ଓଡ଼ିଶାରେ ପ୍ରତିରକ୍ଷା ଶିଳ୍ପ କରିଡର, ବୈମାନିକ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯାଉ

0

ଭୁବନେଶ୍ୱର : ଓଡ଼ିଶାରେ ପ୍ରତିରକ୍ଷା ଶିଳ୍ପ କରିଡ଼ର ଓ ବୈମାନିକ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ଚିଠି ଲେଖିଛନ୍ତି।
ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ଶ୍ରୀ ପଟ୍ଟନାୟକ ଉଲ୍ଲେଖ କରିଛନ୍ତି ଯେ ପ୍ରତିରକ୍ଷା ଓ ମହାକାଶ କ୍ଷେତ୍ରର ବିକାଶ ପାଇଁ ଓଡ଼ିଶାରେ ବ୍ୟାପକ ସୁଯୋଗ ଓ ଉନ୍ନତ ଦେଶୀୟ ଶିଳ୍ପ ଭିତ୍ତିଭୂମି ରହିଛି। ଓଡ଼ିଶା ହେଉଛି ଦେଶର ସର୍ବାଧିକ ଇସ୍ପାତ, ଆଲୁମିନିୟମ ଉତ୍ପାଦନକାରୀ ରାଜ୍ୟ। ସେଲ, ଟାଟା ଷ୍ଟିଲ, ହିଣ୍ଡାଲକୋର ମଦର ପ୍ଲାଣ୍ଟରୁ ପ୍ରତିରକ୍ଷା ଓ ମହାକାଶ ଗବେଷଣା, ଉନ୍ନୟନ ସଂକ୍ରାନ୍ତ ଉନ୍ନତ ସାମଗ୍ରୀ ଉପଲବ୍ଧ।
କୋରାପୁଟଠାରେ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ଼(ହାଲ)ରେ ଏରୋ ଇଞ୍ଜିନ ସୁବିଧା, ଚାନ୍ଦିପୁରଠାରେ ସମନ୍ୱିତ ଟେଷ୍ଟ ରେଞ୍ଜ, ବାଲେଶ୍ୱରଠାରେ ଡିଆରଡିଓ ପରୀକ୍ଷାଗାର ଓ ବଲାଙ୍ଗିରଠାରେ ସାମରିକ ଦ୍ରବ୍ୟ ଉତ୍ପାଦନ କାରଖାନା ରହିଛି।
ବୈମାନିକ ଓ ପ୍ରତିରକ୍ଷା କ୍ଷେତ୍ରରେ ଆନୁଷଙ୍ଗିକ ଶିଳ୍ପକୁ ସହଯୋଗ ଯୋଗାଇବାକୁ ୧ଲକ୍ଷ ଏକର ଶିଳ୍ପ ଜମି ବ୍ୟାଙ୍କ ଓ ଉତ୍ସର୍ଗୀକୃତ ଶିଳ୍ପାଞ୍ଚଳ ରହିଛି।
ଆଇଆଇଟି, ଏନଆଇଟି, ଆଇଆଇଏମ, ଟ୍ରିପଲ ଆଇଟି, ନାଇସର, ଏକ୍ସଆଇଏମବି ଭଳି ଜାତୀୟସ୍ତରର ଉଚ୍ଚ ଶିକ୍ଷାନୁଷ୍ଠାନ ସହିତ ବହୁ ସଂଖ୍ୟାରେ ଦକ୍ଷ ମାନବସମ୍ବଳ ରହିଛି। ରାଜ୍ୟ ସରକାର ଖୁବ୍‍ଶୀଘ୍ର ଉନ୍ନତ ପ୍ରତିରକ୍ଷା ଓ ବୈମାନିକ ଉତ୍ପାଦନ ନୀତି ଘୋଷଣା କରିବାକୁ ଯାଉଛନ୍ତି। ରାଜ୍ୟରେ ଏ ପ୍ରକାର ସୁବିଧା ସୁଯୋଗ ଥିବାରୁ ପ୍ରତିରକ୍ଷା ଓ ବିମାନ ଉତ୍ପାଦନ ସାମଗ୍ରୀର ସାମଗ୍ରିକ ଉତ୍ପାଦନ ଖର୍ଚ୍ଚ ପ୍ରତିଦ୍ୱନ୍ଦ୍ୱୀମୂଳକ ହୋଇପାରିବ।
ଏହି ପରିପ୍ରେକ୍ଷୀରେ ରାଜ୍ୟରେ ଏକ ଉତ୍ସର୍ଗୀକୃତ ପ୍ରତିରକ୍ଷା ଶିଳ୍ପ କରିଡ଼ର ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି। ଦକ୍ଷତା, ଗବେଷଣା ଓ ଉନ୍ନୟନ କ୍ଷେତ୍ରକୁ ଅଧିକ ମଜଭୁତ କରିବା ନିମନ୍ତେ ପ୍ରସ୍ତାବିତ ବୈମାନିକ ବିଶ୍ୱବିଦ୍ୟାଳୟ ଓଡ଼ିଶାରେ ହାଲ ସହଯୋଗରେ ସ୍ଥାପନ ପାଇଁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି।
ସେ କହିଛନ୍ତି ଯେ ପ୍ରତିରକ୍ଷା, ମହାକାଶ ଡିଜାଇନ ଓ ଉତ୍ପାଦନରେ ଆତ୍ମନିର୍ଭରଶୀଳ ହେବା ପାଇଁ ଜାତୀୟସ୍ତରର ଦୂରଦୃଷ୍ଟିକୁ ହାସଲ କରିବା ପାଇଁ ଓଡ଼ିଶା ସରକାର ବଦ୍ଧପରିକର। ଏସବୁର ପ୍ରତିଷ୍ଠା ଦିଗରେ ଓଡ଼ିଶା ସରକାର ସବୁପ୍ରକାର ସହଯୋଗ ଯୋଗାଇଦେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏ ଦିଗରେ ଠିକଣା ପଦକ୍ଷେପ ନେବାକୁ ସେ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

Leave A Reply