ଦେବଗଡ଼: ଦେବଗଡ଼ ଜିଲା ମୂଖ୍ୟ ଚିକିତ୍ସାଳୟରେ ଡାକ୍ତର ଅଭାବ ଯୋଗୁଁ ରୋଗୀ ଚିକିତ୍ସାରେ ଘୋର ଅବ୍ୟବସ୍ଥା ଦେଖାଦେଇଛି। ଫଳରେ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସଂପ୍ରତି ପରିଚାଳନାଗତ ତ୍ରୁଟି ଯୋଗୁଁ ସଂପ୍ରତି ଜିଲା ମୂଖ୍ୟ ଚିକିତ୍ସାଳୟରେ ଏକ ପ୍ରକାର ଅରାଜକତା ସୃଷ୍ଟି ହୋଇଛି କହିଲେ ଅତ୍ୟୁକ୍ତି ହେବନାହିଁ। ବିଶେଷ ଭାବେ ନିମ୍ନ ଶ୍ରେଣୀର କର୍ମଚାରୀ ବଡ ବଡିଆ ବାବୁମାନଙ୍କ ଦ୍ୱାରା ଅତ୍ୟାଚାରିତ ହୋଇ ତ୍ରାହି ତ୍ରାହି ଡାକୁଥିବା ଦେଖିବାକୁ ମିଳୁଛି। ଠିକା କର୍ମଚାରୀ ହୋଇଥିବାରୁ ଚାକିରି ଚାଲିଯିବା ଭୟରେ ସବୁକିଛି ସହିବାକୁ ବାଧ୍ୟ ହେଉଥିବା ଜଣାପଡିଛି। ଏହି କ୍ରମରେ ଆଜି ଜିଲା ମୂଖ୍ୟ ଚିକିତ୍ସାଳୟରେ ଘଟିଥିବା ୨ଟି ଘଟଣା ତଳ ତଳିଆ କର୍ମଚାରୀଙ୍କ ଉପରେ କିଭଳି ବଡ ବଡିଆଙ୍କ ଅତ୍ୟାଚାର ହେଉଛି ତାହା ସ୍ପଷ୍ଟ ଭାବେ ପ୍ରମାଣିତ କରୁଛି।
ସୂଚନା ଅନୁଯାୟୀ ଆଜି ପୂର୍ବାହ୍ନରେ ତିଲେଇବଣି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ୧୦୮ ଆମ୍ବୁଲାନ୍ସ ଭାଲିଆଡିହୀ ଗ୍ରାମରେ ଘଟିଥିବା ଏକ ଦୁର୍ଘଟଣାରେ ଆହତ ଯୁବକଙ୍କୁ ନେଇ ଜିଲା ମୂଖ୍ୟ ଚିକିତ୍ସାଳୟରେ ପହଂଚିଥିଲା। ଆମ୍ବୁଲାନ୍ସ କର୍ମଚାରୀ ମାନେ ନିଜର ଦାୟିତ୍ୱ ତୁଲାଇବାକୁ ଯାଇ କାଉଂଟରରୁ ଟିକେଟ ସଂଗ୍ରହ କରି ଓପିଡିରେ ବସିଥିବା ଡାକ୍ତରଙ୍କୁ ଦେଖାଇବା ସହ ଆହତ ବ୍ୟକ୍ତିଙ୍କୁ ମଧ୍ୟ ସ୍ଟ୍ରେଚର ଯୋଗେ ଓପିଡି ସମ୍ମୁଖକୁ ନେଇଥିଲେ। ମାତ୍ର ଓପିଡିରେ ଥିବା ଜନୈକ ଡାକ୍ତର ଆମ୍ବୁଲାନ୍ସ କର୍ମଚାରୀଙ୍କ ହାତରୁ ଟିକେଟ ସଂଗ୍ରହ କରିବା ପରିବର୍ତ୍ତେ ସମ୍ମୂଖ ଭାଗରେ ଅନ୍ୟ ଏକ କୋଠରୀରେ ବସିଥିବା ସର୍ଜରୀ ସ୍ପେସିଆଲିଷ୍ଟଙ୍କୁ ଦେଖାଇବା ପାଇଁ ତାଙ୍କୁ ପରାମର୍ଶ ଦେଇଥିଲେ। ଆମ୍ବୁଲାନ୍ସ କର୍ମଚାରୀ ଜଣକ ସର୍ଜରୀ ସ୍ପେସିଆଲିଷ୍ଟଙ୍କୁ ଉକ୍ତ ଟିକେଟ ଦେଖାଇଥିଲେ ହେଁ ସର୍ଜରୀ ସ୍ପେସିଆଲିଷ୍ଟ ଜଣକ ତାଙ୍କ ହାତରୁ ଟିକେଟ ସଂଗ୍ରହ ନକରି ଓପିଡିରେ ବସିଥିବା ଡାକ୍ତରଙ୍କୁ ଦେଖାଇବାକୁ କହିଥିଲେ। ଫଳରେ ଆମ୍ବୁଲାନ୍ସ କର୍ମଚାରୀ ଜଣକ କାହାକୁ ଦେଖାଇବେ ଓ କିଏ ଆହତ ଯୁବକଙ୍କର ଚିକିତ୍ସା କରିବେ ସେ ନେଇ ସନ୍ଦିହାନ ହୋଇ ପଡ଼ିଥିଲେ। ଏଠୁ ସେଠିକି ଧାଇଁବା ପରେ ଆମ୍ବୁଲାନ୍ସ କର୍ମଚାରୀଙ୍କ ଜଣକ ପୁଣିଥରେ ଓପିଡିରେ ବସିଥିବା ଡାକ୍ତରଙ୍କ ନିକଟକୁ ଯିବା ସହ ପ୍ରକୃତରେ କିଏ ଚିକିତ୍ସା କରିବ ବୋଲି ତାଙ୍କୁ ପ୍ରଶ୍ନ କରିଥିଲେ। ମାତ୍ର ତାଙ୍କୁ କୌଣସି ସଠିକ ପରାମର୍ଶ ଦେବା ପରିବର୍ତ୍ତେ ଡାକ୍ତର ଜଣକ ବିରକ୍ତି ପ୍ରକାଶ କରି ‘ମୋ ପାଖକୁ କାହିଁକି ବାରମ୍ବାର ଆସୁଛୁ ’ କହି ଗାଳି ଗୁଲଜ କରିଥିଲେ। ଏପରିକି ଡାକ୍ତର ଜଣକ ସର୍ବ ସମ୍ମୁଖରେ ତାଙ୍କୁ ଉଚ୍ଚ ସ୍ୱରରେ ଗାଳିଗୁଲଜ କରିବା ସହ ଧକ୍କା ମାରି ଚାକିରି ଖାଇଦେବାର ଧମକ ମଧ୍ୟ ଦେଇଥିଲେ। ଏହି ସମୟରେ ଅନ୍ୟଜଣେ ବିଶେଷଜ୍ଞ ଡାକ୍ତର ନିଜ ପ୍ରକୋଷ୍ଠରୁ ଉଠିଆସି ଗାଡି କରୁଥିବା ଡାକ୍ତରଙ୍କ ସ୍ୱରରେ ସ୍ୱର ମିଳାଉଥିବା ଦେଖିବାକୁ ମିଳିଥିଲା। ସର୍ବ ସମ୍ମୁଖରେ ସମ୍ପୃକ୍ତ ଡାକ୍ତର ମାନଙ୍କର ଏଭଳି ଅଭଦ୍ର ଆଚରଣ ଉପସ୍ଥିତ ରୋଗୀ, ଆଟେଂଡାଂଟ ଓ ସାଧାରଣ ଜନତାଙ୍କୁ ବ୍ୟଥିତ କରିଥିଲା। ସୂଚନା ପାଇ ଅତିରିକ୍ତ ଜିଲା ମୂଖ୍ୟ ଚିକିତ୍ସାଧିକାରୀ (ମେଡିକାଲ) ଡାକ୍ତର ମନୋରଂଜନ ସାମଲ ଘଟଣା ସ୍ଥଳରେ ପହଂଚି ଉଭୟ ଡାକ୍ତରଙ୍କ ସହ ଆଲୋଚନା କରିବା ସହ ଭବିଷ୍ୟତରେ ଯେପରି ଏଭଳି ନହୁଏ ସେଥିପ୍ରତି ଧ୍ୟାନ ଦେବାକୁ ସେମାନଙ୍ଗକୁ ପରାମର୍ଶ ଦେଇଥିଲେ। ଏହା ପରେ ଯାଇ ଆହତଙ୍କର ଚିକିତ୍ସା ଆରମ୍ଭ ହୋଇଥିଲା।
ଅନ୍ୟପକ୍ଷରେ ସଂଧ୍ୟାରେ ଜିଲା ମୂଖ୍ୟ ଚିକିତ୍ସାଳୟ ଚକ୍ଷୁ ୱାର୍ଡ ପରିସରରେ ସିକ୍ୟୁୃରିଟୀ ଗାର୍ଡ ପୋଷାକ ପରିଧାନ କରିଥିବା ୩ ଜଣ ସିକ୍ୟୁରିଟୀ ଗାର୍ଡ ହାତରେ କୋଡି, ଶାବଳ ଓ ବାଲଟୀ ଆଦି ଧରି ଅନାବନା ଘାସ ଏବଂ ଅଳିଆ ଆବର୍ଜନା ସଫା କରୁଥିବା ଦେଖିବାକୁ ମିଳିଥିଲା। ଶୃଙ୍ଖଳା ଦାୟିତ୍ୱରେ ଥିବା ସୁରକ୍ଷା କର୍ମୀ ମାନେ ହାତରେ ଲାଠି ଧରିବା ପରିବର୍ତ୍ତେ ସନ୍ଧ୍ୟା ସମୟରେ ଆବର୍ଜନା ସଫା କରିବା ଘଟଣା ଜନସାଧାରଣ ସହଜରେ ଗ୍ରହଣ କରିପାରିନଥିଲେ। ତେବେ ଏ ସମ୍ପର୍କରେ ସମ୍ପୃକ୍ତ ସୁରକ୍ଷା କର୍ମୀ (ସିକ୍ୟୁରିଟୀ ଗାର୍ଡ)ମାନକୁ ପଚାରିବାରୁ ସେମାନେ ଚାକିରି ହରାଇବା ଭୟରେ କୌଣସି ଉତ୍ତର ଦେବାକୁ ମନା କରିଥିଲେ ହେଁ ସେମାନଙ୍କ ମୁହଁରେ ଅସେନ୍ତୋଷ ସ୍ପଷ୍ଟ ଭାବେ ବାରି ହେଉଥିଲା। ହସପିଟାଲ ମ୍ୟାନେଜର ସେମାନଙ୍କୁ ଏଭଳି ସଫେଇ କାର୍ଯ୍ୟରେ ନିୟୋଜିତ କରିଥିବା ସାଧାରଣରେ ଆଲୋଚନା ହେବାରୁ ହସପିଟାଲ ମ୍ୟାନେଜର ସନ୍ତୋଷ କୁମାର ସାହୁଙ୍କୁ ଆମେ ଏନେଇ ପ୍ରଶ୍ନ ପଚାରିଥିଲୁ। ମାତ୍ର ସେ କୌଣସି ସଠିକ ଉତ୍ତର ଦେନପାରି ଘଟଣାକୁ ଚପାଇବାକୁ ଉଦ୍ୟମ କରିବା ସହ ‘ଏନେଇ ମୋ ପାଖରେ କୌଣସି ସୂଚନା ନାହିଁ। ତେବେ ସୁପରଭାଇଜରଙ୍କୁ ପଚାରିବା ପରେ ଆପଣଙ୍କୁ କହିବି’ ବୋଲି ଉତ୍ତର ଦେଇଥିଲେ।



