ଗଞ୍ଜାମରେ ମହିଳା ଅସୁରକ୍ଷିତ

୪ ବର୍ଷରେ ବଢ଼ିଛି ୨ ଗୁଣା ବଳାତ୍କାର, ଅଣଯୌତୁକ ନିର୍ଯାତନାରେ ପ୍ରଥମ

ବ୍ରହ୍ମପୁର : ଗଞ୍ଜାମ ଜିଲାରେ ସୁରକ୍ଷିତ ନୁହନ୍ତି ମହିଳା। ଘରେ ହେଉ କି ବାହାରେ ସବୁଠି ପାଦ ପାଦରେ ବିପଦ। ସେ ବଳାତ୍କାର ହେଉ କି ନିର୍ଯାତନା ସବୁକ୍ଷେତ୍ରରେ ଅଧିକାଂଶ ମହିଳା ହିଁ ଶିକାର ହେଉଛନ୍ତି। ଏକଥା ଆମେ କହୁନୁ, ସରକାରୀ ତଥ୍ୟ କହୁଛି। ଗତ ୪ ବର୍ଷ ଭିତରେ ଗଞ୍ଜାମ ଜିଲାରେ ବଳାତ୍କାର ମାମଲା ୨ ଗୁଣା ବୃଦ୍ଧି ପାଇଛି। ସେହିପରି ମହିଳାଙ୍କୁ ଅଣଯୌତୁକଜନିତ ନିର୍ଯାତନା ମାମଲାରେ ଗଞ୍ଜାମ ଜିଲା ରାଜ୍ୟରେ ପ୍ରଥମ ସ୍ଥାନରେ ରହିଛି।
ବୃହତ୍ତ ଜନସଂଖ୍ୟା ବିଶିଷ୍ଟ ଗଞ୍ଜାମ ଜିଲାରେ ଥିବା ୨ଟି ପୁଲିସ ଜିଲାର ବିଭିନ୍ନ ଥାନା ଅଧିନରେ ଗତ ୪ ବର୍ଷ ଭିତରେ ମୋଟ ୭୫୦ଟି ବଳାତ୍କାର ମାମଲା ରୁଜୁ ହୋଇଛିା ସେଥିରୁ ଗଞ୍ଜାମ ପୁଲିସ ଜିଲାରେ ୫୦୫ଟି ମାମଲା ଏବଂ ବ୍ରହ୍ମପୁର ପୁଲିସ ଜିଲାରେ ୨୪୫ଟି ମାମଲା ରୁଜୁ ହୋଇଛି। ଉଭୟ ପୁଲିସ ଜିଲାରେ ୨୦୧୮ ମସିହାରେ ମୋଟ ୧୨୩ଟି ବଳାତ୍କାର ମାମଲା ରୁଜୁ ହୋଇଥିବା ବେଳେ ୨୦୧୯ରେ ୧୮୨, ୨୦୨୦ରେ ୧୮୮ ଓ ୨୦୨୧ରେ ୨୫୭ଟି ବଳାତ୍କାର ମାମଲା ରୁଜୁ ହୋଇଛି ା ୨୦୧୮ରୁ ୨୦୨୧ ମଧ୍ୟରେ ବଳାତ୍କାର ମାମଲା ସଂଖ୍ୟା ଦୁଇ ଗୁଣାରୁ ଅଧିକ ବୃଦ୍ଧି ପାଇଛି। ସେହିପରି ଗତ ୪ ବର୍ଷ ଭିତରେ ଗଞ୍ଜାମ ଜିଲାରେ ୨୪୦ ଜଣ ମହିଳା ହତ୍ୟାର ଶିକାର ହୋଇଛନ୍ତି। ସେଥିରୁ ଗଞ୍ଜାମ ପୁଲିସ ଜିଲାରେ ୧୭୯ ଟି ମାମଲା ରୁଜୁ ହୋଇଥିବା ବେଳେ ବ୍ରହ୍ମପୁର ପୁଲିସ ଜିଲାରେ ୬୧ଟି ମାମଲା ରୁଜୁ ହୋଇଛି। ବଡକଥା ହେଲା ହତ୍ୟାର ଶିକାର ହୋଇଥିବା ଏହି ୨୪୦ ଜଣ ମହିଳାଙ୍କ ମଧ୍ୟରୁ ୮୮ ଜଣ ମହିଳାଙ୍କୁ କେବଳ ଯୌତୁକ ପାଇଁ ହତ୍ୟା କରାଯାଇଛି। ବଳକା ୧୫୨ ଜଣ ମହିଳାଙ୍କୁ ଅନ୍ୟାନ୍ୟ କାରଣ ପାଇଁ ହତ୍ୟା କରାଯାଇଛି।
