ପ୍ରି-କ୍ଲିନିକାଲ, ପାରା-କ୍ଲିନିକାଲ ମେଡିକାଲ କଲେଜ ଶିକ୍ଷକଙ୍କୁ ମିଳିବ ପ୍ରୋତ୍ସାହନ

0

ଭୁବନେଶ୍ୱର : କଟକ ଏସିସିବି ମେଡ଼ିକାଲ କଲେଜ, ବ୍ରହ୍ମପୁର ଏମକେସିଜି ମେଡ଼ିକାଲ କଲେଜର ପ୍ରି-କ୍ଲିନିକାଲ ଓ ପାରା-କ୍ଲିନିକାଲ ମେଡ଼ିକାଲ କଲେଜ ଶିକ୍ଷକଙ୍କ ମାସିକ ଆର୍ଥିକ ପ୍ରୋତ୍ସାହନ ରାଶି ୨୦ ହଜାର ଟଙ୍କା ବୃଦ୍ଧି କରାଯାଇଛି।
ପୂର୍ବରୁ ଏହି ପ୍ରୋତ୍ସାହନ ରାଶି ନୂଆ ସରକାରୀ ମେଡ଼ିକାଲ କଲେଜ ସହିତ ବୁର୍ଲା ଭିମସାର ପ୍ରି-କ୍ଲିନିକାଲ ଓ ପାରା-କ୍ଲିନିକାଲ ମେଡ଼ିକାଲ କଲେଜ ଶିକ୍ଷକଙ୍କୁ ପ୍ରଦାନ କରାଯାଇଥିଲା। ଏହି ବ୍ୟବସ୍ଥା ଏଣିକି ରାଜ୍ୟର ସମସ୍ତ ସରକାରୀ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ କାର୍ଯ୍ୟରତ ଶିକ୍ଷକଙ୍କ ପାଇଁ ଲାଗୁ ହେବ।
ମେଡିକାଲ କାଉନସିଲ ଅଫ ଇଣ୍ଡିଆ ଦ୍ୱାରା ନିର୍ଦ୍ଧାରିତ ପ୍ରି-କ୍ଲିନିକାଲ ଓ ପାରା-କ୍ଲିନିକାଲ ବିଷୟରେ ଆନାଟୋମି, ଫିଜିଓଲୋଜି, ମାଇକ୍ରୋବାଇଓଲୋଜି, ଫାର୍ମାକୋଲୋଜି, ଫରେନସିକ ମେଡ଼ିସିନ ଏବଂ ଟକ୍ସିକୋଲୋଜି (ଏଫଏମଟି), ପାଥୋଲୋଜି, ମାଇକ୍ରୋବାଇଓଲୋଜି ଏବଂ କମ୍ୟୁନିଟି ମେଡ଼ିସିନ ସ୍ଥାନ ପାଇଛି। ଏସବୁ ବିଷୟରେ ପ୍ରଫେସର, ଆସୋସିଏଟ ପ୍ରଫେସର ଓ ଆସିଷ୍ଟାଣ୍ଡ ପ୍ରଫେସର ମାସିକ ୨୦ ହଜାର ଟଙ୍କା ପ୍ରୋତ୍ସାହନ ରାଶି ପାଇବେ। ମେଡିକାଲ କଲେଜ ଶିକ୍ଷକମାନଙ୍କୁ ସେମାନଙ୍କ ମାସିକ ବେତନ ସହିତ ଉପରୋକ୍ତ ଆର୍ଥିକ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ। ଅର୍ଥ ବିଭାଗ ଏହାକୁ ଅନୁମୋଦନ କରିଛି। ଏମସିଆଇ ଦ୍ୱାରା ସ୍ୱୀକୃତ ଉପରୋକ୍ତ ବିଷୟରେ କାର୍ଯ୍ୟରତ ପ୍ରଫେସର ତଥା ସରକାରୀ ମେଡ଼ିକାଲ କଲେଜ ଓ ହସ୍ପିଟାଲର ଡ଼ିନ ଓ ଅଧ୍ୟକ୍ଷ ଏବଂ ଅଧୀକ୍ଷକ ମଧ୍ୟ ଏହି ଅର୍ଥ ରାଶି ପାଇବେ। ଏ ସଂକ୍ରାନ୍ତରେ ଆଜି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

Leave A Reply