ରାଜ୍ୟରେ ବଢ଼ୁଛି ଶକ୍ତି ଚାହିଦା

ଓଡ଼ିଶା ଶକ୍ତି ସଞ୍ଚାରଣ ନିଗମର କାର୍ଯ୍ୟ ସମୀକ୍ଷା

ଭୁବନେଶ୍ୱର : ରାଜ୍ୟରେ ଶକ୍ତି ଚାହିଦା ବୃଦ୍ଧି ପାଉଛି। ସମ୍ପ୍ରତି ସରକାର ରାଜ୍ୟରେ ଶିଳ୍ପାୟନ ଉପରେ ଅଧିକ ଗୁରୁତ୍ୱ ଦେଉଥିବାରୁ ଏହି ପରିପ୍ରେକ୍ଷୀରେ ଅଧିକ ଶକ୍ତି ଉତ୍ପାଦନ ଆବଶ୍ୟକତା ରହିଛି। ଆଗକୁ ଅଧିକ ଶକ୍ତି ଉତ୍ପାଦନ ପାଇଁ ପ୍ରକଳ୍ପ ପ୍ରସ୍ତୁତ ଏବଂ ସେଥିପାଇଁ ବଜେଟ ବ୍ୟବସ୍ଥା କରିବାକୁ ଓଡ଼ିଶା ଶକ୍ତି ସଞ୍ଚାରଣ ନିଗମର ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଶକ୍ତିମନ୍ତ୍ରୀ ପ୍ରତାପ କେଶରୀ ଦେବ ପରାମର୍ଶ ଦେଇଛନ୍ତି ।
ସମୀକ୍ଷା ବୈଠକରେ ଶକ୍ତିମନ୍ତ୍ରୀ ଶ୍ରୀ ଦେବ ଅଧ୍ୟକ୍ଷତା କରି କହିଥିଲେ, ସୌର ଶକ୍ତି ଉତ୍ପାଦନ ହେଉ କିମ୍ବା ଅନ୍ୟ ଅଣପାରମ୍ପରିକ ଶକ୍ତି, ଆମକୁ ସେଥପ୍ରତି ବିଶେଷ ଗୁରୁତ୍ବ ଦେବାକୁ ପଡିବ। ଲୋକେ ଗୁଣାତ୍ମକ ବିଦ୍ୟୁତ ସେବା ଉପରେ ଅଧିକ ସଚେତନ। ପଶ୍ଚିମ ଓଡ଼ିଶାରେ ଦ୍ରୁତ ଶିଳ୍ପାୟନ ହେଉଥିବା ଏବଂ ସେ ଅଞ୍ଚଳରେ ଶକ୍ତି ଚାହିଦା ଅଧିକ ଥିବା ହେତୁ ଏହି ଚାହିଦା ପୂରଣ କରିବାକୁ ପଡିବ। ଅବିଚ୍ଛିନ୍ନ ବିଦ୍ୟୁତ ଯୋଗାଣ ପାଇଁ ୨୦୧୫-୧୬ ଆର୍ଥିକ ବର୍ଷରେ ହାତକୁ ନିଆଯାଇଥିବା ରେଡିଆଲ୍ ଗ୍ରିଡ଼କୁ ରିଙ୍ଗ ମୋଡ୍‌ରେ ପରିବର୍ତ୍ତନ କରିବା ପ୍ରକ୍ରିୟାରେ ଏଯାବତ୍ ୧୨ଟି ପ୍ରକଳ୍ପରୁ ପାରଳାଖେମୁଣ୍ଡି-ଆର.ଉଦୟଗିରି, ବୌଦ୍ଧ-ଫୁଲବାଣୀ ଏବଂ ଘେଁସ-ପଦ୍ମପୁର ପ୍ରକଳ୍ପ ପାଇଁ ଜଙ୍ଗଲ ଜମି ସମସ୍ୟା ରହିଛି। ଉପକୂଳବର୍ତ୍ତୀ ଜିଲାଗୁଡ଼ିକ ବାତ୍ୟା ପ୍ରତିରୋଧୀ ବିଦ୍ୟୁତିକରଣ କାର୍ଯ୍ୟରେ ୬ଟି ପ୍ରକଳ୍ପ ମଧ୍ୟରୁ ୫ଟି ସରିଥିବାବେଳେ ଚାନ୍ଦବାଲି- ଧାମରା ୧୩୨ କେଭି ଲାଇନ୍ କାର୍ଯ୍ୟ ଚାଲିଛି। ବିପର୍ଯ୍ୟୟ ମୁକାବିଲା ନିମନ୍ତେ ବିଦ୍ୟୁତସେବା ସ୍ବାଭାବିକ କରିବା ଉଦ୍ଦେଶ୍ୟରେ ୧୫୧.