ଆନ୍ଦୋଳନରେ ନାହୁଁ, ରାଜନୈତିକ ଆକ୍ରୋଶର ଶିକାର ହେଉଛୁ : ଦିଲ୍ଲୀ ଆଇଏଏସ୍ ସଂଘ
ନୂଆଦିଲ୍ଲୀ : ପ୍ରାୟ ୪ମାସ ହେଲା ଦିଲ୍ଲୀ ସରକାରଙ୍କ ଅଧୀନରେ ଥିବା ଆଇଏଏସ୍ ଅଫିସରମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ ଚଳାଇଥିବା ଓ ଅସହଯୋଗ କରୁଥିବା ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜେରିୱାଲଙ୍କ ଅଭିଯୋଗକୁ ଦିଲ୍ଲୀ ଆଇଏଏସ୍ ସଂଘ ଖଣ୍ଡନ କରିଛି। ଆଇଏଏସ୍ ସଂଘ ରବିବାର ସନ୍ଧ୍ୟାରେ ଏକ ସାମ୍ବାଦିକ ସମ୍ମିଳନୀ ଡାକି କହିଛି ଯେ ଅଧିକାରୀମାନେ ଆନ୍ଦୋଳନରେ ନାହାନ୍ତି। ସମସ୍ତ ଅଧିକାରୀ କାମ କରୁଛନ୍ତି ଓ ଏପରିକି ଛୁଟି ଦିନରେ ବି କାମ କରୁଛନ୍ତି। ମୁଖ୍ୟ ଶାସନ ସଚିବଙ୍କ ଉପରେ ଆକ୍ରମଣ ପରେ ଅଧିକାରୀମାନେ ଭୟଭୀତ ଅଛନ୍ତି। ରାଜନୈତିକ କାରଣରୁ ସେମାନଙ୍କୁ ଟାର୍ଗେଟ କରାଯାଉଛି। ସେମାନଙ୍କ ଉପରେ ବ୍ୟକ୍ତିଗତ ଆକ୍ରମଣ କରାଯାଉଛି ଏବଂ ଅଧିକାରୀମାନେ ଆନ୍ଦୋଳନରେ ଅଛନ୍ତି ବୋଲି ମିଥ୍ୟା ପ୍ରଚାର କରାଯାଉଛି। ଉଲ୍ଲେଖଯୋଗ୍ୟ ଯେ ଆଇଏଏସ୍ ଅଧିକାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ବିରୋଧରେ ଦିଲ୍ଲୀ ଉପରାଜ୍ୟପାଳ ଅନିଲ ବୈଜାଲଙ୍କ ବାସଭବନରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ସହିତ ଅନ୍ୟ ୩ ମନ୍ତ୍ରୀ ସପ୍ତାହେ ହେବ ଅନଶନରେ ବସିଛନ୍ତି। କେଜେରିୱାଲ ଅଭିଯୋଗ କରିଛନ୍ତି ଯେ ଦିଲ୍ଲୀ ସରକାରଙ୍କ ଅଧୀନରେ ଥିବା ଆଇଏଏସ୍ ଅଫିସରମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ ଚଳାଇଛନ୍ତି। ସେମାନେ ଆପ୍ ମନ୍ତ୍ରୀମାନଙ୍କ ଦ୍ୱାରା ଆହୂତ କୌଣସି ବୈଠକରେ ଯୋଗ ଦେଉ ନାହାନ୍ତି। ଏହାଦ୍ୱାରା ସରକାରଙ୍କ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ସାମ୍ବିଧାନିକ ଦାୟିତ୍ୱ ଦୃଷ୍ଟିରୁ ଉପରାଜ୍ୟପାଳ ଅଫିସରମାନଙ୍କୁ କାର୍ଯ୍ୟରେ ଯୋଗଦେବାକୁ ଆବଶ୍ୟକ ନିର୍ଦେଶ ଦେବା ସହ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଦାବି କରିଛନ୍ତି। ରବିବାର ସନ୍ଧ୍ୟାରେ ଆହୂତ ସାମ୍ବାଦିକ ସମ୍ମିଳନୀରେ ଆଇଏଏସ୍ ସଂଘର ମନିଷା ସକ୍ସେନା କହିଛନ୍ତି ଯେ ସାମ୍ବାଦିକ ସମ୍ମିଳନୀ ଡାକି ଆମକୁ ପକ୍ଷ ରଖିବାକୁ ପଡ଼ିବ ଭାବିନଥିଲୁ। ଆମେ କୌଣସି ପ୍ରକାର ଆନ୍ଦୋଳନରେ ନାହୁଁ। ଆମର କୌଣସି ରାଜନୈତିକ ଦଳ ସହ ସମ୍ପର୍କ ନାହିଁ। ଦିଲ୍ଲୀର ସବୁ ଅଧିକାରୀ କାର୍ଯ୍ୟ କରୁଛନ୍ତି ଓ ଛୁଟି ଦିନରେ ବି କାମ କରୁଛନ୍ତି। ଦିଲ୍ଲୀ ସରକାରଙ୍କ ମୁଖ୍ୟ ଶାସନ ସଚିବ ଅଂଶୁ ପ୍ରକାଶଙ୍କୁ ଆପ୍ ନେତାମାନେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ମାଡ ମାରିବା ଘଟଣା ପଦାକୁ ଆସିବା ପରେ ଅନ୍ୟ ଅଧିକାରୀମାନେ ଭୟଭୀତ ଅଛନ୍ତି। ଏପରି କୌଣସି ଅଧିକାରୀଙ୍କ ସହ ହୋଇପାରେ। ଆମେ ମଧ୍ୟାହ୍ନ ବିରତି ସମୟରେ ୫ମିନିଟ୍ ମୌନ ରହି ସେହି ଘଟଣାର ବିରୋଧ କରୁଛୁ ଓ ମୁଖ୍ୟ ଶାସନ ସଚିବଙ୍କ ପ୍ରତି ନିଜର ସମର୍ଥନ ଜାହିର କରୁଛୁ। ଆଉ ଏହି ବିରୋଧକୁ ଆମେ ଜାରି ରଖିବୁ।