www.samajalive.in
Saturday, December 6, 2025
23.1 C
Bhubaneswar

ବାଘ ଓ ଆମେ

ନଦୀୟାଚାନ୍ଦ କାନୁନ୍‌ଗୋ

ଜଙ୍ଗଲ ବିଭାଗ ସହିତ ମୋର ସୁଦୀର୍ଘ ଅଭିଜ୍ଞତା ଆଧାରରେ ପୂର୍ବରୁ ମୁଁ ମୋର ଲେଖାରେ ରାଜ୍ୟରେ ବାଘ ସଂଖ୍ୟା ବୃଦ୍ଧି ସହିତ ବିଭିନ୍ନ ବନମଣ୍ଡଳ ତଥା ଜୈବମଣ୍ଡଳରେ ବିରଳ ଜୀବଜନ୍ତୁଙ୍କ ସୁରକ୍ଷା କଥା ଧାରାବାହିକ ଭାବେ କହିଆସୁଛି। ସୁଖର କଥା ଆମ ବନବିଭାଗ ମଧ୍ୟ କିଛି ଅତି ଉତ୍ସାହୀ ଓ ସମର୍ପିତ ଅଧିକାରୀଙ୍କ ଉଦ୍ୟମରେ ଏ ଦିଗରେ କାର୍ଯ୍ୟ କରୁଛନ୍ତି। ସରକାର ଓ ମନ୍ତ୍ରୀ ମଧ୍ୟ ଏ କ୍ଷେତ୍ରରେ ସହଯୋଗ କରୁଛନ୍ତି। ବନବିଭାଗ ଏପରି ଏକ କ୍ଷେତ୍ର ଯେଉଁଠି ନିନ୍ଦା ଓ ଅପଯଶ ମୁଣ୍ଡାଇବାର ସମ୍ଭାବନା ଅଧିକ। ଜଙ୍ଗଲ କ୍ଷୟ ଓ ହାତୀ, ବାଘ ସଂଖ୍ୟା କମିବା କଥା ଜଣାପଡ଼ିଲେ ଜଙ୍ଗଲ ବିଭାଗ ଆଡ଼କୁ ଅଙ୍ଗୁଳି ଉଠେ। କୁମ୍ଭୀର ସଂଖ୍ୟା ବଢ଼ିଲେ କିମ୍ବା ବାଘହାତୀ ଆକ୍ରମଣରେ ଧନଜୀବନ ହାନି ଘଟିଲେ ଜଙ୍ଗଲ ବିଭାଗ କାଠଗଡ଼ାକୁ ଆସେ। ଏହା ଏକ ସ୍ବାଭାବିକ ପ୍ରକ୍ରିୟା ଓ ଏହାକୁ ବୃତ୍ତିଗତ ବିପଦ କହିଲେ ଅତ୍ୟୁକ୍ତି ହେବନାହିଁ।
ବାଘ ଅରଣ୍ୟର ପ୍ରାକୃତିକ ବ୍ୟବସ୍ଥାରେ ଜୀବଜନ୍ତୁଙ୍କ ପାହ୍ୟା କ୍ରମରେ ସବୁଠୁ ଉପରେ ରହେ। ଖାଦ୍ୟ-ଖାଦକ ସମ୍ପର୍କ, ପ୍ରାକୃତିକ ପରିବେଶ, ଖାଦ୍ୟ ଉତ୍ସର ଶୃଙ୍ଖଳା ଏହା ସହିତ ସଂପୃକ୍ତ। ଯେଉଁ ଜଙ୍ଗଲରେ ବନ୍ୟଜୀବଙ୍କ ସଂଖ୍ୟା ଭଲ ସେ ଅରଣ୍ୟର ସ୍ଥିତି ସେତେ ଭଲ। ତେବେ ବିିଭିନ୍ନ ସମୟରେ ଜଙ୍ଗଲ ପ୍ରାକୃତିକ ପରିବେଶର ଭାରସାମ୍ୟ ନଷ୍ଟ, ଅବାଧ ପଶୁ ଶିକାର, ମାନବୀୟ ହସ୍ତକ୍ଷେପ ଓ ବିଭିନ୍ନ ପ୍ରକଳ୍ପ ନିର୍ମାଣ ଫଳ​‌େ​‌ର କେତେକ ପ୍ରାକୃତିକ ବନାଞ୍ଚଳରୁ ବାଘ ସଂଖ୍ୟା ବିଲୁପ୍ତ । ଏହା ଫଳରେ ଆମ ରାଜ୍ୟର କେତେକ ବନାଞ୍ଚଳରେ ଆଉ ମହାବଳବାଘ ଦେଖିବାକୁ ମିଳୁନାହାନ୍ତି। ସାତକୋଶିଆ ବନଖଣ୍ଡ ସେଥିମଧ୍ୟରୁ ଅନ୍ୟତମ। ଏକଦା ଏହି ବିସ୍ତୀର୍ଣ୍ଣ ବନାଞ୍ଚଳ ମହାବଳଙ୍କ ପ୍ରାକୃତିକ ଆବାସସ୍ଥଳ ଥିଲା। ସବୁବାଘ ମଣିଷଖିଆ ନୁହନ୍ତି। ସେମାନେ ମୁଖ୍ୟତଃ ଜଙ୍ଗଲର ଆଭ୍ୟନ୍ତରୀଣ ନିଘଞ୍ଚ ନିଭୃତ ଇଲାକାରେ ବସବାସ କରନ୍ତି ଓ ଜଙ୍ଗଲୀ ପ୍ରାଣୀ ଶିକାର କରି ଖାଆନ୍ତି। ଜଙ୍ଗଲ ମଧ୍ୟରେ ଥିବା ଗ୍ରାମ ବା ଆଖପାଖ ଅଞ୍ଚଳକୁ କେବେକେବେ ପଶିଆସି ଗୃହପାଳିତ ପଶୁ ଶିକାର କରିଥାନ୍ତି ଏବଂ ସ୍ଥଳ ବିଶେଷରେ ମଣିଷକୁ ମାରିଥାଆନ୍ତି।
ତେବେ ମାନବୀୟ ପ୍ରକ୍ରିୟା ବୃଦ୍ଧି ଯୋଗୁଁ ଅନେକ ଜଙ୍ଗଲାଞ୍ଚଳରୁ ମହାବଳ ଏବେ ଲୋପ ପାଇଗଲାଣି। ନିଜର ପ୍ରାକୃତିକ ଆବାସସ୍ଥଳରୁ ବାଘ ବିଲୋପ ହେବା ନିଶ୍ଚିତ ଏକ ଚିନ୍ତାର ବିଷୟ। ସେଥିପାଇଁ ଭାରତ ସରକାରଙ୍କ ନିୟମ ଅନୁସାରେ ଆଗରୁ ବାଘ ରହୁଥିବା ବନାଞ୍ଚଳରେ ବାଘଙ୍କୁ ଛଡ଼ାଯାଇ ସେମାନଙ୍କ ବଂଶବୃଦ୍ଧି କରିବାକୁ ଉଦ୍ୟମ ହେଉଛି। ଏହାକୁ ପୁନଃସ୍ଥାପନ (ରିଲୋକେସନ) ପ୍ରକ୍ରିୟା କୁହାଯାଏ। ଆଗରୁ ବାଘ ଥିବା ସ୍ଥାନରେ ବାଘ ଛାଡ଼ି ବଂଶ ବୃଦ୍ଧି କରିବା ବ୍ୟବସ୍ଥାକୁ ରିଲୋକେସନ ଓ ନୂଆ ଅଞ୍ଚଳରେ ବାଘ ଛାଡ଼ିବାକୁ ଟ୍ରାନ୍ସଲୋକେସନ ସ୍ଥାନାନ୍ତରଣ କୁହାଯାଏ।
ଏହି ପ୍ରକ୍ରିୟାରେ ମଧ୍ୟପ୍ରଦେଶରୁ ଦୁଇଟି ବାଘଙ୍କୁ ଅଣାଯାଇ ସାତକୋଶିଆ ଜଙ୍ଗଲରେ ଛଡ଼ାଯାଇଛି। ସେଥିରୁ ଅଣ୍ଡିରା ବାଘଟି ନୂଆ ପରିବେଶ ସହିତ ପ୍ରାୟ ନିଜକୁ ଖାପଖୁଆଇ ଠିକ୍‌ଠାକ୍‌ ଅଛି। ସୁନ୍ଦରୀ ନାମ୍ନୀ ବାଘୁଣୀଟି ନିଜକୁ ନୂଆ ପରିବେଶ ସହ ଅଭ୍ୟସ୍ତ କରିପାରୁନାହିଁ। ସେ ଜନପଦକୁ ଚାଲିଆସି ମଣିଷ ଓ ଗୃହପାଳିତ ପଶୁଙ୍କୁ ଆକ୍ରମଣ କରୁଥିବା ଶୁଣାଯାଉଛି। ସୁନ୍ଦରୀର ଏପରି ବ୍ୟବହାର ଅସ୍ବାଭାବିକ ନୁହେଁ। କିଛିକାଳପରେ ସେ ନୂଆ ପରିସ୍ଥିତି ସହ ଅଭ୍ୟସ୍ତ ହୋଇଯିବ। ସେଥିପାଇଁ ଜଙ୍ଗଲ ବିଭାଗର ଏକାଧିକ ଟିମ୍‌ ତା’ ଉପରେ ନଜର ରଖିଛନ୍ତି ଏବଂ ଜିପିଏସ୍‌ ବ୍ୟବସ୍ଥାରେ ଏହାର ଗତିବିଧି ଉପରେ ଲକ୍ଷ୍ୟ ରଖାଯାଇଛି। ତା’ର ବ୍ୟବହାର ନ ବଦଳିଲେ ତାଙ୍କୁ ସେଠାକୁ ହଟାଇ ଦିଆଯାଇପାରେ।
ବାଘଙ୍କ ପ୍ରାକୃତିକ ଆବାସସ୍ଥଳ ନିକଟରେ ବସବାସ କରୁଥିବା ଏବଂ ଜଙ୍ଗଲ ବ୍ୟବହାର କରୁଥିବା ଲୋକଙ୍କ ସହଯୋଗ ବିନା ବାଘ ବଂଶ ବୃଦ୍ଧି ସମ୍ଭବ ନୁହେଁ। ହେଲେ ଏ କ୍ଷେତ୍ରରେ ପରସ୍ପର ବିବଦମାନ ସ୍ବାର୍ଥ ରହୁଛି, ବାଘକୁ ମଣିଷ ବରଦାସ୍ତ କରିପାରୁନାହାନ୍ତି। ଜନସାଧାରଣଙ୍କ ସ୍ବାର୍ଥକୁ ସରକାର ଓ ପ୍ରଶାସନ ଅବଶ୍ୟ ଅଗ୍ରାଧିକାର ଦେବ। ତେଣେ ଦେଶର ପରିବେଶ ଓ ବନ୍ୟଜନ୍ତୁ ଆଇନ ଅନୁସା​‌େ​ର ବନ୍ୟଜନ୍ତୁଙ୍କୁ ତାଙ୍କ ପ୍ରାକୃତିକ ଆବାସସ୍ଥଳରେ ନିର୍ବିଘ୍ନରେ ରଖିବାକୁ ସରକାରଙ୍କୁ କାମ କରିବାକୁ ପଡ଼ିବ। ସେଥିପାଇଁ ସୁନ୍ଦରୀକୁ ଫେରାଇ ନେବାର ସମ୍ଭାବନା କେତେ ତାହା କହିବା ସହଜ ନୁହେଁ।
ସେହିଭଳି ସମ୍ବଲପୁର ଜିଲାର ଡେବ୍ରିଗଡ଼ ବନାଞ୍ଚଳରେ ମହାବଳ ବାଘ ଛାଡ଼ି ସେମାନଙ୍କ ସଂଖ୍ୟା ବୃଦ୍ଧି କରିବାକୁ ଯେଉଁ ଉଦ୍ୟମ ହେଉଛି ତାହା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। କାରଣ ଏହି ବନମଣ୍ଡଳଟି ପ୍ରାକୃତିକ ଦୃଷ୍ଟିରୁ ମହାବଳବାଘଙ୍କ ପାଇଁ ଅନୁକୂଳ ଏବଂ ଏକଦା ଏଠାରେ ଏହି ପ୍ରଜାତିର ବାଘ ଅନେକ ଥିଲେ। କାଳକ୍ରମେ ବିଭିନ୍ନ କାରଣରୁ ସେମାନଙ୍କର