www.samajalive.in
Monday, December 15, 2025
27.1 C
Bhubaneswar

ମିଆଁମାର ଭୂମିକମ୍ପ: ୧୭୦୦ ଛୁଇଁଲା ମୃତ୍ୟୁସଂଖ୍ୟା

ୟାଙ୍ଗନ : ମ୍ୟାଁମାରରେ ଗତ ଶୁକ୍ରବାର ଘଟିଥିବା ଭୟାବହ ଭୂମିକମ୍ପରେ ମୃତ୍ୟୁସଂଖ୍ୟା ୧୭୦୦ରେ ପହଞ୍ଚିଛି। ଧ୍ବଂସସ୍ତୂପ ତଳେ ଏବେ ମଧ୍ୟ ଶତାଧିକ ଲୋକ ପୋତି ହୋଇପଡିଥିବା କୁହାଯାଇଛି। ଭାରି ଯନ୍ତ୍ରପାତି ଅଭାବରୁ ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ ହୋଇପାରୁନଥିବା ଜଣାପଡିଛି। ସ୍ଥାନୀୟ ଲୋକେ ହାତରେ ଭୁଶୁଡି ପଡିଥିବା କୋଠାଘରଗୁଡିକର ଧ୍ବଂସସ୍ତୂପ ତଳୁ ମୃତାହତଙ୍କୁ ଉଦ୍ଧାର କରୁଛନ୍ତି। ବର୍ତ୍ତମାନ ମ୍ୟାଁମାରରେ ଦିନର ତାପମାତ୍ରା ୪୨ ଡିଗ୍ରୀ ସେଲ୍‌ସିୟସ ରହୁଥିବାରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ଭୂମିକମ୍ପ କବଳରୁ ବର୍ତ୍ତିଯାଇଥିବା ଲୋକଙ୍କର ବାସଗୃହ ନଷ୍ଟ ହୋଇଥିବାରୁ ସେମାନେ ରାସ୍ତାରେ ରାତି କଟାଉଥିବା ଜଣାପଡିଛି। ଅପରପକ୍ଷରେ ଯେଉଁମାନଙ୍କ ବାସଗୃହ କ୍ଷତିଗ୍ରସ୍ତ ହୋଇନାହିଁ, ସେମାନେ ଭୟରେ ସେଠାକୁ ଯିବାକୁ ନିରାପଦ ମଣୁନାହାନ୍ତି। ୟାଙ୍ଗନସ୍ଥିତ ‘କ୍ୟାଥୋଲିକ ରିଲିଫ୍‌ ସର୍ଭିସ’ ମୁଖ୍ୟ କାରା ବ୍ରେଗ କହିଛନ୍ତି ଯେ ଡାକ୍ତରଖାନାରେ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ ଏବଂ ଜରୁରୀ ଔଷଧପତ୍ରର ଅଭାବ ଯୋଗୁଁ ଆହତଙ୍କ ଉପଯୁକ୍ତ ଚିକିତ୍ସା ହୋଇପାରୁନାହିଁ। ଭାରତ ସମେତ କତିପୟ ବିଦେଶୀ ରାଷ୍ଟ୍ରରୁ ରିଲିଫ୍‌ ସାମଗ୍ରୀ ପହଞ୍ଚିଥିଲେ ସୁଦ୍ଧା ଏହା ପରିସ୍ଥିତିର ମୁକାବିଲା କରିବାକୁ ଅକ୍ଷମ ବୋଲି କାରା କହିଛନ୍ତି। ଡାକ୍ତରଖାନାରେ ଆହତଙ୍କୁ ଖାଦ୍ୟ ଓ ପାନୀୟ ଜଳ ଯୋଗାଇବା କଷ୍ଟକର ହୋଇପଡୁଛି। ଅପରପକ୍ଷରେ ଭୂମିକମ୍ପର କେନ୍ଦ୍ରସ୍ଥଳ ମାଣ୍ଡାଲେ ଏବଂ ରାଜଧାନୀ ନ୍ୟାପିଦ ବିମାନବନ୍ଦରର ଏଟିସି  କ୍ଷତିଗ୍ରସ୍ତ ହୋଇଥିବାରୁ ବିମାନସେବାକୁ ବାତିଲ କରାଯାଇଛି। ଧ୍ବଂସସ୍ତୂପ ତଳେ ପୋତିହୋଇପଡିଥିବା ମୃତଦେହ ପଚି ଗନ୍ଧ ବାହାରୁଥିବାରୁ ସେଠାକୁ ଯିବା ସ୍ବେଚ୍ଛାସେବୀଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛି। ମ୍ୟାଁମାରରେ କ୍ଷମତାସୀନ ଜୁନ୍ତା ସରକାର ରବିବାର ସ୍ପଷ୍ଟ କରିଛନ୍ତି ଯେ ଏପର୍ଯ୍ୟନ୍ତ ୧୭୦୦ ମୃତଦେହ ଉଦ୍ଧାର କରାଯାଇଥିବାବେଳେ ୩୫୦୦ରୁ ଅଧିକ ଆହତ ହୋଇଛନ୍ତି ଏବଂ ୩୦୦ ଲୋକଙ୍କର ପତ୍ତା ମିଳୁନାହିଁ। ଦୁଇଟି ପରିବହନ ବିମାନରେ ଭାରତ ପଠାଇଥିବା ରିଲିଫ୍‌ ସାମଗ୍ରୀ ଇତିମଧ୍ୟରେ ମ୍ୟାଁମାରରେ ପହଞ୍ଚିଛି। ଏଥିରେ ଜରୁରୀ ଔଷଧ, ତମ୍ବୁ, ଶୁଖିଲା ଖାଦ୍ୟ ପୁଡିଆ, ଜେନେରେଟର, ୱାଟର ପ୍ୟୁରିଫାଏର , ସ୍ଲିପିଙ୍ଗ୍‌ ବ୍ୟାଗ୍‌ ଇତ୍ୟାଦି ସାମିଲ ରହିଛି। ଭାରତରୁ ଯାଇଥିବା ୮୦ ଜଣିଆ ଏନଡିଆରଏଫ୍‌ ଟିମ୍‌ ଇତିମଧ୍ୟରେ ମାଣ୍ଡାଲେଠାରେ ୬୦ ଶଯ୍ୟା ବିଶିଷ୍ଟ ଅସ୍ଥାୟୀ ଚିକିତ୍ସା ଶିବିର ସ୍ଥାପନ କରିଛନ୍ତି। ଚୀନ୍‌ ମଧ୍ୟ ୧୭ଟି ଟ୍ରକ୍‌ରେ ରିଲିଫ୍‌ ସାମଗ୍ରୀ ପଠାଇଛି। ଜାତିସଂଘ ମାନବାଧିକାର କମିସନ ପକ୍ଷରୁ କୁହାଯାଇଛି ଯେ ଭୂମିକମ୍ପ ଯୋଗୁଁ ମ୍ୟାଁମାରର ରାଜଧାନୀ ନ୍ୟାପିଦ ଏବଂ ମାଣ୍ଡାଲେ ସହର ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ରାସ୍ତାଘାଟ ଭୁଶୁଡି ପଡିଥିବା ଏବଂ ଇଣ୍ଟରନେଟ ସେବା ବିଚ୍ଛନ୍ନ ହୋଇଥିବାରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହେଉଛି।

Hot this week

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

Related Articles

Popular Categories