ସରକାରୀ ସ୍ବାସ୍ଥ୍ୟସେବା ପ୍ରତିଯୋଗିତା
ପ୍ରଭାସ ମିଶ୍ର
ସେପ୍ଟେମ୍ବର ୨୩ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଆୟୁଷ୍ମାନ ଭାରତ’ ଅନ୍ତର୍ଗତ ‘ପ୍ରଧାନମନ୍ତ୍ରୀ ଜନ-ଆରୋଗ୍ୟ ଯୋଜନା’ ନାମରେ ଏକ ସ୍ୱାସ୍ଥ୍ୟ ବୀମା ଯୋଜନା ଆରମ୍ଭ କରିଛନ୍ତି। ଆୟୁଷ୍ମାନ ଭାରତ କାର୍ଯ୍ୟକ୍ରମ ଅନ୍ତର୍ଗତ ଅନ୍ୟ ଯୋଜନାଟି ହେଲା ସାରା ଦେଶରେ ୧୫୦୦୦୦ ସ୍ୱାସ୍ଥ୍ୟକେନ୍ଦ୍ର ମାଧ୍ୟମରେ ସ୍ୱାସ୍ଥ୍ୟସେବା ଯୋଗାଇଦେବା। ମାସକ ଆଗରୁ ଓଡିଶା ସରକାର କେନ୍ଦ୍ର ସରକାରଙ୍କର ପ୍ରସ୍ତାବିତ ଯୋଜନାକୁ ଗ୍ରହଣ ନ କରି ବିକଳ୍ପ ସ୍ୱରୂପ ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ ନାମରେ ଏକ ଯୋଜନା ପ୍ରଣୟନ କରିଛନ୍ତି। ରାଜ୍ୟର ଏହି ଯୋଜନା ମାଧ୍ୟମରେ ପ୍ରତ୍ୟେକ ପରିବାର ପିଛା ପାଞ୍ଚ ଲକ୍ଷ ଟଙ୍କା ଓ ମହିଳା ସଦସ୍ୟଙ୍କ ପାଇଁ ସାତ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ ସରକାର ବହନ କରିବେ। ବିଡମ୍ବନାର ବିଷୟ ଏହିକି ଯେ ଉଭୟ ରାଜ୍ୟ ଓ କେନ୍ଦ୍ର ଏହି ସ୍ୱାସ୍ଥ୍ୟ ଯୋଜନାକୁ ଜନସାଧାରଣଙ୍କ ନିକଟରେ ଆଦୃତ କରିବା ପାଇଁ ଏକ ପ୍ରତିଯୋଗିତାମୂଳକ ମନ୍ତବ୍ୟ ତଥା ବିଜ୍ଞାପନ ମଧ୍ୟ ଦେଉଛନ୍ତି। ପ୍ରଶ୍ନ ହେଉଛି ଯେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଏହିଭଳି ସ୍ୱାସ୍ଥ୍ୟ ଯୋଜନାଗୁଡିକ ଆମ ଦେଶ ତଥା ରାଜ୍ୟରେ ଥିବା ମୌଳିକ ସମସ୍ୟାଗୁଡ଼ିକୁ ଦୂରେଇ ପାରିବ ତ? କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଏତାଦୃଶ ପ୍ରତିଯୋଗିତାମୂଳକ ଚିନ୍ତାଧାରା କ’ଣ ପ୍ରକୃତରେ ଗୁଣାତ୍ମକ ବିକାଶ ଲକ୍ଷ୍ୟ ସାଧନରେ ସହାୟକ ହେବ?