୫ କୋଟି ୮୨ ଲକ୍ଷ ଟଙ୍କାର ବ୍ୟୟ ଅଟକଳ ଦୋବଲ ବସଷ୍ଟାଣ୍ଡ ଅଧପନ୍ତରା
ଦୋବଲ: ଭଦ୍ରକ ଜିଲା ଧାମନଗର-ଦୋବଲ ରାସ୍ତାର ମୁସ୍ତଫାପୁର ଘୋଡ଼ଗଣ୍ଡ ନାଳ ପାଖରେ ନିର୍ମାଣ ହେଉଥିବା ଆମ ବସଷ୍ଟାଣ୍ଡ ପ୍ରକଳ୍ପକୁ ବନ୍ଦ କରି ଦିଆଯାଇଛି। ଠିକାଦାର ପକ୍ଷରୁ ଏବେ କାମ ବନ୍ଦ ରଖାଯାଇଛି। ତା ସହ ପ୍ରକଳ୍ପ ସ୍ଥଳରେ ଗଦା କରିଥିବା ଲୁହା ରଡ଼, ସିମେଣ୍ଟ, ଚିପ୍ସକୁ ପ୍ରତ୍ୟେକ ଦିନ ଗାଡ଼ି ଲଗାଇ ଉଠାଇ ନେଉଛନ୍ତି ଠିକାଦାର।୫ କୋଟି ୮୨ ଲକ୍ଷ ଟଙ୍କାର ବ୍ୟୟ ଅଟକଳ ଦୋବଲ ବସଷ୍ଟାଣ୍ଡ ଅଧପନ୍ତରା ଅବସ୍ଥାରେ ପଡ଼ିଥିବାବେଳେ ଏହାର ଭବିଷ୍ୟତକୁ ନେଇ ଲୋକଙ୍କ ମନରେ ଆଶଙ୍କା ଦେଖାଦେଇଛି। ତେବେ ଏନେଇ ପୂର୍ତ୍ତ ଓ ଗୃହ ନିର୍ମାଣ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ କହିଛନ୍ତି ଯେ, ବର୍ତ୍ତମାନ ପାଇଁ ବସଷ୍ଟାଣ୍ଡ ନିର୍ମାଣ ସ୍ଥଗିତ ରଖିବା ଲାଗି ପ୍ରଶାସନିକ ନିଷ୍ପତ୍ତି ହୋଇଛି। ଏନେଇ ଆମକୁ ଉପରୁ ନିର୍ଦ୍ଦେଶ ଆସିବାରୁ ଆମେ ସଂପୃକ୍ତ ଠିକାଦାରଙ୍କୁ କାମ ବନ୍ଦ କରିବା ଲାଗି କହିଥିଲୁ। ସେ ସାମୟିକ କାମ ବନ୍ଦ କରିଛନ୍ତି। ସେପଟେ ପୂର୍ତ୍ତ ବିଭାଗର ଆଉ ଜଣେ ଅଧିକାରୀ କହିଛନ୍ତି, ବସଷ୍ଟାଣ୍ଡର ନିର୍ମାଣ ସ୍ଥାନ ବଦଳାଯିବ। ଏଥିଲାଗି ସ୍ଥାନୀୟ ଲୋକଙ୍କ ଦାବି ଅନୁସାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି।
ଦୋବଲ ଷ୍ଟେଟ ବ୍ୟାଙ୍କ ପାଖରେ ଥିବା ବସଷ୍ଟାଣ୍ଡର ଜମିକୁ ନେଇ ଦୀର୍ଘ ବର୍ଷ ହେଲା ବିବାଦ ଲାଗି ଆସିଥିଲା। ଏ ବିବାଦର ସମାଧାନ ପାଇଁ ବିଜେଡିର ତତ୍କାଳୀନ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ମୁଣ୍ଡ ପୂରାଇଥିଲେ। ସେ ବସଷ୍ଟାଣ୍ଡ ବିବାଦରେ ଯୋଡ଼ି ହୋଇଥିବା ବିଭିନ୍ନ ପକ୍ଷ ଓ ଭିନ୍ନ ଭିନ୍ନ ରାଜନୈତିକ ଦଳର ଲୋକଙ୍କୁ ଡାକି ଆଲୋଚନା କରିଥିଲେ। ଏହାପରେ ଦୋବଲରେ ଗୋଟିଏ ଅତ୍ୟାଧୁନିକ ବସଷ୍ଟାଣ୍ଡ ନିର୍ମାଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ତେବେ ଦୋବଲରେ ବସଷ୍ଟାଣ୍ଡ ନିର୍ମାଣ ଲାଗି ବିଜେଡି ସରକାର ଆମ ବସଷ୍ଟାଣ୍ଡ ଯୋଜନାରେ ବ୍ୟବସ୍ଥା ହୋଇଥିଲା। ଏଥିଲାଗି ପ୍ରାଥମିକ ପର୍ଯ୍ୟାୟରେ ୨ କୋଟି ୯୧ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଥିଲା। ପରବର୍ତ୍ତୀ ମୁହୂର୍ତ୍ତରେ ବସଷ୍ଟାଣ୍ଡ ପାଇଁ ୫ କୋଟି ୮୨ ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇଥିଲା। ଆଉ ୨୦୨୩ ଅଗଷ୍ଟ ୨୩ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।
