ଦିଲ୍ଲୀ ମୃତ୍ୟୁ ଘଟଣା: ସମସ୍ତଙ୍କ ଶବ ସଂସ୍କାର
ନୂଆଦିଲ୍ଲୀ : ଦିଲ୍ଲୀ ବୁରାରି ଅଞ୍ଚଳରେ ଗଣଆତ୍ମହତ୍ୟା କରିଥିବା ଭାଟିଆ ପରିବାରର ୧୧ ସଦସ୍ୟଙ୍କର ଶବକୁ ସଂସ୍କାର କରାଯାଇଛି। ସୋମବାର ଅପରାହ୍ଣ ୪ଟା ୪୫ରେ ଦିଲ୍ଲୀର ନିଗମବୋଧ ଘାଟରେ ବନ୍ଧୁ ଓ ପରିଜନଙ୍କ ଉପସ୍ଥିତିରେ ସମସ୍ତଙ୍କର ଶବକୁ ସଂସ୍କାର କରାଯାଇଥିଲା। ଏହି ଗଣଆତ୍ମହତ୍ୟା ଘଟଣା ଉପରୁ ପୁଲିସ କେତେକ ରହସ୍ୟ ଉନ୍ମୋଚନ କରିଛି। ଜଣେ ପୁଲିସ ଅଧିକାରୀଙ୍କ କହିବା ଅନୁଯାୟୀ ଭାଟିଆ ପରିବାର ଯେଉଁ ଗଣଆତ୍ମହତ୍ୟା କରିଛନ୍ତି ତାର ନେତୃତ୍ୱ ନେଇଥିଲେ ଲଲିତ ଭାଟିଆ (୪୫)। ଅର୍ଥାତ ଲଳିତଙ୍କ ପରାମର୍ଶକ୍ରମେ ପରିବାର ଲୋକ ସମୂହ ଆତ୍ମହତ୍ୟା କରିଥିଲେ। ମା’ ନାରାୟଣ ଦେବୀ (୭୫) ଓ ବଡ ଭାଇ ଭବେଶ (୫୦)ଙ୍କ ଉପସ୍ଥିତି ସତ୍ତ୍ବେ ସାନ ପୁଅ ଲଳିତ ପରିବାର ସମସ୍ତ ବ୍ୟବସାୟ, ସମ୍ପତ୍ତିବାଡି ଓ ଅନ୍ୟାନ୍ୟ ଦାୟିତ୍ୱ ବହନ କରିଆସୁଥିଲେ। କିଛି ବର୍ଷ ପୂର୍ବେ ପିତାଙ୍କ ମୃତ୍ୟୁ ପରଠାରୁ ଲଳିତ ଏହି ଦାୟିତ୍ୱ ବହନ କରିଆସୁଥିଲେ। ଲଳିତ ଦ୍ୱାରା ରବିବାର ରାତିରେ ଘରେ ପୂଜାପାଠ ହୋଇଥିଲା ଓ ତାଙ୍କର ଆଦେଶରେ ପରିବାର ସମସ୍ତ ଲୋକ ରସି ଲଗାଇ ଆତ୍ମହତ୍ୟା କରିଥିଲେ। ସ୍ୱର୍ଗାଲୋକରୁ ପିତା ବା ‘ଉପରବାଲାର’ ଆଦେଶ ଆଧାରରେ ପରିବାର ଲୋକଙ୍କୁ ଆତ୍ମହତ୍ୟା (ନିର୍ବାଣ ପ୍ରାପ୍ତି) ଲାଗି ସେ ପ୍ରବର୍ତ୍ତାଇଥିବା ପୁଲିସ କହିଛି।
ତଦନ୍ତକାରୀ ଅଧିକାରୀଙ୍କ କହିବା ଅନୁଯାୟୀ ପୁଲିସ ଯେଉଁ ଡାଏରି ଓ ପୂଜାପାଠ ସମ୍ପର୍କିତ ଚିଠା ବା ନୋଟ ଜବତ କରିଥିଲା ତାହା ଲଳିତଙ୍କ ହସ୍ତଲେଖା ବୋଲି ସ୍ପଷ୍ଟ ହୋଇଛି। ଲଳିତ ଅନ୍ୟ ଯେଉଁସବୁ ସ୍ଥାନରେ ଲେଖାଲେଖି ସବୁ କରିଛନ୍ତି ଡାଏରି ଲେଖା ତାହ ସହ ସମାନ ରହିଛି। ୨୦୧୫ରୁ ଲଳିତ ଏହି ଡାଏରିକୁ ଲେଖି ଆସୁଥିଲେ। ଜାନୁଆରୀ ମାସଠାରୁ ଡାଏରି ଲେଖା ବଢିଥିଲା। ଜୁନ୍ ୨୫ରେ ଶେଷ ଲେଖା ହୋଇଥିଲା। କାରଣ ଲଳିତ ସବୁବେଳେ କହୁଥିଲେ ଯେ ବାପାଙ୍କ ଆତ୍ମା ତା’ ଦେହରେ ସବାର ହୋଇଛି। ଏପରି କି ସେ ସବୁବେଳେ ବାପାଙ୍କୁ ସ୍ୱପ୍ନ ଦେଖୁଥିବା କହୁଥିଲେ। ତେଣୁ ବାପାଙ୍କ ନାମରେ ସେ ପରିବାର ଲୋକଙ୍କୁ ସମସ୍ତ ପ୍ରକାର ପରାମର୍ଶ ଦେଉଥିଲେ ଓ ଏହାକୁ ସମସ୍ତେ ଗ୍ରହଣ କରୁଥିଲେ। ନିର୍ବାଣ ପ୍ରାପ୍ତି ବା ଆତ୍ମହତ୍ୟା ସମୟରେ ମଧ୍ୟ ସେ ଅନୁରୂପ ଭାବେ ମୃତପିତାଙ୍କ ନାମ ନେଇ ପରିବାର ଲୋକଙ୍କୁ ପ୍ରବର୍ତ୍ତାଇବାରେ ସଫଳ ହୋଇଥିଲେ। ୨୦୦୮ରେ ଲଳିତଙ୍କ ପିତା ଭୋପାଳ ସିଂହଙ୍କ ମୃତ୍ୟୁ ହୋଇଥିଲା। ଅସୁସ୍ଥତା କାରଣରୁ ସେ ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇଥିଲେ।
୫୦ ପୃଷ୍ଠାର ନୋଟରୁ ଆହୁରି ଜଣାଯାଇଛି ଯେ ଆତ୍ମହତ୍ୟା ପୂର୍ବରୁ ସେ ଏହାର ପୂର୍ବାଭ୍ୟାସ କରିଥିଲେ। ବାସ୍ତବ ନିର୍ବାଣ ପ୍ରାପ୍ତି ସମୟରେ ଯେପରି ଏଥିରେ କୌଣସି ଭୁଲ ନ ହୁଏ ସେଥିପାଇଁ ଅନେକ ଥର ଅଭ୍ୟାସ କରାଯାଇଥିଲା ବୋଲି ତଦନ୍ତକାରୀ ଅଧିକାରୀ କହିଛନ୍ତି। ନୋଟରେ ବରଗଛକୁ ପୂଜା କରାଯିବା ସମ୍ପର୍କରେ ବାରମ୍ବାର ଲେଖାଯାଇଥିଲା। ଏପରି କି ବରଗଛର ଓହଲକୁ ପୂଜା କରାଯିବା ସମ୍ପର୍କରେ ସ୍ୱତନ୍ତ୍ର ଭାବେ ଲେଖାଯାଇଥିଲା। ପୂଜା କରୁଥିବା ଲୋକ ଓହଲ ଭଳି ଝୁଲିବା ସମ୍ପର୍କରେ ନୋଟ୍ରେ ଲେଖାଯାଇଥିଲା। ପୂଜା ସମୟରେ ହାତ, ମୁହଁ, କାନ, ଆଖିକୁ ବନ୍ଦ କରିବା ସମ୍ପର୍କରେ ଉଲ୍ଲେଖ ରହିଛି। ପୂଜା ସମୟରେ ସମସ୍ତ ନିୟମକୁ ଠିକ୍ ସେ ପାଳନ କରିବାକୁ କଡା ନିର୍ଦେଶ ରହିଥିଲା; ନଚେତ ପରିଣାମ ଭୋଗିବାର ଭୟ ଦେଖାଯାଇଥିଲା।
ତଦନ୍ତକାରୀ ଅଧିକାରୀ କହିଛନ୍ତି ଲଲିତ କୌଣସି ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇଥିଲେ। ସେ ମାୟାଜାଲରେ ପଡିଥିଲେ। ଏ ସମ୍ପର୍କରେ ଅଧିକ ତଦନ୍ତ ପାଇଁ ମନସ୍ତତ୍ତ୍ୱବିଦ୍ଙ୍କ ସହଯୋଗ ନିଆଯିବ ବୋଲି ପୁଲିସ କହିଛି। ଭାଟିଆ ପରିବାରର ପ୍ଲାଏଉଡ ବ୍ୟବସାୟ ଥିବାରୁ ଲଳିତଙ୍କ ସହିତ ଜଣେ ବଢେଇ ନିୟମିତ କାମ କରିଆସୁଥିଲା। ଉକ୍ତ ବଢେଇ ଅହମ୍ମଦ ଅଲ୍ଲୀଙ୍କ କହିବା ଅନୁଯାୟୀ ଲଳିତ ତିନିମାସ ହେଲା ପିଠି ଓ ବେକ ଯନ୍ତ୍ରଣା ଭୋଗୁଥିଲେ। ସେ ଅନେକ ସମୟରେ ବିଶ୍ରାମ ନେଉଥିଲେ ଅଲ୍ଲୀ ତାଙ୍କ ବ୍ୟବସାୟ ବୁଝାସୁଝା କରୁଥିଲେ। ଅଲ୍ଲୀଙ୍କ କହିବା ଅନୁଯାୟୀ ପରିବାର ଲୋକ ବହୁତ ଧାର୍ମିକ ଥିଲେ। ତେବେ ଏପରି ଆତ୍ମହତ୍ୟା କରିବା ଭଳି କୌଣସି ପ୍ରକାର ଅସ୍ୱାଭାବିକ କାର୍ଯ୍ୟ ତାଙ୍କ ଠାରେ ଦେଖାଯାଉ ନଥିଲା।