ଜାତିସଙ୍ଘର ମାନବ ବିକାଶ ସୂଚକାଙ୍କ(ଏଚ୍ଡିଆଇ)ରେ ଗତବର୍ଷଠାରୁ ଭାରତ ମାତ୍ର ଗୋଟିଏ ସ୍ଥାନ ଉଚ୍ଚକୁ ଉଠି ୧୩୦ରେ ପହଞ୍ଚିଛି। ଏଥିରୁ ଆମ ଦେଶରେ ମାନବ ବିକାଶର ମାତ୍ରା କେତେ ମନ୍ଥର, ତାହା ସହଜେ ଅନୁମେୟ। ଭାରତ ବିଶ୍ବର ସବୁଠୁ ଦ୍ରୁତ ଅଗ୍ରଗାମୀ ଅର୍ଥବ୍ୟବସ୍ଥା ମଧ୍ୟରୁ ଗୋଟିଏ ବୋଲି କୁହାଯାଉଛି; କିନ୍ତୁ ମାନବ ବିକାଶ ସୂଚକାଙ୍କରେ ଏତେ ପଛରେ ରହିବା ଆମ ସଭିଙ୍କ ପାଇଁ, ବିଶେଷତଃ ଆମ ନେତୃତ୍ବ ପାଇଁ ଚିନ୍ତାର ବିଷୟ ହେବା ଉଚିତ। ଆମେ ସମ ବିକାଶ କ୍ଷେତ୍ରରେ ମଧ୍ୟ ବହୁତ ଦୂରରେ, ତାହା କହିବା ବାହୁଲ୍ୟ।
ଜାତିସଙ୍ଘ ବିକାଶ କାର୍ଯ୍ୟକ୍ରମ (ୟୁଏନ୍ଡିପି) ଦ୍ବାରା ସଦ୍ୟ ପ୍ରକାଶିତ ମାନବ ବିକାଶ ସୂଚକାଙ୍କ ଅନୁସାରେ ଭାରତ ମୋଟ ୧୮୯ଟି ଦେଶ ମଧ୍ୟରେ ୧୩୦ ସ୍ଥାନରେ ରହିଛି। ଏହି ରିପୋର୍ଟରେ କୁହାଯାଇଛି ଯେ ଗତବର୍ଷର ଏଚ୍ଡିଆଇ ମୂଲ୍ୟ ୦.୬୩ ତୁଳନାରେ ଏଥର ଏହା ୦.୬୪ ମପାଯାଇଛି, ଯେଉଁ କାରଣରୁ ଭାରତକୁ ମଧ୍ୟମ ମାନବ ବିକାଶଯୁକ୍ତ ଶ୍ରେଣୀରେ ରଖାଯାଇଛି। ୧୯୯୦ ମସିହାେର ଭାରତର ଏଚ୍ଡିଆଇ ମୂଲ୍ୟ ୦.୪୩ ଥିବାବେଳେ ୨୦୧୭ରେ ୦.୬୪କୁ ଛୁଇଁଛି। ସେହିପରି ୧୯୯୦ରେ ଭାରତୀୟଙ୍କ ହାରାହାରି ପରମାୟୁ ୫୭.୯ ବର୍ଷ ଥିବାବେଳେ ୨୦୧୭ ବେଳକୁ ଏହା ୬୮.୮ ବର୍ଷରେ ପହଞ୍ଚିଛି। ଭାରତର ମୁଣ୍ଡପିଛା ଆୟରେ ମଧ୍ୟ ଏହି ସମୟ ମଧ୍ୟରେ ୧,୭୩୩ ଡଲାରରୁ ବୃଦ୍ଧିପାଇ ୬,୩୫୩ ଡଲାର ହୋଇଛି। ଅତଏବ ପ୍ରଗତି ଯେ ଆଦୌ ହୋଇନାହିଁ, ତାହା ନୁହେଁ; କିନ୍ତୁ ବିଶ୍ବର ଅନ୍ୟ ଦେଶ ତୁଳନାରେ ଯେତିକି ହେବାକଥା ହୋଇନାହିଁ।
