ସତ୍ୟ, ମିଥ୍ୟା ଓ ସମ୍ବାଦ

0

ପ୍ରଦୀପ ମହାପାତ୍ର

ସୋସିଆଲ ମିଡ଼ିଆରେ ଗୁଜବ ଓ ଅପପ୍ରଚ଼ାର ଆନ୍ତର୍ଜାତିକ ସ୍ତରରେ ୨୦୧୮ ଶେଷ ବେଳକୁ ଏକ ଅମୀମାଂସିତ ସମସ୍ୟାରୂପେ ମୁଣ୍ଡ ଟେକିଛି। ଇଣ୍ଟରନେଟ ସଂଯୁକ୍ତି ପ୍ରସାର, ସୋସିଆଲ ମିଡ଼ିଆର ଲୋକପ୍ରିୟତା ଓ ସର୍ବୋପରି ସାଧାରଣରେ ଆବାଳ-ବୃଦ୍ଧ-ବନିତା ସ୍ମାର୍ଟଫୋନ ଯୋଗେ ଇଣ୍ଟରନେଟ ବ୍ୟବହାର ସମୟ ଅବଧି ବଢ଼ି ଚାଲିଥିବା ଅବସରରେ ଉପସ୍ଥିତ ସଂକଟର ମୁକାବିଲା କରିବା ପ୍ରଯୁକ୍ତି ବିଜ୍ଞାନୀ ଓ ପ୍ରଶାସକମାନଙ୍କ ପାଇଁ ଚ଼ିନ୍ତାର କାରଣ ପାଲଟିଛି। ଏହି ପରିପ୍ରେକ୍ଷୀରେ ପାରମ୍ପରିକ ଗଣମାଧ୍ୟମ ତତ୍ତ୍ୱାବଳୀ ପୁର୍ନଲିଖନର ଆବଶ୍ୟକତା ଅନୁଭୂତ ହୋଇଛି ।
ସମକାଳୀନ ସାମାଜିକ ଜୀବନ ସଂପର୍କରେ ଅଧ୍ୟୟନକୈନ୍ଦ୍ରିକ ପ୍ରକାଶନରେ ଇସ୍ରାଏଲ ଲେଖକ ୟୁଭାଲ ନୋଚ଼ ହାରାରି ଅନ୍ୟତମ ଓ ସେ ହିବ୍ରୁ ଭାଷାରେ ଲେଖନ୍ତି । ୨୦୧୧ରେ ତାଙ୍କରି ରଚ଼ିତ ‘ସୋପିୟନ୍ସ’ ଇଂରାଜୀ ଭାଷାରେ ପ୍ରକାଶିତ ହେବା ପରେ ପ୍ରାୟ ୩୦ଟି ବୈଦେଶିକ ଭାଷାରେ ଅନୂଦିତ ହୋଇଛି। ୨୦୧୬ରେ ପ୍ରକାଶିତ ‘ହୋମୋ ଡ୍ୟୁସ’ ଓ ୨୦୧୮ରେ ପ୍ରକାଶିତ ‘ ‌େ‌ଟ୍ବଣ୍ଟିୱାନ ଲେସନ୍ସ ଫର୍‌​ ‌େଟ୍ୱଣ୍ଟିଫାଷ୍ଟ ସେଞ୍ଚୁରି’ ତାଙ୍କରି ଅନ୍ୟତମ କୃତି। ସେ ‘ସୋପିୟନ୍ସ’ରେ ପ୍ରସ୍ତରଯୁଗରୁ ମାନବସମାଜର ଇତିହାସ ତର୍ଜମା କରିଥିବା ବେଳେ ‘ହୋମୋ ଡ୍ୟୁସ’ରେ ମାନବ ସଭ୍ୟତାର ଭବିଷ୍ୟତ କଳନା କରିଛନ୍ତି ଓ ତାଙ୍କର ପ୍ରଥମ ପୁସ୍ତକଟିର ପ୍ରାୟ ଦଶ ଲକ୍ଷ କପି ବିକ୍ରି ହୋଇଥିବା ଜଣାଯାଏ।
