ବୈତରଣୀରୁ ଚାଲିଛି ବାଲି ଚୋରି; ଚୁପ୍ ବସିଛି ଭଦ୍ରକ ପ୍ରଶାସନ

ଦୋବଲ: ବର୍ଷା ଋତୁ ଯିବା ସହ ପାଣି କମିବାରୁ ବୈତରଣୀ ନଦୀ ଗର୍ଭରୁ ବେଆଇନ ଭାବେ ବାଲି ଚୋରି ଆରମ୍ଭ ହୋଇଯାଇଛି। ଧାମନଗର ତହସିଲ ଅଧିନ ଆନନ୍ଦପୁର ପଞ୍ଚାୟତ ଉତ୍ତେଇପୁର ମୌଜାରେ ମଲ୍ଲିମାହାରା ଘାଟ ପାଖରୁ ବେଆଇନ ଭାବେ ବାଲି ଉଠାଯାଉଛି। ବୈତରଣୀ ନଦୀରେ ଡୋଜର ସାହାଯ୍ୟରେ ପ୍ରତିଦିନ ୩୦ରୁ ୪୦ଟି ଟ୍ରାକ୍ଟର ଓ ମିନିଟ୍ରକ ଏଠାରୁ ବାଲି ଚୋରି କରି ନେଉଛନ୍ତି। ସ୍ଥାନୀୟ ସରପଞ୍ଚଙ୍କ ସ୍ବାମୀ ଶରତ ଚନ୍ଦ୍ର ମାଝୀ ବାଲି ଉଠାଇ ବିକ୍ରି କରୁଥିବା ଅଭିଯୋଗ ହୋଇଛି। ଶରତଙ୍କ ଘର ପାଖରେ ଏହି ଘାଟଟି ହୋଇଥିବାରୁ ସେ ଏପରି କରୁଥିବା କୁହାଯାଇଛି।

ଉତ୍ତେଇପୁରର ଏହି ବାଲିଘାଟ ୨୦୧୭ ମସିହାରେ ନିଲାମ ଡକାଯାଇଥିଲା। ୨୦୧୮ ଜାନୁଆରୀରେ ନିଲାମ ବିଜୟୀ ହୋଇଥିଲେ ଶରତ ମାଝୀ। ସେବେଠାରୁ ଏହି ଘାଟରୁ ସେ ବାଲି ଉଠାଉଛନ୍ତି। ୨୦୧୭ର ଏହି ଘାଟକୁ ଅତି ଚଞ୍ଚକତାର ସହ ତତ୍କାଳୀନ ତହସିଲଦାର ଓ ଅତିରିକ୍ତ ତହସିଲଦାର ନିଲାମ ବିଜୟୀ ଶରତଙ୍କ ସହ ୨୦୧୯ ଡିସେମ୍ବରରେ ୫ ବର୍ଷିଆ ଚୁକ୍ତି କରିଥିଲେ। ଚୁକ୍ତି ଅନୁସାରେ ବାଲିଘାଟର ଅବଧି ୫ ବର୍ଷ ରହିବ। ଏଣୁ ଶରତଙ୍କ ନାଁରେ ନିଲାମ ଥିବା ଏହି ଉତ୍ତେଇପୁର-୨ ବାଲିଘାଟର ଅବଧି ୨୦୨୪ ଡିସେମ୍ବର ୨୦ରେ ଶେଷ ହେଉଛି। ଏହି ନିୟମକୁ ଢାଲ କରି ତହସିଲ ପ୍ରଶାସନର ସହଯୋଗରେ ସେ ଏଠାରୁ ବାଲି ଉଠାଇ ଚାଲିଛନ୍ତି।

ପ୍ରକୃତ ପକ୍ଷେ ବାଲିଘାଟର ନିଲାମ ୨୦୧୭ରେ ହୋଇଥିବାରୁ ସେହି ଅନୁସାରେ ଶରତଙ୍କ ପକ୍ଷରୁ ମାଇନିଂ ପ୍ଲାନ, ପରିବେଶ ଅନୁମତି ଓ ବାଲିଘାଟ ଚଳାଇବା ପାଇଁ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟାମକ ବୋର୍ଡର ସ୍ବୀକୃତିପତ୍ର ବା କନସେଣ୍ଟ ଟୁ ଅପରେଟ୍(ସିଟିଓ) ୨୦୨୨ ଯାଏ ଦାଖଲ କରାଯାଇଥିଲା। ସେହି ଅନୁସାରେ ଉତ୍ତେଇପୁର-୨ ବାଲିଘାଟରୁ ବାଲି ଉତ୍ତୋଳନ ପାଇଁ ଶରତଙ୍କୁ ୨୦୨୨ ମାର୍ଚ୍ଚ ୩୧ ତାରିଖ ଯାଏ ସିଟିଓ ମିଳିଥିଲା। ସିଟିଓର ଅବଧି ସରିବା ପରେ ବାଲିଘାଟରୁ ବାଲି ଉତ୍ତୋଳନ ବନ୍ଦ କରାଯିବା କଥା। ହେଲେ ଶରତ ବାଲି ଉତ୍ତୋଳନ ବନ୍ଦ କରିନାହାନ୍ତି। ସେହିପରି ସିଟିଓ ପାଇବାର ନିୟମ ଅନୁସାରେ ଯଦି ବାଲିଘାଟର ନିଲାମ ଅବଧି ଥିବ ଓ ସିଟିଓର ଅବଧି ଶେଷ ହୋଇଥିବ, ସେ କ୍ଷେତ୍ରରେ ନୂଆ ସିଟିଓ ପାଇଁ ଆବେଦନ କରାଯିବ। ଏଥିଲାଗି ସିଟିଓର ଅବଧି ଶେଷ ହେବାର ୯୦ ଦିନ ପୂର୍ବରୁ ନୂଆ ସିଟିଓ ପାଇଁ ଆବେଦନ କରାଯିବ। ହେଲେ ଶରତ ନୂଆ ସିଟିଓ ପାଇଁ ଆବେଦନ କରିନାହାନ୍ତି କି ସିଟିଓ ପାଇନାହାନ୍ତି।

