ଡେବ୍ରିଗଡ଼ ଅଭୟାରଣ୍ୟରେ ରେକର୍ଡ଼ ସଂଖ୍ୟକ ପର୍ଯ୍ୟଟକ

ନୌବିହାର, ସାଇକ୍ଲିଂ, ଟ୍ରାକିଂ, କ୍ୟାମ୍ପ ଫାୟାର ଏବଂ ସଫାରୀର ମଜା ନେଉଛନ୍ତି ଦେଶୀବିଦେଶୀ ପର୍ଯ୍ୟଟକ

ବୁର୍ଲା: ପର୍ଯ୍ୟଟନ ଋତୁ ଆରମ୍ଭ ହେବା ସହିତ ହିରାକୁଦ ଜଳଭଣ୍ଡାର କୂଳରେ ଥିବା ମନୋରମ ପାହାଡ଼ ଝରଣା ଏବଂ ପ୍ରାକୃତିକ ପରିବେଶ ପରିବେଷ୍ଟିତ ଡେବ୍ରିଗଡ଼ ଅଭୟାରଣ୍ୟକୁ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏମାନଙ୍କ ମଧ୍ୟରେ ରାଜ୍ୟ, ରାଜ୍ୟ ବାହାର ଏବଂ ବିଦେଶର ପର୍ଯ୍ୟଟକମାନେ ପରିବାର କିମ୍ବା ନିଜ ନିଜ ଗ୍ରୁପ କରି ଏଠାକୁ ଆସୁଛନ୍ତି। ଚଳିତ ଡ଼ିସେମ୍ବର ମାସ ସୁଦ୍ଧା ଡେବ୍ରିଗଡ଼ ପରିବେଶ ପର୍ଯ୍ୟଟନରୁ ୨କୋଟି ୩୦ ଲକ୍ଷ ଟଙ୍କା ରାଜସ୍ୱ ସଂଗୃହିତ ହୋଇଛି। ଚଳିତ ଆର୍ଥିକ ବର୍ଷ ସମ୍ପୂର୍ଣ୍ଣ ହେଲା ବେଳକୁ ଏହି ରାଜସ୍ୱ ଆଦାୟ ନୂଆ ରେକର୍ଡ଼ କରିବ। ଡେବ୍ରିଗଡ଼ ଅଭୟାରଣ୍ୟର ସଫାରୀ, କ୍ରୁଜ ଏବଂ ସ୍ଥାନୀୟ ଲୋକଙ୍କ ଆତିଥ୍ୟତା ଏଠାକୁ ଆସୁଥିବା ଦର୍ଶନାର୍ଥୀମାନଙ୍କ ପାଇଁ ଆକର୍ଷଣର ବିଷୟ ହୋଇଛି। ଅଭୟାରଣ୍ୟରେ ରାତ୍ରି ରହଣୀ ପାଇଁ ଥିବା ୧୪ଟି କଟେଜ ଗତମାସ ୨୩ ତାରିଖରୁ ଆସନ୍ତା ଜାନୁଆରୀ ମାସ ପର୍ଯ୍ୟନ୍ତ ପର୍ଯ୍ୟଟକମାନେ ବୁକ୍ କରିଛନ୍ତି। ଗତ ଅକ୍ଟୋବର ମାସରୁ ପ୍ରତ୍ୟହ ୧୮ଟି ସଫାରୀ ଗାଡ଼ି(ଚାରୋଟି ଖୋଲା ଜିପ, ୮ ଆସନ ବିଶିଷ୍ଟ ଏବଂ ୧୨ଟି ଆସନ ବିଶିଷ୍ଟ ଏସି ଏବଂ ଅଣଏସି ଭ୍ୟାନ) ଗତ ଅକ୍ଟୋବର ମାସରୁ ବୁକ୍ ରହୁଛି।