ଏକ ଭାରତୀୟ ଇଂରାଜୀ ସମ୍ୱାଦପତ୍ରକୁ ୨୦୧୮ ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଇ-ମେଲ ସାକ୍ଷାତକାରରେ ହାରାରି ସୂଚ଼ନା, ତଥ୍ୟ ଓ ସମ୍ୱାଦର ଗୁରୁତ୍ୱ ବର୍ଣ୍ଣନା କରିଛନ୍ତି। ଅତୀତରେ ଜମିଜମା ସମ୍ପତ୍ତିରୂପେ ପରିଗଣିତ ହେଉଥିଲା, ପରବର୍ତ୍ତୀ ଅବସ୍ଥାରେ କଳକାରଖାନା ସମ୍ପତ୍ତିର ଉତ୍ସ ପାଲଟିଲା। ତେବେ ଏକବିଂଶ ଶତାବ୍ଦୀରେ ତଥ୍ୟ ବା ‘ଡ଼ାଟା’ ସର୍ବଶ୍ରେଷ୍ଠ ସମ୍ପତ୍ତିର ମାନ୍ୟତା ପାଇଛି ଓ ତଥ୍ୟକୁ ନେଇ ବ୍ୟାବସାୟିକ ଓ ରାଜନୀତିକ ପ୍ରାଧାନ୍ୟ ବିସ୍ତାରିତ ହେବାରେ ଲାଗିଛି। ଏହି ଧାରା ଭବିଷ୍ୟତରେ ଉଗ୍ରରୂପ ଧାରଣ କରିବ। ତଥ୍ୟକୁ ଗୁରୁତ୍ୱ ଦିଆଯିବା ବେଳେ ସତ୍ୟ ଓ ମିଥ୍ୟା ତଥା ସଦୁପଯୋଗ ଓ ଦୁରୁପଯୋଗ ବିଚ଼ାରକୁ ଆସିଥାଏ। ସମ୍ୱାଦର ଗୁଣବତ୍ତା ଆଧୁନିକ ଜୀବନଯାତ୍ରାକୁ ଗଭୀର ପ୍ରଭାବିତ କରୁଥିବା ହେତୁ ସମ୍ୱାଦ ସରବରାହରେ ସତର୍କତା ଜରୁରୀ ମନେହୁଏ।
ହାରାରିଙ୍କ ମତରେ ମାନବସଭ୍ୟତାର ଉନ୍ମେଷ କାଳରୁ ସାମାଜିକ ଜୀବନଯାତ୍ରା ପରିଚ଼ାଳନାରେ ଜନମାନସରେ କଳ୍ପନା ଓ ବାସ୍ତବତା ଯୋଡ଼ି ହୋଇ ରହିଛି । ଧାର୍ମିକ ଜୀବନରେ ଆମେ ବହୁ କଳ୍ପନା ପ୍ରସୂତ ତଥ୍ୟାବଳୀକୁ ବିନା ଦ୍ୱିଧାରେ ଗ୍ରହଣ କରିନେଉ। ସେହିପରି ସମାଜରେ ବ୍ୟାବସାୟିକ ପ୍ରଭାବ ‘କର୍ପୋରେସନାଇଜେସନ’ ଅବସରରେ ମଧ୍ୟ ସଂଗଠନ ଓ ସାଂଗଠନିକ ଜୀବନ ସଂପର୍କରେ ଅନେକ ବିଭ୍ରାନ୍ତିକର ତଥ୍ୟ ଆମ ଚ଼ିନ୍ତାରାଜ୍ୟରେ ବସା ବାନ୍ଧିଥାଏ । ଫଳରେ ଅନେକ କ୍ଷେତ୍ରରେ ସତ୍ୟତାଠାରୁ ଦୂରେଇଯାଉ ।
