ଇ-ସଞ୍ଜୀବନୀ କାର୍ଯ୍ୟକ୍ରମ ସଫଳତା
ନିମାପଡ଼ାର ଆଦ୍ୟାଶାଙ୍କ ସହ କଥା ହେଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ, ମିଳୁଛି ଅଭିଜ୍ଞ ଡାକ୍ତରଙ୍କ ପରାମର୍ଶ
ଗୋପ : ସାରା ଦେଶରେ ଉନ୍ନତମାନର ସ୍ୱାସ୍ଥ୍ୟସେବା ଲାଗି କେନ୍ଦ୍ର ସରକାର ଆୟୁଷ୍ମାନ୍ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏହି ଯୋଜନା ଅଧୀନରେ ଇ-ସଞ୍ଜୀବନୀ ଟେଲି ମେଡିସିନ୍ ସେବା କାର୍ଯ୍ୟକାରୀ କରାଯାଇଥିବାବେଳେ ଗ୍ରାମାଞ୍ଚଳର ରୋଗୀମାନେ ବିଶେଷ ଉପକୃତ ହେଉଛନ୍ତି। ଗ୍ରାମାଞ୍ଚଳର ଗରିବ ରୋଗୀ ଆରୋଗ୍ୟ କେନ୍ଦ୍ରରେ ଏମ୍ସ, ଏସ୍ସିବି ସମେତ ବିଭିନ୍ନ ଡାକ୍ତରଖାନାରେ ଥିବା ବରିଷ୍ଠ ଡାକ୍ତରଙ୍କ ସହ ଯୋଗାଯୋଗ କରି ରୋଗର ନିରାକରଣ ନିମନ୍ତେ ପରାମର୍ଶ ନେଉଛନ୍ତି। ଶୁକ୍ରବାର ଇ-ସଞ୍ଜୀବନୀ ଟେଲି ମେଡିସିନ୍ ସେବା କିପରି ଚାଲିଛି ସେ ସମ୍ପର୍କରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ସିଧାସଳଖ ଭିଡିଓ ବାର୍ତ୍ତା ମାଧ୍ୟମରେ ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନ ନୟାହାଟ ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ରରେ ଇ-ସଞ୍ଜୀବନୀ କାର୍ଯ୍ୟକ୍ରମ ଦ୍ୱାରା ଉପକୃତ ହୋଇଥିବା ନିମାପଡ଼ା ଡେଣୁଅ ଗ୍ରାମର ଆଦ୍ୟାଶା ପ୍ରଧାନଙ୍କ ସହ କଥା ହୋଇ ଯୋଜନାର ସୁଫଳ ସମ୍ପର୍କରେ ପଚାରି ବୁଝିଛନ୍ତି। ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନରେ ଥିବା ୪ଟି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ରରେ ପରିଣତ କରାଯାଇଥିବାବେଳେ ନୟାହାଟ ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ରରେ ଇ-ସଞ୍ଜୀବନୀ ଦ୍ୱାରା ୫୦୪ ରୋଗୀ ଉପକୃତ ହୋଇଥିବାବେଳେ ନାଗପୁର ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ରରେ ୩୮୯ , ଛଇତନା ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ରରେ ୧୮୩, ବଡ଼ତରା ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ରରେ ୩୧୮ ରୋଗୀ ଅଭିଜ୍ଞ ଡାକ୍ତରଙ୍କ ପରାମର୍ଶ ନେଇ ଉପକୃତ ହୋଇଥିବା ଜଣାପଡ଼ିଛି।
Comments are closed.