ସ୍ୱାସ୍ଥ୍ୟ ଏକ ଗୁରୁତ୍ବପୂର୍ଣ୍ଣ ତଥା ଅତ୍ୟନ୍ତ ସଂବେଦନଶୀଳ ବିଷୟ ଏବଂ ନାଗରିକଙ୍କ ପାଇଁ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପ୍ରତ୍ୟେକ ସରକାରଙ୍କର ପ୍ରାଥମିକ କର୍ତ୍ତବ୍ୟ । ବିଡମ୍ବନା ଯେ ସ୍ୱାସ୍ଥ୍ୟ ପାଇଁ ସେବା ବଦଳରେ ପ୍ରତିଯୋଗିତା ଚାଲିଛି। ସ୍ୱାସ୍ଥ୍ୟ ଏକ ରାଜ୍ୟ ବିଷୟ ହୋଇଥିଲେ ମଧ୍ୟ କେନ୍ଦ୍ର ସରକାର ବିଭିନ୍ନ ସମୟରେ ବୀମା ତଥା ଅନ୍ୟ କେତେକ ସ୍ବତନ୍ତ୍ର ଯୋଜନା ମାଧ୍ୟମରେ ବ୍ୟୟ ବରାଦ କରିଥାନ୍ତି।
କେନ୍ଦ୍ର ସରକାରଙ୍କ ଯୋଜନା ‘ବୀମା’ ହୋଇଥିବା ବେଳେ ରାଜ୍ୟ ସରକାରଙ୍କ ଯୋଜନା ପାଞ୍ଚଲକ୍ଷ ଓ ସାତ ଟଙ୍କା ଯାଏ ସ୍ୱାସ୍ଥ୍ୟ ପାଇଁ ହେଉଥିବା ଖର୍ଚ୍ଚ ବହନ କରିବେ ବୋଲି ଘୋଷଣା ହୋଇଛି। ରାଜ୍ୟ ସରକାର ପୂର୍ବରୁ ‘ଓଡିଶା ରାଜ୍ୟ ଚିକିତ୍ସା ପାଣ୍ଠି’ ନାମରେ ଗଠନ କରି ଚିକିତ୍ସା ଖର୍ଚ୍ଚ ବହନ କରିବେ ବୋଲି ବ୍ୟବସ୍ଥା ରଖିଥିଲେ। ଏହା ସର୍ବାଧିକ ଦୁଇ ଲକ୍ଷ ଟଙ୍କା ଯାଏ ଥିବା ସ୍ଥଳେ ଚଳିତ ଯୋଜନାରେ ପାଞ୍ଚ ଲକ୍ଷ ଟଙ୍କା ଯାଏ ଏହାକୁ ବୃଦ୍ଧି କରିବେ। ପ୍ରକୃତ ପକ୍ଷେ ଦେଖିବାକୁ ଗଲେ ଚିକିତ୍ସା ପାଇଁ ସାଧାରଣ ନାଗରିକଙ୍କୁ ନିଜ ସୂତ୍ରରୁ ଏତେ ପରିମାଣରେ ଖର୍ଚ୍ଚ କରିବାକୁ ପଡିଥାଏ ଯେ ଚିକିତ୍ସା ପରବର୍ତ୍ତୀ ସମୟରେ ପରିବାର ଭରଣପୋଷଣ କରିବା ପାଇଁ ଆବଶ୍ୟକ ସମ୍ବଳ ଅଭାବରୁ କଷ୍ଟକର ହୋଇପଡେ। ୨୦୧୪ ମସିହାରେ ଜାତୀୟ ନମୁନା ସର୍ବେକ୍ଷଣ ସଂସ୍ଥାର ତଥ୍ୟ ଅନୁସାରେ ଭାରତରେ ୬୮ଭାଗ ଗ୍ରାମୀଣ ଜନସାଧାରଣ ଚିକିତ୍ସା ପାଇଁ ‘ଆୟ କିମ୍ବା ସଞ୍ଚୟ’ ଉପରେ ନିର୍ଭର କରିଥାନ୍ତି, ୨୫ଭାଗ ଲୋକ ‘ଋଣ’ କରି ଡାକ୍ତରଖାନା ଖର୍ଚ୍ଚବହନ କରିଥାନ୍ତି। ସହରରେ ମଧ୍ୟ ଡାକ୍ତରଖାନା ଖର୍ଚ୍ଚ ପାଇଁ ୭୫ ଭାଗ ଲୋକ ନିଜର ‘ରୋଜଗାର କିମ୍ବା ସଞ୍ଚୟ’ ଉପରେ ମୁଖ୍ୟତଃ ନିର୍ଭର କରିଥିବା ସ୍ଥଳେ ୧୮ ଭାଗ ଲୋକ ଋଣ କରି ଡାକ୍ତରଖାନା ଖର୍ଚ୍ଚ ତୁଲାଇଥାନ୍ତି। ଅର୍ଥାତ, କେନ୍ଦ୍ରର ‘ବୀମା’ ଓ ରାଜ୍ୟର ‘ଆର୍ଥିକ ସାହାଯ୍ୟ’ ଭଳି ଯୋଜନା ବହୁ ବର୍ଷ ଧରି କାର୍ଯ୍ୟକ୍ଷମ ହୋଇଥିଲେ ମଧ୍ୟ ନାଗରିକମାନେ ଚିକିତ୍ସା ପାଇଁ ନିଜ ‘ଆୟ ଓ ସଞ୍ଚୟ’ କିମ୍ବା ‘ଋଣ’ ଉପରେ ମୁଖ୍ୟତଃ ନିର୍ଭରଶୀଳ। ଜାତୀୟ ନମୁନା ସର୍ବେକ୍ଷଣ ସଂସ୍ଥା ମଧ୍ୟ ସୂଚାଇ ଦେଇଛନ୍ତି ଯେ ସ୍ୱାସ୍ଥ୍ୟ କ୍ଷେତ୍ରରେ ସର୍ବାଧିକ ଘରୋଇ ଓ ଜନସାଧାରଣ ନିଜ ସୂତ୍ରରୁ ସ୍ୱାସ୍ଥ୍ୟ ପାଇଁ ଖର୍ଚ୍ଚ କରୁଥିବା ରାଷ୍ଟ୍ରମାନଙ୍କ ମଧ୍ୟରେ ଭାରତ ଅଗ୍ରଣୀ। ଏପରିକି ଏହି ସର୍ଭେ ଦ୍ବାରା ଜଣାଯାଇଛି ଯେ ଅନେକ ଗରିବ ଜନସାଧାରଣ ଘରର ସମ୍ପତ୍ତି ବିକ୍ରି ତଥା ସମ୍ପର୍କୀୟମାନଙ୍କଠାରୁ ଋଣ କରି ଚିକିତ୍ସା ଖର୍ଚ୍ଚ ତୁଲାଇ ଥାନ୍ତି।
୨୦୧୩-୧୪ ଜାତୀୟ ସ୍ୱାସ୍ଥ୍ୟ ହିସାବ ତଥ୍ୟ ଅନୁସାରେ ଘରୋଇ ସ୍ୱାସ୍ଥ୍ୟ ଖର୍ଚ୍ଚ ୩୦୬୯୩୮ କୋଟି ଟଙ୍କା। ଅର୍ଥାତ, ଏହି ଅର୍ଥ ଜନସାଧାରଣ ନିଜ ପକେଟରୁ ଖର୍ଚ୍ଚ କରିଥାନ୍ତି ଏବଂ ଏହି ଅର୍ଥ ମଧ୍ୟରେ ବୀମା ଖର୍ଚ୍ଚ ବାବଦକୁ ୧୬୦୦୬କୋଟି ଟଙ୍କା ସହିତ ଚିକିତ୍ସା ପାଇଁ ୨୯୦୯୩୨ କୋଟି ଟଙ୍କା ଦେଇଥାନ୍ତି। ଆହୁରି ମଧ୍ୟ ଦେଖାଯାଇଛି ଯେ ମୋଟ ଚିକିତ୍ସା ପାଇଁ ହେଉଥିବା ଅର୍ଥ ମଧ୍ୟରୁ ସର୍ବାଧିକ ୫୫ପ୍ରତିଶତ ଅର୍ଥ ବହିର୍ବିଭାଗ ପାଇଁ ଜନସାଧାରଣ ବହନ କରିଥାନ୍ତି। କେବଳ ୩୨ ଭାଗ ଖର୍ଚ୍ଚ ଡାକ୍ତରଖାନାରେ ଦାଖଲ ହୋଇ ଚିକିତ୍ସା ବାବଦରେ ବହନ କରିଥାନ୍ତି। ସ୍ୱାସ୍ଥ୍ୟ ବୀମା ଏବଂ ଆର୍ଥିକ ସାହାଯ୍ୟ କେବଳ ଡାକ୍ତରଖାନାରେ ଦାଖଲ ହୋଇଥିବା ରୋଗୀଙ୍କ ପାଇଁ ଉଦ୍ଦିଷ୍ଟ। ଅତଏବ, ମୁଖ୍ୟ ଭାଗ ସ୍ୱାସ୍ଥ୍ୟ ଖର୍ଚ୍ଚ ଯାହାକି ବହିର୍ବିଭାଗ ପାଇଁ ଖର୍ଚ୍ଚ ହୋଇଥାଏ, ତାହା ‘ବୀମା’ ତଥା ‘ଆର୍ଥିକ ସାହାଯ୍ୟ’ ଭଳି ଯୋଜନା ଦ୍ବାରା ସମାଧାନ ହୋଇପାରିବ ନାହିଁ। ଭାରତୀୟ ଜନସ୍ୱାସ୍ଥ୍ୟ ପ୍ରତିଷ୍ଠାନ ଦ୍ବାରା କରାଯାଇଥିବା ଗବେଷଣାରୁ ଜଣାଯାଇଛି ଯେ ଓଡିଶାରେ ସ୍ୱାସ୍ଥ୍ୟ ପାଇଁ ହେଉଥିବା ମୋଟ ଖର୍ଚ୍ଚ ଶତକଡା ୭୬ ଭାଗ ଜନସାଧାରଣ ନିଜ ପକେଟରୁ କରିଥାନ୍ତି। ଗବେଷଣାରୁ ମଧ୍ୟ ଦେଖାଯାଇଛି ଯେ ଏହି ଖର୍ଚ୍ଚ ବହନ କରିବା ପାଇଁ ଅନେକ ପରିବାର ଗରିବ ସ୍ଥିତିକୁ ଚାଲି ଯାଇଥାନ୍ତି ।