘ଯେଉଁମାନଙ୍କ ମତ ବଦଳେ ନାହିଁ ସେମାନେ ଦଳ ଓ ଏହାର ବିପରୀତ କାମ କରୁନଥିବା ଲୋକେ ପ୍ରକୃତ ଜନ ହୋଇପାରନ୍ତି ନାହିଁ। କାରଣ ଜନତାଙ୍କ ମୂଲ୍ୟ ଜନତନ୍ତ୍ରରେ ସର୍ବାଧିକ।’
ଓଡ଼ିଶାରେ ହରଣ-ଫେଡ଼ାଣ ମିଶାଣ ଓ ଗୁଣନ ରାଜନୀତି ଭିତରେ ଜନମତ ହଲଚଲ ହେବା ସ୍ବାଭାବିକ। ନେତୃତ୍ବକୁ ପ୍ରଶଂସା କରୁଥିବା ଅନୁଗାମୀ ନେତାଏ ରାତାରାତି ପଟ ଓ ଘଟ ପରିବର୍ତ୍ତନ କରେ। ସେହିନେତାଙ୍କୁ ଭର୍ତ୍ସନା କରିବା ପଛରେ କେଉଁ ନୈତିକ ବିଚାର ନିହିତ ତାହା ସାଧାରଣଲୋକେ ବୁଝିପାରୁ ନାହାନ୍ତି। ଗାଳି ଓ ତାଳି ରାଜନୀତି ଭିତରେ ରାଜନେତାମାନେ କେଉଁ ମୂଲ୍ୟବୋଧକୁ ଆଧାର କରିଛନ୍ତି ତାହା ତର୍ଜମା ସାପେକ୍ଷ। ଓଡ଼ିଶାର ପୁରୁଣା ନେତା ସ୍ବର୍ଗତ ସତ୍ୟପ୍ରିୟ ମହାନ୍ତି ଅନେକ ନିର୍ବାଚନ ସଭାରେ ପରିହାସ ଛଳରେ କହୁଥିଲେ-‘‘ତୁ ଦଉଥବୁ ମୁଁ ନଉଥିବି, ତୋ ସୁନ୍ଦର ମୁହଁକୁ ଚାହୁଁଥିବି। ତୁ ଦେବୁନାହିଁ ମୁଁ ନେବିନାହିଁ, ତୋ ଜଳଜଳା ମୁହଁକୁ ଚାହିବିନି। ସ୍ବର୍ଗତନେତା ସତ୍ୟପ୍ରିୟ ବାବୁଙ୍କ ପରିହାସୋକ୍ତିର ଉପଯୋଗିତା କେତେ। ଓଡ଼ିଶାରେ ଏହି ନିର୍ବାଚନରେ ନବୀନ ସମୀକରଣ, ବିରୋଧୀ ଧ୍ରୁବୀକରଣ ଓ ଜନସାଧାରଣଙ୍କ ଆତ୍ମ ଚେତନା ପ୍ରତି ରାଜନୈତିକ ବିଜ୍ଞାନୀମାନଙ୍କ ଚତୁର ଦୃଷ୍ଟି ରହିଛି। ଆମ ଶାସ୍ତ୍ର କହେ- ଦଳତ୍ୟାଗଃ ବଳତ୍ୟାଗଃ ମଳତ୍ୟାଗଃ ତଥୈବଚ। ମହାନ୍ ପଣ୍ଡିତ ଚାଣକ୍ୟଙ୍କ ମତରେ- ସ୍ଥାନ ଭ୍ରଷ୍ଟାଃ ନ ଶୋଭନ୍ତେ କେଶ- ଦନ୍ତ- ନଖାଃ ନରାଃ।
ଭୁବନେଶ୍ବର