ପ୍ରତିରକ୍ଷା ଶକ୍ତି ବୃଦ୍ଧିପାଇଁ ପଦକ୍ଷେପ
ଶରତ ମହାପାତ୍ର
ପ୍ରତିବର୍ଷ ବିଶ୍ବର ବିିଭିନ୍ନ ଦେଶର ସୈନ୍ୟ ଶକ୍ତି ଆକଳନ କରୁଥିବା ସଂସ୍ଥା- ‘ଗ୍ଲୋବାଲ ଫାୟାର ପାୱାର’ ବିଶ୍ବର ୧୩୬ଟି ଦେଶକୁ ନେଇ ପ୍ରସ୍ତୁତ ରିପୋର୍ଟରେ ଆମେରିକା ପ୍ରଥମ ସ୍ଥାନରେ ରହିଥିଲାବେଳେ ଦ୍ବିତୀୟରେ ରୁଷ, ତୃତୀୟରେ ଚୀନ, ଚତୁର୍ଥରେ ଭାରତ, ପଞ୍ଚମରେ ଫ୍ରାନ୍ସ ଏବଂ ପଡ଼ୋଶୀ ପାକିସ୍ତାନ ୧୭ତମ ସ୍ଥାନରେ ଥିବା ଦର୍ଶାଇଛି। ଚୀନର ମୋଟ ସୈନ୍ୟ ସଂଖ୍ୟା ୨୧.୮ ଲକ୍ଷ ରହିଥିବାବେଳେ ରୁଷର ୧୦ଲକ୍ଷ, ଉତ୍ତର କୋରିଆର ୯.୪୫ ଲକ୍ଷ, ପାକିସ୍ତାନ ୬.୩୭ ଲକ୍ଷ ଓ ଭାରତର ୧୩.୬ଲକ୍ଷ ସୈନ୍ୟ ଅଛନ୍ତି। ଆମେରିକା ପାଖରେ ସର୍ବାଧିକ ଲଢ଼ୁଆ ବିମାନ ରହିଥିବାବେଳେ ରୁଷ ପାଖରେ ସର୍ବାଧିକ ନ୍ୟୁକ୍ଲିଅର ୱାର୍ହେଡ୍ ଓ ସର୍ବାଧିକ ଟ୍ୟାଙ୍କ୍ ଥିବାର ଜଣାଯାଏ।
ବିଦେଶୀ ଜ୍ଞାନକୌଶଳରେ ଭାରତରେ ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ କରିବାକୁ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଷ୍ଟ୍ରାଟେଜିକ୍ ପାର୍ଟନର ମଡ଼େଲ କାର୍ଯ୍ୟକାରୀ କରାଯାଉଛି। ଏହାଦ୍ବାରା ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ କ୍ଷେତ୍ରରେ ଭାରତ ଆଉ ବିଦେଶୀ ରାଷ୍ଟ୍ର ଉପରେ ଅଧିକ ନିର୍ଭର ନ କରି ଆତ୍ମ-ନିର୍ଭରଶୀଳ ହୋଇପାରିବ। ଏଥିସହ ଭବିଷ୍ୟତରେ ସେନାର ଆବଶ୍ୟକତାକୁ ମଧ୍ୟ ପୂରଣ କରାଯାଇ ପାରିବ। ଏହା ହେଉଛି କେନ୍ଦ୍ର ସରକାରଙ୍କ ‘ମେକ୍-ଇନ-ଇଣ୍ଡିଆ’ର ଏକ ଅଂଶ ବିଶେଷ।
ଭାରତୀୟ ସେନାରେ କାଉଣ୍ଟର ଟେରରିଜିମ୍, ଏଣ୍ଟିହାଇଜାକ୍, ହୋଷ୍ଟେଜ ରେସକ୍ୟୁ, ଇଣ୍ଟେଲିଜେନ୍ସି ସଂଗ୍ରହ, ସର୍ଜିକାଲ ଷ୍ଟ୍ରାଇକ୍ ଭଳି ଅପରେସନ ଓ ଶତ୍ରୁ ପଶ୍ଚାତ୍ଭାଗରେ ଅପରେସନ ପାଇଁ ବିଶେଷ ପ୍ରଶିକ୍ଷିତ କମାଣ୍ଡୋଙ୍କୁ ନିୟୋଜିତ କରାଯାଇଥାଏ। ଆମେରିକାର ‘ଡେଲଟା ଫୋର୍ସ’, ‘ଗ୍ରୀନ୍-ବେରେଟସ୍’, ‘ନେଭିସିଲ୍’, ଜର୍ମାନୀର ‘ଜିଏସଜି-୯’ ପାକିସ୍ତାନର ‘ସ୍ପେଶାଲ ସର୍ଭିସ୍ଗ୍ରୁପ୍’ ଭଳି ଭାରତୀୟ ସେନାରେ ଆର୍ମିରେ ‘ପାରାକମାଣ୍ଡୋ ବଟାଲିଅନ’ ଓ ଗୋଟିଏ ‘ଏଆରବୋର୍ଣ୍ଣ ପାରା କମାଣ୍ଡୋ ବଟାଲିଅନ’ ରହିଛି। ଆଉ ଗୋଟିଏ କମାଣ୍ଡୋ ବଟାଲିଅନ ଗଠନ ପାଇଁ ପଦକ୍ଷେପ ନିଆଯାଇଛି। ଭାରତୀୟ ଆକାଶବାହିନୀରେ କମାଣ୍ଡୋ (କୋଡ୍ନାମ-‘ଗରୁଡ’), ନୌବାହିନୀ କମାଣ୍ଡୋ (କୋଡ୍ନାମ- ‘ମାର୍କୋସ୍’) ରହିଥିବାବେଳେ ସେମାନଙ୍କୁ ଶକ୍ତିଶାଳୀ ଯୁଦ୍ଧାସ୍ତ୍ର ଯୋଗାଇବା ପାଇଁ ଫିନ୍ଲାଣ୍ଡ ନିର୍ମିତ ଆଧୁନିକ ସ୍ନାଇପର ରାଇଫଲ୍, ସ୍ବିଡେନରୁ ହାଲୁକା ରକେଟ୍ ଲଞ୍ଚରସ୍, ଇଟାଲୀ ନିର୍ମିତ ଶକ୍ତିଶାଳୀ ସାଇଲେନସର ଥିବା ପିସ୍ତଲ ଆହରଣ ପାଇଁ ଚୁକ୍ତି କରାଯାଇଛି। ଯେଉଁ ଫ୍ରଣ୍ଟଲାଇନ୍ ଇନ୍ଫାନଟ୍ରି ବଟାଲିଅନର ଟ୍ରୁପ୍ସ ଚୀନ ଓ ପାକ ସୀମାନ୍ତରେ ନିୟୋଜିତ ସେମାନଙ୍କୁ ବିଶେଷ ପ୍ରାଧାନ୍ୟ ଦେଇ ହାଇଟେକ୍-ରାଇଫଲ ଯୋଗାଇ ଦିଆଯିବ। ଫାଷ୍ଟଟ୍ରାକ୍ ପ୍ରୋସିଡିଓର ମାଧ୍ୟମରେ ୭୨,୪୦୦ ଆଡ଼ଭାନ୍ସଡ ଏସଲ୍ଟ ରାଇଫଲ ବିଦେଶରୁ ଆମଦାନୀ କରାଯିବାକୁ ୨୦୧୮ ପ୍ରାରମ୍ଭରେ ଅନୁମୋଦନ କରାଯାଇଛି।
ଆମେରିକା ଦ୍ବାରା କଟକଣା ଲଗାଯିବାର ଧମକ ସତ୍ତ୍ବେ ଭାରତ ରୁଷଠାରୁ ‘ଏସ-୪୦୦ ଏଆର ଡିଫେନ୍ସ ମିସାଇଲସ୍ ସିଷ୍ଟମ’ (କ୍ଷେପଣାସ୍ତ୍ର ବିଧ୍ବଂସୀ ପ୍ରଣାଳୀ) କ୍ରୟ କରିବାର ପ୍ରକ୍ରିୟା ତ୍ବରାନ୍ବିତ କରିଛି। ଭାରତ ୩୯୦୦ କୋଟି ଟଙ୍କା