ସୀମାରେ ପାକ୍‍ ବିରୋଧୀ କଡ଼ା କାର୍ଯ୍ୟାନୁଷ୍ଠାନ ଜାରି ରହିବ: ସୀତାରମଣ

0

ଚେନ୍ନାଇ : ସୀମାପାର ଆତଙ୍କବାଦର ଦୃଢ ଜବାବ୍‍ ଦେବା ନିମନ୍ତେ ପାକିସ୍ତାନ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଜାରି ରହିବ ବୋଲି ଭାରତର ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଶନିବାର ଦୃଢୋକ୍ତି ପ୍ରକାଶ କରିଛନ୍ତି। ଭାରତୀୟ ସୀମା ସୁରକ୍ଷା ବାହିନୀ (ବିଏସ୍‍ଏଫ୍‍)ର ଜଣେ ଯବାନଙ୍କ ହତ୍ୟାର ଜବାବ୍‍ ଦେବା ନିମନ୍ତେ ୨-୩ ଦିନ ପୂର୍ବେ ପାକିସ୍ତାନ ସେନା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ କରାଯାଇଥିଲା ବୋଲି ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ ଶୁକ୍ରବାର ପ୍ରକାଶ କରିଥିଲେ। ଭାରତ ପାକିସ୍ତାନ ବିରୋଧୀ ସର୍ଜିକାଲ ଷ୍ଟ୍ରାଇକ୍‍ର ଦ୍ୱିତୀୟବର୍ଷ ପୂର୍ତ୍ତି ପାଳନ କରୁଥିବା ବେଳେ ରାଜନାଥ ଏଭଳି ମନ୍ତବ୍ୟ ଦେଇ ପୁର୍ନବାର ଏହି ଭଳି ଆକ୍ରମଣ ହୋଇଥିବାର ସଙ୍କେତ ଦେଇଥିଲେ। ମାତ୍ର ଏହି ଆକ୍ରମଣ ବିଷୟରେ କୌଣସି ସୂଚନା ପ୍ରଦାନ କରିବାକୁ ବିଏସ୍‍ଏଫ୍‍ ମହାନିର୍ଦେଶକ କେ.କେ. ଶର୍ମା ମନା କରିଦେଇଛନ୍ତି। ଅନ୍ୟପଟେ ଏହି ଧାରା ଆଗକୁ ଜାରି ରହିବ ବୋଲି ଦର୍ଶାଇ ସୀତାରମଣ କହିଛନ୍ତି, ସୀମାନ୍ତରେ ଅନୁପ୍ରବେଶକାରୀଙ୍କୁ ଦୃଢହସ୍ତରେ ଦମନ କରାଯାଉଛି। ଏଭଳି କାର୍ଯ୍ୟାନୁଷ୍ଠାନ ଆତଙ୍କବାଦୀଙ୍କୁ ପ୍ରଶିକ୍ଷଣ ଦେଇ ଆତଙ୍କବାଦ ଘଟାଇବାକୁ ଭାରତକୁ ପଠାଇବାରୁ ପାକିସ୍ତାନକୁ ବିରତ କରିବ ବୋଲି ଆଶା। ମାତ୍ର ପାକିସ୍ତାନ ଉଚିତ ଶିକ୍ଷା ଲାଭ କରୁ ବା ନ କରୁ ଭାରତର ଏହି କାର୍ଯ୍ୟାନୁଷ୍ଠାନ ଜାରି ରହିବ ବୋଲି ସେ ଗଣମାଧ୍ୟମକୁ କହିଛନ୍ତି।

Leave A Reply