୧୫ ଦଫା ଦାବୀରେ ପାରିଷଦଙ୍କ ଆମରଣ ଅନଶନ ୧୦ମ ଦିନରେ; ବିଗୁଡୁଛି ସ୍ଥିତି

ଯୁବମୋର୍ଚ୍ଚା ଓ ଅନୁସୂଚିତ ଜାତି ମୋର୍ଚ୍ଚା ପକ୍ଷରୁ ୨ ଘଣ୍ଟିଆ ଜାତୀୟ ରାଜପଥ ଅବରୋଧ

ଦେବଗଡ଼଼: ଦେବଗଡ଼ ପୌର ପରିଷଦ ମହାଦୁର୍ନୀତିର ତଦନ୍ତ ସମେତ ୧୫ ଦଫା ଦାବୀରେ ୭ଜଣ ପାରିଷଦ(ଉପାଧ୍ୟକ୍ଷଙ୍କ ସମେତ) ଗତ ୨୫ ତାରିଖଠାରୁ ଆମରଣ ଅନଶନ ଚଳାଇଥିବା ବେଳେ ୨ଜଣ ଅସୁସ୍ଥଙ୍କୁ ଚିକିତ୍ସା ନିମନ୍ତେ ଗତକାଲି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଅନ୍ୟ ୫ ଜଣ ପାରିଷଦ ଏବେ ମଧ୍ୟ ଅନଶନ ଜାରୀ ରଖିବା ସହ ଦାବୀ ପୂରଣ ନହେବା ପର୍ଯ୍ୟନ୍ତ ଅନଶନ ଜାରୀ ରହିବ ବୋଲି ସେମାନେ ଜିଦ୍ ଧରିଛନ୍ତି। ଏହା ସତ୍ୱେ ଦାବୀ ପୂରଣ ପାଇଁ ପ୍ରଶାସନ ପକ୍ଷରୁ କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଇ ନଥିବାରୁ ଅନଶନକାରୀଙ୍କ ମଧ୍ୟରେ ଦିନକୁ ଦିନ ଅସନ୍ତୋଷ ବୃଦ୍ଧି ପାଇବାସହ ପରିସ୍ଥିତି ଦିନକୁ ଦିନ ଉଗ୍ର ହେବାକୁ ଯାଉଛି। ଏହି କ୍ରମରେ ଅନଶନକାରୀମାନେ ଆଜି ଆତ୍ମାହୁତି ଦେଉଥିବା ପ୍ରଚାରିତ ହେବାପରେ ଜିଲା ପ୍ରଶାସନ, ପୁଲିସ ଓ ଦମକଳ ବାହିନୀକୁ ନାକେଦମ ହେବାକୁ ପଡ଼ିଛି। ଆତ୍ମାହୁତିର କର୍ଯ୍ୟକ୍ରମ ରହିଥିବା ପ୍ରଚାରିତ ହେବାପରେ ମାଜିଷ୍ଟ୍ରେଟ ଉପସ୍ଥିତିରେ ପୌର ପରିଷଦ ଆଖପାଖରେ ବହୁ ସଂଖ୍ୟକ ପୁଲିସ କର୍ମଚାରୀ ମୁତୟନ ହେବା ସହ ଅଗ୍ନିକାଣ୍ଡ ଜନିତ ଅଘଟଣକୁ ଏଡାଇବା ପାଇଁ ସେଠାରେ ପର୍ଯ୍ୟାପ୍ତ ପରିମାଣର ପାଣି ସହ ଦମକଳ ବାହିନୀ ଜଗି ରହିଥିବା ଦେଖିବାକୁ ମିଳିଥିଲା। ତେବେ ସେଭଳି କୌଣସି ଘଟଣା ଘଟିନଥିଲା। ଫଳରେ ଉଭୟ ପ୍ରଶାସନ ଓ ପୁଲିସ ସାମାନ୍ୟ ଆଶ୍ୱସ୍ତି ପ୍ରକାଶ ପାଇଥିଲା।

prayash

ମାତ୍ର ଜିଲା ବିଜେପି ଯୁବମୋର୍ଚ୍ଚା ଓ ଜିଲା ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚାର କର୍ମୀ ଓ କର୍ମକର୍ତ୍ତା ମାନେ ଅନଶନକାରୀ କାଉନଶିଲର ମାନଙ୍କୁ ସମର୍ଥନ ଜଣାଇ ନୀଳବେର୍ଣ୍ଣୀ ସାହି ନିକଟସ୍ଥ ବାଇପାସ ଛକଠାରେ ଟାୟାର ଜାଳି ଦୀର୍ଘ ୨ ଘଂଟା ପର୍ଯ୍ୟନ୍ତ ୪୯ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ। ଅପରାହ୍ନ ୨ଟାରୁ ୪ ଟା ପର୍ଯ୍ୟନ୍ତ ଜିଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ବିଭିନ୍ନ ସ୍ଳୋଗାନ ସହ ସେମାନେ ଏହି ରାସ୍ତାରୋକ ଆନ୍ଦୋଳନ କରିଥିବା ବେଳେ ଉକ୍ତ ରାସ୍ତାର ଉଭୟ ପାର୍ଶ୍ବରେ ଶହଶହ ଯାନବାହାନ ଅଟକି ରହିଥିଲା। ଜିଲା ବିଜେପି ଯୁବ ମୋର୍ଚ୍ଚା ସଭାପତି ସନ୍ତୋଷ ଭୁତିଆ, ରାଜ୍ୟ କାର୍ଯ୍ୟକାରୀଣୀ ସଦସ୍ୟ ଦୟାଶଙ୍କର ଦ୍ୱିବେଦୀ ଏବଂ ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚାର ସମ୍ପାଦକ ଦେବାନନ୍ଦ ନାୟକ, ମକରଧ୍ୱଜ ହସ୍ତୀ ଓ ପଙ୍କଜ ପାତ୍ରଙ୍କ ନେତୃତ୍ୱରେ ଏହି ରସ୍ତାରୋକ ଆନ୍ଦୋଳନ ହୋଇଥିଲା।

ଏହି ରସ୍ତାରୋକ ଆନ୍ଦୋଳନ ପରେ ସମାନ ଦାବୀରେ ବହୁ ବିଜେପି ନେତା ଓ କର୍ମୀ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିବା ଜଣାପଡ଼ିଛି। ଏହି ଧାରଣାରେ ବିଜେପି ରାଜ୍ୟ କାର୍ଯ୍ୟକାରୀଣୀ ସଦସ୍ୟ ସୁଧିର କୁମାର ବ୍ରହ୍ମା ଓ ନଗର ବିଜେପି ସମ୍ପାଦକ ରମଣୀ ରଞ୍ଜନ ଆଚାର୍ଯ୍ୟ ମଧ୍ୟ ସାମିଲ ଥିବା ଜଣାପଡ଼ିଛି। ଏଠାରେ ସୂଚନା ଯୋଗ୍ୟ ଯେ, ଉପରୋକ୍ତ ୧୫ ଦଫା ଦାବୀରେ ଦେବଗଡ଼ ପୌର ପରିଷଦର ଉପାଧ୍ୟକ୍ଷ ପ୍ରଜିତ କୁମାର ଭୋଜ, ସ୍ୱାଧିନ କାଉନଶିଲର ଧର୍ମେନ୍ଦ୍ର କୁମାର ଦେବତା , ବିଜେପି କାଉନଶିଲର ମଧୁସୂଦନ ବାଘ, ପିଙ୍କି ସାହୁ, ସରୋଜିନୀ ମୁଣ୍ଡା, ଇତିଶ୍ରୀ ମିଶ୍ର ଓ କାର୍ତିକ ମହାକୁଳ ଗତ ୨୫ ତାରିଖ ଦିନ ଦେବଗଡ଼ ପୌର ପରିଷଦ କାର୍ଯ୍ୟାଳୟ ବାରଣ୍ଡାରେ ଆମରଣ ଅନଶନ ଆରମ୍ଭ କରିଥିଲେ।

kalyan agarbati

Comments are closed.