ଭୁବନେଶ୍ୱର: ପ୍ରକୃତିପ୍ରେମୀ, ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଚଳିତ ବର୍ଷ ପର୍ଯ୍ୟଟନ ବିଭାଗ ୭ଟି ସ୍ଥାନରେ ଇକୋ ରିଟ୍ରିଟ୍ ଆୟୋଜନ କରିବାକୁ ଯାଉଛି। ସାମୁଦ୍ରିକ ବେଳାଭୂମି, ଜଙ୍ଗଲ ଓ ପରିବେଶରେ ପର୍ଯ୍ୟଟକ ମଜା ନେବା ପାଇଁ ଏହି ସ୍ଥାନଗୁଡ଼ିକ ଚିହ୍ନଟ କରିଛି। ଡିସେମ୍ବର ପହିଲା କୋଣାର୍କ ମହୋତ୍ସବଠାରୁ ପର୍ଯ୍ୟାୟ କ୍ରମେ ଇକୋ ରିଟ୍ରିଟ ୭ଟି ସ୍ଥାନରେ କରାଯିବ।
ଇକୋ ରିଟ୍ରିଟ ମାଧ୍ୟମରେ ପର୍ଯ୍ୟଟକଙ୍କୁ ପ୍ରକୃତିର ନିଆରା ଅନୁଭୂତି ସାଉଁଟିବାର ସୁଯୋଗ ମିଳିବ। ଏଥିପାଇଁ ବିଭାଗ ପକ୍ଷରୁ ସବୁସ୍ଥାନରେ ହେବ ଆକର୍ଷଣୀୟ ସାଜସଜ୍ଜା। ରାଜ୍ୟ ପର୍ଯ୍ୟଟନ ବିଭାଗ, ଜଙ୍ଗଲ ଓ ପରିବେଶ ବିଭାଗ ସହଯୋଗରେ ଇକୋ ରିଟ୍ରିଟ ପାଇଁ ପର୍ଯ୍ୟଟନ କ୍ଷେତ୍ର ଚିହ୍ନଟ କରିଛି। ପର୍ଯ୍ୟଟନ ଋତୁକୁ ଆଖିଆଗରେ ରଖି ଚଳିତ ବର୍ଷ ଦେଶବିଦେଶରୁ ପର୍ଯ୍ୟଟକଙ୍କୁ ଖାଦ୍ୟପେୟ, ରହଣି ସହ ମନୋରଞ୍ଜନ କରିବାର ସୁଯୋଗ ମିଳିବ। ଏବର୍ଷ ବିଭାଗ ଆଗୁଆ ପ୍ରସ୍ତୁତି ଚଳାଇଛି। ଦୁଇ ବର୍ଷ କରୋନା ମହାମାରୀ ଯୋଗୁଁ ଉତ୍ସବକୁ ପର୍ଯ୍ୟଟକମାନେ ଉପଭୋଗ କରିପାରି ନ ଥିଲେ। ଚଳିତ ବର୍ଷ ପର୍ଯ୍ୟଟକଙ୍କ ନିଆରା ଅନୁଭୂତି ସାଉଁଟିବାର ବ୍ୟବସ୍ଥା ହୋଇଛି। ଦୁଇଟି ନୂଆ ପର୍ଯ୍ୟଟନସ୍ଥଳ ଗଞ୍ଜାମର ପତି ସୋନାପୁର ଏବଂ କୋରାପୁଟର ପୁଟସିଲ୍ରେ ପର୍ଯ୍ୟଟକଙ୍କ ପାଇଁ ଇକୋରିଟ୍ରିଟ କାର୍ଯ୍ୟକ୍ରମ କରାଯାଇଥିଲେ ସୁଦ୍ଧା ତାହା ପର୍ଯ୍ୟଟକମାନେ ଉପଭୋଗ କରିପାରି ନ ଥିଲେ। ଚଳିତ ବର୍ଷ ପର୍ଯ୍ୟଟକମାନେ କୋଣାର୍କ, ଦାରିଙ୍ଗବାଡି, ହୀରାକୁଦ, ସାତକୋଶିଆ, ଭିତରକନିକା, ପତି ସୋନାପୁର ଏବଂ ପୁଟସିଲ୍ରେ ଭ୍ରମଣ ଓ ବୁଲିବାର ମଜା ନେଇ ପାଇପାରିବେ। ଦାରିଙ୍ଗବାଡିରେ ଓ କୋର୍ଣାକ ପାଇଁ ନୂଆ ସ୍ଥାନରେ କଟେଜ କରିବାର ଯୋଜନା ରହିଥିବା ବିଭାଗ ପକ୍ଷରୁ ଜଣାପଡିଛି। ଇକୋ ରିଟ୍ରିଟ୍ ମାଧ୍ୟମରେ ନୂଆ ପର୍ଯ୍ୟଟନ କ୍ଷେତ୍ର ଲୋକଲୋଚନକୁ ଆଣିବାକୁ ରାଜ୍ୟ ପର୍ଯ୍ୟଟନ ବିଭାଗ ଉଦ୍ୟମ କରୁଥିବା ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଏହି କାର୍ଯ୍ୟକ୍ରମ ପ୍ରାୟତଃ ତିନିମାସ ଧରି ଚାଲିବା ଯୋଜନା ରହିଛି।



