କୁକୁରଙ୍କୁ ଚକୋଲେଟ୍ ମନା
ପଶୁପ୍ରେମୀମାନେ ଆଜିକାଲି ନିଜ ପୋଷା ଜନ୍ତୁଙ୍କ ସେବାରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିବାରେ କୁଣ୍ଠା ବୋଧ କରୁନାହାନ୍ତି। ସୁଆଦିଆ ଭୋଜନ କରାଇବା ସହ ଦାମୀ ସାବୁନ, ଶ୍ୟାମ୍ପୁରେ କୁକୁର, ବିଲେଇଙ୍କୁ ସ୍ନାନ କରାଉଛନ୍ତି ମାଲିକମାନେ। ଆମ ଭାରତୀୟ ଲୋକେ କୁକୁର ପାଳନ କରିବାରେ ବିଶେଷ ସଉକ୍ ରଖୁଛନ୍ତି ସତ, ହେଲେ ସେମାନେ ସଚେତନ ନୁହନ୍ତି। ଏ ବାବଦରେ ଆମେରିକୀୟ ଲୋକେ ଖୁବ୍ ଜାଗ୍ରତ। ଆମ ଭିତରୁ ଅଧିକାଂଶ ଲୋକ ନିଜ ପୋଷା କୁକୁରଙ୍କୁ ଚକୋଲେଟ୍ ଖାଇବାକୁ ଦେଉ। ଯଦି କୁକୁରଟି ଚକୋଲେଟ୍ ଖାଇବାରେ ଅଧିକ ଆଗ୍ରହୀ, ମାଲିକ ପରିମାଣ ବଢ଼ାଇବାରେ ମଧ୍ୟ ଆଦୌ ସଙ୍କୋଚ କରିନଥାନ୍ତି। ତେବେ ଚକୋଲେଟ୍ ଖାଇଲେ ସେମାନେ ପ୍ରାଣ ମଧ୍ୟ ହରାଇ ପାରନ୍ତି। ପ୍ରାଣୀ ବିଶେଷଜ୍ଞଙ୍କ ମତରେ ଚକୋଲେଟ୍ରେ ଥିବା ଥିଓବ୍ରୋମାଇନ୍ ତତ୍ତ୍ବ କାରଣରୁ କୁକୁରଙ୍କ ହୃଦ୍ଯନ୍ତ୍ର ଓ ନର୍ଭସ୍ ସିଷ୍ଟମ୍ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି। ନିୟମିତ ଭାବେ ମାଲିକ ନିଜ କୁକୁରକୁ ଚକୋଲେଟ୍ ଦେଉଥିଲେ, ସେମାନେ ଦିନ କେଇଟାରେ ପ୍ରାଣ ହରାନ୍ତି। ଏ ବାବଦରେ ପ୍ରଥମେ ହଲାଣ୍ଡରେ ତଥ୍ୟ ମିଳିଥିଲା। ସେଠାରେ କିଛି କୁକୁର ଅକାଳରେ ପ୍ରାଣ ହରାଇବାପରେ ପରୀକ୍ଷାରୁ ଜଣାପଡ଼ିଥିଲା ଯେ ସେଥିରେ ଥିଓବ୍ରୋମାଇନ୍ ତତ୍ତ୍ବ ହିଁ ଏହାର ମୁଖ୍ୟ କାରଣ।