ଅନ୍ୟପକ୍ଷରେ ମହିଳାଙ୍କୁ ଅଣ-ଯୌତୁକଜନିତ ନିର୍ଯାତନା ମାମଲାରେ ଗଞ୍ଜାମ ଜିଲା ରାଜ୍ୟର ସମସ୍ତ ଜିଲାକୁ ପଛରେ ପକାଇ ଦେଇଛି। ପରିବାର ଭିତରେ ଗଣ୍ଡଗୋଳ, ଟଙ୍କା ନେଣଦେଣ, ପୂର୍ବ ଶତ୍ରୁତା ଓ ପ୍ରେମ ସମ୍ପର୍କରୁ ଗଣ୍ଡଗୋଳ ଭଳି ଘଟଣାରେ ମହିଳାମାନେ ଅଣ-ଯୌତୁକ ଜନିତ ନିର୍ଯାତନାର ଶିକାର ହୋଇ ଆସୁଛନ୍ତି। ଗତ ୪ ବର୍ଷ ଭିତରେ ଗଞ୍ଜାମ ଜିଲାରେ ମୋଟ ୧୨୯୯ଟି ଅଣ-ଯୌତୁକଜନିତ ନିର୍ଯାତନା ମାମଲା ରୁଜୁ ହୋଇଛି। ୨୦୧୮ରେ ୯୬ ଜଣ ମହିଳାଙ୍କୁ ଅଣ-ଯୌତୁକ ଜନିତ ନିର୍ଯାତନା ଦିଆଯାଇଥିବା ବେଳେ ୨୦୧୯ରେ ୧୯୬ ଜଣ, ୨୦୨୦ରେ ୨୬୬ ଜଣ ମହିଳା ଏଭଳି ନିର୍ଯାତନାର ଶିକାର ହୋଇଥିଲେ। ହେଲେ କରୋନା ମହାମାରୀ ସମୟରେ ଅର୍ଥାତ ୨୦୨୧ରେ ଗଞ୍ଜାମ ଜିଲାରେ ଅଣ-ଯୌତୁକ ଜନିତ ମାମଲା ଅହେତୁକ ଭାବେ ବୃଦ୍ଧି ପାଇଛି। ୨୦୨୧ରେ ଗଞ୍ଜାମ ଜିଲାରେ ମୋଟ ୭୬୮ଟି ଅଣ-ଯୌତୁକ ଜନିତ ମାମଲା ରୁଜୁ ହୋଇଛି। ସେଥିରୁ ଗଞ୍ଜାମ ପୁଲିସ ଜିଲା‌ର ୬୩୩ଟି ମାମଲା ହୋଇଥିବା ବେଳେ ବ୍ରହ୍ମପୁର ପୁଲିସ ଜିଲାର ୧୩୫ଟି ମାମଲା। ୨୦୨୧ରେ ଗଞ୍ଜାମ ପୁଲିସ ଜିଲାରେ ଯେତିକି ଅଣ-ଯୌତୁକଜନିତ ମାମଲା ରୁଜୁ ହୋଇଛି ରାଜ୍ୟର ଅନ୍ୟ କୌଣସି ପୁଲିସ ଜିଲାରେ ତାହାର ଅଧା ମାମଲା ମଧ୍ୟ ରୁଜୁ ହୋଇନାହିଁ। ଗଞ୍ଜାମ ପରେ ଦ୍ବିତୀୟ ସ୍ଥାନରେ ରହିଥିବା ଅନୁଗୁଳ ଜିଲାରେ ସେହିବର୍ଷ ୪୫୫ଟି ଅଣ-ଯୌତୁକଜନିତ ମାମଲା ରୁଜୁ ହୋଇଥିବା ବେଳେ ତୃତୀୟ ସ୍ଥାନରେ ଥିବା ମୟୂରଭଞ୍ଜରେ ୩୬୮ଟି ମାମଲା ରୁଜୁ ହୋଇଛି।

kalyan agarbati

Comments are closed.