ଦୁଲିପ୍‌ ଟ୍ରଫି କ୍ରିକେଟ : ଇନିଂସ ବିଜୟ ସହ ଭାରତ ରେଡ୍‌ ଚମ୍ପିଆନ

0

ବେଙ୍ଗାଲୁରୁ : ଭାରତ ରେଡ୍‌ ଚଳିତବର୍ଷର ପ୍ରଥମ ଘରୋଇ ଟୁର୍ଣ୍ଣାମେଣ୍ଟ ଦୁଲିପ ଟ୍ରଫିରେ ଚମ୍ପିଆନ୍ ଆଖ୍ୟା ଅର୍ଜନ କରିଛି। ଶନିବାର ଏଠାରେ ସମାପ୍ତ ହୋଇଥିବା ଦୁଲିପ୍‌ ଟ୍ରଫି କ୍ରିକେଟର ଫାଇନାଲ ମ୍ୟାଚ୍‌ରେ ପ୍ରତିପକ୍ଷ ଭାରତ ଗ୍ରୀନ୍‌କୁ ଇନିଂସ ଓ ୩୮ ରନ୍‌ରେ ପରାସ୍ତ କରିଛି। ଭାରତ ରେଡ୍‌ ପ୍ରଥମ ଇନିଂସରେ ୩୮୮ ରନ୍‌କରି ଅଲ୍‌ଆଉଟ ହୋଇ ଯାଇଥିଲା। ଫଳରେ ଭାରତ ରେଡ୍‌ ପ୍ରଥମ ଇନିଂସରେ ୧୫୭ ରନ୍‌ ଆଗରେ ରହିଥିଲା। ପରେ ଭାରତ ରେଡ୍‌ର ଯୁବ ଅଫ୍‌ସ୍ପିନର ଅକ୍ଷର ୱାଖାଡ଼େ ୫ଟି ୱିକେଟ ନେବାରୁ ଭାରତୀୟ ଗ୍ରୀନ୍ ଶନିବାର ୪ର୍ଥ ଦିନରେ ୨ୟ ଇନିଂସରେ ୧୧୯ ରନ୍‌କରି ଅଲ୍‌ଆଉଟ ହୋଇ ଯାଇଥିଲା।
୩ୟ ଦିନ ଶେଷରେ ଭାରତ ରେଡ୍‌ ପ୍ରଥମ ଇନିଂସରେ ୬ ୱିକେଟ ହରାଇ ୩୪୫ ରନ୍ କରିଥିଲା। ୪ର୍ଥ ଦିନରେ ଭାରତ ରେଡ୍‌ ଆଉ ୪୩ ରନ୍ ଯୋଡ଼ି ଶେଷ ୪ଟି ୱିକେଟ ହରାଇଥିଲା। ଆଦିତ୍ୟ ସରୱତେ ୩୮ ରନ୍‌କରି ଆଉଟ ହୋଇଥିବା ବେଳେ ଜୟଦେବ ଉନାଦ୍‌କତ ୩୨ ରନ୍‌କରି ଅପରାଜିତ ଥିଲେ। ଅଙ୍କିତ ରାଜପୁତ ଓ ଧର୍ମେନ୍ଦ୍ର ସିଂହ ଜାଡ଼େଜା ୩ଟି ଲେଖାଏଁ ଏବଂ ତନବିର ଉଲ୍‌ ହକ୍ ୨ଟି ୱିକେଟ ପାଇଥିଲେ। ୧୫୭ ରନ୍‌ ପଛରେ ରହିବା ପରେ ଭାରତ ଗ୍ରୀନ୍ ୨ୟ ଇନିଂସ ଆରମ୍ଭ କରିଥିଲା। ଭାରତ ଗ୍ରୀନ୍ ୨ ୱିକେଟରେ ୫୯ ରନ୍ କରିଥିବା ବେଳେ ପରବର୍ତ୍ତୀ ୬୦ ରନ୍‌ରେ ଶେଷ ୮ଟି ୱିକେଟ ହରାଇ ଅଲ୍‌ଆଉଟ ହୋଇ ଯାଇଥିଲା। ଅଧିନାୟକ ଫୟାଜ୍ ଫଜଲ ୧୦, ପି.ଅକ୍ଷତ ରେଡ୍‌ଡୀ ୩୩ ଓ ସିଦ୍ଧେଶ ଲାଡ୍‌ ୪୨ ରନ୍ କରିଥିବା ବେଳେ ଅନ୍ୟ କେହି ଦୁଇଅଙ୍କ ବିଶିଷ୍ଟ ସ୍କୋର୍ କରି ପାରିନଥିଲେ। ଅକ୍ଷୟ ୱାଖାଡ଼େ ୧୩ ରନ୍‌ଦେଇ ୫ଟି ଓ ଆଭେସ୍ ଖାଁ ୩୮ ରନ୍‌ଦେଇ ୩ଟି ୱିକେଟ ପାଇଥିଲେ।

Leave A Reply