www.samajalive.in
Tuesday, December 9, 2025
15.1 C
Bhubaneswar

ସଭିଙ୍କ ପାଇଁ ଶବରୀମାଳା

ଯାବତୀୟ ସଂସ୍କାର ସତ୍ତ୍ବେ ଭାରତୀୟ ସମାଜର ଅନେକ କ୍ଷେତ୍ରରେ ଏବେ ବି ପୁରୁଷପ୍ରାଧାନ୍ୟ ବଳବତ୍ତର ରହିଛି, ତା’କୁ ଅସ୍ବୀକାର କରାଯାଇନପାରେ। ସମ୍ବିଧାନ ମହିଳା ଓ ପୁରୁଷଙ୍କୁ ସମାନ ଅଧିକାର ପ୍ରଦାନ କରିଥିବା ସତ୍ତ୍ବେ ଏହା ଆବହମାନ କାଳରୁ ଚାଲିଆସିଛି। ଧର୍ମ କ୍ଷେତ୍ରରେ ଏହାକୁ ସାଦରେ ସର୍ବସ୍ବୀକୃତିପ୍ରାପ୍ତ ମଧ୍ୟ ହୋଇଛି, କାରଣ ତାହା ପ୍ରଶ୍ନାତୀତ ବୋଲି ଧରାଯାଇଆସିଛି। ମହିଳାମାନେ ଏବେ ଯେତେବେଳେ ସଚେତନ ହେଉଛନ୍ତି, ସେମାନେ ଏହା ବିରୋଧରେ ସ୍ବର ଉତ୍ତୋଳନ କରୁଛନ୍ତି। ନ୍ୟାୟାଳୟ ସେମାନଙ୍କୁ ଏହି ଅଧିକାର ପ୍ରଦାନ କରିବାରେ ଅନେକ ସମୟରେ ସହାୟତା କରୁଛନ୍ତି, ଯାହାକି ସ୍ବାଗତଯୋଗ୍ୟ। କେରଳର ଶବରୀମାଳା ମନ୍ଦିରରେ ପ୍ରାୟ ଆଠଶହ ବର୍ଷ ଧରି ଦଶରୁ ପଚାଶ ବର୍ଷ ବୟସର ମହିଳାମାନଙ୍କ ପ୍ରବେଶ ବାରଣ ପରମ୍ପରା ସର୍ବୋଚ୍ଚ ନ୍ୟାୟାଳୟ ହଟାଇ ଦେଇଛନ୍ତି; ଅର୍ଥାତ ଏଥର ବୟସ ନିର୍ବିଶେଷରେ ମହିଳାମାନଙ୍କର ଅନାୟାସରେ ମନ୍ଦିର ପ୍ରବେଶର ଅଧିକାର ରହିବ। ନ୍ୟାୟାଳୟ ତାଙ୍କ ରାୟରେ ସ୍ପଷ୍ଟ କରିଦେଇଛନ୍ତି ଯେ ଏହା କେବଳ ପୂଜା ଅଧିକାର ନୁହେଁ, ମହିଳା-ପୁରୁଷ ସମାନତାର ଅଧିକାର ମାମଲା ମଧ୍ୟ। କେବଳ ମହିଳା ହେବା ଆଧାରରେ ସେମାନଙ୍କୁ ମନ୍ଦିରରେ ପୂଜା କରିବାରୁ ବାରଣ କରାଯିବା ଅସଙ୍ଗତ। ମନ୍ଦିରରେ ପୂଜା କରିବା ପାଇଁ କୌଣସି ଆଇନର ଆବଶ୍ୟକତା ନାହିଁ ଏବଂ ଏହା ସେମାନଙ୍କୁ ସମ୍ବିଧାନ ପ୍ରଦତ୍ତ ମୌଳିକ ଅଧିକାର। ଆଧୁନିକ ବିଚାରଯୁକ୍ତ ସମାଜରେ ମାସିକ ଧର୍ମ ନାମରେ ଭେଦଭାବ ଆଦୌ ଗ୍ରହଣୀୟ ନୁହେଁ ବୋଲି ନ୍ୟାୟାଳୟ କହିଛନ୍ତି। ପରମ୍ପରା ନାମରେ ଏହି ଲିଙ୍ଗ ବୈଷମ୍ୟ ପୁରୁଷପ୍ରାଧାନ୍ୟର ଉପଜ, ଯାହାର ପରିବର୍ତ୍ତନ ଜରୁରୀ। ସର୍ବୋଚ୍ଚ ନ୍ୟାୟାଳୟଙ୍କ ଏହି ଫଇସଲା କେବଳ ଶବରୀମାଳା ମନ୍ଦିର ନୁହେଁ, ଅନ୍ୟାନ୍ୟ ଧାର୍ମିକ ସ୍ଥଳରେ ମଧ୍ୟ ପଡ଼ିପାରେ, ଯେଉଁଠି ଭିନ୍ନଭିନ୍ନ କାରଣରୁ ବହୁ ପ୍ରକାରର ଭେଦଭାବ ରହିଆସିଛି। ନ୍ୟାୟାଳୟ ତାଙ୍କ ରାୟରେ କେତେକ ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ କରିଛନ୍ତି, ଯାହା କମ୍ ମହତ୍ତ୍ବପୂର୍ଣ୍ଣ ନୁହେଁ। ଯେଉଁ ଦେଶର ସଂସ୍କୃତିରେ ମହିଳାଙ୍କୁ ଦେବୀ ଆଖ୍ୟା ଦିଆଯାଇ ପୂଜା କରାଯାଏ ସେଇଠି ହିଁ ମହିଳାମାନଙ୍କୁ ମନ୍ଦିର ପ୍ରବେଶ କରିବାକୁ ଦିଆନଯିବା ବିଡ଼ମ୍ବନା।
ନ୍ୟାୟାଳୟ ଏହି ଫଇସଲା ୪-୧ ବହୁମତରେ ଶୁଣାଇଛନ୍ତି। ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ସହ ନ୍ୟାୟମୂର୍ତ୍ତି ଆର୍ ଏଫ୍ ନରିମନ, ନ୍ୟାୟମୂର୍ତ୍ତି ଖାନୱିଲକର ଓ ନ୍ୟାୟମୂର୍ତ୍ତି ଡି ୱାଇ ଚନ୍ଦ୍ରଚୂଡ଼ ଏକମତ ଥିବାବେଳେ ନ୍ୟାୟମୂର୍ତ୍ତି ଇନ୍ଦୁ ମାଲହୋତ୍ରା ଏହାକୁ ଆସ୍ଥା ଓ ଧର୍ମ ମାମଲାରେ ନ୍ୟାୟପାଳିକାର ହସ୍ତକ୍ଷେପ ବୋଲି ମନ୍ତବ୍ୟ ଦେଇଥିଲେ। ତାଙ୍କ ରାୟରେ ଏହି ନିଷ୍ପତ୍ତିକୁ ସମ୍ପୃକ୍ତ ଧର୍ମର ମୁଖ୍ୟଙ୍କ ଉପରେ ଛାଡ଼ିଦେବା ଉଚିତ। ତ୍ରାବଣକୋର ଦେବାସନ ବୋର୍ଡ ଅନ୍ୟ ଧାର୍ମିକ ମୁଖ୍ୟଙ୍କ ସହ ବିଚାରବିମର୍ଶ କରିବା ପରେ ଏହି ଫଇସଲା ବିରୋଧରେ ପୁନର୍ବିଚାର ଯାଚିକା ଦାଖଲ କରିବ ବୋଲି ପ୍ରକାଶ କରିଛି। ନ୍ୟାୟାଳୟଙ୍କ ଏହି ରାୟର ବ୍ୟାପକ ରାଜନୈତିକ ପ୍ରଭାବ ପଡ଼ିବାର ସମ୍ଭାବନା ରହିଛି ବୋଲି କୁହାଯାଉଛି। ଶବରୀମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶ ପ୍ରସଙ୍ଗ ନେଇ ପୂର୍ବରୁ ମଝିମଝିରେ ସ୍ବର ଉତ୍ତୋଳନ ହୋଇଥିଲେ ହେଁ ତାହା ସାର୍ବଜନୀନ ସ୍ବୀକୃତି ଲାଭ କରିପାରୁନଥିଲା। କେତେକ ରାଜନୈତିକ ନେତା ଏହାକୁ ସମର୍ଥନ କରିଥିବା ମଧ୍ୟ ଦେଖାଯାଇଥିଲା; କିନ୍ତୁ କୌଣସି ରାଜନୈତିକ ଦଳ ଏହାକୁ ପ୍ରସଙ୍ଗ କରିନଥିଲେ। ଏହି କାରଣରୁ ବିଧାନସଭା ବା ସଂସଦରେ ଏ ନେଇ କେବେ ଆଲୋଚନା ମଧ୍ୟ ହୋଇନାହିଁ। କୌଣସି ଧର୍ମସ୍ଥଳ ଭିତରେ ପ୍ରବେଶାଧିକାର ନରହିବା ଠିକ୍ ଛୁଆଁଅଛୁଆ ଭେଦଭାବ ପରି କହିଲେ ଅତ୍ୟୁକ୍ତି ହେବନାହିଁ। ଯେଉଁ ଦେଶର ସମ୍ବିଧାନ କେବଳ ଅସ୍ପୃଶ୍ୟତା ନୁହେଁ, ଧର୍ମ, ଜାତି, ସମ୍ପ୍ରଦାୟ ଓ ଲିଙ୍ଗ ଆଧାରରେ ଭେଦଭାବକୁ ନିଷେଧ କରିଛି, ସେହି ଦେଶରେ ମହିଳାଙ୍କ ମାସିକ ଧର୍ମକୁ ‘ଅପବିତ୍ର’ ମନେକରି ସେମାନଙ୍କୁ ମନ୍ଦିର ପ୍ରବେଶ ପାଇଁ ବାରଣ କରିବା ଏକବିଂଶ ଶତାବ୍ଦୀର ଆଧୁନିକ ମଣିଷ ପାଇଁ ଆଦୌ ଗ୍ରହଣଯୋଗ୍ୟ ମନେହେଉ ନାହିଁ। ନ୍ୟାୟାଳୟ ତାଙ୍କ ରାୟରେ ସମ୍ବିଧାନର ଧାରା ୨୫(୧)ରେ ଥିବା ପୁରୁ​‌ଷ ଓ ମହିଳାଙ୍କର ମନ୍ଦିରରେ ପୂଜାର୍ଚନା କରିବାର ସମାନ ଅଧିକାର ରହିଥିବା କଥା ମଧ୍ୟ ଉଲ୍ଲେଖ କରିଛନ୍ତି। ତେଣୁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଏହି ଫଇସଲାକୁ ସବୁ ସ୍ତରରେ ସ୍ବାଗତ କରାଯିବା ଆବଶ୍ୟକ। ଏହି ରାୟ ଆଉ ଏକ ବଡ଼ ପରମ୍ପରା ପ୍ରତି ଆହ୍ବାନ ସୃଷ୍ଟି କରିପାରେ। ଆମ ଧାର୍ମିକ ମାନ୍ୟତା ଅନୁସାରେ ଏବେମଧ୍ୟ ମହିଳାମାନେ ପୁରୋହିତ ବା ପୂଜକ ହେବାରେ ବାରଣ ରହିଛି। ଅବଶ୍ୟ ନିକଟ ଅତୀତରେ କେତେକ ମନ୍ଦିରରେ ମହିଳାମାନେ ପୂଜକ ହୋଇଥିବା ଖବର ପ୍ରକାଶ ପାଇଥିଲା; ତେବେ ସାର୍ବଜନୀନ ଭାବେ ଏହା ଅସ୍ବୀକୃତ। ପୁରୁଷ ପ୍ରାଧାନ୍ୟ ରହିଥିବା ଅନ୍ୟାନ୍ୟ ସାମାଜିକ ଓ ଧାର୍ମିକ ପରମ୍ପରା ଉପରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଏହି ରାୟର କ’ଣ ପ୍ରଭାବ ପଡ଼ୁଛି, ତାହା ଆଗକୁ ଜଣାପଡ଼ିବ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories