ସଂସ୍କାରକାମୀ ନିରାଶ
ମଙ୍ଗଳବାର ଏକ ବହୁପ୍ରତୀକ୍ଷିତ ମାମଲାର ରାୟ ଶୁଣାଇ ସର୍ବୋଚ୍ଚ ନ୍ୟାୟାଳୟ ଆପରାଧିକ ପୃଷ୍ଠଭୂମି ଥିବା ପ୍ରାର୍ଥୀଙ୍କୁ ନିର୍ବାଚନରୁ ଦୂରେଇ ରଖିବା ପାଇଁ ସଂସଦ ଆଇନ ପ୍ରଣୟନ କରୁ ବୋଲି କହିଛନ୍ତି। ପ୍ରକୃତରେ ଏ ନେଇ ଜନସ୍ବାର୍ଥ ମୋକଦ୍ଦମାକାରୀ ଏବଂ ନିର୍ବାଚନ ସଂସ୍କାରକାମୀମାନେ ଚାହୁଁଥିଲେ ଯେ ସର୍ବୋଚ୍ଚ ନ୍ୟାୟାଳୟ ଏଭଳି ପ୍ରାର୍ଥୀଙ୍କୁ ନିର୍ବାଚନ ଲଢ଼ିବାରୁ ସମ୍ପୂର୍ଣ୍ଣ ବାରଣ କରିବାକୁ ନିର୍ଦେଶ ଦିଅନ୍ତୁ। ତେଣୁ ସେମାନେ ନିଶ୍ଚୟ ଏଭଳି ରାୟରେ ନିରାଶ ହେବେ। ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ନେତୃତ୍ବାଧୀନ ପାଞ୍ଚଜଣିଆ ସାମ୍ବିଧାନିକ ପୀଠ କହିଛନ୍ତି ଯେ ଦେଶର ରାଜନୀତିରେ ଅପରାଧ ପ୍ରକ୍ରିୟା ବୃଦ୍ଧି ପାଉଛି ଓ ଗଣତନ୍ତ୍ରର ମୂଳକୁ ନଷ୍ଟ କରୁଛି। ତେଣୁ ସଂସଦ ଏହାକୁ ରୋକିବା ପାଇଁ ଆଇନ ପ୍ରଣୟନ କରିବାର ବେଳ ଉପଗତ। କେନ୍ଦ୍ର ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଟର୍ଣ୍ଣି ଜେନେରାଲ କେ କେ ବେଣୁଗୋପାଳ ଆଇନ ପ୍ରଣୟନ କାମ ସଂସଦର, ବିଚାରାଳୟର ନୁହେଁ ବୋଲି କରିଥିବା ଯୁକ୍ତିକୁ ସର୍ବୋଚ୍ଚ ନ୍ୟାୟାଳୟ ବୋଧହୁଏ ସମ୍ମାନ ଦେଇଛନ୍ତି। ଏହା ଅନୁଚିତ ନୁହେଁ; କିନ୍ତୁ ନିହାତି ଆବଶ୍ୟକସ୍ଥଳେ ସମୂହ ଜନସ୍ବାର୍ଥ ପାଇଁ ସାମ୍ବିଧାନିକ ବିଧିବ୍ୟବସ୍ଥା ଭିତରେ ବିଚାରାଳୟ ଆଇନରେ କିଛି ପରିବର୍ତ୍ତନ ଆଣିଲେ ତାହା ଗ୍ରହଣୀୟ ହେବା ଉଚିତ ନୁହେଁ କି? ପୁନଶ୍ଚ, ଏହା ଏଭଳି ଏକ ମାମଲା, ଯାହାକୁ ନେଇ ସଂସଦରେ ଆଇନ ପ୍ରଣୟନ ହେବ ବୋଲି କହିବା ସହଜ ନୁହେଁ। ଯେଉଁ ରାଜନେତାଙ୍କ ବିରୋଧରେ ଆପରାଧିକ ମାମଲା ଚାଲିଛି, ସେମାନଙ୍କୁ ମଧ୍ୟ ଏହି ଆଇନ ପ୍ରଣୟନରେ ସାମିଲ୍ ହେବାକୁ ପଡ଼ିବ। ସେମାନେ ସେଥିରେ ରାଜି ହେବେ ତ?
