ଶ୍ରୀମନ୍ଦିର ସଂସ୍କାର

0

ପୁରୀ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କୁ ଭକ୍ତମାନଙ୍କର ଶୃଙ୍ଖଳିତ ଦର୍ଶନସହ ଦେବନୀତି ଓ ପରିଚାଳନା କ୍ଷେତ୍ରରେ ସଂସ୍କାର ଆଣିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦେଶରେ ରୀତିମତ୍‌ କସରତ ଚାଲିଛି। ଇତିମଧ୍ୟରେ ସର୍ବୋଚ୍ଚ ଅଦାଲତଙ୍କ ଦ୍ବାରା ନିଯୁକ୍ତ କୋର୍ଟମିତ୍ର ଗୋପାଳ ସୁବ୍ରମଣ୍ୟମ ପୁରୀ ଆସି ମନ୍ଦିର ପରିଚାଳନା କମିଟି, ଗଜପତି, ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ଓ ସେବାୟତଙ୍କ ସହିତ ଆଲୋଚନା କରି ଫେରିଯାଇଛନ୍ତି। ଶ୍ରୀମନ୍ଦିର ଦର୍ଶନ ପରିପ୍ରେକ୍ଷୀରେ ଶ୍ରୀ ସୁବ୍ରମଣ୍ୟମ ଯେଉଁ କେତେକ କଥା କହିଯାଇଛନ୍ତି ତାହା ବିଶେଷ ଗୁରୁତ୍ବପୂର୍ଣ୍ଣ। ଦିଅଁ ଦର୍ଶନକୁ ଶୃଙ୍ଖଳିତ କରିବାସହ ସେବାୟତଙ୍କ ଆଚରଣରେ ସୁଧାର ଆଣିବାକୁ ସେ ସବୁଠୁ ଅଧିକ ଗୁରୁତ୍ବ ଦେଇଛନ୍ତି। ଅନ୍ୟାନ୍ୟ କେତେକ ପ୍ରସଙ୍ଗରେ ସେ କହିଛନ୍ତି ଯେ ଶ୍ରୀମନ୍ଦିରର ପରମ୍ପରା ଓ ରୀତିନୀତି ଦେଶର ଅନ୍ୟାନ୍ୟ ମନ୍ଦିରଠାରୁ ସମ୍ପୂର୍ଣ୍ଣ ଭିନ୍ନ; ଅତଏବ ଏହାକୁ ଅନ୍ୟ ମନ୍ଦିର ସହ ତୁଳନା କରି ସେଠାକାର ପରିଚାଳନା ବ୍ୟବସ୍ଥା ବା ରୀତିନୀତି ଏଠାରେ ପ୍ରଚଳନ କରାଯାଇପାରିବ ନାହିଁ। ଏହା ବାସ୍ତବିକ ଏକ ଯଥାର୍ଥ ଅଭିବ୍ୟକ୍ତି ଏବଂ ଏଥିରୁ କୋର୍ଟମିତ୍ରଙ୍କ ଶ୍ରୀଜଗନ୍ନାଥ ପରମ୍ପରା ଓ ରୀତିନୀତି ପ୍ରତି ଥିବା ସ୍ବତନ୍ତ୍ର ସମ୍ମାନ ବାରିହୋଇ ପଡ଼ୁଛି। ତେଣୁ ତାଙ୍କର ଚୂଡ଼ାନ୍ତ ରିପୋର୍ଟରେ କେତେକ ବିବାଦୀୟ ଓ ସ୍ପର୍ଶକାତର ପ୍ରସଙ୍ଗ, ଯାହା ଭକ୍ତଙ୍କ ଭାବାବେଗକୁ ଆଘାତ ପହଞ୍ଚାଇ ପାରେ, ତାହା ସ୍ଥାନ ପାଇବାର ସମ୍ଭାବନା କ୍ଷୀଣ ମନେହୁଏ। ତେବେ ସେ ଯା’ହେଉ ଏହି ରିପୋର୍ଟ ଆସିବା ପର୍ଯ୍ୟନ୍ତ ସମସ୍ତଙ୍କୁ ଅପେକ୍ଷା କରିବାକୁ ପଡ଼ିବ। ସୂଚନାଯୋଗ୍ୟ ଯେ ଶ୍ରୀ ସୁବ୍ରମଣ୍ୟମ ତାଙ୍କ ରିପୋର୍ଟ ସର୍ବୋଚ୍ଚ ଅଦାଲତକୁ ଦେବେ ଯାହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିିବ।
ଶ୍ରୀମନ୍ଦିର ସଂସ୍କାର ଘେନି ସର୍ବୋଚ୍ଚ ଅଦାଲତ ଯେଉଁ ୧୨ଟି ଅନ୍ତରୀଣ ଆଦେଶ ଦେଇଥିଲେ ତାହାକୁ ମନ୍ଦିର ପ୍ରଶାସନ କାର୍ଯ୍ୟକାରୀ କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ତାହାର ଅଂଶ ସ୍ବରୂପ ଅକ୍ଟୋବର ପହିଲାରୁ ଭକ୍ତଙ୍କ ପାଇଁ ଯେଉଁ ଧାଡ଼ିଦର୍ଶନ ବ୍ୟବସ୍ଥା ପ୍ରବର୍ତ୍ତନ କରିବାକୁ ମନ୍ଦିର ପ୍ରଶାସନ ପରୀକ୍ଷାମୂଳକଭାବେ ନିଷ୍ପତ୍ତି ​‌େ​‌ନଇଥିଲା ସେଥିରେ କିଛି ଲୋକ ବାଧା ଉପୁଜାଇବାକୁ ଚେଷ୍ଟା କରିଛନ୍ତି। ବହୁକାଳରୁ ଚାଲିଆସୁଥିବା ଏକ ପରମ୍ପରା ଓ ଅଭ୍ୟାସକୁ ହଠାତ୍‌ ବନ୍ଦ କରିଦେଲେ ସମସ୍ୟା ଉପୁଜିବା ସ୍ବାଭାବିକ। ତେଣୁ ବାସ୍ତବତାକୁ ଦୃଷ୍ଟିରେ ରଖି ଏହାକୁ ଧୀରେସୁସ୍ଥେ କାର୍ଯ୍ୟକାରୀ କରିବା ଭଲ। ତେବେ ଏ କ୍ଷେତ୍ରରେ ବାହାନା ବା କାଳବିଳମ୍ବ ଆଦୌ ସ୍ପୃହଣୀୟ ନୁହେଁ। ସଂସ୍କାର କାର୍ଯ୍ୟକ୍ରମରେ କିିଛି କରିବାକୁ ହେଲେ ବିରୋଧ ରହିବ ଏବଂ ତା’ ଆଗରେ ମୁଣ୍ଡ ନୁଆଁଇବା ଅନୁଚିତ। ପରମ୍ପରାରେ ଅବୈଜ୍ଞାନିକ ଓ କୁସଂସ୍କାର ସହିତ ଅନେକ ନ୍ୟସ୍ତସ୍ବାର୍ଥଙ୍କର କାରସାଦୀ ଥାଏ। ସେସବୁର ଅବସାନ ହେବା ଦରକାର। ଭକ୍ତ ଓ ଭଗବାନ ମଧ୍ୟରେ ପୂଜକ ବା ସେବାୟତ ସଂଯୋଗ ହୁଅନ୍ତୁ; ପ୍ରତିବନ୍ଧକ ନ’ସାଜନ୍ତୁ।
ଶ୍ରୀମନ୍ଦିରରେ ଦାନଦକ୍ଷିଣା ପ୍ରଥାକୁ ନିଷିଦ୍ଧ କରିବାର ଯେଉଁ ଅଦାଲତି ନିର୍ଦେଶ ରହିଛି ତାହାକୁ କାର୍ଯ୍ୟକାରୀ କରିବା ମଧ୍ୟ ତତ୍କାଳ ସହଜ ହେବନାହିଁ। ଏ ​‌େ​‌କ୍ଷତ୍ରରେ ପ୍ରଶାସନକୁ ଧୈର୍ଯ୍ୟର ସହ କାମ କରିବାକୁ ପଡ଼ିବ ଏବଂ ବିରୋଧ ଓ ବିଶୃଙ୍ଖଳାକୁ ଦୃଢ଼ହସ୍ତରେ ଦମନ କରିବାକୁ ହେବ। ଏଥିରେ ସମସ୍ତଙ୍କ ସହଯୋଗ ଲୋଡ଼ା।

Leave A Reply