ଅପହଞ୍ଚ ଇଲାକା ପାଲଟିଛି ଧାମରା ଥାନା

0

ଧାମରା : ଧାମରା ବନ୍ଦର ମଧ୍ୟରେ ନଭେମ୍ବର ୧୩ ତାରିଖ ରେ ଧାମରା ଥାନାର ନୂତନ ଗୃହ ପ୍ରବେଶ ହୋଇଥିଲା ଏହି ଶୁଭ ଅବସରରେ ଆରକ୍ଷୀ ମହାନିର୍ଦେଶକ ଡ. ରାଜେନ୍ଦ୍ର ପ୍ରସାଦ ଶର୍ମା ଉଦଘାଟକ, ଉପ ଆରକ୍ଷୀ ମହା ନିରୀକ୍ଷକ ଅମିତେନ୍ଦ୍ର ନାଥ ସିହ୍ନା ପ୍ରମୁଖ ଯୋଗ ଦେଇଥିଲେ। ୪ମାସ ମଧ୍ୟରେ ଏହି ଥାନା ଏକ ଅପହଂଚ ଇଲାକା ପାଲଟି ଯାଇଛି। କାରଣ ଏହି ସ୍ଥାନଟି ଧାମରା ବନ୍ଦର ମଧ୍ୟରେ ଅବସ୍ଥିତ ହେତୁ ସାଧାରଣ ଜନତାଙ୍କୁ ସେବା ଯୋଗାଇ ଦେବା ଏହି ଥାନା ପକ୍ଷରେ ସମ୍ଭବ ହୋଇ ପାରୁନଥିବା ଅଭିଯୋଗ ହୋଇଛି। ଧାମରା ଥାନା ଜଣେ ଥାନାଧିକାରୀ ଜଣେ ସହକାରୀ ସବଇନ୍ସପେକ୍ଟର ଏବଂ ୬ଜଣ କନେଷ୍ଟବଳଙ୍କୁ ନେଇ କାର୍ଯ୍ୟ ଚଳାଇଛି। ଏତେ କମ ପରିମାଣରେ କର୍ମଚାରୀ ନେଇ କଇଥଖୋଲା, ଧାମରା , ଦୋସିଙ୍ଗା ପଞ୍ଚାୟତ ସହ ଧାମରା ବନ୍ଦରକୁ ସମ୍ଭାଳିବା ବହୁ କଷ୍ଟକର ବ୍ୟାପାର ହୋଇପଡିଛି। ପ୍ରତିଦିନ ସକାଳେ ଭଦ୍ରକ ଆରକ୍ଷୀ ଅଧୀକ୍ଷକଙ୍କ ରୋଲକଲ ପାଇଁ ଧାମରା ଥାନା ଅଧିକାରୀଙ୍କୁ ୬ କି.ମି ଆସିବାକୁ ପଡେ, କାରଣ ଧାମରା ଥାନାରେ ଥିବା ଭିଏଚଏଫ ଫ୍ରିକ୍ୱିଏନ୍ସି ଠିକ ଭାବରେ ମିଳୁ ନଥିବା ଜଣାଯାଇଛି। ତେଣୁ ଧାମରା ଥାନା ଅଧିକାରୀ ଧାମରା ମେରାଇନ ଥାନାକୁ ଆସି ରୋଲକଲ ଦେଇଥାନ୍ତି। ଅନ୍ୟ ପକ୍ଷରେ ଧାମରା ବନ୍ଦର ଅଧିକାରୀ ଆଜି ପର୍ଯ୍ୟନ୍ତ ଯୋଗାଇଥିବା କର୍ମଚାରୀ କ୍ୱାଟର ଏବଂ ଅଫିସକୁ ବିଦ୍ୟୁତ ଏବଂ ପାଣି ଯୋଗାଣ ଠିକ ଭାବରେ ଦେଇପାରୁ ନାହିଁ। ଗୋଟିଏ ପଟରେ ଆରକ୍ଷୀ ମହାନିର୍ଦେଶକ ଧାମରା ବନ୍ଦର କର୍ତୁପକ୍ଷଙ୍କ କଥାରେ ଧାମରା ବନ୍ଦର ମଧ୍ୟରେ ଥାନା ଖୋଲି ଦେଇଥିବା ବେଳେ ରାଜ୍ୟ ସରକାର ଏହି ଥାନା ପାଇଁ ଜାଗା ଚିହ୍ନଟ କରି ସ୍ଥାନ ସଂରକ୍ଷଣ କରି ରଖିଛନ୍ତି। କେବେ ଏହି ନୂତନ ସ୍ଥାନରେ ଧାମରା ଥାନାର ନୂତନ ଗୃହ ଆରମ୍ଭ ହେବ ଏବଂ ଏହି ଗୃହ ଶେଷ ହେଲେ ସେହି ସ୍ଥାନକୁ ଧାମରା ଥାନା ସ୍ଥାନାନ୍ତରିତ ହେବ ତାହା ସାଧାରଣରେ କୁହେଳିକା ସୃଷ୍ଟି କରିଛି।

kalyan agarbati
Leave A Reply