ମିଳୁନି ସରକାରୀ ପ୍ରୋତ୍ସାହନ, ବିଲୁପ୍ତ ପଥେ ପ୍ରାଚୀନ ଡୋକ୍ରା ଶିଳ୍ପ
କଳାବାଡିଆ: ଡୋକ୍ରା ଭାରତର ବହୁ ପୁରାତନ ଶିଳ୍ପ। ମହେେଞ୍ଜାଦାରୋ ସଭ୍ୟତା କାଳରେ ଏହି କଳାର ବହୁଳ ବ୍ୟବହାର କରାଯାଉଥିବା ପ୍ରମାଣ ମିଳିଛି। ପିତଳ ଧାତୁକୁ ବ୍ୟବହାର କରି ବିଭିନ୍ନ ସୁନ୍ଦର ଭୂର୍ତ୍ତି ଓ ଆସବାବପତ୍ର ତିଆରି କରାଯାଇଥାଏ। ଡୋକ୍ରା ଶିଳ୍ପ ଓଡିଶାର ବହୁ ସ୍ଥାନରେ ଦେଖିବାକୁ ମିଳେ। ମୟୂରଭଞ୍ଜ ଜିଲା କୁଳିଅଣା ବ୍ଲକର ଡୋକ୍ରା ଶିଳ୍ପ କାରୀଗରୀର ସ୍ୱତନ୍ତ୍ର ଆକର୍ଷଣ ରହିଛି। ଡୋକ୍ରା ପଦ୍ଧତି ଅନୁଯାୟୀ, ପ୍ରଥମେ ମାଟି ସଂଗ୍ରହ କରି ସେଥିରେ ବାଲି ଓ ଅନ୍ୟ ସାମଗ୍ରୀ ମିଶାଯାଇ ସଠିକ୍ ପାଗଯୋଗ କରି ପରେ ଏଥିରେ ହାତରେ ମୂର୍ତ୍ତି ତିଆରି କରାଯାଇ ସେସବୁକୁ ଶୁଖାଇ ଦିଆଯାଏ। ମୂର୍ତ୍ତି ଗୁଡିକ ଶୁଖିଗଲା ପରେ ସ୍ବତନ୍ତ୍ର ଭାବେ ମହମ ଓ ଲାଖରୁ ପ୍ରସ୍ତୁତ ସୂତାକୁ ମୂର୍ତ୍ତିରେ ଗୁଡାଇ ଏହାର ଆକାର ପ୍ରସ୍ତୁତ କରାଯାଏ।
ମୂର୍ତ୍ତିଟି ସମ୍ପୂର୍ଣ ହୋଇଯିବା ପରେ ସ୍ୱତନ୍ତ୍ର ଭାବେ ତିଆରି ଏକ ମାଟିର ପ୍ରଲେପ ଦେଇ ପୁଣି ଖରାରେ ଶୁଖାଯାଏ। ଏହା ଶୁଖିଯିବା ପରେ ପ୍ରଥମେ ବାଲି ମାଟି ଓ ପରେ ଚିକିଟା ମାଟିର ଦୁଇଟି ଆସ୍ତରଣ ଦେଇ ମୂର୍ତ୍ତିର ଅଗ୍ରଭାଗରେ ଚଙ୍ଗ ତିଆରି କରାଯାଇ ଶୁଖାଇ ଦିଆଯାଏ। ପରେ ପିତଳ ଧାତୁକୁ ଛୋଟ ଛୋଟ କରି ଚଙ୍ଗରେ ଦେଇ ପୁଣି ମାଟିର ପ୍ରଲେପ ଦିଆଯାଏ। ମୂର୍ତ୍ତିକୁ ଭାଟିରେ ରଖି ନିଆଁ ଜଳାଇ ଦିଆଯାଏ। କିଛି ସମୟ ପରେ ପିତ୍ତଳ ତରଳି ଗଲାପରେ ମୂର୍ତ୍ତିକୁ ବାହାରକୁ ବାହାର କରି ଓଲଟାଇ ରଖାଯାଏ। ଫଳରେ ମହମ ସୂତାର ନକ୍ସା ଅନୁସାରେ ପିତଳର ଛାଞ୍ଚ ତିଆରି ହେଇଯାଏ। ତା ପରେ ଉପରେ ଥୁବା ମାଟିର ପ୍ରଲେପକୁ ଭାଙ୍ଗି ସୁନ୍ଦର ପିତଳ ମୂର୍ତ୍ତିଟି ବାହାରକୁ ଆସିଥାଏ। ତାକୁ ପଲିସ୍ (ଚିକ୍କଣ) କରିବା ପରେ ବିକ୍ରିଯୋଗ୍ୟ ହୋଇଥାଏ। ତେବେ ଡୋକ୍ରା ସାମଗ୍ରୀକୁ ଘର ସଜାଇବା ଲାଗି ଆଗ୍ରହ ବଢୁଥିଲେ ମଧ୍ୟ ଏହା ପ୍ରସ୍ତୁତ କରୁଥିବା ଅତି ଅବହେଳିତ ଅବସ୍ଥାରେ ରହିଛନ୍ତି।
ଏହି ବିଲୁପ୍ତ ପ୍ରାୟ ପ୍ରାଚୀନ ଶିଳ୍ପକଳାକୁ ବଞ୍ଚାଇ ରଖିବା ଲାଗି କୌଣସି ସରକାରୀ ସହାୟତା କାରୀଗରଙ୍କୁ ମିଳୁନାହିଁ। ଫଳରେ ଏହି କଳାକୁ ଜୀବିକା କରି ନିର୍ଭରଶୀଳ ଥିବା ଦେବଶିଳ୍ପୀଙ୍କ ପରିବାରର ସାମାଜିକ ଓ ଅର୍ଥନୈତିକ ବିକାଶ ହୋଇପାରୁନାହିଁ। ବହୁଦିନରୁ ସୋସାଇଟି ସବୁ ଖୋଲା ଯାଇଥିଲେ ବି ପରିଚାଳନାଗତ ତ୍ରୁଟି ଯୋଗୁଁ ଏବେ ବନ୍ଦ ପଡିଛି। ଫଳରେ ବାଧ୍ୟ ହୋଇ କାରିଗରମାନେ ନିଜ ନିଜ ମୂର୍ତ୍ତିକୁ ଅଳ୍ପ ମୂଲ୍ୟରେ ଖୋଲା ବଜାରରେ ବିକ୍ରି କରୁଛନ୍ତି। ଏହି ଶିଳ୍ପ ଏବେ ଧୀରେ ଧୀରେ ବନ୍ଦ ହେବାକୁ ବସିଲାଣି। ଏହି ଶିଳ୍ପରୁ ଆୟ କମ୍ ରହୁଥିବାରୁ ନୂତନ ପିଢ଼ି ଏହି ଶିଳ୍ପକୁ ଆପଣେଇବାକୁ କୁଣ୍ଠାବୋଧ କରୁଛନ୍ତି। ସରକାର ଏହି ଶିଳ୍ପକୁ ପ୍ରୋତ୍ସାହନ ନ ଦେଲେ, ଆଗାମୀ ଦିନରେ ଏହା ବିଲୁପ୍ତ ହୋଇଯିବା ସହ ପରବର୍ତ୍ତୀ ପିଢି ପାଇଁ ଇତିହାସ ପୃଷ୍ଠାକୁ ଚାଲିଯିବ।
Comments are closed.