ସମସାମୟିକ ପରିବେଶକୁ ଲକ୍ଷ୍ୟକରି ହାରାରି କହନ୍ତି ଯେ ଅତୀତରେ ସୂଚ଼ନା ବା ‘ଇନ୍‌ଫର୍ମେସନ’ ଦୁର୍ମୂଲ୍ୟ ଥିଲା। ସମାଜରେ ଖୁବ କମ ଜନସଂଖ୍ୟାଙ୍କ ଅକ୍ତିଆରରେ ବିଭିନ୍ନ ସୂଚ଼ନା ନିୟନ୍ତ୍ରିତ ହେଉଥିଲା ଓ ସୂଚ଼ନାର ସତ୍ୟତା ପରଖିବା ନିମନ୍ତେ ମଧ୍ୟ ସୁବିଧାସୁଯୋଗ ଅଭାବ ଲାଗିରହିଥିଲା। ତେବେ ଏକବିଂଶ ଶତାବ୍ଦୀରେ ସମଗ୍ର ବିଶ୍ୱ ସୂଚ଼ନା-ପ୍ରବଳ ପରିବେଶକୁ ଉତ୍ତୀର୍ଣ୍ଣ ହୋଇଛି । ବିଭିନ୍ନ ସୂତ୍ରରୁ ଏତେମାତ୍ରା, ଏତେ ବେଗ ଏବଂ ଏତେ କିସମର ସୂଚ଼ନା ମନୁଷ୍ୟର ହାତପାଆନ୍ତାରେ ଉପଲବ୍ଧ ଯେ ସେ ଏକ ରକମ ସୂଚ଼ନା-କୈନ୍ଦ୍ରିକ ବିବ୍ରତ-ପରିସ୍ଥିତିରେ ପହଞ୍ଚୁଛି । ଏଥିମଧ୍ୟରୁ ସତ୍ୟ ଓ ମିଥ୍ୟା ଖୋଜି ବାହାର କରିବା ସାଧାରଣ ପାଠକ ପାଇଁ ସମ୍ଭବପର ହୋଇପାରୁ ନାହିଁ ।
ଗଣମାଧ୍ୟମ ପୃଷ୍ଠଭୂମିରେ ପରିବର୍ତ୍ତିତ ପରିବେଶରେ ସମ୍ୱାଦ ପାଠକ, ଶ୍ରୋତା ବା ଦର୍ଶକ କ୍ରମଶଃ ଉପଭୋକ୍ତା ‘କଷ୍ଟମର’ ବଦଳରେ ଉତ୍ପାଦ (ପ୍ରୋଡ଼କ୍ଟ)ରେ ପରିଣତ ହେବାରେ ଲାଗିଛି। ବିଭିନ୍ନ ମଞ୍ଚରେ ଚ଼ାଞ୍ଚଲ୍ୟକର ସମ୍ୱାଦ ପ୍ରକାଶନ ପାଠକଙ୍କ ଦୃଷ୍ଟି ଆକର୍ଷଣ କରିଥାଏ ଓ ଅଧିକାଂଶ କ୍ଷେତ୍ରରେ ଏଭଳି ସମ୍ୱାଦ ଆହରଣ କରିବା ମାଗଣା କିମ୍ୱା ନାମକୁ ମାତ୍ର ମୂଲ୍ୟ ଦେବାକୁ ପଡ଼ିଥାଏ। ତେବେ ସମ୍ୱାଦରେ ମନୋନିବେଶ କରିବା ଅବସରରେ ପାଠକ, ଶ୍ରୋତା ବା ଦର୍ଶକ ତା’ ଅଜାଣତରେ ବିଜ୍ଞାପନ ଓ ରାଜନୀତିଜ୍ଞଙ୍କଠାରେ ପ୍ରକାଶକଙ୍କ ଦ୍ୱାରା ବିକ୍ରି ହୋଇସାରିଥାଏ । ଅର୍ଥାତ ଚ଼ାଞ୍ଚଲ୍ୟକର ସମ୍ୱାଦ ସହ ସ୍ଥାନିତ ବ୍ୟାବସାୟିକ ବିଜ୍ଞାପନ ଓ ସମ୍ୱାଦ ପ୍ରଯୋଜନାରେ ରାଜନୀତିକ ଦୃଷ୍ଟିକୋଣ ଅପମିଶ୍ରଣରେ ପ୍ରଭାବିତ ହୋଇପଡ଼େ।