ତଥ୍ୟରୁ ଜଣାଯାଏ ଯେ ଭାରତରେ ଶତକଡା ୭୦ଭାଗ (ସହରରେ ୭୯ ଭାଗ ଓ ଗ୍ରାମାଞ୍ଚଳରେ ୭୨ ଭାଗ) ଲୋକ ସରକାରୀ ସ୍ୱାସ୍ଥ୍ୟ ଅନୁଷ୍ଠାନରେ ଚିକିତ୍ସିତ ହୋଇଥାନ୍ତି। ଆସାମ, ଓଡିଶା, ରାଜସ୍ଥାନ ଓ ତାମିଲନାଡୁ ଆଦି ରାଜ୍ୟର ଗ୍ରାମାଞ୍ଚଳରେ ଅପେକ୍ଷାକୃତ ଅଧିକ ପ୍ରତିଶତ ଲୋକ ସରକାରୀ ଚିକିତ୍ସା ପାଇଁ ଯାଇଥାନ୍ତି। ଆସାମ ଗ୍ରାମାଞ୍ଚଳରେ ସର୍ବାଧିକ ୮୪ଭାଗ ଚିକିତ୍ସା ସରକାରୀ ଡାକ୍ତରଖାନାରେ ହେଉଥିବା ସ୍ଥଳେ ଓଡିଶା, ରାଜସ୍ଥାନ ଓ ତାମିଲନାଡୁ ଗ୍ରାମାଞ୍ଚଳରେ ଯଥାକ୍ରମେ ୭୬, ୪୪ ଓ ୪୨ ପ୍ରତିଶତ ଚିକିତ୍ସା ସରକାରୀ ଡାକ୍ତରଖାନାରେ ହୋଇଥାଏ। ତେଣୁ ଏଥିରୁ ସ୍ପଷ୍ଟ ଯେ ଏବେ ମଧ୍ୟ ସରକାରୀ ଡାକ୍ତରଖାନା ଉପରେ ଦେଶର ଜନସାଧାରଣଙ୍କର ଯଥେଷ୍ଟ ନିର୍ଭରଶୀଳତା ରହିଛି। ବିଶେଷ କରି ଓଡିଶା ଭଳି ଆଦିବାସୀବହୁଳ ରାଜ୍ୟରେ ଘରୋଇ ସୁବିଧା ସବୁ ସ୍ଥାନରେ ପହଞ୍ଚି ପାରୁନି। ଘରୋଇ ଡାକ୍ତରଖାନାଗୁଡିକ ବ୍ୟାବସାୟିକ ପ୍ରତିଷ୍ଠାନ। ତେଣୁ ଏହି ଭଳି ପ୍ରତିଷ୍ଠାନଗୁଡିକ ଗ୍ରାମୀଣ ତଥା ଆଦିବାସୀ ଅଞ୍ଚଳରେ କଲ୍ୟାଣମୂଳକ ସେବା ପ୍ରଦାନ କଲେ ବ୍ୟାବସାୟିକ ଦୃଷ୍ଟିକୋଣରୁ ଲାଭବାନ ହେବେ ନାହିଁ। ଅତଏବ, କେବଳ ସରକାର ହିଁ ଏହି ସବୁ ଅଞ୍ଚଳରେ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ପ୍ରଦାନ କରି ପାରିବେ। ଯାହା ବି କିଛି ଆଦିବାସୀ ବହୁଳ ଅଞ୍ଚଳରେ ଛୋଟଛୋଟ ସହରମାନଙ୍କରେ ଅଛି ସେମାନଙ୍କ ନିକଟରେ ଦୂରଦୂରାନ୍ତରୁ ଆସୁଥିବା ଲୋକମାନଙ୍କ ପାଇଁ ଅପହଞ୍ଚ। ଏ ସ୍ଥିତିରେ ବହୁଚର୍ଚ୍ଚିତ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କର ସ୍ୱାସ୍ଥ୍ୟ ଯୋଜନା କେତେ ଦୂର କାର୍ଯ୍ୟ କରିପାରିବ ତାହା ଚିନ୍ତାର ବିଷୟ। କାରଣ ଅନେକ ଚିକିତ୍ସା ପାଇଁ ଘରୋଇ ବ୍ୟବସ୍ଥା ଉପରେ ନିର୍ଭର କରିବାକୁ ପଡିବ।
