ଦଳିତ ବ୍ୟକ୍ତିଙ୍କୁ ମରଣାନ୍ତକ ଆକ୍ରମଣ, ୨ ଅଭିଯୁକ୍ତ ଗିରଫ
ଢେଙ୍କାନାଳ ସଦର: ଗତ ମାସେ ତଳେ ସିମିଳିଆର ଜନୈକ ଦଳିତ ବ୍ୟକ୍ତିଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ପୁଲିସ୍ ୨ ଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କରିଛି । ଗିରଫ ଦ୍ୱୟ ହେଲେ ସଦର ଥାନା ଇଲାକା କାଙ୍କଡପାଳ ଗ୍ରାମର ଆଲୋକ ସାସମଲ ଓରଫ୍ ଚଣିଆ (୨୩) ଓ ସତ୍ୟବ୍ରତ ପଣ୍ଡା ଓରଫ୍ ପିନୁ (୨୮) । ଏହି ଦୁଇ ଦୁର୍ଦ୍ଦାନ୍ତ ଅପରାଧୀଙ୍କ ନାମରେ ସଦର ଥାନାରେ ପୂର୍ବରୁ ୪ଟି ମାମଲା ରହିଛି । ପୂର୍ବରୁ ଏହି ମାମଲାରେ ଆଉ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ପୂର୍ଣ୍ଣଚନ୍ଦ୍ର ଦାସ ଓରଫ୍ ପପୁ ପୁଲିସ୍ ଗିରଫ କରି କୋର୍ଟଚାଲାଣ କରିଛି । ତଥାପି ଏହି ମାମଲାରେ ଆହୁରି ୨ ଅଭିଯୁକ୍ତ ଅଜୟ ବେହେରା ଓ କବି ବେହେରାଙ୍କୁ ପୁଲିସ୍ ଏପର୍ଯ୍ୟନ୍ତ ଧରିପାରିନାହିଁ।
ଢେଙ୍କାନାଳ ଟାଉନ୍ ଥାନା ପରିସରରେ ସଦର ଉପଖଣ୍ଡ ପୁଲିସ୍ ଅଧିକାରୀ ବିଭୁତି ମହାପାତ୍ର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି ଯେ ଗତ ଜୁନ୍ ୩୦ ତାରିଖ ସଂଧ୍ୟା ୭ଟାରେ ସିମିଳିଆ ଗ୍ରାମର ସୁଶାନ୍ତ କୁମାର ମଲ୍ଲିକ ନାମକ ଜନୈକ ବ୍ୟକ୍ତିଙ୍କୁ ରଞ୍ଜା ନିକଟରେ ପୂର୍ଣ୍ଣଚନ୍ଦ୍ର ଦାସ ଓରଫ୍ ପପୁ, ଅଜୟ ବେହେରା, କବି ବେହେରା, ଆଲୋକ ସାସମଲ ଓରଫ୍ ଚଣିଆ ଏବଂ ସତ୍ୟବ୍ରତ ପଣ୍ଡା ଓରଫ୍ ପିନୁ ଏକ ପାଇପ୍ ସାହାଯ୍ୟରେ ଆକ୍ରମଣ କରି ଜୀବନରେ ମାରିଦେବା ପାଇଁ ପିଟି ଚାଲିଥିଲେ। କୌଶଳକ୍ରମେ ସୁଶାନ୍ତ ସେଠାରୁ ଖସିଯାଇ ପୁଲିସ୍ ନିକଟରେ ଅଭିଯୋଗ କରିଥିଲେ। ପୁଲିସ୍ ଏହି ଘଟଣାରେ ୫୪୮/୨୦୨୩ରେ ଏକ ମାମଲା ରୁଜୁ କରିଥିଲା। ସୁଶାନ୍ତ ଜଣେ ଦଳିତ ସଂପ୍ରଦାୟର ବ୍ୟକ୍ତି ହୋଇଥିବାରୁ ଅନୁସୂଚିତ ଜାତି ଓ ଜନଜାତି ମାମଲାରେ ମକଦ୍ଦମା ରୁଜୁ କରାଯାଇଥିଲା। ତଦନ୍ତ ସମୟରେ ଅଭିଯୁକ୍ତ ଆଲୋକ ସାସମଲ ଓରଫ୍ ଚଣିଆ ଓ ସତ୍ୟବ୍ରତ ପଣ୍ଡା ଓରଫ୍ ପିନୁକୁ ପୁଲିସ୍ ଗିରଫ କରିଥିଲା।
ସେମାନଙ୍କୁ ପଚରାଉଚୁରା ବେଳେ ସେମାନେ ନିଜ ଅପରାଧ ସ୍ୱୀକାର କରିବା ସହିତ ସଦର ଏବଂ ଟାଉନ୍ ଥାନା ଅଞ୍ଚଳରେ ସେମାନଙ୍କ ନାମରେ ମକଦ୍ଦମା ଥିବା ପୁଲିସ୍ ନଜରକୁ ଆସିଥିଲା। ସେମାନଙ୍କ ଅପରାଧୀକ ମାମଲାକୁ ଯାଞ୍ଚ ସମୟରେ ସେମାନେ କାମାକ୍ଷାନଗର ଥାନା ଅଞ୍ଚଳରେ ହୋଇଥିବା କାହ୍ନୁ ସାହୁ ଗୁଳିକାଣ୍ଡ ଘଟଣାରେ ପୂର୍ଣ୍ଣଚନ୍ଦ୍ର ଦାସ ଓରଫ୍ ପପୁ ସାମିଲ ସଂପୃକ୍ତ ଥିବା ସାମ୍ନାକୁ ଆସିଥିଲା। ଏସଡିପି ଶ୍ରୀ ମହାପାତ୍ର ଆହୁରି ସୂଚନା ଦେଇ କହିଛନ୍ତି, ଢେଙ୍କାନାଳ ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦେଶରେ ଜିଲାକୁ ଅପରାଧମୁକ୍ତ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି। ଏହି ମାମଲାରେ ପରବର୍ତ୍ତୀ ତଦନ୍ତରେ ଅନ୍ୟ ଅଭିଯୁକ୍ତମାନଙ୍କୁ ଠାବ କରାଯିବ ବୋଲି କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଡିଏସ୍ପି ଟ୍ରେନିଂ ଲରେନ୍ ରାଉତରାୟ, ସଦର ଥାନା ଅଧିକାରୀ ପ୍ରଦୀପ ପ୍ରଧାନ ଉପସ୍ଥିତ ଥିଲେ।
Comments are closed.