ବ୍ୟୟରେ ଏଭଳି ୫ଟି କ୍ଷେପଣାସ୍ତ୍ର ପ୍ରଣାଳୀ ଆହରଣ କରିବ। ଏହା ସାହାଯ୍ୟରେ ଆକାଶ ମାର୍ଗରେ ୪୦୦ କିମି ଦୂରତା ମଧ୍ୟରେ ଶତ୍ରୁ ରାଷ୍ଟ୍ରର ସମସ୍ତ ପ୍ରକାର ଯୁଦ୍ଧବିମାନ, ଡ୍ରୋନ୍ ଓ କ୍ରୁଜ-ମିଜାଇଲକୁ ଠାବ କରି ନଷ୍ଟ କରି ଦିଆଯାଇପାରିବ। ଭାରତ ଫ୍ରାନ୍ସଠାରୁ ମିଡ଼ିଅମ୍ ମଲ୍ଟିରୋଲ କମ୍ବାଟ୍ ଏଆରକ୍ରାଫ୍ଟ ‘ରାଫାଲେ’ ଆହରଣ କରିବାକୁ ଯାଉଛି। ଭାରତୀୟ ପାଇଲଟ୍ମାନଙ୍କ ପ୍ରଶିକ୍ଷଣ ପାଇଁ ଫ୍ରାନ୍ସ ପଠାଯାଇଛି। ଏହି ଯୁଦ୍ଧ ବିମାନ ବାୟୁସେନାରେ ସାମିଲ ହେଲେ ସେନା ଅଧିକ ଶକ୍ତିଶାଳୀ ନିଶ୍ଚିତ ହେବ। ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ହାଲୁକା ଲଢ଼ୁଆ ବିମାନ ‘ତେଜସ୍’ର ନିର୍ମାଣ କାର୍ଯ୍ୟ ଯଦିଓ ବହୁ ବିଳମ୍ବିତ ସମୟ ଦେଇ ଗତି କରୁଛି ତଥାପି ୨୦୧୮ ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଆକାଶମାର୍ଗରେ ଇନ୍ଧନ ଯୋଗାଣ ପରୀକ୍ଷଣରେ ସଫଳ ହେବା ଅଭିନନ୍ଦନୀୟ। ଭାରତ ହେଲିକପ୍ଟରରୁ ନିକ୍ଷେପ କରାଯାଇ ପାରୁଥିବା ଟ୍ୟାଙ୍କ ବିଧ୍ବଂସୀ କ୍ଷେପଣାସ୍ତ୍ର- ‘ହେଲିନା’ର ସଫଳ ପରୀକ୍ଷଣ ନିକଟରେ ରାଜସ୍ଥାନର ପୋଖରନଠାରେ କରିଛି। ଏହି କ୍ଷେପଣାସ୍ତ୍ର ଇନ୍ଫ୍ରାରେଡ ଇମେଜିଂ ସିକର ଦ୍ବାରା ପରିଚାଳିତ। ରୁଷିଆ ଓ ଇସ୍ରାଏଲ ମିଳିତ ଉଦ୍ୟମରେ ନିର୍ମିତ ‘ଏଆରବୋର୍ଣ୍ଣ ୱାର୍ଣ୍ଣିଙ୍ଗ୍ ଏଣ୍ଡ କେଣ୍ଟ୍ରାଲ ସିଷ୍ଟମ’ (ଆୱାକ୍ସ) ଆମ ପାଖରେ ୩ଟି ରହିଛି। ୮୦୦ ମିଲିଅନ ଡଲାର ବିନିମୟରେ ଆଉ ଦୁଇଟି ଫାଲକନ ଆୱାକ୍ସ ଆହରଣ ପାଇଁ ଭାରତ ଏବେ ଖୁବ୍ ଆଗ୍ରହୀ।
