www.samajalive.in
Saturday, December 6, 2025
16.1 C
Bhubaneswar

ତିନି ତଲାକ ବିରୋଧରେ

ତଲାକ-ଏ-ବିଦ୍ଦତ୍‌ ବା ତତ୍କାଳ ତିନି ତଲାକ ଏବେ ଦଣ୍ଡନୀୟ ଅପରାଧ ହେବ। ବୁଧବାର ସରକାର ଏ ସମ୍ପର୍କିତ ଅଧ୍ୟାଦେଶକୁ ମଞ୍ଜୁରୀ ଦେଇଛନ୍ତି। ସରକାରଙ୍କୁ ଏଭଳି ପଦକ୍ଷେପ ବାଧ୍ୟହୋଇ ନେବାକୁ ପଡ଼ିଛି, କାରଣ ଗତବର୍ଷ ସର୍ବୋଚ୍ଚ ନ୍ୟାୟାଳୟ ମୁସଲମାନ ସମାଜରେ ପ୍ରଚଳିତ ଏହି କୁପ୍ରଥାକୁ ଅବୈଧ ଘୋଷିତ କରିବା ପରେ ମଧ୍ୟ ସେପରି ବହୁ ଘଟନା ଲୋକଲୋଚନକୁ ଆସିଥିଲା। ଲୋକେ ସାଧାରଣ କଥାରେ ମଧ୍ୟ ନିଜ ପତ୍ନୀକୁ ତିନିଥର ତଲାକ୍ କହି ବିବାହ ବିଚ୍ଛେଦ ଘଟାଉଥିଲେ। ସରକାର ଗତବର୍ଷ ଏ ସମ୍ପର୍କିତ ବିଧେୟକ ‘ମୁସଲମାନ ମହିଳା (ବିବାହ ଅଧିକାର ସୁରକ୍ଷା) ବିଧେୟକ-୨୦୧୭’କୁ ଉପସ୍ଥାପିତ କରିଥିଲେ ଓ ଲୋକସଭାରେ ଗୃହୀତ ମଧ୍ୟ କରାଇ ନେଇଥିଲେ; କିନ୍ତୁ ରାଜ୍ୟସଭାରେ ଏହା ଅଟକିଯାଇଥିଲା। ରାଜ୍ୟସଭାରେ ଏହାକୁ ନେଇ ବିରୋଧୀ ଦଳ ଦୁଇଟି ଆପତ୍ତି କରିଥିଲେ: ତିନି ତଲାକ ଦେଉଥିବା ବ୍ୟକ୍ତି ଉପରେ ଆପରାଧିକ ମୋକଦ୍ଦମା ଚଳାଇବା ଏବଂ ଏପରି ମାମଲାରେ ତୁରନ୍ତ ଜାମିନ ନମିଳିବା। ରାଜ୍ୟସଭାରେ ଏହା ଗୃହୀତ ନହୋଇପାରିବା ଯୋଗୁଁ ସରକାର ଏ ନେଇ ଅଧ୍ୟାଦେଶ ଆଣିବା ପ୍ରାୟ ନିଶ୍ଚିତ ହୋଇଯାଇଥିଲା।
ଅଧ୍ୟାଦେଶରେ ତତ୍କାଳ ତିନି ତଲାକ ଅାପରାଧିକ ମାମଲା ଘୋଷିତ ହୋଇଥିବାରୁ ଏବେ ପୀଡ଼ିତା ବା ତାଙ୍କର ନିକଟ ସମ୍ପର୍କୀୟ ପୁଲିସ ନିକଟରେ ଏତଲା ଦାୟର କରିପାରିବେ। ମାମଲାରେ ଅଭିଯୁକ୍ତ ଥାନାରୁ ଜାମିନ ଆଣିପାରିବେ ନାହିଁ ଏବଂ ଏଥିପାଇଁ ତାଙ୍କୁ ଅଦାଲତ ଯିବାକୁ ପଡ଼ିବ। ଏହାର ଅନ୍ୟ ପ୍ରକାର ଅର୍ଥ ହେଉଛି, ତୁରନ୍ତ ଗିରଫଦାରୀ। ଅଦାଲତଙ୍କ ନିଷ୍ପତ୍ତି ପରେ ହିଁ ଅଭିଯୁକ୍ତକୁ ଯାହାକିଛି ଆଶ୍ବସ୍ତି ମିଳିବ। କେତେକଙ୍କୁ ଏଭଳି ନିୟମ ଆବଶ୍ୟକତାଠାରୁ ଅଧିକ କଠୋର ମନେହେଉଥାଇପାରେ, କିନ୍ତୁ କୌଣସି ସାମାଜିକ କୁରୀତିକୁ ଦୂର କରିବାପାଇଁ ଏପରି ପଦକ୍ଷେପ ନେବା ଅସଙ୍ଗତ ନୁହେଁ, ଯଦିଓ ତା’ର କଠୋରତା ବା ନମନୀୟତା ନେଇ ପ୍ରଶ୍ନ ଉଠିବା ସ୍ବାଭାବିକ। ଏହି କାରଣରୁ ହିଁ ସଂସଦରେ ବିଧେୟକ ଉପସ୍ଥାପିତ ହେବା ପରଠାରୁ ଏହାକୁ ନେଇ ବିବାଦ ଉଠିଛି।
ସେ ଯାହାହେଉ, ସରକାର ବି ଜାଣନ୍ତି ଯେ ଅନ୍ତତଃ ସଂସଦରେ ଏହି ଅଧ୍ୟାଦେଶକୁ ଗୃହୀତ କରାଇବାକୁ ପଡ଼ିବ। ଯେଉଁ ବାଧା ଗତଥର ଆସିଥିଲା, ଆଗକୁ ମଧ୍ୟ ଆସିବ ନାହିଁ ବୋଲି କହିହେବ ନାହିଁ। ପ୍ରକୃତ କଥା ହେଲା, ରାଜ୍ୟସଭା ଗଣିତକୁ ଦେଖିଲେ ଏବେ ମଧ୍ୟ ତାହା ସହଜ ମନେହେଉ ନାହିଁ। ଯଦି ଏଥର ଏହା ଗୃହୀତ ହୋଇନପାରିଲା, ତେବେ ଆଗାମୀ ଲୋକସଭାରେ ପୁଣିଥରେ ଏହି ବିଧେୟକକୁ ନୂଆକରି ଉପସ୍ଥାପିତ କରିବାକୁ ପଡ଼ିବ। ଏହି ପ୍ରସଙ୍ଗରୁ ରାଜନୈତିକ ଦଳ ନିର୍ବାଚନୀ ଲାଭ ମଧ୍ୟ ଉଠାଇବାକୁ ଚାହୁଁଥିବା ବିଚିତ୍ର ନୁହେଁ। ନିକଟ ଭବିଷ୍ୟତରେ ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ଅଛି ଓ ସାଧାରଣ ନିର୍ବାଚନ ମଧ୍ୟ ବେଶି ଦୂର ନୁହେଁ। ତେଣୁ କଂଗ୍ରେସ ଅଧ୍ୟାଦେଶକୁ ‘ରାଜନୈତିକ ପଦକ୍ଷେପ’ ବୋଲି କହିଛି। ସେ ଯାହାହେଉ, ଏଥର ଯଦି ବିଧେୟକଟି ସଂସଦରେ ଗୃହୀତ ନହୋଇପାରିବ, ତେବେ ଦେଶର ଲୈଙ୍ଗିକ ନ୍ୟାୟ ପାଇଁ ଏକ ଭଲ ଖବର ହେବନାହିଁ ନିଶ୍ଚୟ।

Hot this week

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

Related Articles

Popular Categories