ରାଜରାସ୍ତାରେ ଖାଲଢିପ, ଦୁର୍ଘଟଣାକୁ ଆମନ୍ତ୍ରଣ
ଆଠଗଡ : ଖୁଣ୍ଟୁଣୀ-ନରସିଂହପୁର ୬୫ନଂ ରାଜ୍ୟ ରାଜପଥର ଗୋପିନାଥପୁର ନିକଟସ୍ଥ ରାସ୍ତର ଗୋଟିଏ ସ୍ଥାନରେ ଖାଲଢିପ ଏବଂ ରାସ୍ତା ଦବି ଯାଇଥିବାରୁ ସେଠାରେ ପ୍ରାୟ ସବୁଦିନ ବାଇକ ଆରୋହୀ ଦୁର୍ଘଟଣାର ସମ୍ମୁଖୀନ ହେଉଥିବାବେଳେ ପୂର୍ତ୍ତ ବିଭାଗ ନୀରବଦ୍ରଷ୍ଟା ସାଜିଛନ୍ତି । ଆଠଗଡରୁ ଖୁଣ୍ଟୁଣୀ ରାସ୍ତାର ଗୋପିନାଥପୁର ଠାରୁ କଣ୍ଟିଆ ପୋଲ ମଧ୍ୟବର୍ତ୍ତୀ ସ୍ଥାନରେ ଠିକ୍ ଏକ ବୁଲାଣି ରାସ୍ତା ଉପରେ ପିଚୁ ଉଠିଯିବା ସହ ଖାଲଖମା ହୋଇଥିବା ଏବଂ ସେହିଠାରେ ରାସ୍ତା ଦବି ଯାଇଥିବାରୁ ଏପରି ଅବସ୍ଥା ସୃଷ୍ଟି ହୋଇଛି । ଏହି ରାସ୍ତାଟିର ନବୀକରଣ ହେବାର ପ୍ରାୟ ୪ବର୍ଷ ହୋଇଥିବାବେଳେ ନିର୍ମାଣ ଶେଷ ନହେଉଣୁ ଠିକ୍ ସେହି ସ୍ଥାନରେ ଥିବା ଏକ ନୂତନ ଛୋଟିଆ ପୋଲ ନିକଟରେ ରାସ୍ତା ଦବି ଯାଇଥିଲା । ଅନେକ ଦୁର୍ଘଟଣା ଘଟିବା ଏବଂ ଗଣମାଧ୍ୟମର ବିଶେଷକରି ‘ସମାଜ’ରେ ଏ ସଂପର୍କରେ ଖବର ପ୍ରକାଶନ ପରେ ପୂର୍ତ୍ତବିଭାଗ ପକ୍ଷରୁ ସେଠାରେ ମରାମତି କରାଯାଇଥିଲା । ତେବେ ମରାମତି ହେବାର ମାତ୍ର ୬ମାସ ମଧ୍ୟରେ ପୁନଃ ସେଠାରେ ରାସ୍ତା ଦବିବା ସହିତ ପ୍ରାୟ ୩୦ଫୁଟ ରାସ୍ତାରୁ ପିଚୁ ଉଠିଯାଇ ଖାଲଢିପ ହୋଇଯାଇଛି । ଧିରେ ଧିରେ ସେଠାରେ ଖାଲଗୁଡିକ ଗଭୀର ହେଉଥିବା ଏବଂ ରାସ୍ତା ଦବି ଯାଇଥିବାରୁ ପ୍ରାୟ ପ୍ରତିଦିନ ଦୁର୍ଘଟଣା ଘଟୁଛି । ସେହି ବୁଲାଣି ରାସ୍ତାରେ ଯାଉଥିବା ଗାଡିମଟର ରାସ୍ତାରେ ଖାଲଖମା ଓ ରାସ୍ତା ଦବିଥିବା ଦେଖି ହଠାତ୍ ବ୍ରେକ୍ କଷୁଥିବାରୁ ଏହିପରି ଦୁର୍ଘଟଣାର ଶିକାର ହେଉଛନ୍ତି ବାଇକ୍ ଆରୋହୀ । ବ୍ୟସ୍ତବହୁଳ ଓ ଗୁରୁତ୍ୱପୂର୍ଣ୍ଣ ଏହି ରାସ୍ତାଟିର ରକ୍ଷଣାବେକ୍ଷଣ ଏବଂ ମରାମତି ଦିଗରେ ପୂର୍ତ୍ତବିଭାଗ ଅବହେଳା ପ୍ରଦର୍ଶନ କରୁଥିବାରୁ ଲୋକମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି । ତୁରନ୍ତ ସେହି ସ୍ଥାନରେ ରାସ୍ତା ମରାମତି କରିବା ଲାଗି ବିଭିନ୍ନ ମହଲରେ ଦାବି ହେଉଛି ।
Comments are closed.