୩୩ କୋଟି ବ୍ୟୟ ଅଟକଳରେ ୨୦୧୫-୧୬ରେ କାର୍ଯ୍ୟ ହାତକୁ ନିଆଯାଇଥିଲା। ସେଥମଧ୍ୟରୁ ଡୁବୁରୀରେ ନିର୍ମାଣାଧୀନ ଥିବାବେଳେ ଚନ୍ଦକା, ବାଲେଶ୍ବର, ବଲାଙ୍ଗୀର, ଖୋର୍ଦ୍ଧା, ଯାଜପୁର ରୋଡ଼, ନରେନ୍ଦ୍ରପୁର, ସମ୍ବଲପୁର, ଚାନ୍ଦପୁର ପ୍ରକଳ୍ପ ଓ ଜୟନଗରରେ ନିର୍ମାଣ ସରିଛି।
ଭୁବନେଶ୍ୱର-କଟକ ‌େ‌ଦ୍ବୖତନଗରୀ ମଧ୍ୟରେ ବ୍ୟାପକ ବିକାଶ ଯୋଜନା (ସିଡିପି) ଅଧୀନରେ ଭୂତଳ କେବୁଲିଂ ଏବଂ ବିକଳ୍ପ ବିଦ୍ୟୁତ ସେବା ଲାଇନ୍ ବ୍ୟବସ୍ଥା କରିବାକୁ ୧୪୯୨.୦୭ କୋଟି ଟଙ୍କା ବ୍ୟୟ ବରାଦ ହୋଇଥିଲା। ଏହି ବିନିଯୋଗରେ ୧୩ଟି ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଛି। ସେଥିରେ କଟକ ବିଡ଼ାନାସୀ, ପ୍ରତାପଶାସନ, ସିଡିଏ, ୟୁନିଟ୍- ୮, ମଞ୍ଚେଶ୍ବର, ଗୋଡ଼ିସାହି କାର୍ଯ୍ୟ ସରିଛି। ନୂଆପଡ଼ା–ପ୍ରତାପଶାସନ, କଣ୍ଟାବାଡ଼, ସତ୍ୟନଗର, ବଡଗଡ଼ ଓ ବାଲିଅନ୍ତାଠାରେ ୧୩୨ ଏବଂ ୨୨୦ କେଭି ସବ୍‌ଷ୍ଟେସନ ନିର୍ମାଣାଧୀନ ରହିଛି। ୨୦୨୧-୨୨ରେ ବିଭାଗ ଦ୍ବାରା ୨୦୮୫ ଏମ୍‌ଭିଏ କ୍ଷମତା ବିଶିଷ୍ଟ ୨୯୫.୧୧ ସର୍କିଟ କି.ମି. ଦୈର୍ଘ୍ୟ ବିଦ୍ୟୁତଲାଇନ ବିଛାଇବା, ସମୁଦାୟ ୪୬୫.୯୮୮ ସର୍କିଟ କି.ମି. ସ୍ବତନ୍ତ୍ର ଲାଇନ ଏବଂ ଶିଳ୍ପାଞ୍ଚଳ ସକାଶେ ୧୨୬.୩୭୪ ସର୍କିଟ କି.ମି. ଲାଇନ୍ ବିଛାଇବା କାର୍ଯ୍ୟ କରାଯାଇଛି। ବୈଠକରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ଓପିଟିସିଏଲ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦେଶକ ସଞ୍ଜୟ ମିଶ୍ର, ନିର୍ଦେଶକ ଉପେନ୍ଦ୍ର କୁମାର ପତି, ଅତିରିକ୍ତ ସଚିବ ଲିପ୍‌ସା ଦାସଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Comments are closed.