ଆମ ବସଷ୍ଟାଣ୍ଡ ଯୋଜନାର ଲକ୍ଷ୍ୟ ଥିଲା ଯେ, ନିଜ ଅଞ୍ଚଳରେ ଗୋଟିଏ ଅତ୍ୟାଧୁନିକ ବସଷ୍ଟାଣ୍ଡ ନିର୍ମାଣ କରିବା। ଏଥିରେ ଗ୍ରାଉଣ୍ଡ ଫ୍ଲୋର ଓ ଫାଷ୍ଟ ଫ୍ଲୋର ରହିବ। ମାନେ ଦୁଇ ମହଲା ବିଶିଷ୍ଟ ଘର ହେବ। ତଳ ମହଲା ଓ ପ୍ରଥମ ମହଲା କୋଠା। ତଳ ମହଲାରେ ଯାତ୍ରୀଙ୍କ ପାଇଁ ବିଶ୍ରାମ କକ୍ଷ, ଟିକେଟ କାଉଣ୍ଟର, ଶୌଚାଳୟ, ଗାଡ଼ି ଧୋଇବା ରାମ୍ପ, ଭେଣ୍ଡିଂ ଜୋନ୍, ପ୍ରବେଶ ଓ ପ୍ରସ୍ଥାନ ପଥ, ବସ୍ ପାର୍କିଂ ସ୍ଥାନ। ଲୋକ ଚଢ଼ିବା ଓ ଓହ୍ଲାଇବା ପାଇଁ ନିର୍ଦ୍ଧାରିତ ପଥ, ଭିନ୍ନକ୍ଷମଙ୍କ ପାଇଁ ସ୍ବତନ୍ତ୍ର କରିଡର, ଯାତ୍ରୀଙ୍କ ଲଗେଜ ନେବା ଆଣିବା ଲାଗି ରାମ୍ପ ଆଦି ରହିବ। ଏହାସହ ବସଷ୍ଟାଣ୍ଡରୁ ଯାତ୍ରୀଙ୍କୁ ନେବା ଆଣିବା ଲାଗି କାର, ଟ୍ୟାକ୍ସି ଓ ଅଟୋ ଯାତାୟତ ପାଇଁ ମଧ୍ୟ ସ୍ଥାନ ରହିବ। ପ୍ରଥମ ମହଲାରେ ଡ୍ରାଇଭରଙ୍କ ପାଇଁ ବିଶ୍ରାମ କକ୍ଷ, ନିରୀକ୍ଷଣ କକ୍ଷ, ଅଫିସ, ରିକ୍ରେସନ ପଏଣ୍ଟ, ଶୌଚାଳୟ ଆଦି ରହିବ। ଏସବୁ ନିର୍ମାଣ ହେଲେ ଦୋବଲ ଦେଇ ଯିବା ଆସିବା କରୁଥିବା ଯାତ୍ରୀମାନେ ଉପକୃତ ହେବେ।
ଏତେସବୁ ସୁବିଧା ଲାଗି ପ୍ରାୟ ୨ ଏକର ଜମିର ଆବଶ୍ୟକତା ଥିଲା। ହେଲେ ଦୋବଲ ଷ୍ଟେଟ ବ୍ୟାଙ୍କ ପାଖରେ ଏତେ ଜାଗା ନଥିଲା। ଏଣୁ ପ୍ରଶାସନ ପକ୍ଷରୁ ସେତେବେଳେ ଘୋଡ଼ାଗଣ୍ଡ ନାଳ ପାଖରେ ବସଷ୍ଟାଣ୍ଡ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ହେଲେ ବସଷ୍ଟାଣ୍ଡ ପାଇଁ ଆନ୍ଦୋଳନ କରୁଥିବା ଲୋକେ ଏହାକୁ ନେଇ ଅସନ୍ତୁଷ୍ଟ ଥିଲେ। ଏବେ ସରକାର ବଦଳିବା ପରେ ସଂପୃକ୍ତ ଗୋଷ୍ଠୀଙ୍କ ଚାପରେ ସରକାରଙ୍କ ପକ୍ଷରୁ କାମ ବନ୍ଦ କରାଯାଇଛି। ହେଲେ ଏବେ ପ୍ରଶ୍ନ ଉଠୁଛି, ବର୍ତ୍ତମାନ ପର୍ଯ୍ୟନ୍ତ ବସଷ୍ଟାଣ୍ଡ ନିର୍ମାଣ ହେଉଥିବା ଜାଗାରେ ପ୍ରାୟ ୨୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ସାରିଛି। ଏଠି ବସଷ୍ଟାଣ୍ଡ ନିର୍ମାଣ ନ ହେଲେ ସେ ଟଙ୍କା ବେକାର ଯିବ। ତା ଛଡ଼ା ଅପନ୍ତରା ଜାଗାକୁ ମାଟି ପକାଇ ସମତୁଲ କରାଯାଇଥିବାରୁ ଭବିଷ୍ୟତରେ ଜବରଦଖଲ ଆଶଙ୍କା ରହିବ। ପାଖରେ ମଦ ଦୋକାନ ଥିବାରୁ ଏଠାରେ ଦୋକାନବଜାର ହୋଇଯିବାର ଆଶଙ୍କା ମଧ୍ୟ ରହିଛି। ଏଣୁ ପ୍ରଶାସନ ବୁଝି ବିଚାରି ପଦକ୍ଷେପ ନେବା ଉଚିତ ବୋଲି ଦୋବଲ ବାସୀ କହିଛନ୍ତି।
Comments are closed.