ବିଶ୍ୱବ୍ୟାପୀ ସମ୍ୱାଦ ପରିବେଷଣର ପ୍ରଚଳିତ ଧାରା ‘ମଡ଼େଲ’ ବିଜ୍ଞାପନକୈନ୍ଦ୍ରିକଭାବେ ଗଢ଼ି ଉଠିଥିବା ହେତୁ ତଥା ସମ୍ୱାଦ ଶିଳ୍ପ ବୃହତ ବ୍ୟବସାୟରେ ପରିଣତ ହୋଇଥିବା କାରଣରୁ ସମ୍ୱାଦ ଆଙ୍ଗିକରେ ସତ୍ୟତା ପରିସ୍ପୁଟନ ସ୍ଥଳବିଶେଷରେ ସମସ୍ୟାବହୁଳ ହେବା ସ୍ୱାଭାବିକ। ଏଥି ସହ ଶିଳ୍ପବିପ୍ଳବ ଅବସରରେ ସମ୍ୱାଦ ଶିଳ୍ପ ଓ ଗଣତନ୍ତ୍ର ଉଭୟ ଏକ ସମୟରେ ବିକଶିତ ହୋଇଥିବା ତଥା ପରିପୂରକଭାବେ କାର୍ଯ୍ୟକ୍ଷମ ଥିବା ହେତୁ ସାମ୍ୱାଦିକତାର ପରିଧିରେ ରାଜନୀତିକ ପ୍ରଭାବ ମୂଳରୁ ବଳବତ୍ତର ରହିଛି । କେତେକ କ୍ଷେତ୍ରରେ ସମ୍ୱାଦଶିଳ୍ପ ଗଣତନ୍ତ୍ରର ସୁରକ୍ଷା କବଚ ପ୍ରମାଣିତ ହେଉଥିବା ସ୍ଥଳେ କେତେକ କ୍ଷେତ୍ରରେ ଗଣତନ୍ତ୍ର ଲାଗି ବିପଦ ଘଣ୍ଟି ଶୁଣାଉଛି।
ସୋସିଆଲ ମିଡ଼ିଆର ପ୍ରଚଳନ ପୂର୍ବରୁ ବୃତ୍ତିଧାରୀ ନଚ଼େତ ଅନ୍ତତଃପକ୍ଷେ ଅଭିଜ୍ଞ ସାମ୍ୱାଦିକମାନେ ସମ୍ୱାଦ ରଚ଼ନା ଓ ପ୍ରକାଶନରେ ସଂପୃକ୍ତ ରହୁଥିଲେ। ସାମ୍ୱାଦିକତା ପ୍ରଶାସନିକ ସ୍ୱୀକୃତି ହାସଲ କରୁଥିଲା ଏବଂ ଉତ୍ତରଦାୟୀ ରହୁଥିଲା । ତେବେ ସୋସିଆଲ ମିଡ଼ିଆରେ ପ୍ରକାଶନ ସମସ୍ତ ଉପଭୋକ୍ତାଙ୍କ ନିମନ୍ତେ ଉନ୍ନୁକ୍ତ ରହିବା ତଥା ଏଭଳି ମଞ୍ଚରେ ସମ୍ୱାଦ ପରିବେଷଣ ନିମନ୍ତେ ଅଭିଜ୍ଞତା, ତାଲିମ ବା ଅନୁଶାସନର ଆବଶ୍ୟକତା ନଥିବା ହେତୁ ସ୍ଥଳବିଶେଷରେ ସମ୍ୱାଦ ପ୍ରସାରଣଜନିତ ଜଟିଳ ଅବସ୍ଥା ସୂତ୍ରପାତ ହେଉଛି। ବ୍ୟାବସାୟିକ ପ୍ରଭାବମୁକ୍ତ ପରିବେଶ ଅଗ୍ରଣୀ ସାମ୍ୱାଦିକତା ‘ଇଲାଇଟ ଜର୍ଣ୍ଣାଲିଜମ’ ପ୍ରଚଳନରେ ସହାୟକ ହେବା ଆଶା କରାଯାଏ। ଏଥି ନିମନ୍ତେ ବିଜ୍ଞାପନ, ରାଜନୀତିକ କିମ୍ୱା ବ୍ୟାବସାୟିକ ପୃଷ୍ଠପୋଷକତା ବିନା ଗ୍ରାହକ ଚ଼ାନ୍ଦା ପରିପୁଷ୍ଟ ଧାରାର ପ୍ରଚ଼ଳନ ଆବଶ୍ୟକ। ସତ୍ୟନିଷ୍ଠ ଉତ୍ତମ ସାଂବାଦିକତା ପ୍ରଯୋଜନା ନିମନ୍ତେ ଅର୍ଥ, ସମୟ ଓ ପ୍ରତିଭା ପ୍ରୟୋଜନ ଓ ଏହାକୁ ଉପଭୋକ୍ତାମାନେ ଭରଣା କରିବା ଯୁକ୍ତିଯୁକ୍ତ।
ପ୍ରଶ୍ନ ଉଠେ ସାଧାରଣ ବ୍ୟକ୍ତି ଭଲ ଖାଦ୍ୟ, ପୋଷାକ ତଥା ଜୀବନଯାତ୍ରା ପାଇଁ ପଇସା ଖର୍ଚ୍ଚ କରିପାରୁଥିବା ସ୍ଥଳେ ଉତ୍ତମ ସମ୍ୱାଦ ଉତ୍ପାଦ ଆହରଣ ନିମନ୍ତେ କାହିଁକି ଖର୍ଚ୍ଚ କରିପାରିବେ ନାହିଁ ? ସମ୍ୱାଦ ମାଗଣା କିମ୍ୱା ଶସ୍ତାରେ ଉପଲବ୍ଧ ଥିବାବେଳେ ଲୋକେ କାହିଁକି ଏଥି ନିମନ୍ତେ ଅର୍ଥ ବ୍ୟୟ କରିବେ ବୋଲି ଭାବିବା ଠିକ ହେବ ନାହିଁ ।
ସତ୍ୟ, ମିଥ୍ୟା ଓ ସମ୍ୱାଦର ତ୍ରିଭୁଜରେ ସାମ୍ୱାଦିକତା ଉନ୍ମେଷ କାଳରୁ ସହାବସ୍ଥାନ କରି ଆସିଥିଲେ ହେଁ ପ୍ରଯୁକ୍ତି ବିଜ୍ଞାନର ସଦ୍ୟତମ ଉଦ୍ଭାବନମାନ ଉପଯୋଗ ସାମାଜିକ ବିଭ୍ରାଟର କାରଣ ପାଲଟୁଛି ଓ ଏହାର ଉପଶମରେ ବୈଷୟିକ ଜ୍ଞାନ, ପ୍ରଶାସନିକ ନୀତିନିୟମ ଓ ଉପଭୋକ୍ତାଙ୍କ ସଚ଼େତନତାର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଆଶା କରାଯାଇପାରେ।
ପ୍ରାକ୍ତନ ସାମ୍ୱାଦିକତା ବିଭାଗ ମୁଖ୍ୟ,
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ
pradeep.mahapatra@gmail.com

Leave A Reply