କହିବାର ତାତ୍ପର୍ଯ୍ୟ, ଚଳିତବର୍ଷ ମାର୍ଚରେ ଖୋଦ୍ ସରକାର ସର୍ବୋଚ୍ଚ ନ୍ୟାୟାଳୟରେ କରିଥିବା ଏକ ସତ୍ୟପାଠରେ ଦର୍ଶାଇଥିଲେ ଯେ ଦେଶର ୧,୭୬୫ ଜଣ ସାଂସଦ ଓ ବିଧାୟକଙ୍କ ବିରୋଧରେ ୩,୮୧୬ଟି ଆପରାଧିକ ମୋକଦ୍ଦମା ରୁଜୁ ହୋଇଛି, ଯେଉଁଥିରୁ ୩,୦୪୫ଟି ମୋକଦ୍ଦମାର ବିଚାର ହୋଇନାହିଁ। ଏଥିରେ ମହାରାଷ୍ଟ୍ର ଓ ଗୋଆର ମାମଲା ସଂଖ୍ୟା ମିଶି ନାହିଁ। ନିର୍ବାଚନ ଓ ପ୍ରାର୍ଥୀଙ୍କ ଉପରେ ନଜର ରଖୁଥିବା ନେସନାଲ ଇଲେକ୍ସନ ୱାଚ (ଏନଇଡବ୍ଲ୍ୟୁ) ଓ ଏସୋସିଏସନ ଫର୍ ଡେମୋକ୍ରେଟିକ୍ ରିଫର୍ମସ (ଏଡିଆର୍) ୨୦୧୪ ସାଧାରଣ ନିର୍ବାଚନ ଲଢ଼ିଥିବା ୮୦୦୦ରୁ ଅଧିକ ପ୍ରାର୍ଥୀଙ୍କ ସତ୍ୟପାଠ ପତ୍ର ଅଧ୍ୟୟନ କରିଥିଲେ। ବିଶ୍ଳେଷଣରୁ ଜଣାଗଲା ଯେ ଲୋକସଭା ନିର୍ବାଚନରେ ୧୭ ପ୍ରତିଶତ ପ୍ରାର୍ଥୀ ନିଜ ନାମରେ ଆପରାଧିକ ମାମଲା ଥିବା ଘୋଷଣା କରିଥିଲେ। ମୋଟ ୧୩୯୮ ଜଣ ଆପରାଧିକ ମୋକଦ୍ଦମା ଚାଲିଥିବା ପ୍ରାର୍ଥୀଙ୍କ ମଧ୍ୟରୁ ୮୮୯ ଜଣଙ୍କ ବିରୋଧରେ ‘ଗୁରୁତର ଆପରାଧିକ ମାମଲା’ ରହିଥିଲା; ଅର୍ଥାତ ସେମାନେ ହତ୍ୟା, ହତ୍ୟା ଉଦ୍ୟମ, ଅପହରଣ, ବଳାତ୍କାର, ସରକାରୀ ଅର୍ଥର ଦୁରୁପଯୋଗ ଆଦି ଗୁରୁତର ଅପରାଧରେ ସାମିଲ ଥିଲେ। ବିଡ଼ମ୍ବନା ହେଉଛି, ବର୍ତ୍ତମାନ ଯାହାଙ୍କ ଉପରେ ଆଇନ ତିଆରି କରିବା ଭାର ସର୍ବୋଚ୍ଚ ନ୍ୟାୟାଳୟ ନ୍ୟସ୍ତ କରିଛନ୍ତି, ସେମାନଙ୍କ ମଧ୍ୟରୁ ଗୁରୁତର ଆପରାଧିକ ମାମଲା ରହିଥିବା ସାଂସଦଙ୍କ ସଂଖ୍ୟା ୧୭୩।
ଏଥିରୁ ମୋଟାମୋଟି ଭାବେ ଏକ ଧାରଣା କରିହେବ ଯେ ଆମ ରାଜନୀତିରେ ଅପରାଧ କେଉଁ ସ୍ତରକୁ ଗଲାଣି ଓ ରାଜନୈତିକ ଦଳମାନେ କିଭଳି ପ୍ରତାରକ। ଅବଶ୍ୟ ସର୍ବୋଚ୍ଚ ନ୍ୟାୟାଳୟ ଏ ନେଇ କେତେକ ନିର୍ଦେଶାବଳୀ ଜାରି କରିଛନ୍ତି, ଯାହା ସ୍ବାଗତଯୋଗ୍ୟ। ଅପରାଧ ପୃଷ୍ଠଭୂମି ଥିବା ସମସ୍ତ ପ୍ରାର୍ଥୀଙ୍କୁ ନିଜ ନାମାଙ୍କନପତ୍ରରେ ନିଜ ବିରୋଧରେ ଚାଲିଥିବା ମୋକଦ୍ଦମାଗୁଡ଼ିକର ସମ୍ପୂର୍ଣ୍ଣ ବିବରଣୀ ଉଲ୍ଲେଖ କରିବାକୁ ହେବ। ସବୁ ରାଜନୈତିକ ଦଳ ନିଜର ପ୍ରାର୍ଥୀମାନଙ୍କ ସହ ସମ୍ପୃକ୍ତ ସୂଚନାକୁ ନିଜ ୱେବ୍ସାଇଟରେ ପ୍ରକାଶ କରିବେ। ‘ଗୁରୁତର ଅପରାଧ’ ମାମଲା ରହିଥିବା ପ୍ରାର୍ଥୀମାନେ ମାମଲା ସମ୍ପର୍କିତ ତଥ୍ୟ ଅତିକମ୍ରେ ତିନିଥର ପ୍ରଚାର ଜରିଆରେ ଜନସାଧାରଣ ସମ୍ମୁଖରେ ଉପସ୍ଥାପନ କରିବେ ଇତ୍ୟାଦି। ତେବେ ନ୍ୟାୟାଳୟଙ୍କ ଏସବୁ ନିର୍ଦେଶାବଳୀକୁ ଆମ ଚତୁର ଓ ଭ୍ରଷ୍ଟ ରାଜନେତା ଏବଂ ରାଜନୈତିକ ଦଳଗୁଡ଼ିକ କିପରି ପାଳନ କରୁଛନ୍ତି, ତାହା ଦେଖିବା କଥା।