ସର୍ବଦଳୀୟ ବୈଠକ: ସରକାରଙ୍କ ସହ ସବୁ ରାଜନୈତିକ ଦଳ

0

ନୂଆଦିଲ୍ଲୀ : ପାକିସ୍ତାନ ସହ ଯୁଦ୍ଧ ପରିସ୍ଥିତିକୁ ନେଇ ଆୟୋଜିତ ସର୍ବଦଳୀୟ ବୈଠକରେ ସମସ୍ତ ବିରୋଧୀ ଦଳ ସରକାର ଓ ସେନାକୁ ନିଜ ସମର୍ଥନ ଜଣାଇଛନ୍ତି। ଏହି ପରିସ୍ଥିତିରେ ସବୁ ଦଳ ସରକାରଙ୍କ ସାଥ ଦେବାକୁ କହିଛନ୍ତି। ସର୍ବଦଳୀୟ ବୈଠକ ପରେ ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ ଏହି ଘୋଷଣା କରିଛନ୍ତି। ସୁଷମା କହିଛନ୍ତି ଯେ ପାକିସ୍ତାନର ବାଲାକୋଟଠାରେ ଥିବା ଆତଙ୍କବାଦୀ ଶିବିରଗୁଡ଼ିକ ଉପରେ ଭାରତୀୟ ବାୟୁ ସେନା ପକ୍ଷରୁ ବୋମା ବର୍ଷଣ କରାଯାଇଥିଲା। ଏଥିରେ ଜୈଶ-ଏ-ମହମ୍ମଦର ଅନେକ ଶିବିର ନଷ୍ଟ ହୋଇଯାଇଛି ଓ ବହୁ ଆତଙ୍କବାଦୀ ନିହତ ହୋଇଛନ୍ତି। ଏନେଇ ସବିଶେଷ ବିବରଣୀ ଦେବା ପାଇଁ ସର୍ବଦଳୀୟ ବୈଠକ ଡକାଯାଇଥିଲା। ଏହି ବୈଠକରେ ସରକାରଙ୍କ ତରଫରୁ ଗୃହମନ୍ତ୍ରୀ ରାଜନାଥ ସିଂହ, ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିଜୟ ଗୋଏଲ ଏବଂ ଅନ୍ୟଦଳର ପ୍ରତିନିଧି ଯୋଗ ଦେଇଥିଲେ। ବୈଠକରେ ସମସ୍ତ ଦଳ ଭାରତୀୟ ବାୟୁ ସେନାର ପ୍ରଶଂସା କରିଥିଲେ। ଆତଙ୍କବାଦୀ ବିରୋଧୀ ଲଢେଇରେ ସମସ୍ତ ଦଳ ସରକାରଙ୍କ ସହ ଅଛନ୍ତି ବୋଲି ଘୋଷଣା କରାଯାଇଛି। କଂଗ୍ରେସର ବରିଷ୍ଠ ନେତା ଗଲାମ ନବୀ ଆଜାଦ କହିଛନ୍ତି ଯେ ଆମେ ଯବାନଙ୍କ ସାହାସିକତା ଓ ଆତଙ୍କବାଦୀ ବିରୋଧୀ ଲଢେଇରେ ତାଙ୍କ ସହ ରହିଛୁ। ସର୍ବଦଳୀୟ ବୈଠକରେ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ, ସିପିଏମ୍‍ ସୀତାରାମ ୟେଚୁରୀ, ଟିଏମ୍‍ସି ନେତା ଡେରେକ ଓବ୍ରାଏନ, ଏନ୍‍ସିପିର ପ୍ରଫୁଲ୍ଲ ପଟେଲ, ବିଜେଡିର ଭର୍ତ୍ତୁହରି ମହତାବ, ନ୍ୟାସନାଲ କନଫ୍ରେନ୍ସ ନେତା ଉମର ଅବଦୁଲ୍ଲା ଓ ଅନ୍ୟ ଦଳର ନେତାମାନେ ଉପସ୍ଥିତ ଥିଲେ।
ପ୍ରକାଶଯୋଗ୍ୟ ଯେ ସୋମବାର ବିଳମ୍ବିତ ରାତିରେ ଭାରତୀୟ ବାୟୁ ସେନାର ଯୁଦ୍ଧ ବିମାନ ପାକିସ୍ତାନ ଅଧୀକୃତ କାଶ୍ମୀର (ପିଓକେ)ରେ ପଶି ବାଲାକୋଟଠାରେ ଥିବା ଜୈଶ-ଏ-ମହମ୍ମଦର ପ୍ରଶିକ୍ଷଣ କେନ୍ଦ୍ର ଉପରେ ବୋମା ବର୍ଷା କରିଛି। ଏଥିରେ ପାଖାପାଖି ୩୫୦ ଆତଙ୍କବାଦୀ ନିପାତ ହୋଇଛନ୍ତି। ଏହାକୁ ନେଇ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି।

Leave A Reply