ତିଲେଇବଣିରେ ଜିଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି

ଦେବଗଡ଼: ତିଲେଇବଣି ବ୍ଲକ ସମ୍ମିଳନୀ କକ୍ଷରେ ସୋମବାର ଦେବଗଡ଼ ଜିଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଦେବଗଡ଼ ଜିଲାପାଳ ସୋମେଶ କୁମାର ଉପାଧ୍ୟାୟ ଯୋଗଦେଇ ମୋଟ ୨୦ଟି ଅଭିଯୋଗର ଶୁଣାଣି କରିବା ସହ ଏଗୁଡିକର ତୁରନ୍ତ ସମାଧାନ ନିମନ୍ତେ ଉପସ୍ଥିତ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଉକ୍ତ ୨୦ଟି ଅଭିଯୋଗ ମଧ୍ୟରେ ୫ ଟି ବ୍ୟକ୍ତିଗତ ଏବଂ ୧୫ଟି ସାମୂହିକ ସମସ୍ୟା ଉପରେ ଆଧାରିତ ଥିଲା। ଏହି ଶିବିରରେ ମୁଖ୍ୟତଃ ରାସ୍ତା, ଭତ୍ତା, ରାସନକାର୍ଡ ଓ ଆବାସ ଗୃହ ଉପରେ ଜନସାଧାରଣ ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ। ଏହି ଶିବିରରେ ଦେବଗଡ଼ ଜିଲା ଆରକ୍ଷୀ ଅଧିକ୍ଷକ ପ୍ରଦ୍ୟୁମ୍ନ କୁମାର ମିଶ୍ର, ଦେବଗଡ଼ ବନଖଣ୍ଡ ଅଧିକାରୀ ମଗର ଧାନାଜୀ ରାଓସୋ, ଦେବଗଡ଼ ଜିଲା ପରିଷଦର ନିର୍ବାହୀ ଅଧିକାରୀ ଧର୍ମାନନ୍ଦ ବେହେରା, ଜିଲା ଶିକ୍ଷାଧିକାରୀ ସଚ୍ଚିଦାନନ୍ଦ ବେହେରା, ଜିଲା ମୁଖ୍ୟ କୃଷି ଅଧିକାରୀ ମନୋରଞ୍ଜନ ମଣ୍ଡଳ, ଉଦ୍ୟାନ ବିଭାଗ ଉପନିର୍ଦ୍ଦେଶକ ଅନ୍ତର୍ଯ୍ୟାମୀ ସାହୁ ଓ ତିଲେଇବଣି ବ୍ଲକର ଗୋଷ୍ଠି ଉନ୍ନୟନ ଅଧିକାରୀ ପ୍ରିୟଦର୍ଶିନୀ ମୀର୍ଦ୍ଧାଙ୍କ ସମେତ ଜିଲାର ପ୍ରାୟ ସମସ୍ତ ବିଭାଗର ଜିଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

Comments are closed.