ଖୁବ ଶୀଘ୍ର ହେବ ଜାମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନ ନିଷ୍ପତ୍ତି

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀର ପରିସ୍ଥିତି ଉପରେ ଲଗାତାର ନଜର ରଖାଯାଇଛି ଏବଂ ସେଠାରେ ବିଧାନସଭା ନିର୍ବାଚନ ପାଇଁ ଖୁବ ଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି ନିର୍ବାଚନ କମିଶନର କହିଛନ୍ତି। କମିଶନ ଏ ନେଇ ତଥ୍ୟ ସଂଗ୍ରହ କରୁଛନ୍ତି ଏବଂ ପ୍ରଶାସନଠାରୁ ଆବଶ୍ୟକ ସୂଚନା ପାଉଥିବା କହିଛନ୍ତି। ରାଜ୍ୟରେ ପରିସ୍ଥିତିର ଆକଳନ କରିବା ପାଇଁ ନିଯୁକ୍ତ ୩ଜଣ ନିରୀକ୍ଷକ ଇତି ମଧ୍ୟରେ ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଅରୋରା ଏବଂ ଅନ୍ୟତମ ନିର୍ବାଚନ କମିଶନର ଅଶୋକ ଲାଭାସା ଓ ସୁଶୀଲ ଚନ୍ଦ୍ରଙ୍କୁ ନୂଆଦିଲ୍ଲୀରେ ସାକ୍ଷାତ କରିଛନ୍ତି। ଆଲୋଚନା ପରେ ଏକ ପ୍ରେସ ବିଜ୍ଞପ୍ତିରେ ମୁଖ୍ୟ ନିର୍ବାଚନ କମିଶନର ତିନି ଜଣ ନିରୀକ୍ଷକଙ୍କୁ ଯେତେ ଶୀଘ୍ର ସମ୍ଭବ ଜାମ୍ମୁ କାଶ୍ମୀର ଗସ୍ତ କରିବା ପାଇଁ କହିଛନ୍ତି। ଅନ୍ୟପକ୍ଷରେ ରାଜ୍ୟ ନିର୍ବାଚନ ଅଧିକାରୀ ଦାୟିତ୍ୱରେ ଥିବା ସନ୍ଦୀପ ସାକ୍ସେନା ମୁଖ୍ୟ ନିର୍ବାଚନ କମିଶନରଙ୍କୁ ନିର୍ବାଚନ ପ୍ରସ୍ତୁତି ଏବଂ ପରିପାର୍ଶ୍ଵିକ ପରିସ୍ଥିତି ସମ୍ପର୍କରେ ଅବଗତ କରାଇଛନ୍ତି। ଏହି ତିନି ଜଣ କେନ୍ଦ୍ରୀୟ ନିରୀକ୍ଷକ ଏ. ଏସ. ଗିଲ, ନୁର ମହମ୍ମଦ ଏବଂ ବିନୋଦ ଯୂଥସି ରାଜ୍ୟର ପରିସ୍ଥିତି ସମୀକ୍ଷା କରିବା ସହ ରାଜନୈତିକ ଦଳ ଓ ବିଭିନ୍ନ ଅଧିକାରୀମାନଙ୍କ ସହ ଆଲୋଚନା କରିବେ। ମାର୍ଚ୍ଚ ୧୦ରେ ମୁଖ୍ୟ ନିର୍ବାଚନ କମିଶନର ଜାମ୍ମୁ କାଶ୍ମୀରରେ କେବଳ ଲୋକସଭା ପାଇଁ ନିର୍ବାଚନ ତାରିଖ ଘୋଷଣା କରିଥିଲେ।