ଜଙ୍ଗଲରେ ପ୍ରସବ ପରେ ଆସିଲା ଆମ୍ବୁଲାନ୍ସ

0

ଫୁଲବାଣୀ: କନ୍ଧମାଳ ଜିଲାରେ ଗର୍ଭବତୀ ମହିଳାଙ୍କ ଯନ୍ତ୍ରଣା ଥମୁନି। ବାରମ୍ବାର ଏପରି ଅଭିଯୋଗ ସତ୍ତ୍ବେ ପ୍ରତିକାର ହେଉନି, ଏପଟେ ଛଟପଟ ହେଉଛନ୍ତି ମହିଳା। ସ୍ୱାସ୍ଥ୍ୟ ବିଭାଗ ନିଦାବିଷ୍ଣୁ ସାଜିଛି। ଆଜି ଫୁଲବାଣୀ ବ୍ଲକ ତୁଡିପାଜୁ ପଞ୍ଚାୟତର ସାର୍ତ୍ତାଗୁଡା ଗାଁ ନିକଟ ଜଙ୍ଗଲରେ ଗର୍ଭ ଯନ୍ତ୍ରଣା ସହ୍ୟ କରିନପାରି ଜଣେ ଆଦିବାସୀ ମହିଳା ପ୍ରସବ କରିଛନ୍ତି। ମହିଳାଙ୍କ ଗର୍ଭ ଯନ୍ତ୍ରଣା ହେବାରୁ ୧୦୨ ଆମ୍ବୁଲାନସକୁ ଫୋନ କରିଥିଲେ ପରିବାର ଲୋକେ। କିନ୍ତୁ ଯାନ୍ତ୍ରିକ ତୃଟି ଦର୍ଶାଯାଇ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ପାରିନଥିଲା। ପରେ ୧୦୮କୁ ବାରମ୍ବାର ଫୋନ କରାଗଲା, ହେଲେ ଗାଡି ଆସିଲା ନାହିଁ। ଗର୍ଭ ଯନ୍ତ୍ରଣାରେ ଛଟପଟ ହେବା ପରେ ଜଙ୍ଗଲରେ ହିଁ ଏକ ପୁତ୍ର ସନ୍ତାନ ପ୍ରସବ କଲେ ଆଦିବାସୀ ମହିଳା। ମହିଳାଙ୍କ ସ୍ୱାମୀ ଜଙ୍ଗଲ ମଝିରେ କାଠରେ ଅସ୍ଥାୟୀ ଶିବିର କରିବା ପରେ ସେଠାରେ ପ୍ରସବ କଲେ। କନ୍ଧମାଳ ଜିଲା ଅରାପାଜୁ ଗାଁର ପୁଷ୍ପାଞ୍ଜଳୀ କହଁର ଆଜି ଜଙ୍ଗଲରେ ପୁତ୍ର ସନ୍ତାନ ପ୍ରସବ କରିଛନ୍ତି। ଏହା
ତାଙ୍କର ଦ୍ୱିତୀୟ ସନ୍ତାନ। ସମ୍ପର୍କୀୟଙ୍କ ଘରକୁ ବୁଲି ଆସିଥିବାବେଳେ ପ୍ରବଳ ଗର୍ଭ ଯନ୍ତ୍ରଣା ହୋଇଥିଲା ଏବଂ ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସକୁ ଖବର ଦିଆଯାଇଥିଲା। କିନ୍ତୁ ଆମ୍ବୁଲାନସ୍‍ ଆସିଲା ନାହିଁ। ଫଳରେ ଗର୍ଭ ଯନ୍ତ୍ରଣାରେ ଛଟପଟ ପତ୍ନୀକୁ ଧରି ସ୍ୱାମୀ ଡାକ୍ତରଖାନା ଅଭିମୁଖେ ଚାଲି ଚାଲି ବାହାରିବା ବେଳେ ଜଙ୍ଗଲ ରାସ୍ତାରେ ଯନ୍ତ୍ରଣ ଅସହ୍ୟ ହୋଇପଡିଥିଲା। ସେଠାରେ କାଠ ଓ ଶାଢୀ ଜରିଆରେ ଅସ୍ଥାୟୀ କର୍ଡନ କରାଯିବା ପରେ ମହିଳା ଜଣକ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ଜିଲା ମୁଖ୍ୟ ଚିକିତ୍ସାଳୟରୁ ମାତ୍ର ଚାରି କିଲୋମିଟର ଦୂରକୁ ଆମ୍ବୁଲାନ୍ସ ଆସିପାରୁନଥିବା ବେଳେ ଦୂର ଦୂରାନ୍ତକୁ କିପରି ଆସିବ ବୋଲି ଗାଁ ଲୋକେ କହିଛନ୍ତି। ଜିଲା ମେଡିକାଲରେ ଜରୁରୀକାଳୀନ ଏକ ଆମ୍ବୁଲାନସ୍‍ ମଧ୍ୟ ରଖାଯାଉ ନାହିଁ। ପ୍ରସବ ହେବା ପରେ ସ୍ଥାନୀୟ ଲୋକେ କୌଣସି ପ୍ରକାରେ ୧୦୮ ଜିଲା ମ୍ୟାନେଜରଙ୍କୁ ଯୋଗାଯୋଗ କରିବା ପରେ ବ୍ୟକ୍ତିଗତ ଉଦ୍ୟମରେ ଲାଇନପଡାରୁ ଆସିଥିବା ଏକ ୧୦୮ ଆମ୍ବୁଲାନ୍ସରେ ଗୁରୁତର ଅବସ୍ଥାରେ ମା ଓ ଶିଶୁକୁ ଜିଲା ମେଡିକାଲକୁ ଅଣାଯାଇଥିଲା। ଏହି ଘଟଣାକୁ ନେଇ ସ୍ଥାନୀୟ ବୁଦ୍ଧିଜୀବୀ ଜିଲାର ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ନେଇ ଚିନ୍ତାପ୍ରକଟ କରିଛନ୍ତି। ଜିଲା ମୁଖ୍ୟ ଚିକିତ୍ସାଅଧିକାରୀ ଏ ସମ୍ପର୍କରେ କିଛି ଜାଣିନଥିବା କହିଥିବା ବେଳେ ଆବଶ୍ୟକ ହେଲେ ତଦନ୍ତ କରିବେ ବୋଲି କହିଛନ୍ତି।
୧୦୨ ଆମ୍ବୁଲାନ୍ସ ସେବା କାହା ସ୍ୱାର୍ଥରେ ବୋଲି କହିଛନ୍ତି ଗାଁ ଲୋକେ। ଏପରି ମହିଳାଙ୍କ ପାଇଁ ଦୁର୍ଗମ ଗାଁରୁ ମେଡିକାଲ ନିକଟକୁ ପ୍ରସବର ତାରିଖ ପୂର୍ବରୁ ଆଣିବା ପାଇଁ ମା’ ଘର ଯୋଜନା କରାଯାଇଛି। କିନ୍ତୁ ଏହି ଯୋଜନା ମଧ୍ୟ ବାଟବଣା ହୋଇଛି। ଦୁର୍ଗମ ଅପହଞ୍ଚ ଗାଁ ଗଣ୍ଡାର ଗର୍ଭବତୀ ମହିଳା ଏପରି ଛଟପଟ ହେଉଛନ୍ତି। ପ୍ରସୂତି ଓ ଶିଶୁ ଏବେ ସୁସ୍ଥ ଥିବା ଜଣାପଡିଛି।
ଜଙ୍ଗଲରେ ପ୍ରସବ ପରେ…

Leave A Reply