ନିର୍ମାଣକାରୀ ସଂସ୍ଥାକୁ ଆର୍.ଡି. ବିଭାଗ କର୍ତ୍ତୃପକ୍ଷଙ୍କ ଅହେତୁକ ଅନୁକମ୍ପା ଅଭିଯୋଗ

ନିର୍ବାହୀ ଯନ୍ତ୍ରୀ ଓ ୩ ଯନ୍ତ୍ରୀଙ୍କ ସମେତ ଠିକାସଂସ୍ଥା ବିରୁଦ୍ଧରେ ମାମଲା

ଦେବଗଡ: ଦେବଗଡ ସ୍ଥିତ ଗ୍ରାମ୍ୟ ନିର୍ମାଣ ଡିଭିଜନ ପକ୍ଷରୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ଅନ୍ତର୍ଗତ ତିଲେଇବଣି ବ୍ଲକ ଅନ୍ତର୍ଗତ କଂସର-ଜମନକିରା ରାସ୍ତା ନିର୍ମାଣ କାର୍ୟ୍ୟରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଥିଲା। କମ୍ ନିର୍ମାଣକାର୍ୟ୍ୟ କରିଥିବା ନିର୍ମାଣକାରୀ ସଂସ୍ଥାକୁ ବିଭାଗୀୟ କର୍ତ୍ତୃପକ୍ଷ ଅହେତୁକ ଅନୁକମ୍ପା ଦେଖାଇ ପ୍ରାୟ ୩୦ଲକ୍ଷରୁ ଅଧିକ ଟଙ୍କା ପ୍ରଦାନ କରିଥିବା ଜଣାପଡିବା ପରେ ସମ୍ବଲପୁର ସ୍ଥିତ ବିଭାଗୀୟ ଅଧିକ୍ଷଣ ଯନ୍ତ୍ରୀ ସଞ୍ଜୟ ପାତ୍ରଙ୍କ ଏତଲା କ୍ରମେ ଆଜି ରିଆମାଳ ଥାନା ପୁଲିସ ଦେବଗଡ ଗ୍ରାମ୍ୟ ନିର୍ମାଣ ଡିଭିଜନର ପୂର୍ବତନ ନିର୍ବାହୀ ଯନ୍ତ୍ରୀ(ବର୍ତ୍ତମାନ ଗଞ୍ଜାମ ଜିଲାରେ ଅବସ୍ଥାପିତ)କିଶୋର କୁମାର ମିଶ୍ର, ପୂର୍ବତନ ସହକାରୀ କାର୍ୟ୍ୟ ନିର୍ବାହୀ ଯନ୍ତ୍ରୀ ହିମାଂଶୁ ଶେଖର ସେଠୀ(ବର୍ତ୍ତମାନ ସମ୍ବଲପୁର ଜିଲାର ରେଢାଖୋଲରେ ଅବସ୍ଥାପିତ), ଦେବଗଡ ଗ୍ରାମ୍ୟ ନିର୍ମାଣ ଡିଭିଜନର କନିଷ୍ଠ ଯନ୍ତ୍ରୀ ହିମାଂଶୁ ବେହେରା,ଏଷ୍ଟିମେଟର ଇଂ.ସୁବୋଧ ମୁ୍ଦୁଲୀ ଏବଂ ନିର୍ମାଣକାରୀ ସଂସ୍ଥା ବିରୁଦ୍ଧରେ ବିଭିନ୍ନ ଦପାରେ ଏକ ମାମଲା ରୁଜୁ କରିଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ ୨୦୧୭-୧୮ ମସିହାରେ ଦେବଗଡ ଜିଲାର କଂସର ଠାରୁ ସମ୍ବଲପୁର ଜିଲାର ଜମନକିରା (୧୪ କି.ମି.) ରାସ୍ତା(ପ୍ୟାକେଜ ନଂ-ଓ.ଆର.-୦୮-୧୦୫)ନିର୍ମାଣ ନିମନ୍ତେ ସରକାରଙ୍କ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରୁ ଅର୍ଥ ମଞ୍ଜୁର ହେବାପରେ ଏଥିପାଇଁ ଦେବଗଡ ଗ୍ରାମ୍ୟ ନିର୍ମାଣ ଡିଭିଜନ ପକ୍ଷରୁ ଟେଣ୍ଡର ଆହ୍ୱାନ କରାଯାଇଥିଲା। ସେହିପରି ଏହାର ନିର୍ମାଣ କାର୍ୟ୍ୟ ନିମନ୍ତେ ୫କୋଟି ୧ଲକ୍ଷ ଟଙ୍କାର ଚୁକ୍ତି କରାଯାଇ ସ୍ଥାନୀୟ ନିର୍ମଣକାରୀ ସଂସ୍ଥା ‘ତୁଳସୀ କଷ୍ଟ୍ରକ୍ସନ’ ନାମରେ କାର୍ୟ୍ୟାଦେଶ ପ୍ରଦାନ କରାଯାଇଥିଲା। ତେବେ ୨୦୧୮ -୧୯ ଆର୍ଥୀକ ବର୍ଷରେ ଏହାର ନିର୍ମଣ କାର୍ୟ୍ୟ ଆରମ୍ଭ ହୋଇଥିବା ବେଳେ ନିର୍ଦ୍ଧାରିତ ଅବଧି ମଧ୍ୟରେ ନିର୍ମାଣ କାର୍ୟ୍ୟ ଶେଷ ହୋଇପାରିନଥିଲା। କିନ୍ତୁ ଶେତିକି ଟଙ୍କାର ନିର୍ମାଣ କାର୍ୟ୍ୟ ଶେଷ ହୋଇଥିଲା ତାହାର ପ୍ରାୟ ୩୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ନିର୍ମାଣକାରୀ ସଂସ୍ଥା ‘ତୁଳସୀ କଷ୍ଟ୍ରକ୍ସନ’କୁ ବାପୂର୍ବରୁ ପ୍ରଦାନ କରାଯାଇଥିଲା। ଏସମ୍ପର୍କରେ ସମ୍ପୃକ୍ତ ଅଂଚଳବାସୀ ବିଭାଗୀୟ ଉଚ୍ଚକର୍ତ୍ତୃପକ୍ଷଙ୍କ ସମେତ ବିଭାଗୀୟ ସଚିବଙ୍କ ନିକଟରେ ମଧ୍ୟ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବାପରେ ବିଭାଗୀୟ ସଚିବ ଏ ଘଟଣାର ତଦନ୍ତ ନିମନ୍ତେ ସମ୍ବଲପୁର ସ୍ଥିତ ଅଧିକ୍ଷଣ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ କ୍ରମେ ଅଧିକ୍ଷଣ ଯନ୍ତ୍ରୀ ଶ୍ରୀ ପାତ୍ର ଉକ୍ତ ରାସ୍ତାକୁ ଆସି ଅଭିଯୋଗର ତଦନ୍ତ କରିବାସହ ଅଳ୍ପ କାମ କରାଯାଇଥିବା ବେଳେ ନିର୍ମଣକାରୀ ସଂସ୍ଥାକୁ ଅନିଚିତ ଅନୁଗ୍ରହ ପ୍ରଦର୍ଶନ ପୂର୍ବକ ଢେର ଅଧିକ ଟଙ୍କା ପ୍ରଦାନ କରାଯାଇଥିବା ଜାଣିବାକୁ ପାଇଥିଲେ। ଅଧିକ୍ଷଣ ଯନ୍ତ୍ରୀ ଶ୍ରୀ ପାତ୍ର ଏ ସମ୍ପର୍କୀତ ତଦନ୍ତ ରିପୋର୍ଟ ସଚିବଙ୍କୁ ପ୍ରଦାନ କରିଥିଲେ। ବିଭାଗୀୟ ସଚିବ ଏନେଇ ଥାନାରେ ଏତଲା ପ୍ରଦାନ ପାଇଁ ତାଙ୍କୁ ନିର୍ଦ୍ଦେଶ ଦେବାପରେ ଶ୍ରୀ ପାତ୍ର ଗତକାଲି ଦେବଗଡ ଜିଲାର ରିଆମା ଥାନାକୁ ଆସି ଉପରୋକ୍ତ ପୂର୍ବତନ ନିର୍ବାହୀ ଯନ୍ତ୍ରୀ ଶ୍ରୀ ମିଶ୍ର,ପୂର୍ବତନ ସହକାରୀ କାର୍ୟ୍ୟ ନିର୍ବାହୀ ଯନ୍ତ୍ରୀ ଶ୍ରୀ ସେଠୀ,ଦେବଗଡ ଗ୍ରାମ୍ୟ ନିର୍ମାଣ ଡିଭିଜନର କନିଷ୍ଠ ଯନ୍ତ୍ରୀ ଶ୍ରୀ ବେହେରା,ଏଷ୍ଟିମେଟର ଶ୍ରୀ ମୁ୍ଦୁଲୀ ଏବଂ ନିର୍ମାଣକାରୀ ସଂସ୍ଥା ବିରୁଦ୍ଧରେ ଲିଖିତ ଏତଲା ପ୍ରଦାନ କରିଥିଲେ। ମାତ୍ର ରିଆମାଳ ଥାନା ଅଧିକାରୀ ପ୍ରଦୀପ କେର୍କେଟ୍ଟା କୌଣସି କାର୍ୟ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ଅଧିକ୍ଷଣ ଯନ୍ତ୍ରୀ ଶ୍ରୀ ପାତ୍ର ଆଜି ଦେବଗଡ ଏସ୍.ପି.ରାହୁଲ ଜୈନଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ। ଫଳରେ ଏସ.ପି.ଶ୍ରୀ ଜୈନଙ୍କ ନିର୍ଦ୍ଦେଶ କ୍ରମେ ରିଆମାଳ ଥାନା ପୁଲିସ ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ ବିଭୀନ୍ନ ଦଫାରେ ଏକ ମାମଲା ଋଜୁକରି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି। ଏଘଟଣା ସମଗ୍ର ଦେବଗଡ ଜିଲାରେ ଚର୍ଚ୍ଚାର ମୂଖ୍ୟ ବିଷୟବସ୍ତୁ ସାଜିଛି।

Comments are closed.