ଭାରତୀୟ ସ୍ଥଳସେନା ଓ ନୌବାହିନୀ ପାଇଁ ୪୬ହଜାର କୋଟି ଟଙ୍କାର ପ୍ରତିରକ୍ଷା ସାମଗ୍ରୀ କିଣା ପ୍ରସ୍ତାବକୁ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ୨୦୧୮ ଅଗଷ୍ଟ ୨୫ ରେ ଅନୁମୋଦନ କରିଛି। ପ୍ରତିରକ୍ଷା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ବୈଠକରେ ନୌସେନା ପାଇଁ ୨୧ହଜାର କୋଟିଟଙ୍କା ବ୍ୟୟରେ ୧୧୧ ସଂଖ୍ୟକ ୟୁଟିଲିଟି ହେଲିକପ୍ଟର କିଣାଯିବା ପ୍ରସ୍ତାବକୁ ମଞ୍ଜୁରି ମିଳିଛି। ଏଥିସହ ୨୪,୮୭୯ କୋଟି ଟଙ୍କାର ବିଶେଷ ଗୁରୁତ୍ବପୂର୍ଣ୍ଣ ପ୍ରତିରକ୍ଷା ସାମଗ୍ରୀ ମଧ୍ୟ କିଣାଯିବ। ଭାରତୀୟ ସ୍ଥଳସେନା ପାଇଁ ୩୩୬୪ କୋଟିଟଙ୍କା ବ୍ୟୟରେ ୧୫୦ ସଂଖ୍ୟକ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ତଥା ବିକଶିତ ୧୫୫ ମିଲିମିଟର ଆଡ଼ଭାନ୍ସଡ ଟୋଡ ଆର୍ଟିଲାରୀ ଗନ୍ ସିଷ୍ଟମ ଉପଲବ୍ଧ ହେବ। ଡିଆରଡିଓ ମନୋନୀତ ପ୍ରତିରକ୍ଷା କମ୍ପାନୀ ଭାରତରେ ଏହି ଗନ୍ ନିର୍ମାଣ କରିବ।
ନୌସେନାରେ ୧୪୦ ସଂଖ୍ୟକ ଯୁଦ୍ଧପୋତ ଥିବାବେଳେ ଏକ ଡଜନ ଅତି ପୁରୁଣା ‘ସି-କିଙ୍ଗ’ ଓ ୧୦ ସଂଖ୍ୟକ ‘କାମୋଭ’ ଏଣ୍ଟି-ସବ୍ମେରାଇନ୍ ୱାରଫେଆର ହେଲିକପ୍ଟର ରହିଛି। ଗତ ବର୍ଷ ଅଗଷ୍ଟରେ ନୌସେନା ୟୁଟିଲିଟି ହେଲିକପ୍ଟର ଏବଂ ମଲ୍ଟି- ରୋଲ ହେଲିକପ୍ଟର ଯୋଗାଇ ଦେବାକୁ ଅନୁରୋଧ କରିଥିଲା। ନୌସେନାର ଦକ୍ଷତା ବଢ଼ାଇବା ଲକ୍ଷ୍ୟରେ ବୁଡ଼ାଜାହାଜ ବିଧ୍ବଂସ କରିବାର କ୍ଷମତା ରଖିଥିବା ୨୪ଟି ମଲଟିରୋଲ ହେଲିକପ୍ଟର (ଲକ୍ହିଡ-ମାର୍ଟିନ୍ ଏମଏଚ-୬୦ ରୋମିଓ) ଆମେରିକାଠାରୁ କିଣାଯିବ। ଏହି ହେଲିକପ୍ଟରକୁ ବିମାନବାହୀ ଯୁଦ୍ଧଜାହାଜ, ଡେଷ୍ଟ୍ରୟର ଓ ଯୁଦ୍ଧପୋତରେ ମୁତୟନ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଷ୍ଟ୍ରାେଟଜିକ୍ ପଲିସି ଅନୁଯାୟୀ ସେଗୁଡ଼ିକୁ ପରବର୍ତ୍ତୀ ସମୟରେ ଭାରତରେ ନିର୍ମାଣ କରାଯିବ। ସେହିଭଳି ଭର୍ଟିକାଲ-ଲଞ୍ଚ୍ କରାଯାଇ ପାରୁଥିବା ୧୪ଟି ସ୍ବଳ୍ପ ଦୂରଗାମୀ ‘ସରଫେସ୍-ଟୁ-ଏଆର ମିସାଇଲ୍ସ୍ ସିଷ୍ଟମ’ କିଣାଯିବାକୁ ନିଷ୍ପତ୍ତି ହୋଇଛି। ସେଥିରୁ ୧୦ଟି କ୍ଷେପଣାସ୍ତ୍ର ଭାରତରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମାଣ କରାଯାଇ ଯୁଦ୍ଧ ଜାହାଜରେ ମୁତୟନ କରାଯିବ। ଜାହାଜ ବିଧ୍ବଂସୀ କ୍ଷେପଣାସ୍ତ୍ରକୁ ନଷ୍ଟ କରିବା ଓ ଜାହାଜର ସୁରକ୍ଷା ଦିଗରେ ଏହି କ୍ଷେପଣାସ୍ତ୍ର ବେଶ୍ ପାରଦର୍ଶୀ ହୋଇପାରିବ ବୋଲି ଆଶା କରାଯାଏ। ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ସବ୍ମେରାଇନ୍ରୁ ଉତ୍କ୍ଷେପଣ କରାଯାଉଥିବା ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ‘କେ-୧୫’ର ସଫଳ ପରୀକ୍ଷଣ ୨୦୧୮ ଅଗଷ୍ଟ ମାସରେ ବିଶାଖାପାଟଣା ନିକଟ ସମୁଦ୍ରରେ ୩ଥର କରାଯାଇଛି। ସମୁଦ୍ର ପୃଷ୍ଠରୁ ୨୦ମିଟର ତଳେ ଜଳରାଶିରେ ଥିବା ଭାରତର ପରମାଣୁ ଶକ୍ତି ଚାଳିତ ବୁଡ଼ାଜାହାଜ ‘ଅରିହନ୍ତ’ରୁ ଏହି କ୍ଷେପଣାସ୍ତ୍ରକୁ ନିକ୍ଷେପ କରାଯାଇଥିଲା। ଏହି କ୍ଷେପଣାସ୍ତ୍ର ସେନାରେ ସାମିଲ କରାଯିବା ଯୋଗୁଁ ଭାରତ ଏବେ ବୁଡ଼ାଜାହାଜରୁ ଶତ୍ରୁରାଷ୍ଟ୍ର ଉପରେ ୭୫୦ କିମି ଦୂର ପର୍ଯ୍ୟନ୍ତ ପରମାଣୁ ଆକ୍ରମଣ କରିପାରିବ। ଭାରତ ଏହି ଧରଣର ଆଉ ଦୁଇଟି କ୍ଷେପଣାସ୍ତ୍ର ବିକଶିତ କରୁଛି ଯାହା ମାଧ୍ୟମରେ ୩୫୦୦କିମି ଏବଂ ୫୦୦୦ କିମି ଦୂରତ୍ବ ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରି ପାରିବାରେ ହୋଇପାରିବ ସମର୍ଥ।