prayash

ସେହିଭଳି ଡେବ୍ରିଗଡ଼ରେ ବନ୍ୟ ପ୍ରାଣୀ ଏବଂ ପ୍ରାକୃତିକ ଦୃଶ୍ୟ ଉପଭୋଗକାରୀଙ୍କ ସଂଖ୍ୟା ପୂର୍ବାପେକ୍ଷା ବହୁଗୁଣା ବୃଦ୍ଧି ପାଇଛି। ଅଭୟାରଣ୍ୟରେ କଲରା ପତରିଆ ବାଘ, ଗୟଳ, ସମ୍ବର, ବରାହା, ଭାଲୁ, ଚିତ୍ତଳ ଏବଂ ଅନ୍ୟାନ୍ୟ ବନ୍ୟପ୍ରାଣୀଙ୍କୁ ଶୀତଋତୁରେ ସଫାରୀ ସୁବିଧା ନେଉଥିବା ଦର୍ଶକମାନେ ଦେଖି ପାରିଥାନ୍ତି। ଅଭୟାରଣ୍ୟର ପର୍ଯ୍ୟାପ୍ତ ତୃଣଭୂମିର ପରିଚାଳନା, କଡ଼ା ସୁରକ୍ଷା ବ୍ୟବସ୍ଥା ସ୍ଥାନୀୟ ଅଧିବାସୀଙ୍କ ଏଥିରେ ଅଂଶଗ୍ରହଣ ଅଭୟାରଣ୍ୟ ଭିତରେ ଥିବା ଗ୍ରାମମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତରଣ ଏହି ପ୍ରାକୃତିକ ପର୍ଯ୍ୟଟନ କେନ୍ଦ୍ରର ଉନ୍ନତିରେ ସହାୟକ ହୋଇଛି। ହୀରାକୁଦ ହ୍ରଦର ୭୦୦ ବର୍ଗ କିଲୋମିଟର ପରିମିତ ଜଳରାଶି ମଧ୍ୟରେ ଥିବା ତିନୋଟି ଦ୍ୱିପକୁ ୧୫ଟି ସ୍ପିଡ୍‌ ବୋଟ(ନୌକା)ର ବ୍ୟବସ୍ଥା କରାଯାଇଛି। ଏହା ବ୍ୟତୀତ କାୟାକିଂ ସହିତ ସାଇକ୍ଲିଂ, ଟ୍ରାକିଂ, ବାର୍ଡ଼ ୱାଚିଂ ଏବଂ କ୍ୟାମ୍ପ ଫାୟାରକୁ ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରୁଛି। ବର୍ତ୍ତମାନ ସୁଦ୍ଧା ୨୫ ହଜାର ପର୍ଯ୍ୟଟକ ଏହି ସମସ୍ତ ସୁବିଧା ନେଇଛନ୍ତି। ଡେବ୍ରିଗଡ଼ ପରିବେଶ ପର୍ଯ୍ୟାଟନ ୭୫ଟି ପରିବାରକୁ ଜୀବିକା ପ୍ରଦାନ କରୁଛି। ପ୍ରତିମାସ ପ୍ରତି ପରିବାର ୧୩ ହଜାର ଟଙ୍କାରୁ ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ଆୟ କରୁଥିବା ହୀରାକୁଦ ବନ୍ୟପ୍ରାଣୀ ଡିଏଫଓ ଅଂଶୁପ୍ରଜ୍ଞା ଦାସ ସୂଚନା ଦେଇଛନ୍ତି। ଗତ ଆର୍ଥିକ ବର୍ଷରେ ଏଠାକୁ ଦେଶ ବିଦେଶର ୩୦ ହଜାର ପର୍ଯ୍ୟଟକ ଆସିଥିଲେ ଏବଂ ଏଥିରୁ ଅଢ଼େଇ କୋଟି ଟଙ୍କାର ରାଜସ୍ୱ ସଂଗ୍ରହ ହୋଇଥିଲା। ନୂଆକରି ଗୋବିନ୍ଦପୁର ପକ୍ଷୀଗ୍ରାମ, ୧୨ ବଖରା ପାହାଡ଼ ଗୁମ୍ଫା ଏବଂ ଝରଣା, ବୀର ସୁରେନ୍ଦ୍ର ସାଏ ସ୍ମାରକୀକୁ ଆରମ୍ଭ କରାଯାଇଥିବା ସଫାରୀ ପ୍ୟାକେଜକୁ ଦେଶ ବିଦେଶର ପର୍ଯ୍ୟଟକମାନେ ପସନ୍ଦ କରୁଛନ୍ତି। ରବିବାରଠାରୁ ନୂତନ ଦୁଇଟି ଆରାମ ଦାୟକ କ୍ରୁଜ ଆରମ୍ଭ ହୋଇଛି। ଏହା ହୀରାକୁଦ ଜଳଭଣ୍ଡାରରେ ୨୩୬୦ ଡିଗ୍ରୀ ପର୍ଯ୍ୟନ୍ତ ଘୁରିପାରିବ। ଜିରୋ ପଏଣ୍ଟରେ ଥିବା ଡେବ୍ରିଗଡ଼ ପ୍ରାକୃତିକ ଉଦ୍ୟାନ, ଶୋଭେନିୟର କାଉଣ୍ଟର ଏବଂ ଗୋବିନ୍ଦପୁରରେ ଥିବା ହୀରାକୁଦ ପ୍ରକୃତି ଉଦ୍ୟାନରେ ପ୍ରାକୃତିକ ଶୋଭା ଉପଭୋଗ ସହିତ ଦୂର ଦୂରାନ୍ତର ଦର୍ଶକମାନଙ୍କ ପାଇଁ ଖାଦ୍ୟ ଓ ବିଶ୍ରାମର ବ୍ୟବସ୍ଥା କରାଯାଇଛି ବୋଲି ଡିଏଫଓ ଅଂଶୁପ୍ରଜ୍ଞା ଦାସ କହିଛନ୍ତି।

Comments are closed.