ସରିଲା ଡିଜିପି-ଆଇଜିପି ସମ୍ମିଳନୀ: ସୀମା ସୁରକ୍ଷା ରଣନୀତି ପ୍ରସ୍ତୁତ
ଭୁବନେଶ୍ବର : ଓଡ଼ିଶାରେ ତିନି ଦିନ ଧରି ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଚାଲିଥିବା ସର୍ବଭାରତୀୟ ପୁଲିସ ମହାନିର୍ଦେଶକ ଓ ପୁଲିସ ମହାନୀରୀକ୍ଷକ (ଡିଜିପି-ଆଇଜିପି) ସମ୍ମିଳନୀ-୨୦୨୪ ରବିବାର ଶେଷ ହୋଇଛି। ଦେଶର ଆଭ୍ୟନ୍ତରୀଣ ଓ ସୀମା ସୁରକ୍ଷା ଲାଗି ପ୍ରସ୍ତୁତ ହୋଇଛି ଦୀର୍ଘମିଆଦୀ ରଣନୀତି। ଆତଙ୍କବାଦ ଓ ଉଗ୍ରବାଦ ମୂଳୋତ୍ପାଟନ ସହ ମାଓ ଦମନ ରଣନୀତିକୁ କଠୋରତାର ସହ ଚଳାଇବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଓ ଜାତୀୟ ପରାମର୍ଶଦାତା ଅଜିତ୍ ଡୋଭାଲଙ୍କ ସମେତ ବରିଷ୍ଠ ସୁରକ୍ଷା ଅଧିକାରୀଙ୍କ ଉପସ୍ଥିତିରେ ଦୀର୍ଘ ଘଣ୍ଟାର ମାନସ ମନ୍ଥନ ସରିଛି। ଜଳ, ସ୍ଥଳ ଓ ଆକାଶ ପଥର ସୀମା ସୁରକ୍ଷା ସହ ଆଭ୍ୟନ୍ତର ନିରାପତ୍ତାକୁ ସୁଦୃଢ କରିବା ଲାଗି ପ୍ରସ୍ତୁତ ହୋଇଛି ନୀଳନକ୍ସା। ବୈଠକରେ ଡିଜିଟାଲ ଠକେଇ, ସାଇବର ଅପରାଧ, କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ ପ୍ରଯୁକ୍ତି କାରଣରୁ ସୃଷ୍ଟି ହେଉଥିବା ସମ୍ଭାବ୍ୟ ବିପଦ, ଡିପ୍ ଫେକର ବ୍ୟବହାର ଆଶଙ୍କା ଭଳି ଅପରାଧକୁ ଦୂର କରିବାକୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଗୁରୁତ୍ବ ଦେଇଛନ୍ତି। ‘ଆକାଂକ୍ଷୀ ଭାରତ’କୁ ନେଇ ଦେଶର ଦ୍ୱିଗୁଣିତ ଏଆଇ ଶକ୍ତିକୁ ଉପଯୋଗ କରି ଏହି ଆହ୍ବାନକୁ ସୁଯୋଗରେ ପରିଣତ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଏଥିସହ ସ୍ମାର୍ଟ ପୁଲିସ ପ୍ରଶାସନର ମନ୍ତ୍ରକୁ ଅଧିକ ବିସ୍ତାର କରିବା ସହ ପୁଲିସକୁ ରଣନୀତିକ, ନିଷ୍ଠାପର, ଅନୁକୂଳ, ବିଶ୍ୱସନୀୟ ଓ ସ୍ୱଚ୍ଛତାର ସହ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି। ଏଥିସହ ସହରାଞ୍ଚଳ ପୁଲିସ ବ୍ୟବସ୍ଥାରେ ଗ୍ରହଣ କରାଯାଇଥିବା ପଦକ୍ଷେପକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିବା ସହ ଦେଶର ୧୦୦ଟି ସହରରେ ପ୍ରତ୍ୟେକ ପଦକ୍ଷେପକୁ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ କରିବାକୁ ସେ ପରାମର୍ଶ ଦେଇଛନ୍ତି। ପୁଲିସ ବାହିନୀର କାର୍ଯ୍ୟଭାର ହ୍ରାସ କରିବା ନିମନ୍ତେ ଅଧିକରୁ ଅଧିକ ପ୍ରଯୁକ୍ତି ଓ ଜ୍ଞାନକୌଶଳର ବ୍ୟବହାର ପାଇଁ ସେ ଆହ୍ବାନ ଦେବା ସହ ଥାନାକୁ ସମ୍ବଳ ଆବଣ୍ଟନର କେନ୍ଦ୍ରବିନ୍ଦୁ କରିବାକୁ ପରାମର୍ଶ ଦେଇଥିଲେ। ସମ୍ମିଳନୀର ଆଲୋଚନାରୁ ବାହାରିଥିବା ମୁକାବିଲା ରଣନୀତି ଉପରେ ସେ ସନ୍ତୋଷବ୍ୟକ୍ତ କରିଥିଲେ। ଜାତୀୟ ପୁଲିସ ହାକାଥନ ଆୟୋଜନ ଉପରେ ମଧ୍ୟ ବିଚାରବିମର୍ଶ କରିବାକୁ ସେ ପରାମର୍ଶ ଦେଇଥିଲେ। ବାଂଲାଦେଶ ଏବଂ ମିଆଁମାର ସୀମାରେ ଉପୁଜିଥିବା ନିରାପତ୍ତା ସମସ୍ୟା, ସହରାଞ୍ଚଳ ପୁଲିସର ଧାରା ଏବଂ ମନ୍ଦ ଉଦ୍ଦେଶ୍ୟପୂର୍ଣ୍ଣ ଗୁଜବ ସୃଷ୍ଟି ଭଳି ସମସ୍ୟାର ମୁକାବିଲା ପାଇଁ ରଣନୀତି ପ୍ରସ୍ତୁତ ହୋଇଥିଲା। ସମ୍ମିଳନୀର କାର୍ଯ୍ୟକାଳ ସମୟରେ ପ୍ରଧାନମନ୍ତ୍ରୀ ମୂଲ୍ୟବାନ ଦୃଷ୍ଟିକୋଣ ଉପସ୍ଥାପନ କରିଥିଲେ ଏବଂ ଭବିଷ୍ୟତ ପାଇଁ ଏକ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରିଥିଲେ। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପ୍ରତି ସର୍ଦାର ବଲ୍ଲଭଭାଇ ପଟେଲଙ୍କ ଅତୁଳନୀୟ ଅବଦାନକୁ ପ୍ରଧାନମନ୍ତ୍ରୀ ସ୍ମରଣ କରିଥିଲେ। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟଠାରୁ ଆରମ୍ଭ କରି ଥାନା ସ୍ତର ପର୍ଯ୍ୟନ୍ତ ସମଗ୍ର ସୁରକ୍ଷା ପ୍ରତିଷ୍ଠାନରେ ଆସନ୍ତା ବର୍ଷ ତାଙ୍କର ୧୫୦ତମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ବାନ ଦେଇଥିଲେ। ପୁଲିସ ଭାବମୂର୍ତ୍ତି, ପେସାଦାର ମନୋଭାବରେ ସୁଧାର ଏବଂ ସାମର୍ଥ୍ୟ ବିକାଶ ପାଇଁ ଲକ୍ଷ୍ୟ ନିର୍ଦ୍ଧାରଣ କରାଯାଇପାରିଲେ ସର୍ଦାର ପଟେଲଙ୍କୁ ଉପଯୁକ୍ତ ଶ୍ରଦ୍ଧାଞ୍ଜଳି ମିଳିପାରିବ ବୋଲି ସେ କହିଥିଲେ। ‘ବିକଶିତ ଭାରତ’ର ପରିକଳ୍ପନା ସହ ନିଜକୁ ଆଧୁନିକୀକରଣ ଓ ପୁନର୍ଗଠନ କରିବାକୁ ସେ ପୁଲିସ ବାହିନୀକୁ ଆହ୍ବାନ ଦେଇଥିଲେ। ରବିବାର ବୈଠକ ପରେ ଲୋକସେବା ଭବନ ସମ୍ମିଳନୀ କକ୍ଷରୁ ବାହାରି ଭୁବନେଶ୍ବର ବିମାନ ବନ୍ଦରରୁ ସ୍ୱତନ୍ତ୍ର ବିମାନ ଯୋଗେ ଦିଲ୍ଲୀ ଫେରିଛନ୍ତି ୩ ଦିନିଆ ଓଡ଼ିଶା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ, ସ୍ବରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଶାହଙ୍କ ସହ ଜାତୀୟ ପରାମର୍ଶଦାତା ଶ୍ରୀ ଡୋଭାଲ। ସମ୍ମିଳନୀର ତୃତୀୟ ଦିନରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଆଭ୍ୟନ୍ତରୀଣ ସୁରକ୍ଷା, ଆଇନଶୃଙ୍ଖଳା, ଅନୁପ୍ରବେଶକାରୀ, ସାଇବର ଅପରାଧ, ନିଶା କାରବାରକୁ ରୋକିବା ଦିଗରେ ରୋଡମ୍ୟାପ ପ୍ରସ୍ତୁତ ହୋଇଛି। ପୁଲିସ ବ୍ୟବସ୍ଥାରେ ସୁଧାର, ଥାନାକୁ ଆସୁଥିବା ଅଭିଯୋଗକାରୀଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ, ନୂତନ ଆଇନର କ୍ରିୟାନ୍ବୟନ ଦିଗରେ ସବୁ ରାଜ୍ୟରୁ ଆସିଥିବା ଡିଜିପିଙ୍କୁ ପରାମର୍ଶ ଦିଆଯାଇଛି। ତ୍ବରିତ୍ବ ନ୍ୟାୟ ପ୍ରଦାନକୁ ସୁନିଶ୍ଚିତ କରିବାକୁ ପୁଲିସ ମୁଖିଆଙ୍କୁ ନିର୍ଦେଶ ମିଳିଛି। ସୀମା ସୁରକ୍ଷା ସଂକ୍ରାନ୍ତ ରଣନୀତିକୁ ସଂପୂର୍ଣ୍ଣ ଗୋପନ ରଖାଯାଇଛି। ଉତ୍ତର-ପୂର୍ବ ରାଜ୍ୟ ଗୁଡ଼ିକରେ ଶାନ୍ତି ବଜାୟ ରଖିବା ଉପରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇଛି। ଆଭ୍ୟନ୍ତରୀଣ ସୁରକ୍ଷା ବୈଠକରେ ମୁଖ୍ୟ ପ୍ରସଙ୍ଗ ଭାବେ ଜାତୀୟ ସୁରକ୍ଷା ପରାମର୍ଶଦାତା ଶ୍ରୀ ଡୋଭାଲ ପୁଲିସ ମୁଖିଆଙ୍କୁ ଗୁରୁଜ୍ଞାନ ଦେଇଛନ୍ତି। ନକ୍ସଲ ଦମନ ପାଇଁ ନୂଆ ନକ୍ସା ତିଆରି ହୋଇଛି। ଆଭ୍ୟନ୍ତରୀଣ ସୁରକ୍ଷା ବିପଦ ସୃଷ୍ଟି କରିଥିବା ସଶସ୍ତ୍ର ମାଓ ହିଂସାକୁ ୨୦୨୬ ସୁଦ୍ଧା ଶୂନ୍ୟ କରିବା ଓ ମାଓବାଦୀମୁକ୍ତ ଦେଶ ଗଠନକୁ ପ୍ରାଥମିକତା ଦିଆଯାଇଛି। ନୂଆ ପୁଲିସ ଆଇନରେ ତଦନ୍ତ ପ୍ରକ୍ରିୟା ନେଇ ମାନସ ମନ୍ଥନ କରାଯାଇଛି। ସମ୍ମିଳନୀର ଅନ୍ତିମ ଦିନରେ ଅନ୍ତର୍ଜାତୀୟ ନିଶା କାରବାର୍ ପ୍ରସଙ୍ଗ ବିଭିନ୍ନ ରାଜ୍ୟର ଗଳାବାଟ ଦେଇ ବାହାରୁ ଆସୁଥିବା କୋଟି କୋଟି ଟଙ୍କାର ହେରୋଇନ, ବ୍ରାଉନସୁଗର, ଗଞ୍ଜେଇ, ଅଫିମ ଆଦି ମାନକ ଦ୍ରବ୍ୟ ଚାଲାଣକୁ ରୋକିବା ଉପରେ ଗୁରୁତ୍ୱ ଦିଆଯାଇଛି। ସେହିପରି ଚୀନ୍, ନାଇଜେରିଆରେ ବସି ପ୍ରତିଦିନ ସାଇବର ଠକ କୋଟି କୋଟି ଟଙ୍କା ଠକି ନେଉଛନ୍ତି। ସେ ଦିଗରେ ଦୃଢ ମୁକାବିଲା ଲାଗି ମଧ୍ୟ ରଣନୀତି ହୋଇଛି। ତଦନ୍ତ ଓ ଅପରାଧୀ ଧରିବାରେ ଆଧୁନିକ ଜ୍ଞାନକୌଶଳକୁ ଉପଯୋଗ କରିବା ଲାଗି ପୁଲିସ ଅଧିକାରୀଙ୍କୁ ପରାଦର୍ଶ ଦିଆଯାଇଛି। ପ୍ରଥମଥର ପାଇଁ ଭୁବନେଶ୍ୱରରେ ଅନୁଷ୍ଠିତ ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ, କେନ୍ଦ୍ର ଗୃହମନ୍ତ୍ରୀ, ଜାତୀୟ ସୁରକ୍ଷା ପରାମର୍ଶଦାତା ଯୋଗଦେଇ ଆଲୋଚନା କରିଥିଲେ।
Comments are closed.