ଭାରତ-ଆମେରିକା ସହଯୋଗ ବିଗତ କିଛିବର୍ଷ ହେବ ବୃଦ୍ଧି ପାଇଛି। ସରକାରୀ ସ୍ତରରେ କ୍ରୟ-ବିକ୍ରୟ ମାଧ୍ୟମରେ ଆମେରିକା ଏଆରକ୍ରାଫ୍ଟ, ୧୫୫ ମିଲିମିଟର ହାୱାଇଜରସ୍, ହାରପୁନ ମିଜାଇଲସ୍, ‘ସି-୧୩୦-ଜେ ସୁପର ହରକ୍ୟୁଲେସ’ ଏବଂ ‘ସି-୧୭ ପରିବହନ ବିମାନ, କେମିକାଲ, ବାୟୋଲଜିକାଲ, ରେଡ଼ିଓଲଜିକାଲ ଏଣ୍ଡ ନ୍ୟୁକ୍ଲିଅର (ସିବିଆରଏନ) ସପୋର୍ଟ ଇକ୍ବିପମେଣ୍ଟ ଯୋଗାଇ ଦେଇଛି। ୨୦୦୭ ମସିହାରୁ ଏପର୍ଯ୍ୟନ୍ତ ଭାରତ ଆମେରିକାଠାରୁ ୧୭ ବିଲିଅନ ଡଲାର ମୂଲ୍ୟର ଯୁଦ୍ଧାସ୍ତ୍ରର ଓ ଯୁଦ୍ଧୋପକରଣ କ୍ରୟ କରି ସାରିଲାଣି। ବହୁବର୍ଷ ଧରି ଆଲୋଚନା ଜାରି ରଖିବା ପରେ ୨୦୧୮ ସେପ୍ଟେମ୍ବର ୬ ତାରିଖରେ ଭାରତ ଓ ଆମେରିକା ‘କମ୍ୟୁନିକେସନ, କମ୍ପାବିଲିଟି, ସିକ୍ୟୁରିଟି ଏଗ୍ରିମେଣ୍ଟ’ (କମ୍କାସା) ଚୁକ୍ତିରେ ସ୍ବାକ୍ଷର କରିଛନ୍ତି। ନୂଆଦିଲ୍ଲୀରେ ଆୟୋଜିତ ‘ଟୁ-ପ୍ଲସ ଟୁ ଡାଏଲଗ’ରେ ଆମେରିକାର ପ୍ରତିରକ୍ଷା ସଚିବ ଜେମ୍ସ୍ ମ୍ୟାଟିସ୍, ବିଦେଶ ସଚିବ ମାଇକ ପୋମ୍ପେଓ, ଭାରତର ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜ ଓ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଯୋଗ ଦେଇଥିଲେ। ଏହି ଚୁକ୍ତି ୧୦ବର୍ଷ ବଳବତ୍ତର ରହିବ ଏବଂ ଏହି ଚୁକ୍ତି କାରଣରୁ ଭାରତ ଆମେରିକାଠାରୁ ଅତ୍ୟାଧିୁନିକ ଯୋଗାଯୋଗ ଉପକରଣ ହାସଲ କରିପାରିବା ସହ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର କ୍ରୟ କରିବାପାଇଁ ମାର୍ଗ ପ୍ରଶସ୍ତ୍ର ହୋଇଯିବ। ଆମେରିକା ନିର୍ମିତ ଅସ୍ତ୍ରଶସ୍ତ୍ରରେ କେତେକ ଅତ୍ୟାଧୁନିକ ଯୋଗାଯୋଗ ଉପକରଣ ଲାଗିଛି। ସେଗୁଡ଼ିକ ଦ୍ବାରା ଗୁପ୍ତ କୋଡ୍ ମାଧ୍ୟମରେ ଯୋଗାଯୋଗ ସମ୍ଭବପର