ଖଣି ସଚିବଙ୍କ ଘରୁ ନଗଦ ୧୯ କୋଟି ଜବତ

ରାଞ୍ଚି : ଝାଡଖଣ୍ଡର ଜଣେ ଆଇଏଏସ୍‌ ଅଧିକାରୀଙ୍କ ଦୁଇ ସହଯୋଗୀଙ୍କ ଘରୁ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ନଗଦ ୧୯ କୋଟି ଟଙ୍କା ଜବତ କରିଛି। ପେଟି ପେଟି ୫୦୦, ୨୦୦ ଓ ୧୦୦ ଟଙ୍କିଆ ବିଡ଼ା ବିଡ଼ା ନୋଟ୍‌କୁ ଇଡି ଜବତ କରିବା ସହିତ ଏହାକୁ ଗଣିବା ଲାଗି ଦୁଇଟି ଟଙ୍କା ଗଣା ମେସିନ୍‌ର ସହାୟତା ନେଇଥିବା ଜଣାପଡିଛି। ଏହି ଅଭିଯୁକ୍ତ ଆଇଏଏସ୍ ଅଧିକାରୀ ହେଉଛନ୍ତି ପୂଜା ସିଙ୍ଘଲ। ମନରେଗା ଯୋଜନାରେ ଦୁର୍ନୀତି କରିବା ନେଇ ପୂଜାଙ୍କ ବିରୋଧରେ ଅଭିଯୋଗ ହୋଇଛି। ପୂଜା ଏବେ ଝାଡ଼ଖଣ୍ଡ ସରକାରରେ ଖଣି ସଚିବ ଅଛନ୍ତି। ଜବତ ୧୯କୋଟି ମଧ୍ୟରୁ ପୂଜାଙ୍କ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ସୁମନ୍‌ କୁମାରଙ୍କ ଘରୁ ୧୭ କୋଟି ମିଳିଛି। ଅବଶିଷ୍ଟ ୨ କୋଟିରୁ ଅଧିକ ଟଙ୍କା ପୂଜାଙ୍କ ଘରୁ ମିଳିଛି।
ନିକଟରେ ଇଡି ଜଣେ ସେକ୍ସନ ଅଫିସର ରାମ ବିନୋଦ ପ୍ରସାଦ ସିହ୍ନା ନାମକ ବ୍ୟକ୍ତିଙ୍କୁ ଗିରଫ କରିଥିଲା । ଏହା ପୂର୍ବରୁ ଏହି ସେକ୍ସନ ଅଫିସରଙ୍କ ବିରୋଧରେ ଝାଡଖଣ୍ଡ ଭିଜିଲାନ୍ସ ଦୁର୍ନୀତି ଅଭିଯୋଗରେ ୧୬ଟି ମାମଲା ରୁଜୁ କରିଥିଲ।। ସେକ୍ସନ ଅଫିସରଙ୍କୁ ଜେରା କରିବା ବେଳେ ଆଇଏଏସ୍‌ ପୂଜା ସିଙ୍ଗଲଙ୍କ ନାମ ସାମ୍ନାକୁ ଆସିଥିଲା। ଏହି ଦୂର୍ନୀତି ଅଭିଯୁକ୍ତ ଆଇଏଏସ ଅଫିସରଙ୍କ ଝାଡଖଣ୍ଡ, ବିହାର, ରାଜସ୍ଥାନ, ପଶ୍ଚିମବଙ୍ଗ ଏବଂ ମୁମ୍ବାଇରେ ଥିବା ଫାର୍ମ ହାଉସରେ ଇଡି ରେଡ୍ କରିଥିବା ସୂଚନା ରହିଛି। ସୂଚନାଯୋଗ୍ୟ, ନିକଟରେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ନିର୍ବାଚନ କମିସନ ଖଣି ସମ୍ପର୍କିତ ଲାଇସେନ୍ସ ନେବା ଘଟଣାରେ ନୋଟିସ କରିଛନ୍ତି।

kalyan agarbati

Comments are closed.