ପଞ୍ଚୁଟିକ୍ରି ସେବା ସମବାୟ ସମିତିରେ ତାଲା ପକାଇଲେ ଚାଷୀ

0

ଧାମରା : ପଞ୍ଚୁଟିକ୍ରି ସେବା ସମବାୟ ସମିତିରେ ଦୀର୍ଘ ୬ଦିନ ହେବ ଚାଷୀ ମାନେ ତାଲା ପକାଇଛନ୍ତି। ଏହି ତାଲା ପକାଇବାରେ ଚାଷୀଙ୍କ ମୁଖ୍ୟ ଭୁମିକା ଥିବା ବେଳେ ଏହାକୁ ସମାଧାନ କରିବାକୁ କେହି ଆଗ୍ରହ ନଥିବା ଜଣାଯାଇଛି। ଫଳରେ ଦୈନିକ ଚାଷୀ ମାନେ ଆସି ସମିତିର ସଂପାଦକଙ୍କୁ ଧାନ କିଣିବା ପାଇଁ ବାଧ୍ୟ କରୁଥିଲେ ମଧ୍ୟ ବିଚରା ସଂପାଦକଙ୍କ ଉପରେ କୌଣସି ପ୍ରଭାବ ପଡୁନାହିଁ।

prayash

ଘଟଣାରୁ ଜଣାଯାଇଛି, ଏହି ସେବାସମବାୟ ସମିତିକୁ ପ୍ରଥମ ପର୍ଯ୍ୟାୟରେ ୩୮୩ଜଣ ଚାଷୀଙ୍କୁ ପଞ୍ଜିକୃତ କରିବା ସହ ୨୭,୩୫୦କୁଇଣ୍ଟାଲ ଧାନ କିଣିବା ପାଇଁ ଆଦେଶ ପାଇଥିଲେ। ଏହି ଧାନକୁ ବାସୁଦେବପୁର ଠାରେ ଥିବା ମାଁ ଦୁର୍ଗା ରାଇସ ମିଲକୁ ୪ହଜାର କୁଇଣ୍ଟାଲ ଏବଂ ସିମ୍ବଲ ରାଇସ ମିଲକୁ ୨୮୦୦କୁଇଣ୍ଟାଲ ଧାନ ନେବା ଲାଗି ଆଦେଶ ମିଳିଥିଲା। ଏହି ଆଦେଶ ପାଇବା ପରେ ମାଁ ଦୁର୍ଗା ୪ହଜାର କୁଇଣ୍ଟାଲ ଧାନ ନେବା ପରେ ଆଉ ଅଧିକ ଧାନ ତାକୁ ଉଠାଇବା ପାଇଁ ଆଦେଶ ଦିଆଯାଇ ନାହିଁ ବୋଲି କହିଥିଲା। ଦ୍ୱିତୀୟ ମିଲର ସିମ୍ବଲ ରାଇସ ମିଲକୁ ଦିଆଯାଇଥିବା ଟାର୍ଗେଟକୁ ସେ କୌଣସି ପରିସ୍ଥିତିରେ ମାନିବା ପାଇଁ ନାରାଜ ହୋଇ ଧାର୍ଯ୍ୟ ଲକ୍ଷ୍ୟ ମଧ୍ୟରୁ ମାତ୍ର ୧ହଜାର କୁଇଣ୍ଟାଲ ଧାନ ନେବା ପରେ ଆଉ ଧାନ କ୍ରୟ କରିବା ପାଇଁ ମନା କରିଦେଲା। ଏହାର ଫଳ ସ୍ୱରୂପ ଉତ୍ୟକ୍ତ ଚାଷୀ ସମୂହ ଭାବରେ ଆସି ସେବା ସମବାୟ ସମିତିରେ ତାଲା ପକାଇଦେଇଥିଲେ। ଦୀର୍ଘ ୬ ଦିନ ବିତି ଯାଇଥିଲେ ମଧ୍ୟ ସମବାୟ ସମିତିର ସଂପାଦକ ସିଏସଓ ଏବଂ ଏଆରସିଏସ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ମଧ୍ୟ କିଛି ସୁଫଳ ମିଳି ନଥିବା ଜଣାଯାଇଛି। ଏ ବାବଦରେ ଚାନ୍ଦବାଲି ଏମ ଆଇ ଉମେଶ ନାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ସେ ଏ ବିଷୟରେ ଅବଗତ ନଥିବା କହିଥିଲେ। ଭଦ୍ରକ ଠାରେ ଅବସ୍ଥାପିତ ଏଆରସିଏସ ସ୍ୱାତୀବାଲା ମହାପାତ୍ର ଏବିଷୟରେ କିଛି ଜାଣି ନଥିବା କହୁଥିବା ବେଳେ ପ୍ରଶ୍ନ ଉଠେ ସାଧାରଣ ଜନତା(ଚାଷୀ) ନିଜର ହକ ଜାହିରୀ କରିବା ପାଇଁ ସେବା ସମବାୟ ସମିତିର ଦ୍ୱାରସ୍ଥ ହୋଇଥିବା ବେଳେ କଣ ପାଇଁ ସେମାନଙ୍କ ସ୍ୱାର୍ଥକୁ ଦୃଷ୍ଟି ଦିଆଯାଇ ନାହିଁ ଏବଂ ଦୀର୍ଘ ୬ଦିନ ଧରି ସେବା ସମବାୟ ସମିତି ଚାବି ପଡିବା ପରେ ମଧ୍ୟ ଏ ବିଷୟରେ ବିଭାଗୀୟ ଅଧିକାରୀ କେମିତି ଜାଣି ପାରିଲେ ନାହିଁ ତାହା ବୁଦ୍ଧିଜିବୀ ମହଲରେ ଚଚ୍ଚା ହେଉଛି। ବିଭାଗୀୟ ଅଧିକାରୀ ଏଆରସିଏସ ଏଇଟା ଆମ କାମ ନୁହେଁ ସିଏସଓଙ୍କ କାମ ବୋଲି କହି କଥାକୁ ଏଡାଇ ଦେଇଥିବା ବେଳେ କଣ ପ୍ରକୃତରେ ମିଲରଙ୍କ ଉପରେ ବିଭାଗୀୟ ଅଧିକାରୀଙ୍କ କର୍ତୁତ୍ୱ ନାହିଁ ଅଥବା ଜାଣିଶୁଣି ଏହି ଚାବି ପକା କଥାକୁ ନିଜ ମୁଣ୍ଡକୁ ନେବାକୁ ରାଜି ନୁହନ୍ତି ତାହା ସାଧାରଣରେ ପ୍ରଶ୍ନବାଚୀ ହୋଇ ପଡିଛି। ଜିଲ୍ଲାପାଳ ତୁରନ୍ତ ଏହି କଥାର ସମାଧାନ କରି ଦୋଷୀ ମିଲରଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ସର୍ବସାଧାରଣରେ ଦାବୀ ହୋଇଛି।

Leave A Reply