ଧବଳେଶ୍ୱର ପୀଠର ଉନ୍ନୟନ କାର୍ଯ୍ୟର ସମୀକ୍ଷା ବୈଠକ, ଭିତ୍ତିଭୂମିର ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ ପାଇଁ ମନ୍ତ୍ରୀଙ୍କ ନିର୍ଦେଶ
ଭୁବନେଶ୍ୱର: ପ୍ରସିଦ୍ଧ ଶୈବପୀଠ ପ୍ରଭୁ ଶ୍ରୀଧବଳେଶ୍ୱର ପୀଠରେ ଭକ୍ତ ଓ ଦର୍ଶନାର୍ଥୀଙ୍କୁ ସୁବିଧା ଯୋଗାଇବା ସହିତ ପୀଠକୁ ଅଧିକ ଆକର୍ଷଣୀୟ କରିବା ପରିପ୍ରେକ୍ଷୀରେ ନିର୍ମାଣାଧିନ ଉନ୍ନୟନ କାର୍ଯ୍ୟର ସମୀକ୍ଷା ବୈଠକ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ବିଭିନ୍ନ ଉନ୍ନୟନ କାର୍ଯ୍ୟର ଅଗ୍ରଗତି ସଂପର୍କରେ ସମୀକ୍ଷା କରି ଭିତ୍ତିଭୂମି ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ନିର୍ଦ୍ଦେର୍ଶ ଦେଇଥିଲେ ।
ଶ୍ରୀ ଶ୍ରୀ ଧବଳେଶ୍ୱର ବିଜେ ପୂଜକ ସମାଜର ଘର ନିର୍ମାଣ କରାଯିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା । ପୂଜକ ସମାଜର ଏହି ଘର ନିର୍ମାଣ ନିମନ୍ତେ ପ୍ରଶାସନିକ ମଂଜୁରୀ ନିମନ୍ତେ ପର୍ଯ୍ୟଟନ ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଆସନ୍ତା ୧୩ ତାରିଖ ଦିନ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ଆଠଗଡ଼ର ଉପଜିଲାପାଳ ଏବଂ ଚାରବାଟିଆ ରାସ୍ତା ଓ ଗୃହନିର୍ମାଣ ଡିଭିଜନ୍ର ଅଧୀକ୍ଷଣ ଯନ୍ତ୍ରୀ ଉପସ୍ଥିତ ରହିବେ । ଉକ୍ତ ବୈଠକରେ ପୂଜକ ସମାଜର ଘର ନିର୍ମାଣର ବ୍ୟୟ ଅଟକଳକୁ ଯାଞ୍ଚ କରାଯିବା ସହିତ ପ୍ରଶାସନିକ ମଞ୍ଜୁରୀ ପ୍ରଦାନ ନିମନ୍ତେ ନିଷ୍ପତ୍ତି ଗ୍ରହଣ କରାଯାଇଛି ।
ବୈଠକରେ କଟକ ଜିଲାପାଳ ଭବାନୀ ଶଙ୍କର ଚୟନି, ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ଆର୍ ଯାଦବ, ପର୍ଯ୍ୟଟନ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଏ.ଏନ୍.ଏସ୍ ଲାଗୁରି, ଚାରବାଟିଆ ରାସ୍ତା ଓ ଗୃହ ନିର୍ମାଣ ଡିଭିଜନ୍ର ଅଧୀକ୍ଷଣ ଯନ୍ତ୍ରୀ ପ୍ରଦୀପ କୁମାର ମହାନ୍ତି, ଆଠଗଡ଼ର ଉପଜିଲ୍ଲାପାଳ ଶ୍ରୀ ହେମନ୍ତ କୁମାର ସ୍ୱାଇଁଙ୍କ ସମେତ ସ୍ଥପତି ଏସ୍ ଆଣ୍ଡ ଜେ ଆସୋସିଏଟସ୍ର ପ୍ରତିନିଧି ଯୋଗଦେଇଥିଲେ।
Comments are closed.