ଅନ୍ୟ ଏକ ଚିନ୍ତାର ବିଷୟ ହେଉଛି ଯେ ୨୦୧୪ ସର୍ଭେ ଅନୁସାରେ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବୀମା ଯୋଜନା ୮୬ ଭାଗ ଗ୍ରାମୀଣ ଓ ୮୨ ଭାଗ ସହରାଞ୍ଚଳ ଲୋକଙ୍କ ନିକଟରେ ପହଞ୍ଚି ପାରିନାହିଁ। ଗ୍ରାମର ଗରିବ ଲୋକମାନେ ଏହି ଯୋଜନାଦ୍ବାରା ପଞ୍ଜୀକୃତ ହୋଇଥିଲେ ମଧ୍ୟ ମାତ୍ରାଧିକ ପ୍ରକ୍ରିୟା ପାଇଁ ଏହାର ସୁବିଧା ନେବା କାଠିକର ପାଠ। ଦେଖାଯାଇଛି ଯେ ବୀମା ଯୋଜନାରେ ଦେଶରେ ମୋଟ ପଞ୍ଜୀକୃତଙ୍କ ମଧ୍ୟରୁ ମାତ୍ର ୩ ଶତକଡା ଓ ଓଡିଶାରେ ୨ ଶତକଡା ଲୋକ ଚିକିତ୍ସା ଅର୍ଥ ପାଇଥାନ୍ତି। ତେଣୁ ବାକି ୯୮ପ୍ରତିଶତ ଯୋଜନାରେ ପଞ୍ଜିକୃତ ହିତାଧିକାରୀଙ୍କ ବୀମା ପ୍ରିମିୟମ ଅର୍ଥ ବୀମା କମ୍ପାନୀଙ୍କ ନିକଟକୁ ଯାଇଥାଏ। ସେହିପରି ଅନ୍ୟ ଏକ ଅନୁସନ୍ଧାନରୁ ଜଣାଯାଇଛି ଯେ ‘ଓଡିଶା ରାଜ୍ୟ ଚିକିତ୍ସା ପାଣ୍ଠି’ରୁ ୨୦୧୬-୧୭ରେ ମାତ୍ର ୧୪,୪୧୦ ରୋଗୀ ସୁବିଧା ପାଇଛନ୍ତି ଓ ଏଥି ପାଇଁ ମାତ୍ର ୩୫ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ୨୦୧୫-୧୬ ରେ ଏହି ସଂଖ୍ୟା ୧୪୫୫୯ ଥିଲା। ୨୦୧୭-୧୮ ଓଡିଶା ଅର୍ଥନୈତିକ ସର୍ଭେ ଅନୁସାରେ ବୀମା ଓ ଚିକିତ୍ସା ପାଣ୍ଠିରୁ ମାତ୍ର ୨୮୧୩୪ ରୋଗୀ ସୁବିଧା ନେଇଛନ୍ତି। ଓଡିଶାର ଜନସଂଖ୍ୟା ଓ ରୋଗୀ ସଂଖ୍ୟାକୁ ଦେଖିଲେ ଏହି ସୁବିଧା ନେଉଥିବା ରୋଗୀଙ୍କ ସଂଖ୍ୟା ଅତି ନଗଣ୍ୟ। ତେଣୁ, କେନ୍ଦ୍ର ଓ ରାଜ୍ୟ ସରକାର ଏହି ଭଳି ଯୋଜନା ପ୍ରଣୟନ କରି ଜନସ୍ୱାସ୍ଥ୍ୟ ସେବାରେ ଉନ୍ନତି ଆଣିପାରିବେ ନାହିଁ। ଓଡିଶା ରାଜ୍ୟ ଚିକିତ୍ସା ପାଣ୍ଠିର ଖର୍ଚ୍ଚକୁ ଲକ୍ଷ୍ୟ କଲେ ଦେଖାଯାଏ ଯେ ମୁଣ୍ଡ ପିଛା ଖର୍ଚ୍ଚ ୨୪୦୦୦ଟଙ୍କା। ପ୍ରସ୍ତାବିତ ଯୋଜନାରେ ଓଡିଶାର ୭୦ଲକ୍ଷ ପରିବାରଙ୍କୁ ଚିକିତ୍ସା ସାହାଯ୍ୟ ଦେବାକୁ ଦାବି କରାଯାଉଛି। ଏଥିପାଇଁ କୌଣସି ସମୟ ଅବଧି ରଖା ନ ଯାଇଥିଲେ ମଧ୍ୟ ଅତୀତର ଖର୍ଚ୍ଚକୁ ଦେଖିଲେ ଏଥିପାଇଁ ମୋଟ ୮୪ ହଜାର କୋଟି ଟଙ୍କା ଆବଶ୍ୟକତା ଆସିବ। ଏହି ଅର୍ଥ ବର୍ତ୍ତମାନର ସ୍ୱାସ୍ଥ୍ୟ ବିଭାଗ ପାଇଁ ହେଉଥିବା ବ୍ୟୟ ବରାଦର ପାଖାପାଖି ପନ୍ଦର ଗୁଣ। ଅତଏବ ଖାଲି ଯୋଜନା କରିଦେଲେ ହେବନାହିଁ, ଏଥିସହିତ ଆବଶ୍ୟକ ବ୍ୟୟ ବରାଦ ବିଭିନ୍ନ ବର୍ଷରେ କେତେ ଲେଖାଏ କରିବେ ସେନେଇ ଘୋଷଣା କରିବ ଦରକାର। ଆହୁରି ମଧ୍ୟ ଏଥିସହିତ ଜଡିତ ପ୍ରକ୍ରିୟାକୁ ସରଳୀକରଣ କରିବାର ଆବଶ୍ୟକତା ରହିଛି। ଅନ୍ୟ ପକ୍ଷରେ, ରାଜ୍ୟରେ ଆବଶ୍ୟକସଂଖ୍ୟକ ଡାକ୍ତର ଅଭାବ ରହିଛି। ରାଜ୍ୟରେ ପ୍ରତି ଏଲୋପାଥିକ ଡାକ୍ତର ପିଛା ୧୩୫୦୦ ଲୋକ ନିର୍ଭର କରୁଛନ୍ତି। ଏଥିସହିତ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ଅନୁଷ୍ଠାନମାନଙ୍କରେ ମାନବସମ୍ବଳ ସହିତ ଭିତ୍ତିଭୂମିର ଅଭାବ ପରିଲକ୍ଷିତ ହେଉଛି। ସମୟସମୟରେ ପରିସଂଖ୍ୟାନରେ ଯେତେ ଉନ୍ନତ ଦେଖାଯାଉଥିଲେ ମଧ୍ୟ ପ୍ରକୃତ ପକ୍ଷେ ତୃଣମୂଳ ସ୍ତରରେ ଗୁଣାତ୍ମକ ସ୍ୱାସ୍ଥ୍ୟ ମିଳିବା ଏକ ପ୍ରକାର ସ୍ବପ୍ନ ହୋଇଯାଇଛି। ଅନେକ ସମୟରେ ଦୁର୍ଗମ ଅଞ୍ଚଳର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରମାନଙ୍କରେ ଡାକ୍ତର ଅଭାବ ଓ ଅନୁପସ୍ଥିତିରେ ସ୍ୱାସ୍ଥ୍ୟକର୍ମୀମାନେ ହିଁ ସହାୟକ ହୋଇଥାନ୍ତି। ସର୍ବନିମ୍ନ ସୁବିଧା ଅଭାବରୁ ଅନେକ ରୋଗୀ ମୃତ୍ୟୁ ମୁଖରେ ପଡିଥାନ୍ତି। ତେଣୁ, ସରକାର ଟିକସଦାତାଙ୍କ ଅର୍ଥକୁ ନେଇ ଏହିଭଳି ପ୍ରତିଯୋଗିତାମୂଳକ ଓ ଲୋକପ୍ରିୟତା ଉଦ୍ଦେଶ୍ୟରେ ଯୋଜନା ନକରି ଅନ୍ତତଃ ପକ୍ଷେ ଲୋକଙ୍କ ନିକଟରେ କିଭଳି ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ପହଞ୍ଚିବ ସେ ନେଇ ବ୍ୟବସ୍ଥିତ ତଥା ଦୀର୍ଘସ୍ଥାୟୀ ଯୋଜନା କରନ୍ତୁ।