ହୋଇଥାଏ। ଏଥିସହ ମିତ୍ର ରାଷ୍ଟ୍ରର ସେନା ସହ ଗୁଇନ୍ଦା ତଥ୍ୟ ଆଦାନପ୍ରଦାନ କରିବାରେ ସମର୍ଥ ହୁଏ। ଫଳରେ ଆମେରିକା ଓ ତା’ର ମିତ୍ର ରାଷ୍ଟ୍ରଗୁଡ଼ିକ ମିଳିତ ଭାବେ ଶତ୍ରୁ ରାଷ୍ଟ୍ରର ଗତିବିଧି ଉପରେ ନଜର ରଖି ପାରିବାରେ ସକ୍ଷମ ହୋଇପାରିବେ। ଉଦାହରଣ ସ୍ବରୂପ ଆମେରିକୀୟ ନୌସେନା ଯଦି ଭାରତ ମହାସାଗରରେ ଚୀନ୍ ନୌସେନାର କୌଣସି ଯୁଦ୍ଧଜାହାଜ କିମ୍ବା ବୁଡ଼ାଜାହାଜର ଗତିବିଧି ଲକ୍ଷ୍ୟ କରେ ତେବେ ଉକ୍ତ ଚୁକ୍ତି ଅନୁସାରେ ଭାରତୀୟ ନୌସେନା ନିଜ ଯୁଦ୍ଧଜାହାଜରେ ଲାଗିଥିବା ଆମେରିକୀୟ ଉପକରଣ ଦ୍ବାରା ଚୀନ ଜାହାଜର ବେଗ, ଗତି, ଅବସ୍ଥିତି ଏବଂ ଲାଇଭ ଭିଡ଼ିଓ ମଧ୍ୟ ଆମେରିକାଠାରୁ ପାଇ ପାରିବାରେ ସକ୍ଷମ ହେବ। ଏହାଦ୍ବାରା ଦୁଇ ଦେଶର ନୌସେନା ମିଳିତ ଭାବେ ଉକ୍ତ ଚୀନ୍ ଜାହାଜ ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିବାରେ ସମର୍ଥ ହୋଇପାରିବେ। ସେହିପରି ଆମେରିକା ଭାରତକୁ ଯେଉଁ ଲଢ଼ୁଆ ଡ୍ରୋନ ଦେବ ସେଥିରେ ଏଭଳି କିଛି ଯୋଗାଯୋଗ ଉପକରଣ ଖଞ୍ଜିବ ଯାହା ସାହାଯ୍ୟରେ ଡ୍ରୋନ ଦ୍ବାରା ଚିହ୍ନଟ ବସ୍ତୁ ସେମାନଙ୍କର ଶତ୍ରୁ କିମ୍ବା ମିତ୍ରରାଷ୍ଟ୍ରର ତାହା ସ୍ପଷ୍ଟ ହୋଇପାରିବ। ଏହି ଚୁକ୍ତି ଯୋଗୁଁ ଭାରତ ଏବେ ଆମେରିକାଠାରୁ ଅନେକ ଅତ୍ୟାଧୁନିକ ଯୁଦ୍ଧ ଉପକରଣ ହାସଲ କରିପାରିବ ବୋଲି ଆଶା କରାଯାଏ।
ଯୁଦ୍ଧାସ୍ତ୍ରଗୁଡ଼ିକ ବିକଶିତ ଦେଶ ଓ ପଡ଼ୋଶୀ ରାଷ୍ଟ୍ରଙ୍କର ନାଲି ଆଖିକୁ ପ୍ରତିହତ କରିବାପାଇଁ ବିଶେଷ ପ୍ରୟୋଜନ। ‘ଶକ୍ତି ହିଁ ଶକ୍ତିକୁ ସମ୍ମାନ ଦିଏ’ ତେଣୁ ଭାରତ ନିଜକୁ ଶକ୍ତିଶାଳୀ କରିବାର ପ୍ରଚେଷ୍ଟା ଜାରି ରଖିବା ଅବଶ୍ୟ ବର୍ତ୍ତମାନର ଆବଶ୍ୟକତା।