ସରକାରୀ ପ୍ରୋତ୍ସାହନ ମିଳିଲେ ବଢିବ ଦେବୀଦ୍ୱାର ପର୍ଯ୍ୟଟନ ସ୍ଥଳର ମାନ

ବାଙ୍କୀ : ବାଙ୍କୀ-କଟକ ମୁଖ୍ୟ ରାସ୍ତାର ଗୟଳବାଙ୍କ ଠାରେ ମହାନଦୀ ନିକଟରେ ରହିଛି ଐତିହ୍ୟ ସମ୍ପର୍ଣ୍ଣ ସିଦ୍ଧ ରାମଚଣ୍ଡି ମନ୍ଦିର। ଡମପଡା-ଚନ୍ଦକା ଅଭୟାରଣ୍ୟର ପାଦଦେଶ ଏବଂ ମହାନଦୀର କୂଳରେ ସ୍ଥାନଟି ଅବସ୍ଥିତି ଥିବା ହେତୁ ବର୍ଷ ସାରା ଏଠିକାର ପ୍ରାକୃତିକ ଶୋଭା ଅତି ମନଲୋଭା। ଅଂଚଳର ଜନସାଧାରଣ, ଯୁବପିଢୀଙ୍କୁ କେବଳ ଆକୃଷ୍ଟ କରେ ନାହିଁ ବଂର ମୁଖ୍ୟରାସ୍ତାରେ ଯାଉଥିବା ପଥଚାରୀ, ଯାତ୍ରୀ ଓ ପର୍ଯ୍ୟଟକ ମାନଙ୍କୁ ସ୍ଥାନଟି ବେଶ୍ ଆକୃଷ୍ଟ କରୁଛି । ପ୍ରାକୃତିକ ଶୋଭା ବିମଣ୍ଡିତ ଗ୍ରାମାଞ୍ଚଳର ଏହି ଭୌଗଳିକ ଓ ଐତିହାସିକ ସ୍ଥାନଟି ସରକାର ତଥା ପର୍ଯ୍ୟଟନ ବିଭାଗର ଆଢୁଆଳରେ ଥିବାରୁ ସ୍ଥାନଟିର ବିକାଶ ତଥା ସମୃଦ୍ଧି ହୋଇପାରୁ ନାହିଁ । ବାଙ୍କୀ ଠାରୁ ୨୦ କି.ମି, କଟକ ଠାରୁ ୩୦ କି.ମି ଏବଂ ଭୂବନେଶ୍ୱର ଠାରୁ ୩୫ କି.ମି ଦୂରରେ ଥିବା ଦେବୀଦ୍ୱାର ସ୍ଥଳୀ ସରକାରୀ ପ୍ରୋତ୍ସହନ ମିଳିଲେ ଅଂଚଳଟି ପର୍ଯ୍ୟଟକଙ୍କ ପାଇଁ ମୁଖ୍ୟ ଆକର୍ଷଣ ହେବ ବୋଲି ଅଂଚଳର ପ୍ରକୃତି ପ୍ରେମୀ,ବୁଦ୍ଧିଜିବୀ ଓ ଜନସାଧାରଣ କହିଛନ୍ତି। ଏବେ ଦେବୀଦ୍ୱାର ଉନ୍ନୟନ ପରିଷଦର ପ୍ରତ୍ୟକ୍ଷ ତତ୍ୱାବଧାନ, ସହଯୋଗ ଏବଂ କିଛି ଯୁବ ପିଢୀଙ୍କ ଉଦ୍ୟମରେ ସ୍ଥଳଟିର ଉନ୍ନୟନ କାର୍ଯ୍ୟକରାଯାଇ ପାରିଛି । ଯଦ୍ୱାରା ଦିନକୁ ଦିନ ବିଭିନ୍ନ ସ୍ଥାନରୁ ଆସୁଥିବା ପର୍ଯ୍ୟଟକ ମାନେ ସିମୀତ ରହଣୀ ସମୟରେ ବଣଭୋଜୀର ମଜା ନେଉଛନ୍ତି। ମହାନଦୀର ଶୀତଳ ଜଳରାଶି,ପ୍ରାକୃତିକ ଭରା ଜଙ୍ଗଲୀ ପରିବେଶ ସାଥିକୁ ଐତିହ୍ୟ ସମ୍ପର୍ଣ୍ଣ ଅଂଚଳର ଆରଧ୍ୟାଦେବୀ ମା ଶିଦ୍ଧ ରାମଚଣ୍ଡିଙ୍କୁ ଦର୍ଶନ କରିବାର ସୈାଭାଗ୍ୟ ମିଳୁଛି। ଏବେ ବଣଭୋଜି ପାଇଁ ପରିବେଶରେ ୬ଗୋଟି ସିମେଣ୍ଟ ପିଣ୍ଡି, ଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା ସହିତ ପ୍ରାକତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ପାଖରେ ସିମେଣ୍ଟ ନିର୍ମିତ ଆରାମ ଚୌକି ଏବଂ ନିକଟରେ ନିର୍ମିତ ହୋଇଥିବା ଆଇ ଲଭ୍ ଦେବୀଦ୍ୱାର ସେଲ୍ଫି ପଏଣ୍ଟ ବେଶ୍ ଆକର୍ଷଣୀୟ ହୋଇଛି । ସରକାରୀ ଅନୁଦାନ ପାଇନଥିଲେ ମଧ୍ୟ ବ୍ୟକ୍ତିଗତ ପ୍ରଚେଷ୍ଟା, ସାଧାରଣ ଲୋକଙ୍କର ଦାନରେ ପରିଚାଳିତ କ୍ଷେତ୍ରରେ ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିବା ପାଇଁ ପରିବେଶକୁ ସ୍ୱଚ୍ଛ ଓ ପରିସ୍କାର ରଖିବାର ବ୍ୟବସ୍ଥା କରାଯାଇଛି। ବିଭିନ୍ନ ସମୟରେ ସ୍ଥାନୀୟ ଲୋକପ୍ରତିନିଧି ଏହି କ୍ଷେତ୍ରର ମାନ ବଢାଇବା ପାଇଁ ଜଙ୍ଗଲ ଓ ପରିବେଶ ବିଭାଗ ସହିତ ପର୍ଯ୍ୟଟନ ବିଭାଗର ସହଯୋଗରେ ଏହି କ୍ଷେତ୍ରଟି ବିକାଶ ହେବ ବୋଲି ବୁଦ୍ଧିଜିବୀ ମାନେ କହିଛନ୍ତି। ଆଗାମୀ ଦିନରେ ଦେବୀଦ୍ୱାର ମହାନଦୀ ଘାଟରେ ମଧ୍ୟ ସରକାରୀ ଭାବରେ ପର୍ଯ୍ୟଟକ ମାନଙ୍କ ପାଇଁ ନୈାକା ବିହାରର ସୁବିଧା କିଶୋର ଯୁବ ପିଢୀଙ୍କୁ ବେଶ୍ ଆକୃଷ୍ଟ କରିବ। ସୂଚନା ଯୋଗ୍ୟଯେ ଏହି ରାସ୍ତା ଦେଇ କଟକ-ଭୂବନେଶ୍ୱର ତଥା ବାହାରୁ ଆସୁଥିବା ବହୁ ପର୍ଯ୍ୟଟକ ବାଙ୍କୀ ମା ଚର୍ଚ୍ଚିକା ପୀଠ,କଣ୍ଟିଲୋ ନୀଳମାଧବ,ବଡମ୍ବାର ଭଟାରିକା,ନରସିଂହପୁରର ଦେଓଝର ଏବଂ ଦ୍ୱିତୀୟ ବୃହତମ ମଧୁର ହ୍ରଦ ଅଂଶୁପା ପରିଦର୍ଶନରେ ଆସୁଥିବା ପର୍ଯ୍ୟଟକ ମାନଙ୍କୁ ସୈାନ୍ଦର୍ଯ୍ୟ ବିମଣ୍ଡିତ ଦେବୀଦ୍ୱାର ପର୍ଯ୍ୟଟନ ସ୍ଥଳୀ ବେଶ୍ ଆକୃଷ୍ଟ କରିବ।

Comments are closed.