ସବୁଠୁ ଗୁରୁତ୍ବପୂର୍ଣ୍ଣ ବିଷୟ ହେଲା, ବିକାଶର ରାସ୍ତାରେ ବଡ଼ ପ୍ରତିବନ୍ଧକ ଭାବେ ଛିଡ଼ା ହୋଇଛି ଅସମାନତା। ୟୁଏନଡିପି ରିପୋର୍ଟରେ ମଧ୍ୟ ଏ ବିଷୟରେ କୁହାଯାଇଛି ଯେ ଅସମାନତା କାରଣରୁ ଭାରତର ଏଚ୍ଡିଆଇ ମୂଲ୍ୟରେ ୨୬.୮ ଶତାଂଶ କ୍ଷତି ହୋଇଛି, ଯାହା ଦକ୍ଷିଣ ଏସୀୟ ଦେଶଗୁଡ଼ିକରେ ସର୍ବାଧିକ। ଏହି କାରଣରୁ ବିକାଶର ଗତି ଦ୍ରୁତ ହୋଇଛି ବୋଲି କୁହାଗଲେ ହେଁ ତା’ର ଲାଭ ସମାଜର ସବୁ ବର୍ଗର ଲୋକଙ୍କ ପାଖରେ ପହଞ୍ଚି ପାରିନାହିଁ। ଆମ ଦେଶର ଜନସଂଖ୍ୟାର ବହୁତ ବଡ଼ ଭାଗ ଏବେମଧ୍ୟ ମୌଳିକ ସୁବିଧାସୁଯୋଗରୁ ବଞ୍ଚିତ।
ଆମ ଦେଶରେ ଅସମାନତା କେତେ ଭୟଙ୍କର ଭାବେ ବ୍ୟାପ୍ତ, ତାହା ପରିସଂଖ୍ୟାନ ଦେଖିଲେ ମଧ୍ୟ ଜଣାପଡ଼େ। ଅକ୍ସଫାମର ଏକ ରିପୋର୍ଟ ଅନୁସାରେ, ୨୦୧୭ରେ ଯେତିକି ସମ୍ପତ୍ତି ସୃଷ୍ଟି ହୋଇଥିଲା, ତା’ର ୭୩ ଶତାଂଶ ଦେଶର ୧ ଶତାଂଶ ଧନାଢ୍ୟ ଲୋକଙ୍କ ହାତକୁ ଚାଲିଯାଇଥିବାବେଳେ ନିମ୍ନବର୍ଗୀୟ ୬୭ କୋଟି ଭାରତୀୟଙ୍କୁ ଏହି ସମ୍ପତ୍ତିର ମାତ୍ର ୧ ଶତାଂଶ ହିଁ ମିଳିଥିଲା। ଏଥିରେ ସନ୍ଦେହ ନାହିଁ ଯେ ଗତ କେଇବର୍ଷ ଭିତରେ କିଛି ଲୋକ ଦାରିଦ୍ର୍ୟ ସୀମାରେଖା ଉପରକୁ ଉଠିଛନ୍ତି; ମାତ୍ର ତାହା ଯଥେଷ୍ଟ ନୁହେଁ। ମଧ୍ୟବର୍ଗର ଯେଉଁ ବୃଦ୍ଧି ହେବା କଥା, ତାହା ହୋଇପାରିନାହିଁ। ଏଥିପାଇଁ ଆମ ଆର୍ଥିକ ନୀତିରେ ପରିବର୍ତ୍ତନ ଆଣିବା ନିମନ୍ତେ କ’ଣ କରିବାକୁ ହେବ, ତାହା ସ୍ଥିର କରିବା ଜରୁରୀ। ସରକାରୀ କଲ୍ୟାଣକାରୀ ଯୋଜନାଗୁଡ଼ିକୁ ସରକାର କିଭଳି ସମସ୍ତଙ୍କ ପାଖରେ ପହଞ୍ଚାଇବେ, ତା’ ଉପରେ ମଧ୍ୟ ମାନବ ବିକାଶ ଅନେକଟା ନିର୍ଭର କରେ; ତେଣୁ ସେଥିପ୍ରତି ଦୃଷ୍ଟି ଦିଆଯିବା ଆବଶ୍ୟକ।
ଅସମାନ ବିକାଶ
Popular Categories



