ଟଙ୍କା ଦୁର୍ବଳ; ଡଲାର ମୂଲ୍ୟ ୭୨ ଟଙ୍କା ପାର

0

ନୂଆଦିଲ୍ଲୀ : କିଛି ଦିନ ଧରି ଟଙ୍କା ମୂଲ୍ୟରେ ଅବନତି ପରିଲକ୍ଷିତ ହୋଇଛି। ଡଲାର ତୁଳନାରେ ଟଙ୍କା ସର୍ବନିମ୍ନ ସ୍ତରରେ ପହଞ୍ଚିଛି। ଗୁରୁବାର ଟଙ୍କା ମୂଲ୍ୟରେ ୩୭ ପଇସା ହ୍ରାସ ଘଟିଛି। ଏହି କ୍ରମରେ ଗୁରୁବାର ଏକ ଡଲାରର ମୂଲ୍ୟ ୭୨ ଟଙ୍କା ୧୨ ପଇସା ହୋଇଛି। ଗୁରୁବାର ସେୟାର ବଜାର କାରବାର ଆରମ୍ଭ ସମୟରେ ଏକ ଡଲାର ମୂଲ୍ୟ ୭୧ ଟଙ୍କା ୬୬ ପଇସା ଥିଲା। କାରବାର ବଢିବା ସହ ଟଙ୍କା ମୂଲ୍ୟରେ ହ୍ରାସ ପରିଲକ୍ଷିତ ହୋଇଥିଲା। ପ୍ରଥମ ଥର ଡଲାର ତୁଳାନରେ ଟଙ୍କା ମୂଲ୍ୟ ସର୍ବନିମ୍ନସ୍ତର ୭୨ ଟଙ୍କା ୧୨ ପଇସାରେ ବନ୍ଦ ହୋଇଛି। ମଙ୍ଗଳବାର ଡଲାର ମୂଲ୍ୟ ୭୧.୫୮ ଟଙ୍କା ଓ ବୁଧବାର ୭୧.୭୫ ଟଙ୍କା ଥିଲା। ଚଳିତ ବର୍ଷ ଅଗଷ୍ଟ ୧୫ରେ ପ୍ରଥମ ଥର ଡଲାର ମୂଲ୍ୟ ୭୦ ଟଙ୍କା ପାର କରିଥିଲା। ଏହାରପଠାରୁ ଡଲାର ମୂଲ୍ୟ ତୁଳନାରେ ଟଙ୍କା ଦୁର୍ବଳ ହୋଇ ଚାଲିଛି। ବୁଧବାର ଟଙ୍କା ମୂଲ୍ୟରେ ୧୭ ପଇସା ଏବଂ ଗୁରୁବାର ୩୭ ପଇସା ହ୍ରାସ ପାଇଛି।
ଏହା ପୂର୍ବରୁ ଟଙ୍କା ମୂଲ୍ୟ ୨୦୧୬ ନଭେମ୍ବର ୨୪ରେ ସର୍ବନିମ୍ନସ୍ତର ୬୮.୬୬, ୨୦୧୮ ଜୁନ୍‍ ୨୮ରେ ୬୯.୧୦, ଜୁଲାଇ ୨୦ରେ ୬୯.୧୨, ଅଗଷ୍ଟ ୧୩ରେ ୬୯.୯୩ରେ ରହିଥିଲା। ବିଶେଷଜ୍ଞଙ୍କ କହିବା ଅନୁସାରେ ଡଲାରର ଚାହିଦା ବୃଦ୍ଧି, ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ଏବଂ ବିଦେଶ ନିବେଶ ପ୍ରବାହରେ ହ୍ରାସ ଆଦି କାରଣ ଯୋଗୁଁ ଟଙ୍କା ଉପରେ ଚାପ୍‍ ବଢିଛି। ଏହି ଚାପ ଆଉ କିଛି ଦିନ ଧରି ଲାଗି ରହିବ ଓ ଡଲାର ତୁଳନାରେ ଟଙ୍କା ଦୁର୍ବଳ ରହିବ।
କେବଳ ଟଙ୍କା ହଂକଂ ଡଲାର, ମାଲେସିଆ ରିଙ୍ଗିଟ. ଥାଇଲାଣ୍ଡ ବାହାତ, ସିଙ୍ଗାପୁର ଡଲାର, ତାଇୱାନର ଡଲାର, ଦକ୍ଷିଣ କୋରିଆ ଓନ, ଚୀନ ୟୁଆନ, କାନାଡା ଲଡାର, ଅଷ୍ଟ୍ରେଲିଆ ଡଲାର, ରୁଷ ରୁବେଲ, କୋଲୋମ୍ବିଆନ ପେସ୍କୋ ମୁଦ୍ରା ମୂଲ୍ୟରେ ଅବନତି ପରିଲକ୍ଷିତ ହୋଇଛି।

Leave A Reply