ସିଟିଓ ନଥିବାରୁ ବାଲି ଉତ୍ତୋଳନ ବେଆଇନ ଓ ଏହାକୁ ଲଘୁ ଖଣିଜ ସଂପଦ ଚୋରି ବୋଲି ବିବେଚନା କରାଯିବ। ଏନେଇ ସ୍ଥାନୀୟ ବାସିନ୍ଦା ତତ୍କାଳୀନ ତହସିଲଦାରଙ୍କୁ ବାରମ୍ବାର ଅବଗତି କରିଥିଲେ ବି ତହସିଲଦାର କୌଣସି ପଦକ୍ଷେପ ନେଇନଥିଲେ। ଏହାପରେ ଗତବର୍ଷ ବାଲିଘାଟକୁ ବନ୍ଦ କରିବାକୁ ଯାଇଥିଲେ ସ୍ଥାନୀୟ ଲୋକେ। ଏହାକୁ ନେଇ ସେତେବେଳେ ଗଣ୍ଡଗୋଳ ହୋଇଥିଲା। ବାଲିଘାଟ ନିଲାମଧାରୀ ଓ ବାଲି ଘାଟ ବନ୍ଦ କରିବାକୁ ଯାଇଥିବା ଗାଁ ଲୋକଙ୍କ ପକ୍ଷରୁ ଉଭୟଙ୍କ ବିରୋଧରେ ଥାନାରେ ମାମଲା ହୋଇଥିଲା। ପରବର୍ତ୍ତୀ ମୁହୂର୍ତ୍ତରେ ବେଆଇନ ବାଲି ଚୋରି କରୁଥିବାରୁ ଓ ଚୋରିରେ ସହଯୋଗ କରୁଥିବାରୁ ନିଲାମଧାରୀ ଶରତ ଚନ୍ଦ୍ର ମାଝୀ ଓ ତତ୍କାଳୀନ ତହସିଲଦାରଙ୍କ ବିରୋଧରେ ଥାନାରେ ମାମଲା ହୋଇଥିଲା। ଏବେ ସେହି ମାମଲାଟି କୋର୍ଟରେ ବିଚାରାଧିନ ରହିଛି।

ଅନ୍ୟପକ୍ଷରେ ଲଘୁ ଖଣିଜ ପଦାର୍ଥ ନିଲାମ ଓ ସୈରାତ ଉତ୍ସ ପରିଚାଳନା ଦାୟିତ୍ବ ରାଜସ୍ବ ବିଭାଗରୁ କାଢ଼ି ନିଆଯାଇ ଖଣି ବିଭାଗକୁ ରାଜ୍ୟ ସରକାର ପ୍ରଦାନ କରିଛନ୍ତି। ଏହି ଆଳରେ ଧାମନଗର ତହସିଲଦାର ଦୀପକ ଦାସ ଓ ଧାମନଗର ଜୋନ ରେଭିନ୍ୟୁ ସୁପରଭାଇଜର ଧନେଶ୍ବର ମାରାଣ୍ଡି କୌଣସି ପଦକ୍ଷେପ ନେଉନାହାନ୍ତି। ଏ ସଂପର୍କରେ ପଚାରିଲେ ତହସିଲଦାର ଦୀପକ ଦାସ କହୁଛନ୍ତି, ଆମ ହାତରେ ବାଲିଘାଟ ଆଉନାହିଁ। ସେପଟେ ବାଲି ଚୋରି ରୋକିବା ପାଇଁ ଥିବା ଏମ୍ଏମଡିଆର ଆଇନ ଅନୁସାରେ, ତହସିଲଦାର, ରେଭିନ୍ୟୁ ସୁପରଭାଇଜର, ପୁଲିସ ସବ ଇନସପେକ୍ଟର ବାଲି ଚୋରି ରୋକିବାର ନିୟମ ରହିଛି। ଏମାନେ ବାଲିଘାଟ ଉପରେ ଚଢ଼ଉ କରିବା ସହ ବାଲି ଚୋରି ରୋକିପାରିବେ। ହେଲେ କୌଣସି ଏକ ସ୍ବାର୍ଥ ପାଇଁ ଧାମନଗର ତହସିଲ କର୍ମଚାରୀ ଚୁପ୍ ରହୁଥିବା ଚର୍ଚ୍ଚା ହେଉଛି।

Comments are closed.