ଶ୍ରଦ୍ଧାଳୁଙ୍କ ପାଇଁ ଆଜିଠୁ ଖୋଲିବ ଧବଳେଶ୍ୱର ମନ୍ଦିର

ଆଠଗଡ଼ : ଦ୍ୱିତୀୟ ପର୍ୟ୍ୟାୟ କରୋନା ସଂକ୍ରମଣ ଯୋଗୁଁ ୪ମାସ ଧରି ବନ୍ଦ ରହିଥିବା ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱର ମନ୍ଦିର ୬ତାରିଖ ଶୁକ୍ରବାରଠାରୁ ଖୋଲିବା ଲାଗି ନିଷ୍ପତ୍ତି ଗ୍ରହଣ କରାଯାଇଛି। କଟକ ଜିଲାପାଳଙ୍କ ନିର୍ଦେଶକ୍ରମେ ଗୁରୁବାର ଉପ ଜିଲାପାଳ ତଥା ଦେବୋତ୍ତର କାର୍ଯ୍ୟନିର୍ବାହୀ ଅଧିକାରୀ ଅଜାମ୍ବର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏ ସଂପର୍କରେ ଏକ ବୈଠକ ତାଙ୍କ କାର୍ୟ୍ୟାଳୟ ସଭାଗୃହରେ ଅନୁଷ୍ଠିତ ହୋଇ ଧବଳେଶ୍ୱର ମନ୍ଦିରର ପୂଜକ ସମାଜ ଓ ସେବାୟତଙ୍କ ସହ ଆଲୋଚନା ପରେ ଉପରୋକ୍ତ ନିଷ୍ପତ୍ତି ଗ୍ରହଣ କରାଯାଇଛି। ତେବେ ସରକାରଙ୍କ ଦ୍ୱାରା ଜାରି କୋଭିଡ୍‌ ନିର୍ଦେଶାବଳୀ କଡାକଡି ପାଳନ ପୂର୍ବକ ସକାଳ ୬ଟା ଠାରୁ ରାତି ୮ଟା ପର୍ୟ୍ୟନ୍ତ ମନ୍ଦିର ଖୋଲା ରହିବ। ଭକ୍ତମାନେ ବାଧ୍ୟତାମୂଳକ ଭାବେ ଠିକ୍‍ ଭାବେ ତୁଣ୍ଡି ପରିଧାନ କରିବା ଓ ସାମାଜିକ ଦୂରତ୍ୱ ରକ୍ଷା କରି କେବଳ ଶ୍ରୀ ଜୀଉଙ୍କର ଦର୍ଶନ କରିପାରିବେ। ସେଠାରେ କୌଣସି ପ୍ରକାର ଭୋଗ, ପ୍ରସାଦ, ଦୀପ, ଧୂପ ଲାଗି କରାଯାଇ ପାରିବ ନାହିଁ ଏବଂ ଠାକୁରଙ୍କୁ କେହି ଛୁଇଁବେ ନାହିଁ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଜ୍ୱର, ଥଣ୍ଡା, କାଶ ଭଳି କରୋନା ଲକ୍ଷଣ ଥିବା ଲୋକଙ୍କୁ, ୬୫ ବର୍ଷରୁ ଅଧିକ ବୟସ୍କ ଓ ୧୦ବର୍ଷରୁ କମ୍‍ ବୟସ୍କଙ୍କୁ ମନ୍ଦିର ମଧ୍ୟକୁ ଯିବାକୁ ବାରଣ କରାଯାଇଛି।

ମନ୍ଦିର ପରିସରକୁ ପ୍ରତିଦିନ ବ୍ୟାପକ ଭାବେ ବିଶୋଧନ କରାଯିବା ସହ ପରିସରକୁ ସଫେଇ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି। କଟକଣା ଅମାନିଆଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାଇ ଦିଆଯାଇଛି। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ତହସିଲଦାର ତପନ କୁମାର ଖୁଣ୍ଟିଆ, ଗୁରୁଡିଝାଟିଆ ଥାନାଧିକାରୀ ରଞ୍ଜନ କୁମାର ପ୍ରଧାନ, ଉପ ଜିଲାପାଳ ପ୍ରିୟବ୍ରତ ଦାସ (ଡେପୁଟି କଲେକ୍ଟର), ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉପେନ୍ଦ୍ର କୁମାର ଜେନା, ପୂଜକ ସମାଜର ସଭାପତି ବିଷ୍ଣୁଚରଣ ପତିଙ୍କ ସମେତ ବହୁ ବରିଷ୍ଠ ପୂଜକ ଓ ସେବାୟତ ଏବଂ ଗଣମାଧ୍ୟମ ପ୍ରତିନିଧି ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Comments are closed.