ଡ୍ରାଇଭର ମହାସଂଘର ଆନ୍ଦୋଳନରେ ସାମିଲ ପାଇଁ ବସ୍‍ ଅଟକାଇଲେ ଆନ୍ଦୋଳନକାରୀ

ପିପିଲି: ବିଭିନ୍ନ ଦାବି ନେଇ ଓଡିଶା ଡ୍ରାଇଭର ମହାସଂଘର ଆନ୍ଦୋଳନ ଚାଲିଥିବାବେଳେ ସୋମବାର ପିପିଲି ଟୋଲ୍‍ଗେଟ୍‍ ଠାରେ କେତେକ ଯାତ୍ରୀବାହୀ ବସ୍‍କୁ ମହାସଂଘର କେତେକ କର୍ମକର୍ତ୍ତା ଅଟକାଇଥିଲେ । ଏହାକୁ ନେଇ ସେଠାରେ କିଛି ସମୟ ପାଇଁ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ପିପିଲି ପୁଲିସ ସେଠାରେ ପହଞ୍ଚି ପରିସ୍ଥିତିକୁ ସମ୍ଭାଳିଥିଲା।
ପ୍ରାପ୍ତ ସୂଚନା ଅନୁଯାଇ, ବିଭିନ୍ନ ଦାବି ନେଇ ଓଡିଶା ଡ୍ରାଇଭର ମହାସଂଘ ପକ୍ଷରୁ ଭୁବନେଶ୍ୱର ଠାରେ ସୋମବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ମହାସଂଘର ଡାକରାରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଡ୍ରାଇଭର ମାନେ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ। ତେବେ କେତେକ ଅମାନିଆ ଡ୍ରାଇଭର ଆନ୍ଦୋଳନରେ ସାମିଲ ନହୋଇ ସୋମବାର ସକାଳେ ଯାତ୍ରୀବାହୀ ବସ୍‍ ସମେତ ମାଲବାହୀ ଯାନ ଚଳାଉଥିବା ଜଣାପଡିବା ପରେ ମହାସଂଘର କେତେକ କର୍ମକର୍ତ୍ତା ପିପିଲି ଟୋଲ୍‍ଗେଟ୍‍ ଠାରେ ପହଞ୍ଚିଥିଲେ। ଏହି ଅମାନିଆ ଚାଳକମାନଙ୍କୁ ଆନ୍ଦୋଳନରେ ସାମିଲ କରିବା ଉଦ୍ଦେଶ୍ୟରେ ମହାସଂଘର କର୍ମକର୍ତ୍ତାମାନେ ସେଠାରେ ଗାଡିକୁ ଅଟକାଇ ଥିଲେ। ପୁରୀରୁ ଭୁବନେଶ୍ୱର ଓ କଟକ ଅଭିମୁଖେ ଯାଉଥିବା ଏବଂ କଟକରୁ ପୁରୀ ଅଭିମୁଖେ ଯାଉଥିବା କେତେକ ଯାତ୍ରୀବାହୀ ବସ୍‍ ଓ ମାଲବାହୀ ଗାଡିକୁ ସେମାନେ ସେଠାରେ ଅଟକାଇବା ସହ ନିଜର ହକ୍‍ ପାଇବା ନିମନ୍ତେ ଗାଡି ଚଳାଇବା ବନ୍ଦ ରଖି ଆନ୍ଦୋଳନରେ ଅଂଶ ଗ୍ରହଣ କରିବାକୁ ମହାସଂଘର କର୍ମକର୍ତ୍ତା ମାନେ ଗାଡି ଚାଳକମାନଙ୍କୁ ବୁଝାଇଥିଲେ । ବସ୍‍ ଓ ଅନ୍ୟାନ୍ୟ ଗାଡିମୋଟର ଅଟକି ରହିବା ଫଳରେ ଯାତ୍ରୀମାନେ ଅସୁବିଧାର ସମ୍ମୁଖିନ ହୋଇଥିଲେ। ଏହାକୁ ନେଇ ସେଠାରେ କିଛି ସମୟ ପାଇଁ ଅପ୍ରିତିକର ପରିସ୍ଥିତି ଉପୁଜିଥିଲା। ଖବର ପାଇ ପିପିଲି ଥାନା ଏସ୍‍ଆଇ ସନ୍ଦୀପ ଦାସ ଓ ଏଏସ୍‍ଆଇ ପ୍ରକାଶ ମଲ୍ଲିକ ପ୍ରମୁଖ ସେଠାରେ ପହଞ୍ଚି ମହାସଂଘ କର୍ମକର୍ତ୍ତାମାନଙ୍କୁ ସେଠାରୁ ଘଉଡାଇ ଦେବା ସହ ପରିସ୍ଥିତିକୁ ସମ୍ଭାଳିଥିଲେ।

Comments are closed.