ସଂଖ୍ୟା ଲୋପ ପାଇଛି। ଏହା ହୀରାକୁଦ ଜଳଭଣ୍ଡାର ପାଖରେ ରହିଛି ଓ ଏଠାରେ ଲୋକଙ୍କ ଆତଯାତ ଅପେକ୍ଷାକୃତ କମ୍‌। ଏହି ଜଙ୍ଗଲାଞ୍ଚଳରେ ମୃଗ, ସମ୍ବର, ବାର୍‌ହା ଓ ଅନ୍ୟାନ୍ୟ ତୃଣଭୋଜୀ ପ୍ରାଣୀ ଯାହାଙ୍କୁ ବାଘ ମୁଖ୍ୟତଃ ଶିକାର କରିଥାଏ, ସେମାନଙ୍କ ସଂଖ୍ୟା ଅଧିକ । ଏହି ଅଭୟାରଣ୍ୟରେ ହୋଇଥିବା ସର୍ଭେରେ ସେଠାକାର ତୃଣଭୋଜୀ ପ୍ରାଣୀଙ୍କ ଅନୁପାତ ଅଧିକ ଥିବା ଏକ ରିପୋର୍ଟ ପ୍ରକାଶ ପାଇଛି। ତେଣୁ ଏହି ରିପୋର୍ଟର ଆଧାରରେ ସେଠାରେ ହୁଏତ ମହାବଳବାଘ ଛଡ଼ାଯାଇପାରେ; କାରଣ ଅଭୟାରଣ୍ୟ କର୍ତ୍ତୃପକ୍ଷ ଏ ନେଇ ଭାରତୀୟ ବନ୍ୟପ୍ରାଣୀ ପ୍ରତିଷ୍ଠାନକୁ ଚିଠିଲେଖିବାକୁ ମନସ୍ଥ କରିଛନ୍ତି। ବାଘ, ସିଂହ, ହାତୀ ଆଦି ବଣ୍ୟଜନ୍ତୁ ମଣିଷଠାରୁ ପୁରୁଣା ଏବଂ ସେମାନଙ୍କର ମଧ୍ୟ ବଞ୍ଚିବାର ଅଧିକାର ରହିଛି। ଆମେ ମଣିଷମାନେ ଆମ ସ୍ବାର୍ଥ ପାଇଁ ସେମାନଙ୍କ ପ୍ରାକୃତିକ ଆବାସସ୍ଥଳରେ ଅନୁପ୍ରବେଶ କରିଛୁ, ଆଉ ବୁଦ୍ଧିଆ ପ୍ରାଣୀ ତିଷ୍ଠି ରହେ ନ୍ୟାୟରେ ସେମାନଙ୍କୁ ମାରି, ହଟାଇ ଆମର ବଂଶ ବିସ୍ତାର କରୁଛୁ। ଏହାର ପରିଣାମ ମଧ୍ୟ ଆମକୁ ଅଚିରେ ଭୋଗ କରିବାକୁ ପଡ଼ିବ। ବନ୍ୟଜନ୍ତୁ ନ’ରହିଲେ ବଣ ରହିବ ନାହିଁ, କିମ୍ବା ବଣ ବିନା ପରିବେଶ ରକ୍ଷା ହୋଇପାରିବ ନାହିଁ। ତେଣୁ ପୃଥିବୀର ଶ୍ରେଷ୍ଠଜୀବ ହିସାବରେ ଆମକୁ କଥା କହିପାରୁନଥିବା ବନ୍ୟଜନ୍ତୁଙ୍କୁ ସୁରକ୍ଷା କଥା ଚିନ୍ତା କରିବାକୁ ହେବ ଏବଂ ସେଥିପାଇଁ ସତର୍କ ରହିବାକୁ ପଡ଼ିବ।
ଶୈଳଶ୍ରୀ ବିହାର, ଭୁବନେଶ୍ବର

Hot this week

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

Related Articles

Popular Categories